Unknown

 

 

 

 

 

 

 

 

 

 

 

ମୋରାର୍‍ଜୀ ଦେଶାଇ

ବୀରକିଶୋର ଦାସ

 

ବିଷୟାନୁକ୍ରମ

 

୧.

ଜୀବନର ପହିଲି ପାହାଚ

୨.

ପଦ ଓ ପଦବୀ

୩.

ନୀତି ଓ ନିଷ୍ଠା

୪.

ଆଶ୍ରମ ଅନୁଭୂତି

୫.

ଦକ୍ଷ ପ୍ରଶାସକ

୬.

ବ୍ୟକ୍ତିଗତ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନ

୭.

ମନ୍ତ୍ରୀତ୍ୱର ଦ୍ୱିତୀୟ ପର୍ଯ୍ୟାୟ

୮.

ମୁଖ୍ୟମନ୍ତ୍ରୀ

୯.

କେନ୍ଦ୍ରରେ ମନ୍ତ୍ରୀତ୍ୱ

୧୦.

ଉପପ୍ରଧାନମନ୍ତ୍ରୀ

୧୧.

କଂଗ୍ରେସ ବିଭାଜନ ଓ ରାଜନୈତିକ ଅସ୍ଥିରତା

୧୨.

ପ୍ରଧାନମନ୍ତ୍ରୀ

୧୩.

ବ୍ୟକ୍ତିଗତ ଜୀବନ ଓ ଆଦର୍ଶ

୧୪.

ତାଙ୍କ ଦୃଷ୍ଟିରେ ଗାନ୍ଧିଜୀ, ପଟେଲ ଓ ନେହେରୁ

Image

 

ଜୀବନର ପହିଲି ପାହାଚ

 

ପୂର୍ବତନ ବମ୍ୱେ ରାଜ୍ୟର ବଲସାର୍‌ ଜିଲ୍ଲାର ଗୋଟିଏ ଛୋଟିଆ ଗାଁ । ଗାଁଟିର ନାମ ଭଦେଲି । ସେହି ଗାଁରେ ୧୮୯୬ ମସିହା ଫେବୃଆରୀ ୨୯ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ମୋରାର୍‍ଜୀ ଦେଶାଇ । ତାଙ୍କର ପିତା ରଣଛୋଡ଼୍‌ଜୀ ଦେଶାଇ ଭାବନଗର ରାଜ୍ୟର ଗୋଟିଏ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ଶିକ୍ଷକ ଥିଲେ । ଆର୍ଥିକ ଅବସ୍ଥା ତାଙ୍କ ତ ସ୍ୱଚ୍ଛଳ ନ ଥିଲା । ତେଣୁ ଅଭାବ ଅସୁବିଧା ଥିଲା ତାଙ୍କର ନିତିଦିନିଆ ସାଥୀ । ଏହା ସତ୍ତ୍ୱେ ସେ ଥିଲେ ଜଣେ ଅନୁଶାସନପ୍ରିୟ ବ୍ୟକ୍ତି-। ବାଲ୍ୟକାଳରୁ ପୁତ୍ର ମୋରାର୍‍ଜୀଙ୍କ ଉପରେ ତାଙ୍କ ନୈତିକ ପ୍ରଭାବ ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା । ଯଦି ବାଲ୍ୟଚପଳତାବଶତଃ ମୋରାର୍‌ଜୀ କୌଣସି କ୍ଷେତ୍ରରେ ତ୍ରୁଟି କରୁଥିଲେ ତାହା ହେଲେ ତାଙ୍କୁ କଠିନ ଦଣ୍ଡ ଭୋଗ କରିବାକୁ ପଡ଼ୁଥିଲା । ଦଣ୍ଡ ଭୋଗିଲେ ମଧ୍ୟ ପିତାଙ୍କ ପ୍ରତି ତାଙ୍କ ମନରେ ଆଦୌ କ୍ରୋଧ ଆସୁ ନ ଥିଲା; ବରଂ ପିତାଙ୍କୁ ସେ ଅଧିକ ଭକ୍ତି କରୁଥିଲେ । କାରଣ ତାଙ୍କରି ପ୍ରଭାବ ଯୋଗୁଁ ସେ ଆଜୀବନ କଠିନ ଶୃଙ୍ଖଳା ମଧ୍ୟରେ ଜୀବନଯାପନ କରି ଆସିଅଛନ୍ତି-

 

ବାଲ୍ୟକାଳରୁ ସେ ଥିଲେ ଅତ୍ୟନ୍ତ ଲଜ୍ଜାଶୀଳ । ସ୍ୱାସ୍ଥ୍ୟ ମଧ୍ୟ ତାଙ୍କର ଥିଲା ଅତି ଦୁର୍ବଳ । ପିଲାଦିନେ ଯଦିଓ ସେ ନିୟମିତ ସ୍କୁଲକୁ ଯାଉଥିଲେ ଶ୍ରେଣୀର ପାଠପଢ଼ା ପ୍ରତି ତାଙ୍କର ସେତେ ଆଗ୍ରହ ନ ଥିଲା । ଖେଳ କସରତରେ ସମୟ କଟାଇବାକୁ ସେ ଭଲ ପାଉଥିଲେ; କିନ୍ତୁ କୌଣସି ପ୍ରତିଯୋଗିତାରେ ଯୋଗ ଦେବାକୁ ସାହସ କରୁ ନ ଥିଲେ । ଏପରି କି ଡ୍ରିଲ୍‌ କ୍ଳାସରେ ଜାଣିଶୁଣି ସେ ଅନୁପସ୍ଥିତ ରହୁଥିଲେ । କବାଡ଼ି, କ୍ରିକେଟ୍‌, ଟେନିସ୍‌ ଓ ଲଟୁ ଖେଳିବାକୁ ସେ ଭଲ ପାଉଥିଲେ । ଖେଳ କସରତରେ ବହୁ ସମୟ କଟାଉଥିଲେ ମଧ୍ୟ ସେ ଥିଲେ ଜଣେ ମେଧାବୀ ଛାତ୍ର । କେବଳ ପରୀକ୍ଷା ପୂର୍ବରୁ ପାଠପଢ଼ାରେ ମନୋନିବେଶ କରି ସେ ଶ୍ରେଣୀ ଉତ୍ତୀର୍ଣ୍ଣ ହେଉଥିଲେ ଓ ପ୍ରାୟ ସବୁବେଳେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ । ମଧ୍ୟ ଇଂରାଜୀ ଶିକ୍ଷା ଶେଷ କରି ସେ ହାଇସ୍କୁଲରେ ନାମ ଲେଖାଇଲେ । ସେତେବେଳେକୁ ତାଙ୍କର ବୟସ ୧୧ ବର୍ଷ । ଯେହେତୁ ସେତେବେଳେ ମାଟ୍ରିକ୍‌ ପରୀକ୍ଷା ଦେବାର ସର୍ବନିମ୍ନ ବୟସସୀମା ଥିଲା ୧୬ ବର୍ଷ, ତେଣୁ ଗୋଟିଏ ବର୍ଷ ତାଙ୍କୁ ଅଯଥା ଅପେକ୍ଷା କରିବାକୁ ପଡ଼ିଥିଲା ।

 

ପନ୍ଦର ବର୍ଷ ବୟସରେ ମୋରାର୍‌ଜୀଙ୍କୁ ବିବାହ କରିବାକୁ ପଡ଼ିଲା । ସେତେବେଳକୁ ତାଙ୍କ ସ୍ତ୍ରୀ ଗଜରାବେନ୍‌ଙ୍କ ବୟସ ମାତ୍ର ୧୧ ବର୍ଷ । ବିବାହର ମାତ୍ର ଦୁଇଦିନ ପୂର୍ବରୁ ତାଙ୍କ ପିତା କୂଅରେ ପଡ଼ି ଆତ୍ମହତ୍ୟା କରିଥିଲେ । ସେହି ଖବର ପାଇ ମୋରାର୍‌ଜୀ ଅତୀବ ବିମର୍ଷ ହୋଇ ପଡ଼ିଥିଲେ । ବିବାହ ନ କରିବାକୁ ସେ ଜିଦ୍‌ ଧରି ବସିଥିଲେ; କିନ୍ତୁ ପରିସ୍ଥିତି ଚାପରେ ପଡ଼ି ବାଧ୍ୟ ହୋଇ ପିତାଙ୍କ ମୃତ୍ୟୁର ମାତ୍ର ଦୁଇଦିନ ପରେ ତାଙ୍କୁ ବିବାହ କରିବାକୁ ପଡ଼ିଥିଲା ।

 

ପିତାଙ୍କ ମୃତ୍ୟୁ ପରେ ତାଙ୍କ ଘରର ପରିସ୍ଥିତି ଅତୀବ ଦୟନୀୟ ହୋଇପଡ଼ିଲା । ତେଣୁ ମା ଓ ଭାଇଭଉଣୀଙ୍କ ସହିତ ସେ ମାମୁଁଘରକୁ ଆସିଲେ; କିନ୍ତୁ ସେଠି ତାଙ୍କ ମା’ଙ୍କର ନିଜ ଭଉଣୀ ସହିତ ମନୋମାଳିନ୍ୟ ହେବାରୁ ବାଧ୍ୟ ହୋଇ ମା ଓ ଭାଇଭଉଣୀଙ୍କ ସହିତ ସେ ପୁଣି ଫେରିଯାଇଥିଲେ ନିଜ ଗାଁ ଭଦେଲିକୁ । ଏଥରକ ଆରମ୍ଭ ହେଲା ତାଙ୍କ ସଂଘର୍ଷମୟ ଜୀବନ । ଆଈମା, ମା, ତିନି ଭାଇ, ଦୁଇ ଭଉଣୀ ଓ ନିଜର ନବବିବାହିତା ପତ୍ନୀଙ୍କ ସମେତ ଆଠଜଣବିଶିଷ୍ଟ ଏକ ପରିବାରର ଭରଣପୋଷଣ ଦାୟିତ୍ୱ ପଡ଼ିଲା ଷୋହଳ ବର୍ଷ ବୟସ୍କ ମୋରାର୍‌ଜୀଙ୍କ ଉପରେ । ତଥାପି ତାଙ୍କର ଧୈର୍ଯ୍ୟଚ୍ୟୁତି ଘଟି ନ ଥିଲା ।

 

ଛାତ୍ର ଜୀବନରେ ସେ ଯେପରି ଥିଲେ ଖେଳୁଆଡ଼, ସେହିପରି ଥିଲେ ରାଜନୀତି ସଚେତନ । ତାଙ୍କୁ ଯେତେବେଳେ ଦଶବର୍ଷ ବୟସ, ବଙ୍ଗଭଙ୍ଗ ଆନ୍ଦୋଳନ ଖବର ଶୁଣି ସେ ଚା; ନ ଖାଇବାକୁ ସିଦ୍ଧାନ୍ତ କରିଥିଲେ । ୧୪ ବର୍ଷ ବୟସରେ ଲୋକମାନ୍ୟ ତିଳକଙ୍କ ଗିରଫ୍‌ଦାରି ଖବର ଶୁଣି ସେ ବିଦେଶୀ ଜିନିଷ ବ୍ୟବହାର ନ କରିବାକୁ ଶପଥ ଗ୍ରହଣ କରିଥିଲେ । ୧୬ ବର୍ଷ ବୟସରେ ସେ ମାଟ୍ରିକ୍‌ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ । ସେହି ପରୀକ୍ଷାରେ କ୍ରମାନୁସାରେ ତାଙ୍କର ସ୍ଥାନ ଥିଲା ପଇଁଚାଳିଶ । ଆର୍ଥିକ ଅସ୍ୱଚ୍ଛଳତା ସତ୍ତ୍ୱେ ତାଙ୍କର ମନୋବଳ ଭାଙ୍ଗି ଯାଇ ନ ଥିଲା । ଉଚ୍ଚ ଶିକ୍ଷା ଲାଗି ସେ ବମ୍ୱେସ୍ଥିତ ଉଇଲ୍‌ସନ୍‌ କଲେଜରେ ନାମ ଲେଖାଇଲେ । ସେତେବେଳେ ଗରିବ ମେଧାବୀ ଛାତ୍ରମାନଙ୍କୁ ଗୋକୁଳଦାସ ତେଜପାଲ୍ ଛାତ୍ରାବାସରେ ରହିବାର ସୁଯୋଗ ଦିଆଯାଉଥିଲା । ସେହି ଛାତ୍ରାବାସ ତରଫରୁ ଖାଇବା, ପିନ୍ଧିବା, କଲେଜ ଦରମା, ବହି ଇତ୍ୟାଦି ସବୁ ମାଗଣା ଯୋଗାଇ ଦିଆଯାଉଥିଲା ।

 

ବାଲ୍ୟକାଳରୁ ମୋରାର୍‌ଜୀ ଥିଲେ ଆତ୍ମନିର୍ଭରଶୀଳ । ନିଜର ଯାବତୀୟ କାମ ସେ ନିଜ ହାତରେ କରୁଥିଲେ । କଲେଜ ଜୀବନରେ ମଧ୍ୟ ସେ ସେହି ଅଭ୍ୟାସ ଅକ୍ଷୁଣ୍ଣ ରଖିଥିଲେ । ପ୍ରାକୃତିକ ଚିକିତ୍ସା ଉପରେ ତାଙ୍କର ପ୍ରତ୍ୟୟ ଥିଲା ଅତୁଟ । ଛାତ୍ରାବାସରେ ରହି ମଧ୍ୟ ସେ ଓଷା, ବ୍ରତ ଉପବାସ ଇତ୍ୟାଦି କରି ନିଜ ଶରୀରକୁ ବଳିଷ୍ଠ ଓ ନିରୋଗ ରଖିଥିଲେ । ପୋଷାକପତ୍ରରେ ତାଙ୍କର ଆଡ଼ମ୍ୱର ନ ଥିଲା । ଥିଏଟର, ସିନେମା ଆଦି ଦେଖିବାଲାଗି ସେ ପସନ୍ଦ କରୁ ନ ଥିଲେ । କଲେଜ ଜୀବନରେ ସେ ମାତ୍ର ତିନି ଚାରି ଥର ଥିଏଟର ଓ ଛ’ ସାତ ଥର ସିନେମା ଦେଖିଥିଲେ ବୋଲି ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଅଛନ୍ତି; କିନ୍ତୁ କ୍ରିକେଟ ଖେଳ ଦେଖିବାରେ ତାଙ୍କର ସଉକ ଥିଲା ସବୁଠାରୁ ବେଶୀ । ବମ୍ୱେର ପ୍ରାୟ ସବୁ କ୍ରିକେଟ୍‌ ମ୍ୟାଚ୍‌ ସେ ଦେଖୁଥିଲେ । ଛାତ୍ରାବାସଠାରୁ ଯେତେ ଦୂରରେ କ୍ରିକେଟ୍‌ ଖେଳ ହେଉଥିଲେ ମଧ୍ୟ ନିଜେ ଚାଲି ଚାଲି ସେ ସ୍ଥାନରେ ଖେଳ ଆରମ୍ଭ ପୂର୍ବରୁ ପହଞ୍ଚି ଯାଉଥିଲେ । ଛାତ୍ରାବାସରୁ କଲେଜର ଦୂରତା ଥିଲା ପ୍ରାୟ ୩ ମାଇଲ-। ପ୍ରତିଦିନ ଚାଲି ଚାଲି ସେ କଲେଜ ଯାଉଥିଲେ ଓ ଛାତ୍ରାବାସକୁ ଫେରୁଥିଲେ ।

 

ସେତେବେଳେ ବମ୍ୱେ ଥିଲା ସ୍ୱାଧୀନତା-ସଂଗ୍ରାମୀମାନଙ୍କର ଏକ କେନ୍ଦ୍ରସ୍ଥଳୀ । ସରୋଜିନୀ ନାଇଡ଼ୁ, ଗୋପାଳକୃଷ୍ଣ ଗୋଖଲେ, ଲୋକମାନ୍ୟ ତିଳକ, ବୁଲାଭାଇ ଦେଶାଇ ଆଦି ତୁଙ୍ଗ ନେତୃବୃନ୍ଦ ସେଠାରେ ବାରମ୍ୱାର ସଭାସମିତିମାନ କରୁଥିଲେ । ମୋରାର୍‌ଜୀ ନିଶ୍ଚିତଭାବେ ସେମାନଙ୍କର ସମୟ ସଭାରେ ଯୋଗଦେଇ ତାଙ୍କ ଓଜସ୍ୱିନୀ ଭାଷଣମାନ ଶୁଣୁଥିଲେ । ତାହାଦ୍ୱାରା ତାଙ୍କ ହୃଦୟରେ ଜାତୀୟ ଚେତନା କ୍ରମେ ଦୃଢ଼ୀଭୂତ ହେବାକୁ ଲାଗିଲା । ମେଧାବୀ ଛାତ୍ର ହିସାବରେ ସେ ଦଶଟଙ୍କା ବୃତ୍ତି ପାଉଥିଲେ; କିନ୍ତୁ ସେଥିରୁ ସେ ଗୋଟିଏ ପଇସା ନିଜ ପାଇଁ ବ୍ୟୟ ନ କରି ସବୁଯାକ ଘର ଖର୍ଚ୍ଚ ଲାଗି ପଠାଇ ଦେଉଥିଲେ ।

 

ଯେହେତୁ ବାଲ୍ୟକାଳରୁ ତାଙ୍କ ଜୀବନ ଥିଲା ଶୃଙ୍ଖଳିତ, ତେଣୁ ଛାତ୍ରାବାସର କଠିନ ନିୟମ ମାନି ଚଳିବାରେ ତାଙ୍କୁ କୌଣସି ଅସୁବିଧା ହେଉ ନ ଥିଲା । ନିୟମ ଅନୁଯାୟୀ ତତ୍ତ୍ୱାବଧାରକଙ୍କ ବିନା ଅନୁମତିରେ ରାତି ନ’ଟା ପରେ କେହି ବାହାରକୁ ଯାଇ ପାରୁ ନ ଥିଲେ । ସେତେବେଳେ ଛାତ୍ରାବାସର ତତ୍ତ୍ୱାବଧାରକ ଥିଲେ ଶ୍ରୀ ଗୋଦି । ସେ ପେଟବେମାରିରେ ସବୁବେଳେ ପୀଡ଼ିତ ଥିବାରୁ ଅନ୍ତେବାସୀମାନଙ୍କ ଉପରେ ସାମୟିକ ବିରକ୍ତ ହେଉଥିଲେ । ତେଣୁ ଛାତ୍ରମାନେ ଭୟରେ ତାଙ୍କୁ ବେଶୀ ସାକ୍ଷାତ କରୁ ନ ଥିଲେ । ଛାତ୍ରାବାସର କଟକଣା ସତ୍ତ୍ୱେ, ଯେତେବେଳେ ତାଙ୍କୁ ଚିଟା ଲାଗୁଥିଲା, ମୋରାର୍‌ଜୀ କେତେକ ବନ୍ଧୁଙ୍କ ସହିତ ପଦଚାରଣ ପାଇଁ ଚୌକିଦାରକୁ କହି ବାହାରକୁ ଚାଲିଯାଉଥିଲେ ।

 

କଲେଜକୁ ଆସିବା ପୂର୍ବରୁ ସେ ଶ୍ରେଣୀରେ ଥିଲେ ସମସ୍ତଙ୍କଠାରୁ ଉଚ୍ଚତାରେ ଛୋଟ; କିନ୍ତୁ କଲେଜ ଜୀବନରେ ନିୟମିତ ଭାବେ ବ୍ୟାୟାମ କରିବା ଦ୍ୱାରା ତାଙ୍କର ଉଚ୍ଚତା ବଢ଼ିବା ସଙ୍ଗେ ସଙ୍ଗେ ଯଥେଷ୍ଟ ସ୍ୱାସ୍ଥୋନ୍ନତି ହୋଇଥିଲା । ଥରେ ଛାତ୍ରାବାସର ଖାଦ୍ୟପେୟ ଓ ଅନ୍ୟାନ୍ୟ ଅସୁବିଧା ଜଣାଇବା ପାଇଁ ଅନ୍ତେବାସୀମାନେ ମୁଖ୍ୟ ଟ୍ରଷ୍ଟିଙ୍କ ନିକଟକୁ ଯାଇଥିଲେ । ସେତେବେଳେ ସେହି ଦାୟିତ୍ୱରେ ଥାନ୍ତି ଜଣେ ସଲିସିଟର୍‌ । ଛାତ୍ରମାନଙ୍କର ଆପତ୍ତି ଅଭିଯୋଗ ଶୁଣି ସେ ହଠାତ୍‌ ରାଗିଉଠି କହିଲେ—‘Beggars cannot be choosers’ ଅର୍ଥାତ୍‌ ଭିକାରୀମାନେ ଭଲମନ୍ଦ ବାଛିବା ଉଚିତ ନୁହେଁ । ତାହା ଶୁଣି ଛାତ୍ରମାନେ ରାଗିଗଲେ; କିନ୍ତୁ ତାଙ୍କ ବିରୁଦ୍ଧରେ ପଦେ ହେଲେ କଥା କହିବାକୁ ସେମାନେ ସାହସ କରି ନ ଥିଲେ । କାରଣ ଯେହେତୁ ସେମାନେ ଥିଲେ ଦରିଦ୍ର, ତେଣୁ ତାଙ୍କୁ ମଥାପାତି ସେହି ଅପମାନ ସହିବାକୁ ପଡ଼ିଥିଲା । ମୋରାର୍‌ଜୀ ସେଥିରେ ଆଦୌ କ୍ଷୁବ୍‌ଧ ହୋଇ ନ ଥିଲେ । ବରଂ ସେ ବନ୍ଧୁମାନଙ୍କୁ ବୁଝାଇ କହିଥିଲେ ‘‘ଆମ୍ଭେମାନେ ଅନ୍ୟର ଅନୁଗ୍ରହରେ ଏଠି ଜୀବନ କଟାଉଛେ । ଜଣେ ପ୍ରକୃତ ଗରିବ ଲୋକକୁ ଗରିବ କହିଲେ ସେ ଅପମାନ ବୋଧ କରିବା ଉଚିତ ନୁହେଁ’’ ।

 

ସେହି ଛାତ୍ରାବାସରେ ଗୋଟିଏ ପୁସ୍ତକାଗାର ଥିଲା । ସେଥିରେ ଥିବା ଉପାଦେୟ ପୁସ୍ତକୁଗୁଡ଼ିକୁ ସେ ପଢ଼ି ଶେଷ କରିଥିଲେ । ବିଶେଷକରି ବର୍ଣ୍ଣାଡ଼୍‌ ଏମ୍‌.ସି. ଫ୍ୟାଡ଼େନଙ୍କ ଲିଖିତ ‘Physical Culture Encyclopedia’ ପୁସ୍ତକ ମୋରାର୍‌ଜୀଙ୍କର ଥିଲା ସବୁଠାରୁ ବେଶୀ ପ୍ରିୟ । ଆଇ.ଏ. ଶ୍ରେଣୀର ଛାତ୍ର ଥିଲାବେଳେ ସେଗୁଡ଼ିକ ପଢ଼ିବା ଦ୍ୱାରା ସେ ପ୍ରାକୃତିକ ଚିକିତ୍ସା ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ । ଛାତ୍ରଜୀବନରେ ମୁଣ୍ଡବ୍ୟଥା ଥିଲା ତାଙ୍କର ଏକ ନିତିଦିନିଆ ବେମାରି-। ପ୍ରଥମେ ସେହି ବେମାରି ଭଲ କରିବା ଲାଗି ପ୍ରାକୃତିକ ଚିକିତ୍ସା କରି ମାତ୍ର ଚାରିପାଞ୍ଚ ଦିନ ମଧ୍ୟରେ ସେଥିରୁ ସେ ଆରୋଗ୍ୟ ଲାଭ କରିଥିଲେ ।

 

ସେତେବେଳେ ସ୍ୱାଧୀନତା ସଂଗ୍ରାମ କ୍ରମେ ଘନେଇ ଆସୁଥାଏ । ବମ୍ୱେଠାରେ ବହୁ ତୁଙ୍ଗ ନେତା ସଭାସମିତି କରୁଥାନ୍ତି । ବିଶେଷ କରି ଆନିବେସାନ୍ତଙ୍କର ଓଜସ୍ୱିନୀ ବକ୍ତୃତା ଛାତ୍ର ସମାଜ ଉପରେ ବିଶେଷ ପ୍ରଭାବ ପକାଇଥାଏ । ୧୯୧୫ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନ ବମ୍ୱେଠାରେ ଅନୁଷ୍ଠିତ ହେଉଥାଏ । ସେଥିରେ ସଭାପତିତ୍ୱ କରୁଥାନ୍ତି ସାର୍‌ ସତ୍ୟେନ୍ଦ୍ର ପ୍ରସାଦ ସିହ୍ନା । ସେହି ଅଧିବେଶନରେ ମୋରାର୍‌ଜୀଙ୍କୁ ସ୍ୱେଚ୍ଛାସେବୀ ହିସାବରେ କାର୍ଯ୍ୟ କରିବାର ସୁଯୋଗ ମିଳିଲା । ସେହିଠାରେ ସର୍ବପ୍ରଥମେ ସେ ମହାତ୍ମା ଗାନ୍ଧୀଙ୍କର ଅଭିଭାଷଣ ଶୁଣି ଜାତୀୟ ଆନ୍ଦୋଳନ ପ୍ରତି ଅଧିକ ଆକୃଷ୍ଟ ହୋଇଥିଲେ । ସେତେବେଳେ ଗାନ୍ଧିଜୀ ପୁରୁଖା ନେତା ଭାବରେ ସେତେ ପରିଚିତ ହୋଇ ନ ଥାନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରି ଆନ୍ଦୋଳନର ଅନ୍ୟତମ ପୁରୋଧା ହିସାବରେ ସେ ଯେଉଁ ପ୍ରଶଂସାନୀୟ ଭୂମିକା ଗ୍ରହଣ କରିଥାନ୍ତି, ତାହାଦ୍ୱାରା ସମଗ୍ର ବମ୍ୱେରାଜ୍ୟରେ ହୋଇଥାନ୍ତି ବେଶ୍‌ ଲୋକପ୍ରିୟ । ସେହି ଅଧିବେଶନରେ ସୁରେନ୍ଦ୍ରନାଥ ବାନାର୍ଜି ଓ ଫିରୋଜ ସାହା ମେହେଟାଙ୍କର କ୍ରାନ୍ତିକାରୀ ବକ୍ତୃତାମାଳା ଯୁବକ ମୋରାର୍‌ଜୀଙ୍କ ହୃଦୟରେ ଗଭୀର ରେଖାପାତ କରିଥିଲା । ବାଲଗଙ୍ଗାଧର ତିଳକ, ଗୋପାଳକୃଷ୍ଣ ଗୋଖଲେଙ୍କର ସ୍ୱରାଜ ଆନ୍ଦୋଳନ ଶୀର୍ଷକ ବକ୍ତୃତା ଓ ନିସ୍ୱାର୍ଥପର ସେବା ମଧ୍ୟ ତତ୍‌କାଳୀନ ବୁଦ୍ଧିଜୀବୀମାନଙ୍କୁ ପ୍ରଭାବିତ କରିଥିଲା ।

 

ଛାତ୍ରଜୀବନରୁ ମୋରାର୍‌ଜୀ ଥିଲେ ନିର୍ଭୟମନା । ସେତେବେଳେ ଛାତ୍ରମାନେ ରାଜନୀତିରେ ପ୍ରାୟ ଭାଗ ନେଉ ନ ଥିଲେ କହିଲେ ଚଳେ; କିନ୍ତୁ ମୋରାର୍‌ଜୀ ଉଇଲ୍‌ସନ୍‌ କଲେଜର ଡିବେଟିଂ ସୋସାଇଟିର ସଂପାଦକ ହିସାବରେ କଲେଜରେ ସର୍ବପ୍ରଥମେ ରାଜନୈତିକ ବକ୍ତୃତାର ଆୟୋଜନ କରିଥିଲେ । ଅଧ୍ୟକ୍ଷଙ୍କ ଅନୁମତି ନ ନେଇ ସେ ସରୋଜିନୀ ନାଇଡ଼ୁଙ୍କୁ ଏକ ଛାତ୍ରସଭାରେ ବକ୍ତୃତା ଦେବାଲାଗି ନିମନ୍ତ୍ରଣ କରିବା ଦ୍ୱାରା, ଅବଶ୍ୟ ଅଧ୍ୟକ୍ଷ ମହାଶୟ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ; କିନ୍ତୁ ଛାତ୍ରମାନଙ୍କ ଉତ୍ସାହର ପ୍ରତିରୋଧ କରି ନ ପାରି ସେ ତାହା ମଞ୍ଜୁର କରିଥିଲେ । ବୁଲାଭାଇ ଦେଶାଇଙ୍କ ସହ ମୋରାର୍‌ଜୀଙ୍କ ସମ୍ପର୍କ ଖୁବ୍‌ ନିବିଡ଼ ଥିଲା । ବୁଲାଭାଇଙ୍କ ସ୍ତ୍ରୀ ଇଚ୍ଛାବେନ୍‌ ତାଙ୍କୁ ଖୁବ୍‌ ସ୍ନେହ କରୁଥିଲେ । ଦାଦାଭାଇ ନ୍ୟାରୋଜୀଙ୍କ ପ୍ରଭାବ ମଧ୍ୟ ତାଙ୍କୁ ଛାତ୍ରଜୀବନରୁ ଉଦ୍‌ବୁଦ୍ଧ କରିଥିଲା । ୧୯୧୪ ମସିହାରେ ଦାଦାଭାଇ ଇଂଲଣ୍ଡରୁ ବମ୍ୱେ ଫେରି ଆସିଥିଲେ । ସେହି ଅବସରରେ ବମ୍ୱେବାସୀ ତାଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଜଣାଇବା ଲାଗି ଏକ ବିରାଟ ସାଧାରଣ ସଭାର ଆୟୋଜନ କରିଥାନ୍ତି । ମୋରାର୍‌ଜୀ ମଧ୍ୟ ସେଥିରେ ସ୍ୱତଃପ୍ରବୃତ୍ତ ଭାବେ ସ୍ୱେଚ୍ଛାସେବୀରୂପେ ନିଜକୁ ଅନ୍ତର୍ଭୁକ୍ତ କରିଥିଲେ । ସେହି ସଭାରେ ଯୋଗଦେବା ଲଗି ତାଙ୍କୁ କିପରି ବୋରିବନ୍ଦରଠାରୁ ନାପିଅନ୍‌ ରୋଡ଼୍‌ ପର୍ଯ୍ୟନ୍ତ ଦୌଡ଼ିକରି ଯିବାକୁ ପଡ଼ିଥିଲା ତାହା ସେ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଅଛନ୍ତି ।

 

କଲେଜରେ ସେ ଥିଲେ ଜଣେ ମେଧାବୀ ଛାତ୍ର । କେବଳ ପୁସ୍ତକକୀଟ ହୋଇ ଛାତ୍ରଜୀବନ ଅତିବାହିତ କରିବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ପରୀକ୍ଷା ପୂର୍ବରୁ ଅଳ୍ପ ପରିଶ୍ରମ କରି ସେ କୃତିତ୍ୱ ସହକାରେ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇପାରୁଥିଲେ । ଅନ୍ୟ ସମୟରେ କ୍ରୀଡ଼ା କସରତ ଓ ସଭାସମିତିରେ ଯୋଗଦେବା ଥିଲା ତାଙ୍କର ଏକ ପ୍ରିୟ କାର୍ଯ୍ୟ । ପରୀକ୍ଷା ପୂର୍ବରୁ ଛାତ୍ରାବାସରେ ଆଲୁଅ ଜାଳି ଅଧିକ ରାତି ପର୍ଯ୍ୟନ୍ତ ପଢ଼ିଲେ କାଳେ ଅନ୍ୟ ଛାତ୍ରମାନଙ୍କ ଶୋଇବାରେ ଅସୁବିଧା ହେବ, ତେଣୁ କୋଠରୀରେ ଥିବା ସବୁ ଛାତ୍ର ଶୋଇପଡ଼ିଲେ ସେ ବହି ଧରି ସମୁଦ୍ରକୂଳକୁ ପଳାଇ ଯାଉଥିଲେ । ସେଠି ବିଜୁଳିଖୁଣ୍ଟତଳେ ନିର୍ଜନରେ ବସି ରାତି ଅଧ ପର୍ଯ୍ୟନ୍ତ ପଢ଼ୁଥିଲେ । ପହରା ଦେଉଥିବା ପୋଲିସମାନେ ତାଙ୍କୁ ସ୍ଥାନ ଛାଡ଼ିଯିବାକୁ ବାଧ୍ୟ କଲେ, ସେ ଛାତ୍ରାବାସକୁ ଫେରିଆସୁଥିଲେ । ପଦାର୍ଥବିଜ୍ଞାନ ଓ ରସାୟନ ବିଦ୍ୟା ନେଇ ସେ ପ୍ରଥମ ଶ୍ରେଣୀର ବି.ଏ. ପାଶ୍‌ କରିଥିଲେ । ତା’ପରେ ବି:ଏସ୍‌:ସି: ଓ ଏମ୍‌:ଏସ୍‌:ସି: ପଢ଼ି ଅଧ୍ୟାପକ ହେବା ଥିଲା ତାଙ୍କର ଏକାନ୍ତ ଇଚ୍ଛା; କିନ୍ତୁ ପରିସ୍ଥିତି ସେଥିଲାଗି ତାଙ୍କୁ ଅନୁମତି ଦେଇ ନ ଥିଲା ।

Image

 

ପଦ ଓ ପଦବୀ

 

୧୯୧୭ ମସିହାରେ ପ୍ରଥମ ମହାଯୁଦ୍ଧର ଅବସାନ ଘଟିଲା । ପ୍ରତି ବିଶ୍ୱବିଦ୍ୟାଳୟ ସ୍ତରରେ ଛାତ୍ରମାନଙ୍କୁ ଯୁଦ୍ଧବିଦ୍ୟା ତାଲିମ୍‌ ଦେବା ଲାଗି ଜାତୀୟ ପ୍ରତିରକ୍ଷା ବାହିନୀ ପରି ବାହିନୀମାନ ଗଢ଼ାଗଲା । ବମ୍ୱେ ବିଶ୍ୱବିଦ୍ୟାଳୟ ସ୍ତରରେ ଗଠିତ ପ୍ରତିରକ୍ଷା ବାହିନୀରେ ମୋରାର୍‌ଜୀ ଯୋଗଦେଲେ । ଯେତେବେଳେ ତାଙ୍କ ମା ଏହା ଜାଣିଲେ, ସେ ତାର ଦୃଢ଼ ପ୍ରତିବାଦ କଲେ । ପରିବାରର ଭରଣପୋଷଣ ଲାଗି ତାଙ୍କୁ ଯେକୌଣସି ଚାକିରି କରିବାକୁ ସେ ବାଧ୍ୟ କଲେ-। କାରଣ ସେତେବେଳକୁ ତାଙ୍କ ପରିବାରର ଆର୍ଥିକମାନ ପ୍ରାୟ ଭାଙ୍ଗିପଡ଼ିଥାଏ କହିଲେ ଚଳେ । ସୈନ୍ୟବାହିନୀରେ ଥରେ ପ୍ରବେଶ କଲେ ମନଇଚ୍ଛା ସେଥିରୁ ବାହାରିଆସିବା ସହଜ ନ ଥିଲା । ଯେଉଁମାନେ ପଳାଇ ଆସୁଥିଲେ ନିୟମ ଅନୁଯାୟୀ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ୁଥିଲା । ମା’ଙ୍କୁ ସେ ତାହା ବହୁକଷ୍ଟରେ ବୁଝାଇଥିଲେ ।

 

ଗୋଟିଏ ସପ୍ତାହ ଡ୍ରିଲ୍‌ ଇତ୍ୟାଦି ଶିକ୍ଷା ଦିଆଯିବା ପରେ ଶିକ୍ଷାନବିସମାନଙ୍କୁ ପୁନା ଶିବିରକୁ ନିଆଯିବ ବୋଲି ସ୍ଥିର କରାଗଲା । ଯେତେବେଳେ ଏହି ପ୍ରତିରକ୍ଷା ବାହିନୀ ଗଠିତ ହୋଇଥିଲା, ଗୋରାମାନଙ୍କୁ ଯେଉଁ ସୁବିଧା ସୁଯୋଗ ମିଳୁଥିଲା, ଭାରତୀୟମାନଙ୍କୁ ସେହି ସୁବିଧା ସୁଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା; କିନ୍ତୁ ସେମାନେ ଯେତେବେଳେ ଶିବିରରେ ପହଞ୍ଚିଲେ, ସେମାନଙ୍କୁ ତତ୍କାଳୀନ ଭାରତୀୟ ପୋଷାକ ଓ ପଦବୀ ଇତ୍ୟାଦି ମିଳିବାରୁ ସେମାନେ ପ୍ରତିବାଦ ସ୍ୱରୂପ ତାହା ଗ୍ରହଣ କଲେ ନାହିଁ । ତାହା ଏକ ମିଳିତ ପ୍ରତିବାଦ ହୋଇଥିବାରୁ ସରକାର ଛାତ୍ରମାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଇପାରି ନ ଥିଲେ । ପରେ ତତ୍କାଳୀନ ଗଭର୍ଣ୍ଣରଙ୍କ ସ୍ତ୍ରୀ ଲେଡ଼ି ଉଇଲିଂଡ଼ନ ସେମାନଙ୍କ ଲାଗି ସ୍ୱତନ୍ତ୍ର ପୋଷାକପତ୍ରର ବ୍ୟବସ୍ଥା କରିଥିଲେ । ମୋରାର୍‌ଜୀ ନିଜର ବ୍ୟାୟାମ କୌଶଳ ଓ ସମୟାନୁବର୍ତ୍ତିତା ଯୋଗୁଁ କମାଣ୍ଡରମାନଙ୍କ ପ୍ରୀତିଭାଜନ ହୋଇପାରିଥିଲେ । ତେଣୁ ତାଙ୍କୁ କ୍ୱାଟର ମାଷ୍ଟର ହାବିଲ୍‌ଦାର ରୂପେ ନିଯୁକ୍ତି ମିଳିଲା ଓ ସଙ୍ଗେ ସଙ୍ଗେ ଷ୍ଟୋର ଦାୟିତ୍ୱ ଦିଆଗଲା । ସେ ସେହି ଦାୟିତ୍ୱ ନିପୁଣତା ସହକାରେ ଚଳାଇବାରୁ ଅଳ୍ପଦିନ ମଧ୍ୟରେ ଏକ କମିସନ୍‌ ପାହିଆ ଅଫିସର ପଦରେ ନିଯୁକ୍ତି ପାଇଲେ । ଏହିପରି ଦୁଇମାସ ତାଲିମ୍‌ ପାଇଲା ପରେ ସେ ବମ୍ୱେକୁ ଫେରିଆସିଥିଲେ ।

 

ତା’ପରେ ସେ ପ୍ରାନ୍ତୀୟ ସିଭିଲ୍‌ ସର୍ଭିସରେ ଭର୍ତ୍ତି ହେବା ଲାଗି ଆବେଦନ କଲେ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ସେ ତ୍ରୟୋଦଶ ସ୍ଥାନ ଅଧିକାର କରି ଅହମଦାବାଦରେ ଡେପୁଟି କଲେକ୍ଟର ରୂପେ ନିଯୁକ୍ତି ପାଇଲେ । ବିଭିନ୍ନ ପଦବୀରେ ଦୁଇ ବର୍ଷ ତାଲିମ୍‌ ପାଇଲା ପରେ, ଅହମଦାବାଦ ଓ ପାର୍ଶ୍ୱବର୍ତ୍ତୀ ସଦର ମହକୁମାମାନଙ୍କରେ ଡେପୁଟି କଲେକ୍ଟର ଚାକିରି ଖାଲି ଥିଲେ ମଧ୍ୟ ତାଙ୍କୁ ସୁଦୂର ଥାନା ଜିଲ୍ଲାକୁ ବଦଳି କରାଯାଇଥିଲା । ଅନ୍ୟମାନେ ଖୋସାମତ କରି ପାଖଆଖରେ ନିଯୁକ୍ତି ପାଇଥିଲେ; କିନ୍ତୁ ମୋରାର୍‌ଜୀ ଆଜନ୍ମ ଖୋସାମତିକୁ ଘୃଣା କରୁଥିଲେ । ତାଙ୍କ ଭାଷାରେ—‘‘ମୁଁ ଯଦି ଟିକିଏ ଖୋସାମତ କରିଥାନ୍ତି ମୁଁ ନିକଟସ୍ଥ ଖେଡ଼ା ଜିଲ୍ଲାରେ ମୁକରିର ହୋଇପାରିଥା’ନ୍ତି; କିନ୍ତୁ ପିଲାଦିନୁ ମୋ ବାପ ମାଆା ଶିକ୍ଷା ଦେଇଥିଲେ ଯେ ଖୋସାମତି ଆତ୍ମସମ୍ମାନର ପରିପନ୍ଥୀ । ଏହାଦ୍ୱାରା ଯେ ତୋଷାମୋଦ କରେ ଓ ଯାହାଙ୍କୁ ତୋଷାମୋଦ କରାଯାଏ ଉଭୟଙ୍କର କ୍ଷତି ହୁଏ ।’’ ତେଣୁ ସେ ଖୋସାମତ ନ କରି ଥାନାରେ ଏସ୍‌.ଡି.ଓ. ହିସାବରେ ଦାୟିତ୍ୱ ଗ୍ରହଣ କଲେ । ସେତେବେଳେ ଥାନା ଜିଲ୍ଲାର ଜିଲ୍ଲାପାଳ ଥା’ନ୍ତି କାମ୍ପବେଲ୍‌ ସାହେବ ।

 

ମୋରାର୍‌ଜୀ ଅଫିସର ହିସାବରେ ଅଯଥା ଗାମ୍ଭୀର୍ଯ୍ୟ ରକ୍ଷା ନ କରି ତଳିଆ କର୍ମଚାରୀମାନଙ୍କୁ ବନ୍ଧୁ ପରି ବ୍ୟବହାର କରୁଥିଲେ; କିନ୍ତୁ କୌଣସି କର୍ମଚାରୀଙ୍କର ଦୁର୍ନୀତିର ସୂଚନା ପାଇଲେ, ସେ ତାହା ବରଦାସ୍ତ କରୁ ନ ଥିଲେ । ତାଙ୍କ ଉପରେ ପ୍ରଭାବ ପକାଇ କୌଣସି କାମ ହାସଲ କରିନେବା ସହଜରେ ସମ୍ଭବ ହୋଇପାରୁ ନ ଥିଲା । ଥାନାରେ କିଛିଦିନ ଅବସ୍ଥାପିତ ହେଲା ପରେ କଲ୍ୟାଣଠାରେ ତାଙ୍କୁ ମୁକରିର୍‌ କରାଯାଇଥିଲା । ଏହିପରି ଅଢ଼େଇ ବର୍ଷ କାଳ ଥାନା ଜିଲ୍ଲାରେ ତାଙ୍କୁ ରହିବାକୁ ପଡ଼ିଥିଲା । ସେତେବେଳେ ଅଫିସରମାନଙ୍କ ଯାତାୟାତ ପାଇଁ ଯାନବାହନର ବ୍ୟବସ୍ଥା ନ ଥିଲା । ରାସ୍ତାଘାଟର ଅସୁବିଧା ଏହାର ଥିଲା ଏକ ପ୍ରଧାନ କାରଣ । ମୋରାର୍‌ଜୀ, ସେ ସମୟର ବ୍ୟବସ୍ଥା ଅନୁଯାୟୀ ଘୋଡ଼ାରେ ଗସ୍ତ କରୁଥିଲେ । ସେ ସମୟରେ ଡକାୟତମାନଙ୍କର ଉପଦ୍ରବ ମଧ୍ୟ କମ୍‌ ନ ଥିଲା । ତେଣୁ ସେ ସବୁବେଳେ ଗସ୍ତ ସମୟରେ ପାଖରେ ପିସ୍ତଲ ରଖୁଥିଲେ । ଯେଉଁଠାକୁ ଘୋଡ଼ା ଉପରେ ଯିବା ସମ୍ଭବ ହେଉ ନ ଥିଲା, ସେଠାକୁ ସେ ଚାଲି ଚାଲି ଯାଉଥିଲେ । ଦିନେ ଦିନେ ତାଙ୍କୁ ପନ୍ଦର କୋଡ଼ିଏ ମାଇଲ ଚାଲିବାକୁ ପଡ଼ୁଥିଲା । ଘୋଡ଼ା ଉପରେ ବସି ଚାଳିଶ, ପଚାଶ ମାଇଲ ପର୍ଯ୍ୟନ୍ତ ସେ ଦ୍ରୁତଗତିରେ ଯାଇପାରୁଥିଲେ ।

 

ଥାନା ଜିଲ୍ଲାରେ ଅବସ୍ଥାନ କାଳରେ ପର୍ବତାରୋହଣ କରିବାକୁ ସେ ଭାରି ଭଲପାଉଥିଲେ । ଏହି ଆଗ୍ରହ ଯୋଗୁଁ ସାମୟିକ ତାଙ୍କୁ ଶାରୀରିକ ପୀଡ଼ା ଭୋଗିବାକୁ ପଡ଼ୁଥିଲା । ଥରେ ଏକାଦିକ୍ରମେ ଦୁଇ ହଜାର ଫୁଟ ଉଚ୍ଚ ନାନାଘାଟ ଓ ତିନି ହଜାର ପାଞ୍ଚ ଶହ ଫୁଟ ଉଚ୍ଚ ହରିଶ୍ଚନ୍ଦ୍ର ପର୍ବତ ଆରୋହଣ ଓ ଅବରୋହଣ କରିବା ଫଳରେ ସେ ଭୀଷଣ ଜ୍ୱର ଓ ମୁଣ୍ଡବ୍ୟଥା ରୋଗର ପୀଡ଼ିତ ହୋଇଥିଲେ ।

 

୧୯୨୧ ମସିହାରେ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ । ସେତେବେଳେ ସେ ତଦ୍ଦ୍ୱାରା ଉଦ୍‌ବୁଦ୍ଧ ହୋଇଥିଲେ ମଧ୍ୟ ଭବିଷ୍ୟତରେ ସାନ ଭାଇର ଶିକ୍ଷା ଓ ଭଉଣୀର ବିବାହ ଦାୟିତ୍ୱ ଥିବାରୁ ସେ ସେହି ଆନ୍ଦୋଳନରେ ଝାସ ଦେଇପାରି ନ ଥିଲେ । ୧୯୨୨ ମସିହା ଡିସେମ୍ୱର ମାସରେ ବ୍ରୋଚ ଜିଲ୍ଲାକୁ ତାଙ୍କୁ ବଦଳି କରାଗଲା । ସେଠାରେ ଦୁଇ ବର୍ଷ କାଳ ତାଙ୍କୁ ବିଭିନ୍ନ ଦାୟିତ୍ୱରେ ଅବସ୍ଥାନ କରିବାକୁ ପଡ଼ିଲା । ୧୯୨୪ ମସିହା ଡିସେମ୍ୱର ମାସରେ ତାଙ୍କୁ ପଞ୍ଚମହଲ ଜିଲ୍ଲାକୁ ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ (ପି.ଏ.) ହିସାବରେ ବଦଳି କରାଗଲା । ସେତେବେଳେ ଗୋଦ୍ରା ଥାଏ ସେହି ଜିଲ୍ଲାର ସଦର ମହକୁମା । ସେଠାରେ ତାଙ୍କୁ ଦୀର୍ଘ ଚାରି ବର୍ଷ ଅତିବାହିତ କରିବାକୁ ପଡ଼ିଲା । ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଥାଇ ମଧ୍ୟ ତାଙ୍କୁ ବିଭିନ୍ନ ମୋକଦ୍ଦମା ଫଏସଲା କରିବାର କ୍ଷମତା ଦିଆଯାଇଥିଲା । ତାହା ବ୍ୟତୀତ ସେ ଗୋଦ୍ରାର ତାଲୁକ ଅଫିସର ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।

 

ନିଜର ସାଧୁତା ଓ ନୈତିକତା ଯୋଗୁଁ ଚାକିରି ଜୀବନରେ ଉପରିସ୍ଥ ଅଫିସରମାନଙ୍କୁ ତୋଷାମଦ କରିବା ତାଙ୍କ ଜାତକରେ ନ ଥିଲା । ସେଥିଯୋଗୁଁ ଗୋରା ହାକିମମାନେ ତାଙ୍କୁ ସେତେ ଭଲ ପାଉ ନ ଥିଲେ । ସେତେବେଳ ପଞ୍ଚମହଲ ଜିଲ୍ଲାର ମାଜିଷ୍ଟ୍ରେଟ ଥା’ନ୍ତି ହାରଥୋନ୍‌ ନାମକ ଜଣେ ଗୋରା ସାହେବ । ସେ ମଧ୍ୟ ଗୋଦ୍ରାରେ ଅବସ୍ଥାନ କରୁଥା’ନ୍ତି । ଥରେ ବମ୍ୱେରୁ ସେ ରେଳ ଯୋଗେ ଫେରୁଥା’ନ୍ତି ଗୋଦ୍ରାକୁ । ମୋରାର୍‌ଜୀ ଆଦାବ୍‌ କାଇଦା ଦୃଷ୍ଟିରୁ ତାଙ୍କୁ ପାଛୋଟି ନେବା ପାଇଁ ଉପସ୍ଥିତ ଥା’ନ୍ତି ରେଳ ଷ୍ଟେସନରେ । ରେଳଗାଡ଼ି ଷ୍ଟେସନରେ ଲାଗିଲା ପରେ ସାହେବ ପ୍ରଥମ ଶ୍ରେଣୀ ଡବାରୁ ଅବତରଣ କରି ମୋରାର୍‌ଜୀଙ୍କୁ ନିର୍ଦ୍ଦେଶ ଦେଲେ ତାଙ୍କର ବିଛଣାପତ୍ର ନିଜ ବଙ୍ଗଳାକୁ ପଠାଇଦେବା ଲାଗି । ଯଦିଓ ସମ୍ମାନ ଦୃଷ୍ଟିରୁ ଡେପୁଟି କଲେକ୍ଟରଙ୍କର ତାହା କରିବାର ନୁହେଁ ତଥାପି ମୋରାର୍‍ଜୀ ସାହେବଙ୍କର ବିଛଣାପତ୍ର ତାଙ୍କ ବଙ୍ଗଳାକୁ ପଠାଇବାର ବନ୍ଦୋବସ୍ତ କରିଥିଲେ ଓ କିଛି ସମୟ ପରେ କୁଲିଖର୍ଚ୍ଚର ରସିଦ ସେ ସାହେବଙ୍କ ହାତକୁ ବଢ଼ାଇ ଦେଇଥିଲେ; କିନ୍ତୁ ସାହେବ ଜଣେ ଭାରତୀୟ ଅଫିସରଙ୍କର ସେ ପ୍ରକାର ଆଚରଣ ଦେଖି କ୍ଷୁବ୍‌ଧ ହୋଇଥିଲେ । ତାହାର କିଛିଦିନ ପରେ ସେ ମୋରାର୍‌ଜୀଙ୍କୁ ଗୋଟିଏ ଦୁଧିଆଳୀ ମଇଁଷି ତାଙ୍କ ପାଇଁ କିଣି ଆଣିବା ଲାଗି ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ନିର୍ଭୀକମନା ମୋରାର୍‌ଜୀ ତାଙ୍କୁ ଉତ୍ତର ଦେଇଥିଲେ— ‘‘ଆଜ୍ଞା ! ଟଙ୍କା ଦିଅନ୍ତୁ, ସଙ୍ଗେ ସଙ୍ଗେ ମୁଁ ଗୋଟିଏ ମଇଁଷି କିଣି ଆଣିବାର ବନ୍ଦୋବସ୍ତ କରିବି ।’’ ହାରଥୋନ୍‌ ସେଥିରେ ବିରକ୍ତ ହୋଇ ଅନ୍ୟ ଅଫିସରଙ୍କ ଦ୍ୱାରା ମଇଁଷି କିଣେଇବାର ବନ୍ଦୋବସ୍ତ କରିଥିଲେ । ଏହିପରି ମୋରାର୍‌ଜୀଙ୍କ ନିର୍ଭୟଚିତ୍ତତାର ବହୁ ଉଦାହରଣ ଦିଆଯାଇପାରେ ।

 

ସେତେବେଳେ ଡେପୁଟି କଲେକ୍ଟରମାନଙ୍କର ଅଖଣ୍ଡ କ୍ଷମତା ଥିଲା । ଏପରିକି ଅଧସ୍ତନ କର୍ମଚାରୀମାନେ କୌଣସି କାର୍ଯ୍ୟରେ ତାଙ୍କ ପାଖକୁ ଯିବା ଲାଗି ଭୟଭୀତ ହୋଇପଡ଼ୁଥିଲେ; କିନ୍ତୁ ମୋରାର୍‌ଜୀଙ୍କ ଦପ୍ତରରେ ସେସବୁ ଲୌକିକତା ନ ଥିଲା । ପଦବୀ ଦୃଷ୍ଟିରୁ ଯେତେ ନୀଚ ହେଲେ ମଧ୍ୟ ସମସ୍ତେ ଅବାଧରେ ତାଙ୍କୁ ଆପତ୍ତି ଅଭିଯୋଗ ଜଣାଇପାରୁଥିଲେ ।

 

ବିବାହର ପାଞ୍ଚ ବର୍ଷ ପରେ ତାଙ୍କର ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥିଲା । ଚାକିରି ପାଇଲା ପରେ ସେ ମା, ସ୍ତ୍ରୀ ଓ ଭାଇଭଉଣୀମାନଙ୍କୁ ପାଖରେ ଆଣି ରଖିଥିଲେ । ବିବାହର ଏଗାର ବର୍ଷ ମଧ୍ୟରେ ସେ ହୋଇଥିଲେ ପାଞ୍ଚଟି ସନ୍ତାନର ଜନକ । ତା’ପରଠୁଁ ସେ ଏ ପର୍ଯ୍ୟନ୍ତ କଠିନ ବ୍ରହ୍ମଚର୍ଯ୍ୟ ପାଳନ କରିଆସୁଅଛନ୍ତି । ପ୍ରଥମ କେତେ ବର୍ଷ ଲାଗି ତାଙ୍କର ପାରିବାରିକ ଜୀବନରେ ସେ ଶାନ୍ତି ପାଇପାରି ନ ଥିଲେ । ପୁତ୍ର ଓ କନ୍ୟମାନଙ୍କର ଅକାଳ ମୃତ୍ୟ ତାଙ୍କ ମନରେ ବିଷାଦର ଛାୟା ଖେଳାଇ ଦେଇଥିଲା । ଜନ୍ମ ହେବାର ମାତ୍ର ଅଠର ମାସ ପରେ ପ୍ରଥମ ସନ୍ତାନଟିର ମୃତ୍ୟୁ ହୋଇଥିଲା । ଶେଷ ପୁଅଟି ଜନ୍ମ ହେବାର ମାତ୍ର ଦୁଇ ବର୍ଷ ପରେ ଚିରବିଦାୟ ନେଲା । ଦୁଇ ଝିଅଙ୍କ ମଧ୍ୟରୁ ଗୋଟିକର ସତେଇଶ ବର୍ଷ ବୟସରେ ମୃତ୍ୟୁ ହେଲା । ପୂର୍ବରୁ ଗୋଟିଏ ଭଉଣୀର ମଧ୍ୟ ଅକାଳ ମୃତ୍ୟୁ ହୋଇଥିଲା । ଏହିପରି ପାରିବାରିକ ଘନଘଟା ତାଙ୍କୁ ସାମୟିକ ବିବ୍ରତ କରିଥିଲେ ମଧ୍ୟ ସେ ନିଜର କର୍ତ୍ତବ୍ୟରେ ରହୁଥିଲେ ଦୃଢ଼ ଓ ଏକନିଷ୍ଠ । ପରିବାରର ଅନ୍ୟ ସଭ୍ୟମାନଙ୍କୁ ସେ ଆଦୌ ଅବହେଳା ପ୍ରଦର୍ଶନ କରୁ ନ ଥିଲେ । ସୀମିତ ଆୟ ମଧ୍ୟରୁ ସେ ତିନି ଭାଇଙ୍କୁ ଉଚ୍ଚଶିକ୍ଷା ଦେଇ ଯୋଗ୍ୟ କରିଥିଲେ । ତୃତୀୟ ଭାଇ ନାନୁଭାଇଙ୍କୁ ଲଣ୍ଡନରେ ଏଫ୍‌ ଆର୍‌.ସି.ଏସ୍‌. ପଢ଼ାଇବା ଲାଗି ମଧ୍ୟ ନିଜ ଦରମାରୁ ଅଧେ ଟଙ୍କା ତାଙ୍କ ନିକଟକୁ ପଠାଇ ଦେଉଥିଲେ । ଆଉ ଅଧେ ଟଙ୍କାରେ ସେ ନିଜର ପରିବାରର ଭରଣପୋଷଣ କରୁଥିଲେ ଓ ନିଜେ ଅତି ନିରାଡ଼ମ୍ୱର ଜୀବନଯାପନ କରୁଥିଲେ । ନିଜ ପୁଅ କାନ୍ତିଭାଇଙ୍କୁ ମଧ୍ୟ ସେ ଇଚ୍ଛାମତେ ଉଚ୍ଚ ଶିକ୍ଷା ଦେଇପାରି ନ ଥିଲେ । ସମୂହ ସ୍ୱାର୍ଥ ନିକଟରେ ତାଙ୍କ ନିଜ ସ୍ୱାର୍ଥ ହାର ମାନିଥିଲା ।

 

ନିଜର ସମ୍ମାନ ବିନିମୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ନୀତିର ସେ ଥିଲେ ଘୋର ବିରୋଧୀ । ସେ ସମୟରେ ଗୋରା ହାକିମହୁକୁମାଙ୍କୁ ତୁଷ୍ଟ କରିବା ଲାଗି ଅଧସ୍ତନ କର୍ମଚାରୀମାନେ ଭୟରେ ଆତ୍ମସମ୍ମାନକୁ ବହୁ କ୍ଷେତ୍ରରେ ଜଳାଞ୍ଜଳି ଦେଉଥିଲେ; କିନ୍ତୁ ମୋରାର୍‌ଜୀ କର୍ମଚାରୀମାନଙ୍କର ଏହି ନୀତିକୁ ଆଦୌ ପସନ୍ଦ କରୁ ନ ଥିଲେ । ତେଣୁ ତାଙ୍କର ଗତିବିଧି ପ୍ରତି ସରକାର ଥିଲେ ସନ୍ଦିହାନ । ସେଥିଲାଗି ତାଙ୍କର କାର୍ଯ୍ୟକଳାପ ପ୍ରତି କର୍ତ୍ତୃପକ୍ଷଙ୍କର ତୀକ୍ଷ୍‌ଣ ଦୃଷ୍ଟି ରହିଥିଲା । ସେତେବେଳେ ଯେଉଁମାନେ ହିନ୍ଦୁ, ସେମାନଙ୍କୁ ସାଧାରଣତଃ କଂଗ୍ରେସ ବୋଲି ଧରିନିଆଯାଉଥିଲା । କାରଣ ଗାନ୍ଧିଜୀଙ୍କ ସ୍ୱଦେଶୀ ଆନ୍ଦୋଳନ ପ୍ରତି ହିନ୍ଦୁମାନଙ୍କର ସମର୍ଥନ ହେଲା ସବୁଠାରୁ ବେଶୀ । ତେଣୁ ଗୋରା ସରକାରଙ୍କ ମନରେ ଏପରି ଏକ ଭ୍ରମ ଧାରଣା ଜାତ ହେବା ସ୍ୱାଭାବିକ ଥିଲା । ମୁସଲ୍‌ମାନମାନଙ୍କର ସୁରକ୍ଷାକୁ ସେମାନେ ସାଧାରଣ ଶାସନର ଏକ ଅତିରିକ୍ତ ଅଙ୍ଗ ବୋଲି ଭାବୁଥିଲେ ।

 

ସେତେବେଳେ ଗୋଦ୍ରା ସହରରେ ବହୁ ମୁସଲ୍‌ମାନ ବସବାସ କରୁଥିଲେ । ସେଠା ପୋଳିସ ଡି.ଏସ୍‌.ପି. ମଧ୍ୟ ଥିଲେ ଜଣେ ମୁସଲମାନ୍‌; କିନ୍ତୁ ସାମ୍ପ୍ରଦାୟିକ ମନୋଭାବ ତାଙ୍କର ନ ଥିଲା । ଗୋହତ୍ୟା, ମସଜିଦ୍‌ ଆଗରେ ବାଜା ବଜାଇ ଶୋଭାଯାତ୍ରା ଯିବାକୁ ଭିତ୍ତିକରି ଗୋଦ୍ରା ସହରରେ ସାମୟିକ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଉଥିଲା । ତେଣୁ ପରିସ୍ଥିତି ପ୍ରତି କର୍ତ୍ତୃପକ୍ଷ କଡ଼ା ନଜର ରଖିଥିଲେ । ଥରେ ଗଣେଶ ଚତୁର୍ଥୀ ଦିନ ବାଜା ବଜାଇ ମସ୍‌ଜିଦ ଆଗରେ ଶୋଭାଯାତ୍ରା ନେବା ଲାଗି ହିନ୍ଦୁମାନେ ଜିଦ୍‌ ଧରି ବସିଲେ । ପୋଲିସ୍‌ ସାହେବ ଯେତେ ବୁଝାଇଲେ ମଧ୍ୟ ସେମାନେ ବୁଝିଲେ ନାହିଁ । ଶେଷରେ ପୋଲିସଙ୍କ ତତ୍ତ୍ୱାବଧାନରେ ଶୋଭଯାତ୍ରା ବାହାରିଲା । ଡି.ଏସ୍‌.ପି ମଧ୍ୟ ନିଜେ ମସ୍‌ଜିଦ୍‌ ନିକଟରେ ଉପସ୍ଥିତ ରହିଲେ; କିନ୍ତୁ ପରିସ୍ଥିତିକୁ ଅକ୍ତିଆର କରିପାରିଲେ ନାହିଁ । ମୁସଲ୍‌ମାନମାନେ ଶୋଭଯାତ୍ରାକାରୀମାନଙ୍କ ଉପରେ ପ୍ରବଳ ଆକ୍ରମଣ କଲେ । ସହରରେ ଏକ ପ୍ରକାର ଅଶାନ୍ତ ବାତାବରଣ ବ୍ୟାପିଗଲା । ଜିଲା ମାଜିଷ୍ଟ୍ରେଟ୍‌ ମୋରାର୍‌ଜୀଙ୍କୁ ଘଟଣାର ତଦନ୍ତ କରିବା ଲାଗି ନିର୍ଦ୍ଦେଶ ଦେଲେ । ଆହତ ହିନ୍ଦୁମାନଙ୍କଠାରୁ ସଠିକ ଜମାନବନ୍ଦୀ ନ ନେଇ ହିନ୍ଦୁମାନଙ୍କ ଉପରେ ଦୋଷ ଢାଳିବା ଥିଲା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଉଦ୍ଦେଶ୍ୟ; କିନ୍ତୁ ମୋରାର୍‍ଜୀ ତଦନ୍ତ ରିପୋର୍ଟରେ ଘଟିଥିବା ଘଟଣାର ସତ୍ୟାସତ୍ୟ ଉପସ୍ଥାପନ କଲେ । ତେଣୁ ମାଜିଷ୍ଟ୍ରେଟ୍‌ଙ୍କ ଉଦ୍ଦେଶ୍ୟ ସାଧିତ ହୋଇପାରିଲା ନାହିଁ ।

 

ଡି. ଏସ୍‌. ପି ନିର୍ଦ୍ଦୋଷ ହେଲେ ମଧ୍ୟ ସ୍ଥାନୀୟ ଲୋକେ ତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବାକୁ ଲାଗିଲେ । ଯେ ମୁସଲ୍‌ମାନ ସମ୍ପ୍ରଦାୟଙ୍କୁ ସମର୍ଥନ କରିଛନ୍ତି ବୋଲି ତାଙ୍କ ଉପରେ ଅଯଥା ଦୋଷାରୋପ କରାଗଲା । ତତ୍କାଳୀନ ବମ୍ୱେ ବିଧାନ ପରିଷଦର ଦୁଇଜଣ ହିନ୍ଦୁ ମହାସଭା ସଦସ୍ୟ ମଧ୍ୟ ତଦନ୍ତ ଲାଗି ଗୋଦ୍ରା ଆସିଲେ । ମୋରାର୍‌ଜୀ ସେମାନଙ୍କୁ ଘଟଣାର ଟିକିନିଖି ବିବରଣୀ ଦେଇଥିଲେ । ପରେ ପୋଲିସ୍‌ ସାହେବ ଚାହିଁଲେ, ଡେପୁଟି କଲେକ୍ଟର ସଦସ୍ୟମାନଙ୍କ ସହିତ ଯାହାସବୁ ଆଲୋଚନା କଲେ, ତାହାର ଏକ ବିବରଣୀ ଦିଅନ୍ତୁ; କିନ୍ତୁ ମୋରାର୍‌ଜୀ ତାହା ପ୍ରତ୍ୟାଖ୍ୟାନ କରିଦେଇଥିଲେ । କାରଣ ଯେଉଁ ହିନ୍ଦୁମାନେ ଶୋଭାଯାତ୍ରାରେ ମୁସଲ୍‌ମାନ୍‌ମାନଙ୍କ ଆକ୍ରମଣରେ ଆହତ ହୋଇଥିଲେ, ପରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ପୁଲିସ ସାହେବ ସେମାନଙ୍କ ନାମରେ ବହୁ ମିଥ୍ୟା ମୋକଦ୍ଦମା ରୁଜୁ କରିଥିଲେ । ତାଙ୍କର ସେହି ଆକ୍ରୋଶମୂଳକ କାର୍ଯ୍ୟ ଯୋଗୁଁ ବିରକ୍ତି ସହକାରେ ମୋରାର୍‌ଜୀ ତାଙ୍କ ନିର୍ଦ୍ଦେଶ ଅମାନ୍ୟ କରିବାକୁ ବାଧ୍ୟ ହୋଇଥିଲେ । ଜିଲା ମାଜିଷ୍ଟ୍ରେଟ୍‌ଙ୍କର ମତିଗତି ଦେଖି ତାଙ୍କୁ ମଧ୍ୟ ସେ ଘଟଣାର ବିଶଦ ବିବରଣୀ ଦେଇ ନ ଥିଲେ । ତେଣୁ ପୋଲିସ୍‌ ଓ ଜିଲ୍ଲା କର୍ତ୍ତୃପକ୍ଷ ତାଙ୍କ କାର୍ଯ୍ୟକଳାପରେ କ୍ଷୁବ୍‌ଧ ହୋଇଥିଲେ । ତାପରେ ମିଥ୍ୟାରେ ରୁଜୁ କରାଯାଇଥିବା ମୋକଦ୍ଦମାଗୁଡ଼ିକୁ ବିଚାର କରିବା ଲାଗି ମୋରାର୍‌ଜୀଙ୍କୁ ନିର୍ଦ୍ଦେଶ ଦିଆଗଲା । ସେ ଅଯଥା ଦୋଷୀ ସାବ୍ୟସ୍ତ ହୋଇଥିବା ହିନ୍ଦୁମାନଙ୍କୁ ଜାମିନରେ ଖଲାସ କରିଦେଲେ । ପରେ ମୋକଦ୍ଦମା ବିଚାର କରି ସେମାନଙ୍କୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିଥିଲେ । ଜିଲା କଲେକ୍ଟର ତାହା ଜାଣି ମୋରାର୍‌ଜୀଙ୍କ ଉପରେ ଦଣ୍ଡବିଧାନ କରିବାକୁ ମନସ୍ଥ କଲେ; କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ତାହା ସେ କରିପାରି ନ ଥିଲେ ।

 

ପରେ ପୁଣି ସେହି ମୋକଦ୍ଦମାଗୁଡ଼ିକର ପୁନର୍ବିଚାର ଲାଗି ସି: ଏ: ମିଲାର୍ଡ଼ ନାମକ ଜଣେ ଗୋରା ଅଫିସରଙ୍କୁ ନିଯୁକ୍ତ କରାଗଲା । ଏଚ୍‌: ଭି: ଆୟେଙ୍ଗାର ନାମକ ଜଣେ ଆଇ: ସି: ଏସ୍‌: ଅଫିସର ମୋରାର୍‌ଜୀଙ୍କ ବିଚାରକୁ ଆଇନସମ୍ମତ ବୋଲି ଯୁକ୍ତି ବାଢ଼ିଲେ । ମୋରାର୍‌ଜୀ ସାକ୍ଷୀମାନଙ୍କୁ ଭୟଭୀତ କରାଇ ଘଟଣାର ଏକତରଫା ବିଚାର କରିଛନ୍ତି ବୋଲି ସରକାର ତାଙ୍କ ଉପରେ ଯେଉଁ ଦୋଷ ଆରୋପ କରିଥିଲେ ତାହା ମଧ୍ୟ ମିଥ୍ୟା ପ୍ରମାଣିତ ହେଲା । ସି: ଏ: ମିଲାର୍ଡ଼ ମୋକଦ୍ଦମାଗୁଡ଼ିକର ପୁନର୍ବିଚାର କରି ଶେଷରେ ସମସ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ; କିନ୍ତୁ ମୋରାର୍‌ଜୀଙ୍କ କାର୍ଯ୍ୟକଳାପ ଉପରେ କେତେକ ମନ୍ତବ୍ୟ ଲିପିବଦ୍ଧ କରିଥିଲେ । ଅବଶ୍ୟ ପରେ ସେହି ମନ୍ତବ୍ୟଗୁଡ଼ିକ ସେସନ୍‌ସସକୋର୍ଟରେ କାଟ ଖାଇଯାଇଥିଲା । କୋର୍ଟ ମନ୍ତବ୍ୟ ଦେଇ କହିଥିଲେ—‘The aspersions on Morararjibhai’s conduct are unwarranted.’ ଏହା ସତ୍ତ୍ୱେ ଗୋରା ଅଫିସରମାନେ ଧରିନେଲେ ଯେ ତାଙ୍କର କାର୍ଯ୍ୟକଳାପ ସାମ୍ପ୍ରଦାୟିକତା-ଦୋଷଦୁଷ୍ଟ ।

 

କିଛିଦିନ ପରେ ତାଙ୍କୁ ପୁଣି ଅହମଦାବାଦ ବଦଳି କରାଗଲା; କିନ୍ତୁ ସେ ପର୍ଯ୍ୟନ୍ତ ତାଙ୍କ ଉପରୁ ଗୋରା ଅଫିସରମାନଙ୍କର ଅହନ୍ତା ତୁଟି ନ ଥିଲା । ପୁଣି ତାଙ୍କୁ ସାମ୍ପ୍ରଦାୟିକତା ଦୋଷରେ କିପରି ଦୋଷୀ ସାବ୍ୟସ୍ତ କରିବେ, ସେ ଦିଗରେ ସେମାନେ ଉଦ୍ୟମ ଅବ୍ୟାହତ ରଖିଲେ । ଗୋଦ୍ରାରେ ଘଟିଥିବା ସାମ୍ପ୍ରଦାୟିକ ଗଣ୍ଡଗୋଳରେ ମୋରାର୍‌ଜୀଙ୍କ ବିଚାରକୁ ଏକତରଫା ବିଚାର ବୋଲି ସାବ୍ୟସ୍ତ କରିବା ଲାଗି ତାଙ୍କ ଆଚରଣବିଧି ଉପରେ ସାନି ତଦନ୍ତ କରିବା ପାଇଁ କର୍ତ୍ତୃପକ୍ଷଙ୍କଠାରୁ ପୁଣି ନିର୍ଦ୍ଦେଶ ମିଳିଲା । ତାଙ୍କ ଉପରେ ଆରୋପ କରାଯାଇଥିବା ଅଭିଯୋଗଗୁଡ଼ିକର ଉତ୍ତର ଦେବାକୁ ଯାଇ ଲିଖିତ ଆକାରରେ ଏକ ରିପୋର୍ଟ ସେ କମିସନର୍‌ଙ୍କ ନିକଟରେ ନିଜେ ଦାଖଲ କଲେ । କମିସନର୍‌ ଯଦିଓ ମୋରାର୍‌ଜୀଙ୍କ ରିପୋର୍ଟ ଉପରେ ଆସ୍ଥା ସ୍ଥାପନ କରିଥିଲେ ତଥାପି ସରକାରଙ୍କ ନିକଟରେ ଏକ ଭିନ୍ନ ରିପୋର୍ଟ ଦାଖଲ କରିଥିଲେ । ପରିଣାମରେ ମୋରାର୍‌ଜୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ କର୍ମକ୍ଷେତ୍ରରେ ଜ୍ୟେଷ୍ଠତା (Seniority) କ୍ରମରେ ତାଙ୍କୁ ଚାରି ଜଣଙ୍କ ତଳକୁ ଖସାଇ ଦିଆଗଲା । ସରକାର ତାଙ୍କୁ କଠିନ ଦଣ୍ଡରେ ଦଣ୍ଡିତ କରିବାକୁ ଚେଷ୍ଟା କରିଥିଲେ; କିନ୍ତୁ ତାଙ୍କ ବାର ବର୍ଷ ଚାକିରିର ରେକର୍ଡ଼ ଅତି ଭଲ ଥିବାରୁ ଦଣ୍ଡବିଧାନ ସ୍ୱତଃ କୋହଳ କରାଯାଇଥିଲା ।

 

ସରକାରଙ୍କର ଏହି ଅନ୍ୟାୟ ସିଦ୍ଧାନ୍ତରେ ମୋରାର୍‌ଜୀଙ୍କ ମନୋବଳ ଭାଙ୍ଗିଯାଇ ନ ଥିଲା । ସେ ଦୃଢ଼ ଚିତ୍ତରେ ସିଦ୍ଧାନ୍ତ କଲେ ଯେ ବ୍ରିଟିଶ ସରକାରଙ୍କ ଅମଳରେ ତାଙ୍କ ପରି ଜଣେ ସଚ୍ଚା କର୍ମନିଷ୍ଠ ଭାରତୀୟ ଅଫିସରଙ୍କର ସ୍ଥାନ ନାହିଁ । ତହୁଁ ସେ ୧୯୩୦ ମସିହା ମେ ୨୧ ତାରିଖ ଦିନ ଚାକିରିରୁ ଇସ୍ତଫା ଦେଲେ । ଅବଶ୍ୟ ତାଙ୍କୁ ଏପରି ଏକ ପଦକ୍ଷେପ ନ ନେବା ଲାଗି ଅନେକ ବନ୍ଧୁ ପ୍ରବର୍ତ୍ତାଇଲେ; କିନ୍ତୁ ମୋରାର୍‌ଜୀଙ୍କୁ ତାଙ୍କ ସିଦ୍ଧାନ୍ତରୁ ଓହରାଇବା ସମ୍ଭବପର ହୋଇ ନ ଥିଲା । ଚାକିରିରୁ ଇସ୍ତଫା ଦେବାର ଅଳ୍ପଦିନ ପୂର୍ବରୁ ତାଙ୍କୁ କୌଣସି ସରକାରୀ କାର୍ଯ୍ୟରେ ଦାଣ୍ଡୀ ଯିବାକୁ ପଡ଼ିଥିଲା । ସେତେବେଳେ ବାପୁଜୀ ସେଇଠି ଆରମ୍ଭ କରିଥିଲେ ତାଙ୍କର କ୍ରାନ୍ତିକାରୀ ଲବଣ ସତ୍ୟାଗ୍ରହ । ସେହି ସ୍ଥାନର ପବିତ୍ର ପ୍ରଭାବ ମୋରାର୍‌ଜୀଙ୍କୁ ହୃଦୟକୁ ସ୍ପର୍ଶ କରିଥିଲା । ସେ ସେଇଠି ପ୍ରତିଜ୍ଞା କରିଥିଲେ ଯେ ଆଉ ବ୍ରିଟିଶ୍‌ ସରକାରଙ୍କ ଅଧୀନରେ ଚାକିରି କରିବେ ନାହିଁ; କିନ୍ତୁ ଯେହେତୁ ତାଙ୍କ ଆଚରଣବିଧି ଉପରେ ତଦନ୍ତ ଅସମ୍ପୂର୍ଣ୍ଣ ରହିଥିଲା ତେଣୁ ତା’ର ଫଳାଫଳକୁ ଜାଣିବାଲାଗି କିଛିଦିନ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥିଲା । ଯଦି ତଦନ୍ତ ଶେଷ ହେବାଯାଏ ଅପେକ୍ଷା ନ କରି ସେ ଇସ୍ତଫା ଦେଇଥା’ନ୍ତେ, ତାହାହେଲେ ସରକାରଙ୍କର ଦୃଢ଼ ଧାରଣା ହୋଇଥାନ୍ତା ଯେ ମୋରାର୍‌ଜୀ ନିଜେ ଦୋଷୀ ସାବ୍ୟସ୍ତ ହେବା ଜାଣି ଭୟରେ ଆଗରୁ ଇସ୍ତଫା ଦେଇ ଦେଲେ । ସରକାରଙ୍କ ମନରେ ସେପରି ଧାରଣା ନ ଆସୁ ସେଥିଲାଗି ସେ ସମୟକୁ ଅପେକ୍ଷା କରିଥିଲେ ।

 

ଇସ୍ତଫା ଦେଇ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କଲାପରେ ଅନେକ କଂଗ୍ରେସ ସଭ୍ୟ ମଧ୍ୟ ଗୋଦ୍ରା ଉଦାହରଣ ଦେଇ ତାଙ୍କ ସାମ୍ପ୍ରଦାୟିକ ଚିନ୍ତାର ଉଲୁଗୁଣା ଦେଉଥିଲେ; କିନ୍ତୁ ମୋରାର୍‌ଜୀ ତାହାକୁ ଦୃଢ଼ସ୍ୱରରେ ଖଣ୍ଡନ କରୁଥିଲେ । ଇସ୍ତଫା ଦେଇ ସେ ଯେତେବେଳେ କଂଗ୍ରେସରେ ଯୋଗ ଦେଲେ ଗୋଦ୍ରାର ମୁସଲ୍‌ମାନମାନେ ମୁକ୍ତ କଣ୍ଠରେ ସ୍ୱୀକାର କରିଥିଲେ ଯେ ମୋରାର୍‌ଜୀ ସାମ୍ପ୍ରଦାୟିକତାର ବହୁ ଊର୍ଦ୍ଧ୍ୱରେ । ତାଙ୍କ ତଦନ୍ତରେ ସାମ୍ପ୍ରଦାୟିକତା ଆରୋପ କରାଯାଇ ନ ପାରେ । ବରଂ ସେ ଗୋଦ୍ରାଠାରେ ମୁସଲ୍‌ମାନମାନଙ୍କର ସ୍ୱାର୍ଥ ରକ୍ଷା ଲାଗି କିପରି ପଦକ୍ଷେପ ନେଉଥିଲେ, ତାହାର ସେମାନେ ବହୁ ଉଦାହରଣ ଦେଇଥିଲେ । ସେଥିମଧ୍ୟରୁ ଗୋଟିଏ ହେଉଛି—ଗୋଦ୍ରା ରେଳଷ୍ଟେସନ୍‌ ନିକଟରେ ବହୁଦିନରୁ ଗୋଟିଏ ଦରଘା ଥିଲା । ରେଳଷ୍ଟେସନ୍‌ ନ ହେବା ପୂର୍ବରୁ ମଧ୍ୟ ସେଠି ମୁସଲ୍‌ମାନ୍‌ମାନେ ସମବେତ ପ୍ରାର୍ଥନା କରୁଥିଲେ । ୧୯୨୬ ମସିହାରେ ରେଳବାଇ କର୍ତ୍ତୃପକ୍ଷ ସେହି ଦରଘାକୁ ସ୍ଥାନାନ୍ତର କରିବା ଲାଗି ଦାୟିତ୍ୱରେ ଥିବା ଫକୀରଙ୍କୁ ନୋଟିସ୍‌ ଜାରି କଲେ । ଫକୀର ସେହି ନୋଟିସ୍‌ ସହିତ ଆପତ୍ତି ଜଣାଇବା ଲାଗି ଯାଇ ପହଞ୍ଚିଲେ ଡେପୁଟି କଲେକ୍ଟର ମୋରାର୍‌ଜୀଙ୍କ ପାଖରେ । ମୋରାର୍‌ଜୀ ସେହି ସ୍ଥାନର ରେକର୍ଡ଼ପତ୍ର ତନଖି କରି ମତ ଦେଲେ ଯେ ସେଠୁଁ ଦରଘା ସ୍ଥାନାନ୍ତରିତ ହୋଇପାରିବ ନାହିଁ । କାରଣ ତାହା ରେଳଷ୍ଟେସନ ତିଆରି ହେବା ପୂର୍ବରୁ ସେଠି ରହି ଆସିଅଛି । ତେଣୁ ତାହାକୁ ସ୍ଥାନାନ୍ତର ପାଇଁ ଜିଦ୍‌ ନ ଧରି ବରଂ ତାହାର ସଂରକ୍ଷଣ ଲାଗି ବାଡ଼ବନ୍ଦୀ କରାଯିବା ଉଚିତ ବୋଲି ସେ ରେଳବାଇ କର୍ତ୍ତୃପକ୍ଷଙ୍କୁ ମୁସଲମାନ ସମ୍ପ୍ରଦାୟଙ୍କ ପକ୍ଷରୁ ଅନୁରୋଧ ଜଣାଇଥିଲେ । ଶେଷରେ ରେଳବାଇ କର୍ତ୍ତୃପକ୍ଷ ତାଙ୍କର ଅନୁରୋଧ ରକ୍ଷା କରିଥିଲେ ।

 

ଇସ୍ତଫା ଦେଲା ପରେ ଗୋରା ସରକାର ଅଧୀନରେ ଦୀର୍ଘ ୧୨ ବର୍ଷ ଚାକିରୀ କରି ସେ ଏକ ମସ୍ତବଡ଼ ଭୁଲ କରିଛନ୍ତି ବୋଲି ଗଭୀର ଅନୁତାପ କରିଥିଲେ । ସେହି ବିଷୟ ଉଲ୍ଲେଖ କରି ସେ ନିଜର ଆତ୍ମଜୀବନୀରେ ଲେଖିଛନ୍ତି. ‘‘ମୁଁ ସରକାରୀ ଚାକିରୀ କରି ମୋର ଜନ୍ମଭୂଇଁ ପ୍ରତି ଅନ୍ୟାୟ କରିଛି । ସେ ଅନ୍ୟାୟର ପ୍ରାୟଶ୍ଚିତ୍ତ ଲାଗି ମୁଁ ଜନସାଧାରଣଙ୍କ ସେବାରେ ନିଜକୁ ବ୍ରତୀ କରିବାକୁ ସ୍ଥିର କରିନେଲି ।’’ ଅନେକେ ତାଙ୍କର ଏହି ତ୍ୟାଗର ଭୂୟସୀ ପ୍ରଶଂସା କରିଥାନ୍ତି; କିନ୍ତୁ ସେ ନିଜେ କହନ୍ତି, ‘‘ଏକ ଲୋଭନୀୟ ସରକାରୀ ଚାକିରୀ ଛାଡ଼ିବା ଦ୍ୱାରା ମୁଁ କୌଣସି ତ୍ୟାଗ କରିନାହିଁ । ଚାକିରୀ ପରି ବିଦେଶୀ ସରକାରଙ୍କ ଆସନ ଦୃଢ଼ୀଭୂତ କରାଇବା କୌଣସି ପ୍ରକାର ସେବାର ଅଙ୍ଗୀଭୂତ ହୋଇ ନ ପାରେ । ଚାକିରୀ କରି ମୁଁ ଯେଉଁ ଦରମା ନେଉଥିଲି ତାହା ଦ୍ୱାରା ମୁଁ ମୋ ନିଜ ଦେଶ ପ୍ରତି ପ୍ରତାରଣା କରୁଥିଲି ବୋଲି ଧରିନେବାକୁ ହେବ । କାରଣ ଦେଶବାସୀ ଦେଉଥିବା ରାଜସ୍ୱରୁ ହିଁ ମୁଁ ମୋର ଦରମା ନେଉଥିଲି । ବ୍ରିଟିଶ ସରକାର ଇଂଲଣ୍ଡରୁ ଟଙ୍କା ଆଣି ମୋତେ ବେତନ ଦେଉ ନ ଥିଲେ । ଯଦି ମୁଁ ଚାକିରୀ ଛାଡ଼ି ନ ଥାନ୍ତି, ତାହାହେଲେ ମୋର ମାନସିକ ଦୁଃଖ ଓ ଦୁଶ୍ଚିନ୍ତା ବୃଦ୍ଧି ପାଇଥା’ନ୍ତା । ତେଣୁ ଚାକିରୀ ଛାଡ଼ିବା ଦ୍ୱାରା ମନରେ ମୋର ଯେଉଁ ସଂସ୍କାର ଆସିଲା, ତାହାକୁ ମୁଁ ତ୍ୟାଗ ବୋଳି ସ୍ୱୀକାର କରି ନ ପାରେ ।’’

 

ମୋରାର୍‌ଜୀ ତାଙ୍କର ଏହି ତ୍ୟାଗକୁ ସ୍ୱୀକାର କରି ନ ଥିଲେ ମଧ୍ୟ ରାଜ୍ୟବାସୀ ତଥା ଜାତିର ଜନକ ବାପୁଜୀଙ୍କ ମନରେ ତାହା ଆଶାନୁରୂପ ପ୍ରଭାବ ପକାଇ ପାରିଥିଲା । ନିଜର ପାରିବାରିକୁ ବହୁ ଅସୁବିଧା ଥିଲେ ମଧ୍ୟ ସେଥିପ୍ରତି ଭ୍ରୂକ୍ଷେପ ନ କରି ସ୍ୱାଧୀନତା ସଂଗ୍ରାମରେ ସେ ସ୍ୱତଃ ଝାସ ଦେଇଥିଲେ । ସେତେବେଳେ ତାଙ୍କର ଆର୍ଥିକ ଅବସ୍ଥା ମଧ୍ୟ ସ୍ୱଚ୍ଛଳ ନ ଥିଲା । କାରଣ ପରିବାର ପ୍ରତିପୋଷଣ ପାଇଁ ତାଙ୍କରି ଆୟ ହିଁ ଥିଲା ଏକମାତ୍ର ସମ୍ୱଳ । ସେ ଯାହା ହେଉ, ଗାନ୍ଧୀ-ଇରୁଇନ ଚୁକ୍ତି ହେଲା ପରେ ଗାନ୍ଧିଜୀ ତାଙ୍କୁ ପୁଣି ଚାକିରୀକୁ ଫେରାଇ ନେବା ଲାଗି ବଡ଼ଲାଟଙ୍କୁ ଅନୁରୋଧ କରିବାକୁ ଚାହିଁଥିଲେ; କିନ୍ତୁ ସ୍ୱାଧୀନଚେତା ମୋରାର୍‌ଜୀ ତାଙ୍କୁ ଉତ୍ତରରେ କହିଥିଲେ, ‘‘ସ୍ୱାଧୀନତା ଲାଗି ସତ୍ୟାଗ୍ରହ ଆନ୍ଦୋଳନ ଏ ପର୍ଯ୍ୟନ୍ତ ସଫଳ ହୋଇନାହିଁ । ଯଦି ଯୁବଶକ୍ତି ଆନ୍ଦୋଳନରୁ ଓହରିଆସେ ତାହାହେଲେ ନିକଟ ଭବିଷ୍ୟତରେ ସ୍ୱାଧୀନତା ପ୍ରାପ୍ତି ଅସମ୍ଭବ ହୋଇପଡ଼ିବ । ସ୍ୱରାଜ ପ୍ରାପ୍ତି ନ ହେବାଯାଏ ମୋର ଚାକିରୀକୁ ଫେରିବାର ପ୍ରଶ୍ନ ହିଁ ଉଠୁନାହିଁ ।’’ ଏହା ଶୁଣି ଗାନ୍ଧିଜୀ ତାଙ୍କ ଦୃଢ଼ ମନୋବଳର ସ୍ଥୂଳ ପରିଚୟ ପାଇଥିଲେ । ତାପରେ ସେ ମୋରାର୍‌ଜୀଙ୍କର ଦୟନୀୟ ଆର୍ଥିକ ଅବସ୍ଥା ବିଷୟ ଜାଣିପାରି ତାଙ୍କୁ ମାସିକ ପେନ୍‌ସନ୍‌ ଦେବା ଲାଗି ବଡ଼ଲାଟଙ୍କ ନିକଟରେ ଦାବୀ କରିଥିଲେ । ନିରବଚ୍ଛିନ୍ନ ଭାବେ ବାର ବର୍ଷ ଚାକିରୀ କରିଥିବାରୁ ସେ ମାସିକ ୧୫୦ ଟଙ୍କା ପେନ୍‌ସନ୍‌ ପାଇବାକୁ ହକ୍‌ଦାର ଥିଲେ । ବଡ଼ଲାଟ ଗାନ୍ଧିଜୀଙ୍କ ଦାବୀ ମାନିନେଇଥିଲେ ଓ ତାଙ୍କୁ ପେନ୍‌ସନ୍‌ ଦେବାଲାଗି ବମ୍ୱେ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ; କିନ୍ତୁ ତତ୍‌କାଳୀନ ରାଜ୍ୟ ସରକାର ହେଳାବଶତଃ ତାହା କାର୍ଯ୍ୟକାରୀ କରି ନ ଥିଲେ । ସେତେବେଳେ ମୋରାର୍‌ଜୀ ପେନ୍‌ସନ ପାଇଥିଲେ ତାଙ୍କ ପରିବାର ପ୍ରତିପୋଷଣରେ ଅବଶ୍ୟ ଅସୁବିଧା ହୋଇ ନ ଥାନ୍ତା ।

 

ଏଣେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାଦ୍ୱାରା ତାଙ୍କ ପରିବାର ଅକଥନୀୟ ଦୁଃଖ ଓ ଦୂରବସ୍ଥାର ସମ୍ମୁଖୀନ ହେଲେ । ଅର୍ଥାଭାବରୁ ଏକମାତ୍ର ପୁତ୍ର କାନ୍ତିଭାଇଙ୍କର ଉଚ୍ଚଶିକ୍ଷା ସମ୍ଭବପର ହୋଇପାରିଲା ନାହିଁ । ପରିବାରର ଅନ୍ୟ ସଭ୍ୟମାନେ ମଧ୍ୟ ଅବହେଳିତ ହେଲେ । ମୋରାର୍‌ଜୀ ବମ୍ୱେର ଯେତେବେଳେ ରାଜସ୍ୱମନ୍ତ୍ରୀ ହେଲେ, ଯେଉଁ ସରକାରୀ ଅଫିସରମାନେ ଚାକିରି ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ଲାଗି ଉପଯୁକ୍ତ ପେନ୍‌ସନ୍‌ର ବ୍ୟବସ୍ଥା କରିଥିଲେ; କିନ୍ତୁ ନିଜେ ପେନ୍‌ସନ ନେବେ ନାହିଁ ବୋଲି ବମ୍ୱେର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବାଲଗଙ୍ଗାଧର ଖେରଙ୍କୁ ଲିଖିତ ଆକାରରେ ଜଣାଇ ଦେଇଥିଲେ ।

Image

 

ନୀତି ଓ ନିଷ୍ଠା

 

ଚାକିରିରୁ ୧୯୩୦ ମସିହାରେ ଅବ୍ୟାହତି ନେଇ ସେ ଗୁଜୁରାଟ କଂଗ୍ରେସ କମିଟିର ଜଣେ ପ୍ରାଥମିକ ସଭ୍ୟ ହେଲେ । ସେତେବେଳେ ବାପୁଜୀଙ୍କର ଲବଣ ସତ୍ୟାଗ୍ରହ ଆନ୍ଦୋଳନ ବ୍ରିଟିଶ ସରକାରଙ୍କର ଶାସନକଳକୁ ଦୋହଲାଇ ଦେଇଥାଏ । ଜାତିର ଜନକ ବାପୁଜୀଙ୍କର ଆହ୍ୱାନକ୍ରମେ ଆବାଳବୃଦ୍ଧବନିତା ବହୁସଂଖ୍ୟାରେ କାରାବରଣ କରୁଥାନ୍ତି; କିନ୍ତୁ ମୋରାର୍‌ଜୀ ପରିସ୍ଥିତି ଦୃଷ୍ଟିରୁ ଲବଣ ସତ୍ୟାଗ୍ରହରେ ଯୋଗ ନ ଦେଇ ସରକାରଙ୍କ ଟିକିଏ ଆଦାୟ ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କଲେ । ଏହି ଆନ୍ଦୋଳନ ଆରମ୍ଭ ହେଲା ବର୍ଦ୍ଦୋଳି ତାଲୁକାରୁ । ନୂଆ କରି କଂଗ୍ରେସରେ ଯୋଗ ଦେଇଥିଲେ ମଧ୍ୟ ବହୁ ଲୋକ ତାଙ୍କୁ ସମର୍ଥନ କଲେ । ସୀମିତ ସମୟ ମଧ୍ୟରେ ଗୁଜୁରାଟ କଂଗ୍ରେସରେ ଜଣେ ନାମଜାଦା ସଭ୍ୟ ହିସାବରେ ସେ ପ୍ରତିଷ୍ଠିତ ହୋଇପାରିଥିଲେ । ଆନ୍ଦୋଳନର ମାତ୍ର ଦଶଦିନ ମଧ୍ୟରେ ତାଙ୍କୁ କାରାବରଣ କରିବାକୁ ପଡ଼ିଲା । ସେତେବେଳକୁ କଂଗ୍ରେସ ଏକ ବେଆଇନ ସଂସ୍ଥା ବୋଲି ସରକାର ଘୋଷଣା କରିସାରିଥାନ୍ତି । ତେଣୁ ମୋରାର୍‌ଜୀଙ୍କୁ ବେଆଇନ ସଂସ୍ଥାର ସଭ୍ୟ ଓ ଆନ୍ଦୋଳନକାରୀ ହିସାବରେ ତିନିମାସ କଠିନ ଜେଲଦଣ୍ଡ ଓ ତିନିଶହ ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରାଗଲା । ଅର୍ଥ ଅନାଦାୟେ ପୁଣି ଏକମାସ ଜେଲଦଣ୍ଡର ସର୍ତ୍ତ ଥିଲା । ଜୋରିମାନା ନ ଦେବାରୁ ସାବରମତୀ ଜେଲରେ ଚାରିମାସ ତାଙ୍କୁ କଟାଇବାକୁ ପଡ଼ିଲା ।

 

ସେତେବେଳେ ବନ୍ଦୀମାନଙ୍କର ଶ୍ରେଣୀବିଭାଗ ବିଚାରକୁ ନିଆଯାଇ ଅର୍ଥଦଣ୍ଡ ଦିଆଯାଉଥିଲା । ଯେଉଁମାନେ ‘ଖ’ ଶ୍ରେଣୀର ବନ୍ଦୀ କିମ୍ୱା ଯେଉଁମାନଙ୍କର ଶିକ୍ଷା ଓ ବ୍ୟବସାୟଗତ ଯୋଗ୍ୟତ ଥିଲା ସେମାନେ ସାଧାରଣତଃ ଏହି ଦଣ୍ଡରେ ହେଉଥିଲେ ଦଣ୍ଡିତ; କିନ୍ତୁ କଂଗ୍ରେସର ନୀତି ଥିଲା ଯେ ଜୋରିମାନା ନ ଦେଇ ଅଧିକ କାଳ ଜେଲଦଣ୍ଡ ଭୋଗିବା । ତେଣୁ ସେ ଜୋରିମାନା ନ ଦେଇ ଅଧକ ସମୟ ଜେଲଦଣ୍ଡ ଭୋଗିବାକୁ ସ୍ଥିର କରିନେଇଥିଲେ ।

 

ଜେଲରୁ ଖଲାସ ହେବା ପରେ ସେ ଖେଡ଼ା, ସୁରତ ଓ ପଞ୍ଚମହଲସ ଜିଲ୍ଲାରେ ବୁଲି କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିଲେ । ତାଙ୍କରି ପ୍ରେରଣା ଓ ଉଦ୍ୟମ ଫଳରେ ସେହିସବୁ ଜିଲ୍ଲାମାନଙ୍କରେ ସତ୍ୟାଗ୍ରହ ଜୋରସୋରରେ ଆରମ୍ଭ ହେଲା; କିନ୍ତୁ ସରକାର ଆନ୍ଦୋଳନକୁ ଦୃଢ଼ହସ୍ତରେ ଦମନ କରିଥିଲେ । ତାପରେ କରାଚୀଠାରେ କଂଗ୍ରେସ ଅଧିବେଶନ ବସିଲା । କିପରି ଯୁବଶକ୍ତିକୁ କଂଗ୍ରେସରେ ସକ୍ରିୟଭାବେ ଜଡ଼ିତ କରାଯିବ ସେଥିଲାଗି ସିଦ୍ଧାନ୍ତମାନ ଗ୍ରହଣ କରାଗଲା । ବାପୁଜୀ ଦେଶର ଯୁବସମାଜକୁ ଆହ୍ୱାନ ଜଣାଇ କହିଲେ, ‘‘ଖାଲି ବାଷ୍ପର କିଛି ମୂଲ୍ୟ ନ ଥାଏ; କିନ୍ତୁ ଯେତେବେଳେ ଏହା ଉପଯୁକ୍ତ ଉପାୟରେ ନିୟନ୍ତ୍ରିତ ହୁଏ, ସେତେବେଳେ ଅଦ୍ଭୁତ ଶକ୍ତି ଦାନ କରିଥାଏ । ତେଣୁ ମୁଁ ଯୁବକମାନଙ୍କୁ ଭଗବାନଙ୍କ ଦୂତ ହିସାବରେ ହାତରେ ସୁବାସିତ ମଲମ ଦେଇ ଭାରତମାତାର କ୍ଷତାସଂକୁଳ । ଆତ୍ମାର ଆରୋଗ୍ୟ ଉଦ୍ଦେଶ୍ୟରେ ଆଭଗର ହୋଇ ବାହାରିପଡ଼ିବାକୁ ଆହ୍ୱାନ କରୁଅଛି ।’’ ବାପୁଜୀଙ୍କ ଆହ୍ୱାନକ୍ରମେ ଦେଶର ଯୁବସମାଜ ଜାଗିଉଠିଲେ । ଯୁବକଂଗ୍ରେସ ଆଶାତୀତଭାବେ ଶକ୍ତିଶାଳୀ ହୋଇଉଠିଲା । ତାହାର ସଭାପତି ହେଲେ ଜବାହରଲାଲ ନେହେରୁ । ସୁଭାଷ ବୋଷ ମଧ୍ୟ ହେଲେ ଯୁବଚେତନାର ଅନ୍ୟତମ ପ୍ରାଣକେନ୍ଦ୍ର ।

 

ସେତେବେଳେ ଗୁଜୁରାଟ କଂଗ୍ରେସର ମୁଖ୍ୟ ସଞ୍ଚାଳକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଯୁବଶକ୍ତି ଉପରେ ସେତେ ଆସ୍ଥାବାନ୍‌ ନ ଥିଲେ । ତେଣୁ ଏ ଦିଗରେ ସେ ଏକପ୍ରକାର ନିଷ୍କ୍ରିୟ ରହିଲେ । ତାହା ସତ୍ତ୍ୱେ ଗୁଜୁରାଟରେ ଯୁବକଂଗ୍ରେସର କାର୍ଯ୍ୟ ଆରମ୍ଭ ହେଲା । ମୋରାର୍‌ଜୀ ହେଲେ ତାହାର ସଭାପତି । ଗୁଜୁରାଟରେ ତାହାର ଏକ କେନ୍ଦ୍ରକୁ ଆନୁଷ୍ଠାନିକ ଭାବରେ ଉଦ୍‌ଘାଟନ କରିବା ପାଇଁ ନେହେରୁଙ୍କୁ ଅନୁରୋଧ କରାଗଲା । ମୋରାର୍‌ଜୀ ପଟେଲଙ୍କୁ ଅନୁରୋଧ କଲେ ଯେ ସେ ନେହେରୁଙ୍କୁ ଏଥିପାଇଁ ରାଜି କରାନ୍ତୁ; କିନ୍ତୁ ପଟେଲ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି କହିଲେ ଯେ ସେ ଓ ତାଙ୍କର ବନ୍ଧୁମାନେ ଯାଇ ନେହେରୁଙ୍କୁ ଏଥିପାଇଁ ରାଜି କରାଇବା ଉଚିତ । ତଦନୁଯାୟୀ ମୋରାର୍‌ଜୀଙ୍କ ସହିତ କେତେକ ଯୁବନେତା ନେହେରୁଙ୍କୁ ଯାଇ ଭେଟିଲେ; କିନ୍ତୁ ପ୍ରାଦେଶିକ କଂଗ୍ରେସର ସେ ଦିଗରେ ନିଷ୍କ୍ରିୟତା ଦେଖି ନେହେରୁ ଗୁଜୁରାଟ ଆସିବାକୁ ମନା କରିଦେଲେ । ତାପରେ ସେମାନେ ଅନୁରୋଧ କଲେ ସୁଭାଷ ବୋଷଙ୍କୁ, ଯେ କି ସେମାନଙ୍କର ଅନୁରୋଧ ରକ୍ଷା କରିଥିଲେ, କିନ୍ତୁ ପଟେଲ ସେମାନଙ୍କର ଏହି ପଦକ୍ଷେପକୁ ପସନ୍ଦ କରି ନ ଥିଲେ । ସେ ମୂଳରୁ ଚାହୁଁ ନ ଥିଲେ ଯେ ଯୁବକଂଗ୍ରେସ କଂଗ୍ରେସର ଏକ ସମାନ୍ତରାଳ ସଂସ୍ଥା ହୋଇ ରହୁ । ପୁନଶ୍ଚ ନେହେରୁ ଓ ସୁଭାଷଙ୍କୁ ସେହି ସଂସ୍ଥାର ନେତୃତ୍ୱ ଦେଲେ କିଛି ସୁଫଳ ମିଳିବ, ସେ ବିଷୟରେ ମଧ୍ୟ ସେ ଥିଲେ ସନ୍ଧିହାନ । ଏହିପରି ଟଣାଓଟରା ପରିସ୍ଥିତିରେ ଗୁଜୁରାଟରେ ପ୍ରସ୍ତାବିତ ଯୁବକଂଗ୍ରେସ ସଂସ୍ଥା ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇପାରିଲା ନାହିଁ ।

 

ଗୋଲଟେବୁଲ ବୈଠକରୁ ଗାନ୍ଧିଜୀ ନିରାଶ ହୋଇ ଫେରିଲା ପରେ ଅତ୍ୟାଚାରୀ ଗୋରାସରକାରଙ୍କ ସହିତ ମୁକାବିଲା କରିବାର ପଦ୍ଧତିକୁ ପରିବର୍ତ୍ତନ କରାଗଲା । ଆରମ୍ଭ ହେଲା ବିଦେଶୀ ବିରୋଧୀ ବିପ୍ଳବର ଦ୍ୱିତୀୟ ପର୍ଯ୍ୟାୟ । କଂଗ୍ରେସ ନେତୃବୃନ୍ଦଙ୍କ ଉପରେ ଗୁରୁଦାୟିତ୍ୱ ପଡ଼ିଲା । ସର୍ଦ୍ଦାର ପଟେଲ ପ୍ରସ୍ତାବିତ ଯୁବକଂଗ୍ରେସ ସମ୍ମିଳନୀକୁ ସ୍ଥଗିତ ରଖିବା ଲାଗି ଉପଦେଶ ଦେଲେ । କ୍ରମେ ଦେଶରେ ସ୍ୱଦେଶୀ ଆନ୍ଦୋଳନର ପ୍ରଳୟଙ୍କରୀ ବାତ୍ୟା ବହିବାକୁ ଆରମ୍ଭ କଲା । ଦମନମୂଳକ କାର୍ଯ୍ୟକ୍ରମ ଅନୁଯାୟୀ ଗାନ୍ଧିଜୀଙ୍କ ସମେତ ଦେଶର ନେତୃବୃନ୍ଦଙ୍କୁ କାରାରୁଦ୍ଧ କରାଗଲା । ମୋରାର୍‌ଜୀଙ୍କୁ ମଧ୍ୟ ଦେଢ଼ମାସ ପାଇଁ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା । ସାବରମତୀ ଜେଲରୁ ଖଲାସ ହେଲା ପରେ ସେ ପୁଣି ଆଇନ ଅମାନ୍ୟ କରି ଦୁଇବର୍ଷ ଏକମାସ ପାଇଁ କଠିନ କାରାଦଣ୍ଡରେ ଦଣ୍ଡିତ ହେଲେ । ତାଙ୍କୁ ଏଥର ନାସିକ ଜେଲରେ ରଖାଗଲା । ଏହି ଜେଲରେ ଅବସାନ କାଳରେ ଜନ୍ମଲାଭ କଲା କଂଗ୍ରେସ ସୋସାଲିଷ୍ଟ ପାର୍ଟି । ଦେଶସାରା ଆଇନ ଅମାନ୍ୟ ଆନ୍ଦୋଳନ ଚାଲିଥାଏ । ବ୍ରିଟିଶ ସରକାର ମଧ୍ୟ ଦୃଢ଼ ହସ୍ତରେ ତାହା ଦମନ କରୁଥାନ୍ତି । ଏହି ଆନ୍ଦୋଳନ ଦ୍ୱାରା କୌଣସି ଆଶୁ ଫଳପ୍ରାପ୍ତିର ଆଶା ନ ଦେଖି ଗାନ୍ଧିଜୀ ଆନ୍ଦୋଳନର ଆଭିମୁଖ୍ୟ ବଦଳାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ । ସମଗ୍ର ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବ୍ୟକ୍ତିଗତ ସତ୍ୟାଗ୍ରହ । ଯେଉଁମାନଙ୍କୁ ଏହି ଆନ୍ଦୋଳନର ନେତୃତ୍ୱ ଦେବା ଲାଗି ଗାନ୍ଧିଜୀ ମନୋନୀତ କଲେ, ସେମାନଙ୍କ ମଧ୍ୟରୁ ମୋରାର୍‌ଜୀ ଥିଲେ ଅନ୍ୟତମ ।

 

ନାସିକ ଜେଲରୁ ଖଲାସ ହେଲା ପରେ ମୋରାର୍‌ଜୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଅହମଦାବାଦ ଛାଡ଼ି ଚାଲିଯିବାକୁ ଆଦେଶନାମା ଜାରି କରାଗଲା; କିନ୍ତୁ ସେ ଏହି ଆଦେଶ ଅମାନ୍ୟ କରି ତୃତୀୟ ଥର ଲାଗି କାରାବରଣ କଲେ । ପୁଣି ଦୁଇ ବର୍ଷ ପାଇଁ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଲା । ଏଥିମଧ୍ୟରେ ବହୁ ଯୁବକଯୁବତୀ କଂଗ୍ରେସ ସୋସାଲିଷ୍ଟ ସଂସ୍ଥାର ସଭ୍ୟଶ୍ରେଣୀଭୁକ୍ତ ହୋଇ ଦଳ ଆଦର୍ଶରେ କାର୍ଯ୍ୟ କରିବାକୁ ଲାଗିଲେ । ମୋରାର୍‌ଜୀ ଦଳର ପୃଷ୍ଠପୋଷକ ଥିଲେ ମଧ୍ୟ ସେମାନଙ୍କର କାର୍ଯ୍ୟପନ୍ଥା ତାଙ୍କ ମନରେ ଆଶାନୁରୂପ ପ୍ରତ୍ୟୟ ସୃଷ୍ଟି କରିପାରିଲା ନାହିଁ । ଯେହେତୁ ସେମାନେ କଂଗ୍ରେସର ବହିର୍ଭୂତ ଏକ ସଂସ୍ଥାର ସଭ୍ୟ ରୂପେ କାର୍ଯ୍ୟ କରିବାକୁ ଲାଗିଲେ, ତେଣୁ ମୋରାର୍‌ଜୀ ସେମାନଙ୍କୁ ସମର୍ଥନ ଜଣାଇବାକୁ କୁଣ୍ଠାବୋଧ କଲେ । ନୀତିନିୟନ୍ତ୍ରିତ ପଦ୍ଧତିରୁ ସେମାନେ କ୍ରମେ ଓହରିଯିବାରୁ ଓ କଂଗ୍ରେସର ଏକ ସାମନ୍ତରାଳ ଶକ୍ତି ରୂପେ କାର୍ଯ୍ୟ ନ କରିବାରୁ ତାଙ୍କର ଆଗ୍ରହୀ ମନ ବାଧାପ୍ରାପ୍ତ ହେଲା । ସେ ଆଶଙ୍କା କଲେ ଯେ ଯଦି ଏକ ନୂତନ ଦଳ ଗଢ଼ିଉଠେ, ତାହାହେଲେ ସ୍ୱାଧୀନତା ପ୍ରାପ୍ତି ଲାଗି ଆନ୍ଦୋଳନ ଶୃଙ୍ଖଳିତ ହୋଇପାରିବ ନାହିଁ । ତେଣୁ କଂଗ୍ରେସର ସାହାଯ୍ୟକାରୀ ଦଳରୂପେ କଂଗ୍ରେସ ସୋସିଆଲିଷ୍ଟ ଦଳ କାର୍ଯ୍ୟ କରୁ, ଏହାହିଁ ଥିଲା ତାଙ୍କର କାମନା ।

 

ସେତେବେଳେ ସବୁ ସତ୍ୟାଗ୍ରହୀ ନୀତିନିୟମ ମାନୁ ନ ଥିଲେ । ତେଣୁ ଗାନ୍ଧିଜୀ ସତ୍ୟାଗ୍ରହକୁ ଦୁରାଗ୍ରହରେ ପରିଣତ ନ କରିବାକୁ ବାରମ୍ୱାର ଆହ୍ୱାନ ଦେଇ କହୁଥିଲେ, ‘‘ମୋର ଦୃଢ଼ ଧାରଣା ଯେ ସବିନୟ ଆଇନଭଙ୍ଗ ବୈଧାନିକ ଆନ୍ଦୋଳନର ହେଉଛି ଶୁଦ୍ଧତମ ରୂପ । ଏଥିରେ ବିନୟ ଓ ଅହିଂସାର ବୈଶଷ୍ଟ୍ୟ ସ୍ୱୀକାର କରିବାକୁ ପଡ଼ିବ । ଉଦ୍ଧତ ମନୋଭାବ କିମ୍ୱା ଅନ୍ୟ ପ୍ରତି ଦୋଷ ଉପରେ ଏହା ଆଧାରିତ ହେବା ଉଚିତ ନୁହେଁ । ଖଳ ପ୍ରକୃତି ନେଇ ଆଇନ ଅବଜ୍ଞା କଲେ ନିଶ୍ଚିତ ଭାବେ ଅରାଜକତା ସୃଷ୍ଟି ହେବ । ମୁଁ ଜାଣୁଛି ଯେ ବହୁକ୍ଷେତ୍ରରେ ସତ୍ୟାଗ୍ରହର ପନ୍ଥା ହିଂସାପ୍ରଣୋଦିତ ହୋଇପଡ଼ୁଛି । ମୋ ପରିକଳ୍ପିତ ସତ୍ୟାଗ୍ରହରେ ହିଂସା, ଲୁଟ୍‌ତରାଜ, ଅଗ୍ନିକାଣ୍ଡ ଇତ୍ୟାଦିର ସ୍ଥାନ ନାହିଁ । ସତ୍ୟାଗ୍ରହ ଓ ସବିନୟ ଅବଜ୍ଞାର ଉଦ୍ଦେଶ୍ୟ ଉଦ୍ଧତ ଅବଜ୍ଞା ନୁହେଁ । ଏହା କଲେ ନିଶ୍ଚିତଭାବେ ଆମେ ଲକ୍ଷ୍ୟଭ୍ରଷ୍ଟ ହେବା ।’’

 

ଏ ଦିଗରେ ଅବଶ୍ୟ ମୋରାର୍‌ଜୀ ବାପୁଜୀଙ୍କର ନିର୍ଦ୍ଧାରିତ ନିୟମ ଅକ୍ଷରେ ଅକ୍ଷରେ ମାନୁଥିଲେ; କିନ୍ତୁ ଏପରିକି ବାପୁଜୀଙ୍କର ଅନେକ ପଟ୍ଟଶିଷ୍ୟ ସତ୍ୟାଗ୍ରହର ନିୟମ ଅମାନ୍ୟ କରୁଥିବାର ସେ ନିଜ ଆତ୍ମଜୀବନୀରେ ଉଲ୍ଲେଖ କରିଅଛନ୍ତି । ସେହି ଲୋକମାନଙ୍କୁ କଂଗ୍ରେସରୁ ବାସନ୍ଦ କରାଯିବା ଉଚିତ ବୋଲି ମୋରାର୍‌ଜୀ ଚାହୁଁଥିଲେ ମଧ୍ୟ ବାପୁଜୀଙ୍କୁ ସେମାନଙ୍କ ନାମ ଫିଟାଇ କହୁ ନ ଥିଲେ । ପରେ ଅବଶ୍ୟ ବିଭିନ୍ନ ସୂତ୍ରରୁ ବାପୁଜୀ ସେମାନଙ୍କ ନାମ ଜାଣିପାରି ଗଭୀର ଦୁଃଖ ପ୍ରକାଶ କରିଥିଲେ ଓ ସେମାନଙ୍କୁ ଭବିଷ୍ୟତରେ ସାବଧାନ ହେବା ଲାଗି ଅନୁରୋଧ ଜଣାଉଥିଲେ; କିନ୍ତୁ ମୋରାର୍‌ଜୀ କର୍ମକ୍ଷେତ୍ରରେ ସେମାନଙ୍କଠାରୁ ଅଲଗା ରହୁଥିଲେ । ଯେତେବେଳେ ସମାଜବାଦୀ କଂଗ୍ରେସର ସଭ୍ୟମାନେ ଖୋଲାଖୋଲି ଭାବେ ଗାନ୍ଧିଜୀଙ୍କ ନୈତିକତା ଓ ସାଧୁତାର ବିରୁଦ୍ଧାଚରଣ କରୁଥିଲେ ମୋରାର୍‌ଜୀ ତାହାର ଦୃଢ଼ ପ୍ରତିରୋଧ କରୁଥିଲେ । ଏହି ସମାଜବାଦୀମାନଙ୍କ ମଧ୍ୟରେ କ୍ରମେ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ଘନୀଭୂତ ହୋଇଉଠିଲା । ସ୍ଥଳବିଶେଷରେ ସେମାନେ କଂଗ୍ରେସର ନୀତିନିୟମକୁ ଜଳାଞ୍ଜଳି ଦେବାକୁ ପଶ୍ଚାତ୍‌ପଦ ହେଲେ ନାହିଁ । ମୋରାର୍‌ଜୀ ସେମାନଙ୍କୁ ସୁଧାରିବାକୁ ଯାଇ ନିଜର ଆତ୍ମସମ୍ମାନ ହରାଇଥିଲେ ମଧ୍ୟ ସେମାନେ କୌଣସି ନିର୍ଦ୍ଧାରିତ ନୀତି ମାନିବାକୁ ପ୍ରସ୍ତୁତ ନ ଥିଲେ ।

 

ଜେଲରେ ରହଣିକାଳ ମଧ୍ୟରେ ତାଙ୍କର ଅଧ୍ୟୟନ ଅଭ୍ୟାସ ବୃଦ୍ଧି ପାଇଥିଲା । ମାରକସବାଦ ଓ ସମାଜବାଦ ଉପରେ ବହୁ ପୁସ୍ତକ ପଢ଼ିବାର ସୁଯୋଗ ପାଇଥିଲେ ମଧ୍ୟ ସେ ତଥାକଥିତ କଳ୍ପନାବିଳାସୀ ନ ଥିଲେ । ଗାନ୍ଧିବାଦ ପ୍ରତି ତାଙ୍କର ବିଶ୍ୱାସ ଥିଲା ଅତୁଟ, ନିଜର ଅଭ୍ୟାସ ଓ ବିଶ୍ୱାସର ଅପୂର୍ବ ସମନ୍ୱୟ ଫଳରେ ଗାନ୍ଧିଦର୍ଶନ ତାଙ୍କ ହୃଦୟରେ ଦୃଢ଼ ପ୍ରତିଷ୍ଠିତ ହୋଇପାରିଥିଲା । ଗାନ୍ଧିଜୀଙ୍କ ଦ୍ୱାରା ଲିଖିତ ଓ ତାଙ୍କ ଚିନ୍ତାଧାରା ସମ୍ୱଳିତ ସମସ୍ତ ପୁସ୍ତକ ସେ ଅଧ୍ୟୟନ କରିଥିଲେ । ଏପର୍ଯ୍ୟନ୍ତ ମଧ୍ୟ ଗାନ୍ଧିବାଦ ପ୍ରତି ତାଙ୍କର ଆସ୍ଥା ଅତୁଟ ରହିଛି । ତାଙ୍କର ଗାନ୍ଧିବାଦୀ ଚିନ୍ତାଧାରାର ପ୍ରଶଂସା କରି ‘The New York Times’ ମତ ପ୍ରକାଶ କରି କହନ୍ତି—’‘x x he was a Gandhian before he met or red Gandhi’’ । ଏ ପର୍ଯ୍ୟନ୍ତ ଗାନ୍ଧିବାଦକୁ ସେ ନିଜ ଜୀବନରେ ପ୍ରୟୋଗ କରି ଆସିଅଛନ୍ତି । ନିଜର କଠିନ ମନୋଭାବ ଯୋଗୁ ଅନେକେ ତାଙ୍କୁ ଗାନ୍ଧିବାଦୀ ନୁହନ୍ତି ବୋଲି ଆକ୍ଷେପ କରିଥାନ୍ତି ।

 

ସ୍ୱାଧୀନତା ପୂର୍ବରୁ ଦେଶର କଂଗ୍ରେସ ନେତୃବୃନ୍ଦଙ୍କ ମୁଖ୍ୟତଃ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇପାରେ । ପ୍ରଥମ ଶ୍ରେଣୀର ନେତୃବୃନ୍ଦ ସାଂଗଠନିକ କାର୍ଯ୍ୟ ଓ ଦଳର ଆର୍ଥିକ ଅବସ୍ଥା ଦୃଢ଼ କରିବାରେ ତତ୍ପର ଥିଲେ । ସେହି ଶ୍ରେଣୀର କର୍ମୀମାନଙ୍କ ମଧ୍ୟରେ ସର୍ଦ୍ଦାର ପଟେଲ ଥିଲେ ଅଗ୍ରଗଣ୍ୟ; କିନ୍ତୁ ଯେଉଁମାନେ କଂଗ୍ରେସୁ ଆନ୍ଦୋଳନକୁ ଲୋକପ୍ରିୟ ଜନଆନ୍ଦୋଳନରେ ପରିଣତ କରିବା ଲାଗି ଚେଷ୍ଟିତ ଥିଲେ, ସେମାନଙ୍କ ମଧ୍ୟରେ ଜବାହରଲାଲଙ୍କ ନାମ ଉଲ୍ଲେଖଯୋଗ୍ୟ । ଏହି ଦୁଇ ଶ୍ରେଣୀର କର୍ମୀମାନଙ୍କ ମଧ୍ୟରେ ସଂହତି ସ୍ଥାପନ କରୁଥିଲେ ନିଜେ ଗାନ୍ଧିଜୀ । ଯଦିଓ ସେ ମୁଖ୍ୟ ସିଦ୍ଧାନ୍ତକାରୀଙ୍କ ଭୂମିକା ଗ୍ରହଣ କରିଥିଲେ, ତଥାପି ନେହେରୁଙ୍କ ଠାରୁ ତାଙ୍କ ଚିନ୍ତାଧାରା ଅଧିକ ନିଶ୍ଚୟାତ୍ମକ ଥିଲେ ।

 

୧୯୩୦ ମସିହା ପରେ ଗାନ୍ଧିଜୀ କଂଗ୍ରେସର ଦୈନନ୍ଦିନ କାର୍ଯ୍ୟନିଘଣ୍ଟ ସହିତ କ୍ରମେ ସମ୍ପର୍କ ତୁଟାଇବାକୁ ଲାଗିଲେ । ମୋରାର୍‌ଜୀଙ୍କ ଉପରେ ଗୁଜୁରାଟ କଂଗ୍ରେସ ପରିଚାଳନାର ଗୁରୁଦାୟିତ୍ୱ ପଡ଼ିଲା । ସେ ଦାୟିତ୍ୱ ତୁଲାଇବାକୁ ଆଦୌ କୁଣ୍ଠାବୋଧ କରୁ ନ ଥିଲେ । ୧୯୩୧ରୁ ୧୯୩୭ ପର୍ଯ୍ୟନ୍ତ ଗୁଜୁରାଟ ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ସେ ରାଜ୍ୟରେ ଦଳର ନିପୁଣ ପରିଚାଳନା କରିଥିଲେ । ଗାନ୍ଧିଜୀ ମଧ୍ୟ ତାଙ୍କ ପରିଚାଳନାପାଟବରେ ସନ୍ତୁଷ୍ଟ ହୋଇଥିଲେ । ଯେହେତୁ ସେ ଆଜୀବନ ନୀତିବାଦୀ, ତେଣୁ କେତେକ କଂଗ୍ରେସକର୍ମୀ ତାଙ୍କୁ ପରୋକ୍ଷରେ ସମାଲୋଚନା କରୁଥିଲେ । କାରଣ ପରିସ୍ଥିତି ଯାହା ହେଉନା କାହିଁକି, ଚାପ ପକାଇ ତାଙ୍କୁ ନୀତିରୁ ଓହରାଇବା ଆଦୌ ସମ୍ଭବ ହେଉ ନ ଥିଲା ।

 

ଦଳ ପାଇଁ କିମ୍ୱା ଯେକୌଣସି ସାଧାରଣ କାର୍ଯ୍ୟ ଲାଗି ଚାନ୍ଦା ସଂଗ୍ରହ କରିବାରେ ସେ ସବୁବେଳେ ପଛଉଥିଲେ । ଚାନ୍ଦା ଦେବାକୁ ବାଧ୍ୟ କରିବା କିମ୍ୱା ପ୍ରବର୍ତ୍ତାଇବାରେ ସେ ଥିଲେ ଅପାରଗ । କ୍ୱେଟା ଓ ବିହାରର ଭୂମିକମ୍ପ, ବଙ୍ଗ ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କ ପାଇଁ କଂଗ୍ରେସ ତରଫରୁ ପାଣ୍ଠି ସଂଗ୍ରହ ଲାଗି ଜମନ୍‌ଲାଲ ବଜାଜ୍‌ ପ୍ରଭୃତି ବହୁବନ୍ଧୁ ତାଙ୍କୁ ସଙ୍ଗରେ ନେଇ ସେ ଦିଗରେ ତାଙ୍କର ଅପାରଗତା ଦେଖି ଆଉ ତାଙ୍କୁ କେବେ ସଙ୍ଗରେ ନେବାକୁ ପସନ୍ଦ କରୁ ନ ଥିଲେ-

 

୧୯୩୪ ମସିହାରେ କେନ୍ଦ୍ରୀୟ ବିଧାନ ପରିଷଦ ପାଇଁ ନିର୍ବାଚନ ହେଲା । ମୋରାର୍‌ଜୀ ନିଜେ ଛିଡ଼ା ନ ହୋଇ ବୁଲାଭାଇ ଦେଶାଇଙ୍କ ଲାଗି ପ୍ରଚାର କରିଥିଲେ । ସେତେବେଳେ ସାଧାରଣତଃ ପ୍ରଭାବଶାଳୀ ବ୍ୟକ୍ତିମାନେ କେନ୍ଦ୍ରୀୟ ବିଧାନ ପରିଷଦ ଲାଗି ନିର୍ବାଚିତ ହେଉଥିଲେ । ତେଣୁ ବୁଲାଭାଇଙ୍କୁ ଜୟଯୁକ୍ତ କରିବାଲାଗି ଅଧିକ ପ୍ରଚାର କରିବାକୁ ପଡ଼ିଥିଲା । ପ୍ରଚାର କାଳରେ ମଧ୍ୟ ମୋରାର୍‌ଜୀ ନିଜ ନୀତି ଓ ଆଦର୍ଶରୁ ତିଳେ ହେଲେ ଟଳୁ ନ ଥିଲେ । ବର୍ତ୍ତମାନ ନଡ଼ିଆଦ୍‌ ଜିଲ୍ଲାର ଡାକୋର ଥିଲା ବୁଲାଭାଇଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଭୁକ୍ତ । ସେଠାରେ ଥିବା ଗୋଟିଏ ଦେବମନ୍ଦିରରେ ହରିଜନମାନଙ୍କୁ ପ୍ରବେଶ କରାଇ ଦିଆଯାଉ ନ ଥିଲା । କାରଣ ସେଠା ହିନ୍ଦୁମାନେ ହରିଜନମାନଙ୍କୁ ତାହା କରାଇ ଦେଉ ନ ଥିଲେ । ମୋରାର୍‌ଜୀ ସେଠାକୁ ଭୋଟ ପ୍ରଚାରରେ ଯାଇ ଯେତେବେଳେ ଗାନ୍ଧିଜୀଙ୍କ ଆଦର୍ଶବିରୋଧୀ ସେହି ଘଟଣା ଜାଣିପାଇଲେ, ସେତେବେଳେ ପ୍ରତିବାଦ ସ୍ୱରୂପ ଦିଅଁ ଦର୍ଶନ ଲାଗି ମନ୍ଦିରକୁ ଯାଇ ନ ଥିଲେ । ଭୋଟ ଦେବାଲାଗି ସେ ହିନ୍ଦୁମାନଙ୍କୁ ଖୁସାମତ ନ କରି ବରଂ ସେମାନଙ୍କର ହରିଜନ ବିରୋଧୀ ମନୋଭାବର ଘୋର ନିନ୍ଦା କରିଥିଲେ । ସାମାନ୍ୟ ସ୍ୱାର୍ଥଲାଗି ନିଜ ଆଦର୍ଶକୁ ଜଳାଞ୍ଜଳି ଦେବାକୁ ସେ କିପରି ଚାହୁଁ ନ ଥିଲେ । ଏହା ତାହାର ଏକ ଉଦାହରଣ ।

Image

 

ଆଶ୍ରମ ଅନୁଭୂତି

 

ସେତେବେଳକୁ ଶ୍ରୀ ଅରବିନ୍ଦ ପଣ୍ଡିଚେରୀରେ ଆଶ୍ରମ ପ୍ରତିଷ୍ଠା କରି ସ୍ୱକୀୟ ଆଧ୍ୟାତ୍ମିକ ଚେତନା ଦୃଷ୍ଟିରୁ ଆନ୍ତର୍ଜାତିକ ପ୍ରସିଦ୍ଧି ଲାଭ କରିଥାନ୍ତି । ବହୁ କଂଗ୍ରେସକର୍ମୀ ସେହି ଚେତନାରେ ଉଦ୍‌ବୁଦ୍ଧ ହୋଇ ସେହି ମହାମାନବଙ୍କ ଦର୍ଶନ ଆଶାରେ ନିୟମିତ ଭାବେ ପଣ୍ଡିଚେରୀ ଅଭିମୁଖେ ଯାତ୍ରା କରୁଥାନ୍ତି । ସେହି ପୁଣ୍ୟପୀଠରୁ ପ୍ରେରଣା ପାଇବାଲାଗି ମୋରାର୍‌ଜୀ ଡକ୍ଟର ଚାନ୍ଦୁଲାଲ ଦେଶାଇଙ୍କ ସହିତ ୧୯୩୫ ଅଗଷ୍ଟ ମାସରେ ପଣ୍ଡିଚେରୀ ଯାତ୍ରା କଲେ । ଚାନ୍ଦୁଲାଲଙ୍କ ସହିତ ମୋରାର୍‌ଜୀଙ୍କର ୧୯୨୩-୨୪ ମସିହାରୁ ବନ୍ଧୁତା ଥିଲା । ଉଭୟେ କଂଗ୍ରେସରେ ଯୋଗଦେଲା ପରେ ସେହି ବନ୍ଧୁତା ଦୃଢ଼ତର ହୋଇଥିଲା । ନୀତି ଦୃଷ୍ଟିରୁ ମଧ୍ୟ ଉଭୟେ ଥିଲେ ସମାନ । ବରଂ ମୋରାର୍‌ଜୀଙ୍କଠାରୁ ସେ ଥିଲେ ଅଧିକ ଦୃଢ଼ମନା । ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କର ବହୁଗୁଣ ତାଙ୍କଠାରେ ପ୍ରତିଭାତ ହୋଇଥିବାରୁ ସେ ସମୟରେ ସହକର୍ମୀମାନେ ତାଙ୍କୁ ‘ଛୋଟା ସର୍ଦ୍ଦାର’ ବୋଲି ଡାକୁଥିଲେ । ଅରବିନ୍ଦଙ୍କର ସେତେବେଳର ତିନିଜଣ ପଟ୍ଟଶିଷ୍ୟଙ୍କ ମଧ୍ୟରୁ ଅମ୍ୱାଲାଲ ପୁରାନି ଥିଲେ ଅନ୍ୟତମ । ସେ ଆଗରୁ ଚିଠି ପାଇ ଦୁଇଜଣଙ୍କର ସେଠାରେ ରହିବାର ସୁବନ୍ଦୋବସ୍ତ କରିଥିଲେ । ମୋରାର୍‌ଜୀ ଆଶ୍ରମରେ ପନ୍ଦର ଦିନ ରହି ନିଜର ଅମାୟିକ ସ୍ୱଭାବ ଦୃଷ୍ଟିରୁ ବେଶ୍‌ ପ୍ରଶଂସାଭାଜନ ହୋଇ ପାରିଥିଲେ ।

 

ରହଣି ସମୟ ମଧ୍ୟରେ ଅଗଷ୍ଟ ୧୫ ତାରିଖ ବ୍ୟତୀତ ସେ ଶ୍ରୀ ଅରବିନ୍ଦଙ୍କ ଦର୍ଶନ ପାଇ ନ ଥିଲେ । ସେତେବେଳେ ଶ୍ରୀ ମାଙ୍କ ବ୍ୟତୀତ ଶ୍ରୀ ଅରବିନ୍ଦ କାହାକୁ ସାକ୍ଷାତ କରୁ ନ ଥିଲେ । କେବଳ ବର୍ଷ ମଧ୍ୟରେ ଅଗଷ୍ଟ ପନ୍ଦରକୁ ମିଶାଇ ମାତ୍ର ତିନିଦିନ ସର୍ବସାଧାରଣଙ୍କୁ ସେ ଦର୍ଶନ ଦେଉଥିଲେ । ଧାଡ଼ି ବାନ୍ଧି ହଜାର ହଜାର ଦର୍ଶକ ମାତ୍ର ଦୁଇ ତିନି ମିନିଟ୍‌ ପାଇଁ ତାଙ୍କର ନିକଟସ୍ଥ ହୋଇ ଆଶୀର୍ବାଦ ଭିକ୍ଷା କରୁଥିଲେ । ସେ ସମସ୍ତଙ୍କୁ ଆଶୀର୍ବାଦ କରୁଥିଲେ ମଧ୍ୟ ନିର୍ବାକ୍‌ ରହୁଥିଲେ-। ମୋରାର୍‌ଜୀ ମଧ୍ୟ ସେହି ସୁଯୋଗ ନେଇଥିଲେ । ତାଙ୍କ ଭାଷାରେ କହିବାକୁ ଗଲେ–‘‘ହଜାର ହଜାର ଦର୍ଶାନାଭିଳାଷୀଙ୍କ ମଧ୍ୟରେ ମୁଁ ଥିଲି ଅନ୍ୟତମ । ସେଦିନ ହୋଇଥାଏ ତାଙ୍କ ଜନ୍ମତିଥି । ମୁଣ୍ଡ ନୁଆଇଁ ପ୍ରଣାମ କରିବାରୁ ସେ ମୋତେ ଆଶୀର୍ବାଦ କଲେ । ମୁଁ ସେହି ମହାମାନବଙ୍କର ତେଜୋଦୀପ୍ତ ଶରୀର ଓ ମୁଖମଣ୍ଡଳକୁ ବିସ୍ମୟବିଷ୍ଫାରିତ ନେତ୍ରରେ ବାରମ୍ୱାର ଚାହିଁଛି ଆଉ ଦେଖିଛି ସତେ ଯେପରି ସ୍ୱର୍ଗୀୟ ବିଭାରେ ତାଙ୍କର ମୁଖମଣ୍ଡଳ ଝଲସି ଉଠୁଥିଲା । ବୋଧହୁଏ ବିଶ୍ୱାସ ଅଭାବରୁ ସେତେବେଳେ ସେହି ପରମ ଯୋଗୀଙ୍କର ଅଚିନ୍ତନୀୟ ପରାକାଷ୍ଠା ମୋର ହୃଦବୋଧ ହୋଇ ପାରି ନ ଥିଲା ।’’

 

ସେତେବେଳେ ଶ୍ରୀ ଅରବିନ୍ଦ ଯେଉଁ କୋଠରୀରେ ରହୁଥିଲେ, ତାହାର ତଳ ମହଲାରେ ପ୍ରତ୍ୟହ ଦିନ ୯ଟାରେ ମିଳିତ ପ୍ରାର୍ଥନା ହେଉଥିଲା । ପନ୍ଦର ମିନିଟ ଲାଗି ଶ୍ରୀମା ସେଥିରେ ଯୋଗ ଦେଇ ଭକ୍ତମାନଙ୍କୁ ଆଶୀର୍ବାଦ କରୁଥିଲେ । ମୋରାର୍‌ଜୀ ଅନ୍ୟ ଭକ୍ତଙ୍କ ପରି ଶ୍ରୀମାଙ୍କୁ ଦର୍ଶନ କରି ତାଙ୍କଠାରୁ କଲ୍ୟାଣକୁସୁମ ଗ୍ରହଣ କରିଥିଲେ ।

 

ଆଉ ଦିନେ ସେ ଶ୍ରୀମାଙ୍କ ସହିତ ଧର୍ମ ଓ ଭଗବତ୍‌ପ୍ରାପ୍ତି ସମ୍ପର୍କରେ ପନ୍ଦର ମିନିଟ ଆଲୋଚନା କରିବାର ସୁଯୋଗ ପାଇଥିଲେ । ଶ୍ରୀ ଅରବିନ୍ଦଙ୍କୁ ସାକ୍ଷାତ କରି ଭଗବତ୍‌ ପ୍ରାପ୍ତିର ପନ୍ଥା ବିଷୟରେ ତାଙ୍କଠାରୁ ଉପଦେଶ ଗ୍ରହଣ କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ଥିଲା; କାରଣ ବର୍ଷ ମଧ୍ୟରେ ମାତ୍ର ତିନିଦିନ ସେ ସର୍ବସାଧାରଣଙ୍କୁ ଦର୍ଶନ ଦେଉଥିଲେ । ପରେ ମୋରାର୍‌ଜୀ ଜାଣିଲେ ଯେ ତାଙ୍କ ନିକଟକୁ ପତ୍ର ଲେଖିଲେ ସେ ତା’ର ଉତ୍ତର ଦେଇଥାନ୍ତି । ତେଣୁ ସେ କାଳବିଳମ୍ୱ ନ କରି ନିମ୍ନମତେ ତାଙ୍କର ସନ୍ଦେହ ମୋଚନ ଲାଗି ପତ୍ରାଳାପ କରିଥିଲେ ।

 

‘‘ମୁଁ ଗୀତାଧର୍ମ ଅନୁଯାୟୀ ନିବୃତ୍ତିର ମାର୍ଗ ଅନୁସରଣ କରୁଛି । କିପରି ନିରାସକ୍ତ ରହିବି, ସେଥିଲାଗି ଅବିଶ୍ରାନ୍ତ ଉଦ୍ୟମ କଲେ ମଧ୍ୟ ସେ ଦିଗରେ ମୁଁ ବିଫଳ ହେଉଛି । ବହୁ କଷ୍ଟରେ ଗୋଟିଏ ବାସନାରୁ ମୁକ୍ତି ଲଭିବା ସଙ୍ଗେ ସଙ୍ଗେ ମୋ ମନକୁ ଆଉ ଗୋଟିଏ ବାସନା କବଳିତ କରୁଛି । ମୁଁ କେଉଁ ମାର୍ଗ ଅନୁସରଣ କଲେ ଏ ଦିଗରେ ସଫଳ ହେବି ସେ ବିଷୟରେ ମୋତେ ଦିଗ୍‌ଦର୍ଶନ ଦେବାକୁ ଅନୁରୋଧ ।’’

 

ଠିକ୍‍ ତହିଁଆରଦିନ ତାଙ୍କୁ ଉତ୍ତର ମିଳିଲା । ସେଥିରେ ଲେଖାଥିଲା—

 

ଶ୍ରୀ ମୋରାର୍‌ଜୀ ଦେଶାଇ !

 

ଆପଣଙ୍କ ଅନୁସୃତ ପନ୍ଥା ବିଷୟରେ କୌଣସି ନିର୍ଦ୍ଦେଶ ଦେବା ମୋ ପକ୍ଷରେ ସମ୍ଭବ କି ନୁହେଁ, ମୁଁ ଜାଣେନା । ପତ୍ରରେ ଲିଖିତ ଅନୁସନ୍ଧିତ୍ସା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦେବା ମୋ ପକ୍ଷରେ ବୋଧହୁଏ ଏକ କଠିନ ବ୍ୟାପାର ।

 

ଆପଣଙ୍କ ପକ୍ଷରେ ଜୀବନର ମାର୍ଗ ପରିବର୍ତ୍ତନ ନିଷ୍ପ୍ରୟୋଜନ । ଯେଉଁ କାର୍ଯ୍ୟ ଓ ପନ୍ଥା ଅନୁସରଣ କରୁଅଛନ୍ତି, ଯଦି ତାହା ଅନ୍ତରାତ୍ମାର ଆହ୍ୱାନକ୍ରମେ କରୁଥା’ନ୍ତି, ତାହା ନିଶ୍ଚିତ ଭାବେ ଆପଣଙ୍କର ଧର୍ମାନୁମୋଦିତ । ଗୀତାବର୍ଣ୍ଣିତ ଯୋଗାନୁଯାୟୀ ଆମକୁ ତିନୋଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ତାହା ଛଡ଼ା ଜୀବନରେ ଆଉ କୌଣସି ନିର୍ଦ୍ଦିଷ୍ଟ ଆଚରଣ ବିଧି ଅଛି ବୋଲି ମୁଁ ଭାବୁ ନାହିଁ । କାର୍ଯ୍ୟସାଧନ ଲାଗି ଚେତନା ହିଁ ପ୍ରଧାନ ନିୟାମକ । ଆଧ୍ୟାତ୍ମିକ ଶକ୍ତିରେ ବିଶ୍ୱାସ ଆସିଲେ ତାହାରି ନିର୍ଦ୍ଦେଶନାରେ ମଣିଷ କ’ଣ କରିବ ଓ ନ କରିବ ତାହା ସ୍ଥିର କରିଥାଏ ।

 

ବାସନାରୁ ମୁକ୍ତି ପାଇବା ସହଜ ନୁହେଁ । କେବଳ ନିରବଚ୍ଛିନ୍ନ ସାଧନା ଫଳରେ ତାହା ସମ୍ଭବପର ହୋଇଥାଏ । ଏହି ସାଧନା ଲାଗି ଗୀତାଧର୍ମ ଅନୁଯାୟୀ ଅନ୍ତରରେ ଆଧ୍ୟାତ୍ମିକ ଅନୁଭୂତିକୁ ପ୍ରସାରିତ କରିବାକୁ ପଡ଼ିବ । ସେହି ଚିନ୍ମୟ ସତ୍ତାକୁ ଉପଲବ୍‌ଧି କରି, ତାଙ୍କ ନିକଟରେ ସ୍ୱତଃ ଆତ୍ମସମର୍ପଣ କଲାପରେ ମନ ହେବ ନିରାସକ୍ତ । ବାସନା ପ୍ରଶମିତ ହେବା ସଙ୍ଗେ ସଙ୍ଗେ ମନରେ ଜାଗରୁକ ହେବ ସମଦୃଷ୍ଟି । ତାଙ୍କରି ପାଦତଳେ ସବୁକିଛି ଉତ୍ସର୍ଗ କରିଦେବାକୁ ପଡ଼ିବ । ତାହାହେଲେ ଯାଇ ମନ ବାସନା କବଳରୁ ମୁକ୍ତ ହେବ । ଏହା ହେଉଛି ଗୀତାର ଯୋଗ ମାର୍ଗ ।’’

 

ସ୍ୱା. ଶ୍ରୀ ଅରବିନ୍ଦ

 

ସେତେବେଳେ ବହୁ ଭକ୍ତ ପଣ୍ଡିଚେରୀ ଆଶ୍ରମକୁ ଯାଉଥିଲେ । ଶ୍ରୀ ଅରବିନ୍ଦ ପ୍ରଥମେ କିଛିଦିନ ପାଇଁ ବରୋଦାରେ ଅଧ୍ୟାପକ ଥିଲେ । ସେଥିଯୋଗୁଁ ସେତେବେଳେ ବୋଧହୁଏ ଗୁଜୁରାଟର ବହୁ ବୁଦ୍ଧିଜୀବୀ ତାଙ୍କର ମହନୀୟ ଆଦର୍ଶ ପ୍ରତି ହୋଇଥିଲେ ଆକୃଷ୍ଟ । ତାହାଛଡ଼ା ଗୁଜୁରାଟବାସୀଙ୍କର ଭକ୍ତିପୂତ ଆବେଗ ଅନ୍ୟ ରାଜ୍ୟବାସୀଙ୍କଠାରୁ ସାଧାରଣତଃ ଟିକିଏ ଅଧିକ । ଆଶ୍ରମର ଶାନ୍ତ ବାତାବରଣ, ଅନ୍ତେବାସୀଙ୍କର ଗଭୀର କର୍ମନିଷ୍ଠା, ନିସ୍ତବ୍‌ଧ ବେଳାଭୂମି ମୋରାର୍‌ଜୀଙ୍କର ମନରେ ଗଭୀର ରେଖାପାତ କରିଥିଲା । ଶ୍ରୀ ଅରବିନ୍ଦଙ୍କ ଦର୍ଶନ ପ୍ରତି ବିଶ୍ୱାସ ଥିବା ବହୁ ବିଦେଶୀ ଭକ୍ତ ମଧ୍ୟ ଆଶ୍ରମରେ ଅବସ୍ଥାନ କରୁଥିଲେ । ଆଶ୍ରମର ପ୍ରଭାବ ମୋରାର୍‌ଜୀଙ୍କ ପରେ କିପରି ପଡ଼ିଥିଲା, ତାହା ନିଜେ ବର୍ଣ୍ଣନା କରି ସେ କହନ୍ତି, ‘ଶ୍ରୀ ଅରବିନ୍ଦଙ୍କ ପତ୍ର ପାଇଲା ପରେ ଧର୍ମ ପ୍ରତି ମୋର ବିଶ୍ୱାସ ଦୃଢ଼ ହୋଇଥିଲା । ଅନୁସୃତ ମାର୍ଗ ପ୍ରତି ମୁଁ ଅଧିକ ସଚେତନ ହୋଇଥିଲି । ଆଶ୍ରମର ସୁପରିଚାଳନାରେ ମୁଁ ମୁଗ୍‌ଧ ହୋଇଥିଲି । ମାତ୍ର ପନ୍ଦର ଦିନ ସେଠି ଅବସ୍ଥାନ କରିବାର ସୁଯୋଗ ପାଇଥିଲେ ମଧ୍ୟ, ସେହି ପବିତ୍ର ଅନୁଭୂତି ଏବେ ବି ମୋ ସ୍ମୃତିପଟରେ ରହିଛି ଅମ୍ଳାନ ।’’

 

ପଣ୍ଡିଚେରୀରୁ ବିଦାୟ ନେଇ ଚାନ୍ଦୁଭାଇଙ୍କ ସହିତ ତିରୁଭନ ମଲାଇସ୍ଥ ରମଣ ମହର୍ଷିଙ୍କ ଆଶ୍ରମକୁ ସେ ଯାତ୍ରା କରିଥିଲେ । ମହର୍ଷିଙ୍କ ଆଶ୍ରମ କ୍ଷୁଦ୍ର ହେଲେ ମଧ୍ୟ ତାହାର ପବିତ୍ର ପରିବେଶ ତାଙ୍କୁ ମୁଗ୍‌ଧ କରିଥିଲା ଯୋଗୀଙ୍କର ଜ୍ୟୋତିର୍ମୟ ରୂପ ଦେଖି ସେ ବିସ୍ମିତ ହୋଇଯାଇଥିଲେ । ଯୋଗବଳରେ ଭଗବତ୍‌ସତ୍ତା ଉପଲବ୍‌ଧି କଲେ ମଣିଷ କେଉଁ ସ୍ତରରେ ପହଞ୍ଚିପାରେ, ତାହାହିଁ ସେ ଦେଖିବାକୁ ପାଇଥିଲେ ରମଣ ମହର୍ଷିଙ୍କଠାରେ । ଶେଷ ଜୀବନରେ ମହର୍ଷି କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । ସେ କିପରି ଶରୀରକୁ ନିଶ୍ଚେତନ ନ କରାଇ ନିଜ ଦେହରେ ଅସ୍ତ୍ରୋପଚାର କରାଇଥିଲେ, ତାହା ସଂପୃକ୍ତ ଚିକିତ୍ସକଙ୍କଠାରୁ ଶୁଣି ମୋରାର୍‌ଜୀଙ୍କର ଦୃଢ଼ ବିଶ୍ୱାସ ହୋଇଥିଲା ଯେ ମଣିଷ ଆତ୍ମାକୁ ଉପଲବ୍‌ଧି କରିପାରିଲେ ଯନ୍ତ୍ରଣାରୁ ମଧ୍ୟ ଅଚିରେ ମୁକ୍ତି ପାଇଥାଏ । ମାତ୍ର ଗୋଟିଏ ଦିନ ସେଠାରେ ଅବସ୍ଥାନ କରି ସେ ଯାତ୍ରା କରିଥିଲେ ଓ୍ୱାର୍ଦ୍ଧାସ୍ଥିତି ବାପୁଜୀଙ୍କ ଆଶ୍ରମକୁ ।

 

ବାପୁଜୀଙ୍କ ଆଶ୍ରମରେ ରହଣି ସମୟରେ ସେ ମୁଖ୍ୟତଃ ବାପୁଙ୍କ ସହିତ ଦୁଇଟି ବିଷୟରେ ଆଲୋଚନା କରିଥିଲେ । ଗାନ୍ଧିଜୀ ସାଧାରଣତଃ ଦୁଇ ଜଣ ମହିଳାଙ୍କ କାନ୍ଧରେ ଭରା ଦେଇ ପଦଯାତ୍ରା କରୁଥିଲେ । ପ୍ରାର୍ଥନାସଭାକୁ ଗଲେ ମଧ୍ୟ ଠିକ୍‌ ସେହିପରି କରୁଥିଲେ । ମୋରାର୍‌ଜୀଙ୍କର ହୃଦବୋଧ ହୋଇଥିଲା ଯେ ଗାନ୍ଧିଜୀ ଥିଲେ ଅଲୌକିକ ସଂଯମର ଅଧିକାରୀ । ସ୍ୱକୀୟ ଇନ୍ଦ୍ରିୟମାନଙ୍କୁ ସଂଯମ କରିଥିବାରୁ ମହିଳାମାନଙ୍କ କାନ୍ଧରେ ହାତ ରଖି ଯିବାଆସିବା କଲେ ମଧ୍ୟ ତାଙ୍କ ମନରେ କୌଣସି ବିକାର ଆସୁ ନ ଥିଲା; କିନ୍ତୁ ସର୍ବସାଧାରଣ ଦୃଷ୍ଟିରୁ ତାହା ପୂର୍ଣ୍ଣମାତ୍ରାରେ ସନ୍ଦେହମୁକ୍ତ ନ ଥିଲା । ଯେଉଁମାନେ ଇନ୍ଦ୍ରିୟ ସଂଯମର ପର ଅବସ୍ଥା ଅନୁଭୂତିରେ ଆଣିନାହାନ୍ତି, ସେମାନେ ବୋଧହୁଏ ଗାନ୍ଧିଜୀଙ୍କୁ ସନ୍ଦେହଚକ୍ଷୁରେ ଦେଖୁଥିଲେ । ମୋରାର୍‌ଜୀ ସେହି ବିଷୟ ଜଣାଇଥିଲେ ବାପୁଙ୍କୁ । ବାପୁଜୀ କହିଥିଲେ ଯେ ଏହିପରି ସେ ଚାଳିଶ ବର୍ଷ ହେଲା ଯାତାୟାତ କରୁଅଛନ୍ତି । ବରଂ ତଦ୍ଦ୍ୱାରା ତାଙ୍କର ଆତ୍ମସଂଯମ ଅଧିକ ଦୃଢ଼ ହୋଇପାରିଅଛି । ମହିଳାମାନେ ମଧ୍ୟ ତାଙ୍କ ପ୍ରତି କେବେ ସନ୍ଦେହ ପ୍ରକାଶ କରିନାହାନ୍ତି ।

 

ବାପୁଜୀଙ୍କୁ ଦୋଷଦୁଷ୍ଟ କରିବା ମୋରାର୍‌ଜୀଙ୍କ ଲକ୍ଷ୍ୟ ନ ଥିଲା । ଯୁକ୍ତିଛଳରେ ତାଙ୍କର ଜୀବନଦର୍ଶନ ଜାଣିବା ଥିଲା ତାଙ୍କର ଏକାନ୍ତ ଅଭିପ୍ରାୟ । ତେଣୁ ସେ ଯୁକ୍ତି ବାଢ଼ି ବାପୁଜୀଙ୍କୁ କହିଥିଲେ ଯେ ଯଦି ଖଳବୁଦ୍ଧିର ଲୋକେ କୌଣସି ମହିଳାଙ୍କ କାନ୍ଧରେ ହାତ ପକାଇ ଏହିପରି ପଦଯାତ୍ରା କରି ଆପଣଙ୍କ ଉଦାହରଣ ଦେଇ ଦୋଷମୁକ୍ତ ହେବାକୁ ଉଦ୍ୟମ କରନ୍ତି, ତାହା ହେଲେ ସମାଜର ନୈତିକ ମୂଲ୍ୟବୋଧରେ ତାହା ଆଞ୍ଚ ଆଣିବ ନାହିଁ କି ? ଗାନ୍ଧିଜୀ ସେହି ଯୁକ୍ତିକୁ ସମର୍ଥନ କରି ନ ଥିଲେ । ତେଣୁ ମୋରାର୍‌ଜୀ ତାଙ୍କୁ ସେହି ବିଷୟରେ ଭବିଷ୍ୟତରେ ଚିନ୍ତା କରିବାକୁ କହିଥିଲେ ।

 

କିଛିଦିନ ପରେ ଗାନ୍ଧିଜୀ ସେହି ଆଲୋଚନା ବିଷୟ ‘ହରିଜନ’ ପତ୍ରିକାରେ ଉଲ୍ଲେଖ କରିଥିଲେ । ଅବଶ୍ୟ ସେଥିରେ ମୋରାର୍‌ଜୀଙ୍କ ନାମ ଉଲ୍ଲେଖ କରା ଯାଇ ନ ଥିଲା । ସେଥିରେ ସେ ଦେଶାଇଙ୍କ ଯୁକ୍ତିର ବାସ୍ତବତା ସ୍ୱୀକାର କରିଥିଲେ । ଜଣେ ସାଧାରଣ ଲୋକ ପକ୍ଷରେ ନିଜର ଭୁଲ ସ୍ୱୀକାର କରିବା ସହଜ ନୁହେଁ; କିନ୍ତୁ ଯେହେତୁ ବାପୁଜୀ ଭଗବତ୍‌ସତ୍ତାର ଉପଲବ୍ଧି ଲାଗି ଥିଲେ ସତତ ବ୍ରତୀ, ତେଣୁ ସେ ନିଜର ଦୋଷ ସ୍ୱୀକାର କରିଥିଲେ ।

 

ଦ୍ୱିତୀୟ ଆଲୋଚ୍ୟ ବିଷୟ ଥିଲା, ଯେଉଁମାନେ ଗାନ୍ଧିଜୀଙ୍କ ନେତୃତ୍ୱ ପ୍ରତି ଆସ୍ଥା ସ୍ଥାପନ କରିଛନ୍ତି, ସେମାନଙ୍କ ସହିତ ଆଲୋଚନା ଲାଗି ସେ ଅଧିକ ସମୟ ନ ଦେଇ, ଯେଉଁମାନେ ତାଙ୍କୁ ବିରୋଧ କରୁଛନ୍ତି, ତାଙ୍କୁ ବେଶୀ ସମୟ ଦେଉଛନ୍ତି କାହିଁକି ? ତାହାଦ୍ୱାରା ତାଙ୍କର ଅନୁଗତମାନେ ଅବଶ୍ୟ ତାଙ୍କ ପ୍ରତି ବିଶ୍ୱାସ ହରାଉ ନାହାନ୍ତି ସତ, ହେଲେ ବେଳେ ବେଳେ ନିରୁତ୍ସାହିତ ହେଉଅଛନ୍ତି-। ଏପରି କରିବା ପଛରେ କି ନୀତି ରହିଛି ମୋରାର୍‌ଜୀ ତାଙ୍କୁ ବାରମ୍ୱାର ପଚାରିଥିଲେ-। ଗାନ୍ଧିଜୀ କହିଥିଲେ, ‘‘ମୁଁ ଯେ ସେପରି କରୁଛି, ତାହାର ଉଦାହରଣ ଦିଅ ।’’ ମୋରାର୍‌ଜୀ ତାଙ୍କ ଉପସ୍ଥିତିରେ ଘଟିଥିବା ଗୋଟିଏ ଦୁଇଟି ଉଦାହରଣ ଦେବାରୁ ସେଠାରେ ଉପସ୍ଥିତ ଥିବା ମହାଦେବ ଭାଇଙ୍କୁ ଗାନ୍ଧିଜୀ ତାହାର ସତ୍ୟତା ବିଷୟରେ ପଚାରିଥିଲେ । ମହାଦେବ ଭାଇ କହିଲେ, ‘‘ମୋରାର୍‌ଜୀ ଯାହା କହୁଛନ୍ତି, ତାହା ସତ । ମୋତେ ଆପଣ ଆଲୋଚନା ପାଇଁ ଅଧିକ ସମୟ ନ ଦେଇ ସାମୟିକ ଆପଣଙ୍କ ନୀତିର ବିରୋଧ କରୁଥିବା ରାଜାଜୀଙ୍କ ସହିତ ଆପଣ ଅଧିକ ସମୟ ଆଲୋଚନା କରୁଅଛନ୍ତି ।’’ ତାହା ଶୁଣି ଗାନ୍ଧିଜୀ ଟିକିଏ ବିରକ୍ତ ହୋଇ କହିଥିଲେ, ‘‘ଆପଣ ତ ମୋତେ ଏଠୁ ଛାଡ଼ି ଚାଲିଯାଉନାହାନ୍ତି ।’’ ସଙ୍ଗେ ସଙ୍ଗେ ହସିଉଠି ମହାଦେବ ଦେଶାଇ କହିଥିଲେ, ‘‘ଜଣେ ହିନ୍ଦୁ ସ୍ତ୍ରୀ ପୁରୁଷଙ୍କ ସମ୍ପର୍କ ପରି ଆମ ଦୁଇ ଜଣଙ୍କ ସମ୍ପର୍କ ନିରବଚ୍ଛିନ୍ନ । ଯାହା ଘଟୁନା କାହିଁକି ଜଣେ ହିନ୍ଦୁ ରମଣୀ ତା’ ସ୍ୱାମୀକୁ ଛାଡ଼ି ଯିବ କେଉଁଆଡ଼େ ?’’ ଗାନ୍ଧିଜୀ ସଙ୍ଗେ ସଙ୍ଗେ ହସିଉଠି କହିଥିଲେ, ‘‘ଯେଉଁମାନେ ମୋର ବିରୋଧ କରନ୍ତି, ମୁଁ ତାଙ୍କର ହୃଦୟ ପରିବର୍ତ୍ତନ କରିବା ଲାଗି ଚେଷ୍ଟା କରିଥାଏ । ହୃଦୟ ପରିବର୍ତ୍ତନ ସାଧାରଣତଃ ବହୁ ଆଲୋଚନା ଓ ସମୟସାପେକ୍ଷ; କିନ୍ତୁ ମୋ ଆଦର୍ଶରେ ଅନୁପ୍ରାଣିତ କର୍ମୀମାନଙ୍କର କ’ଣ ହୃଦୟ ପରିବର୍ତ୍ତନ ଦରକାର ?’’

 

ଏହିପରି ମୋରାର୍‌ଜୀ ଆଶ୍ରମରେ ଗାନ୍ଧିଜୀ ସହିତ ଆଲୋଚନା କରି ତାଙ୍କର ବହୁ ସନ୍ଦେହ ଦୂର କରିବାକୁ ଚାହିଁଥିଲେ । ଦିନବେଳେ ବାପୁଜୀ କାର୍ଯ୍ୟବ୍ୟସ୍ତ ରହୁଥିଲେ । ତେଣୁ ତାଙ୍କୁ ରାତି ୨ଟା ୪୫ ମିନିଟରେ ଆଲୋଚନା ପାଇଁ ଆସିବାକୁ କହୁଥିଲେ । କାରଣ ସେତେବେଳେ ଗାନ୍ଧିଜୀ ସାଧାରଣତଃ ସନ୍ଧ୍ୟା ପରେ ନିଦ୍ରା ଯାଉଥିଲେ ଓ ରାତି ଦୁଇଟାରୁ ଅଢ଼େଇଟା ମଧ୍ୟରେ ଶଯ୍ୟାତ୍ୟାଗ କରୁଥିଲେ । ତଦନୁଯାୟୀ ମୋରାର୍‌ଜୀ ଠିକ୍‌ ରାତି ୨ଟା ୪୫ ମିନିଟରେ ସାକ୍ଷାତ କରୁଥିଲେ ବାପୁଜୀଙ୍କୁ । ତାଙ୍କ ସହିତ ବହୁ ନୀତିଗତ ବିଷୟ ଆଲୋଚନା ଫଳରେ ଗାନ୍ଧିଦର୍ଶନ ପ୍ରତି ମୋରାର୍‌ଜୀଙ୍କ ବିଶ୍ୱାସ କ୍ରମେ ଦୃଢ଼ ହୋଇଥିଲା । ଏବେ ବି ତାହା ଅତୁଟ ରହିଛି ।

 

ଏହି ତିନି ଆଶ୍ରମର ଅନୁଭୂତି ମୋରାର୍‌ଜୀଙ୍କ ଭବିଷ୍ୟତ କର୍ମ ପନ୍ଥା ନିର୍ଦ୍ଧାରଣ ଦିଗରେ ଯେ ପ୍ରଭୂତ ସାହାଯ୍ୟ କରିଥିଲା, ତାହା ସେ ଏବେ ବି ସ୍ୱୀକାର କରୁଅଛନ୍ତି ।

Image

 

ଦକ୍ଷ ପ୍ରଶାସକ

 

୧୯୩୬ ମସିହାରେ ଜବାହରଲାଲ ଦ୍ୱିତୀୟଥର ପାଇଁ କଂଗ୍ରେସର ସଭାପତି ହେଲେ-। ସେତେବେଳକୁ ଦେଶର ରାଜନୀତି କ୍ଷେତ୍ରରେ ସେ ଯଥେଷ୍ଟ ପ୍ରତିଷ୍ଠା ଲାଭ କରିସାରିଥାନ୍ତି । ସେହିବର୍ଷ ବମ୍ୱେଠାରେ ନିଖିଳଭାରତ କଂଗ୍ରେସ କମିଟିର ଏକ ସାଧାରଣ ଅଧିବେଶନ ବସିଲା । ମୋରାର୍‌ଜୀ ପ୍ରଥମଥର ପାଇଁ ସେହିଠାରେ ନେହେରୁଙ୍କ ବ୍ୟକ୍ତିଗତ ସମ୍ପର୍କରେ ଆସିଲେ । କମିଟିର ସମସ୍ତ ଆଲୋଚନା ହିନ୍ଦୀରେ ଲିପିବଦ୍ଧ କରିବାଲାଗି ସେ ଏକ ପ୍ରସ୍ତାବ ବାଢ଼ିଲେ ଓ ସେହି ପ୍ରସ୍ତାବଟି ଲେଖି ସେ ନେହେରୁଙ୍କୁ ଦେଖାଇଲେ । ତାହା ପଢ଼ି ନେହେରୁ କହିଲେ ଯେ ପ୍ରସ୍ତାବଟି ଠିକ୍‌ ଭାଷାରେ ଲେଖା ଯାଇନାହିଁ; କିନ୍ତୁ ମୌଲାନା ଆଜାଦ୍‌ ପ୍ରସ୍ତାବଟି ଠିକ୍‌ ଭାଷାରେ ଲେଖାଯାଇଛି ବୋଲି ଯୁକ୍ତି ବାଢ଼ିଥିଲେ । କିଛି ସମୟ ଯୁକ୍ତିତର୍କ ଲାଗିଲା ପରେ ମୋରାର୍‌ଜୀ ସେହି ପ୍ରସ୍ତାବଟି ଅଧିବେଶନରେ ଉପସ୍ଥାପନ କରିଥିଲେ ଓ ତାହା ଗୃହୀତ ହୋଇଯାଇଥିଲା ।

 

ଜବାହରଲାଲ ଥିଲେ କ୍ଷଣକୋପୀ । ଯେତେବେଳେ ଗୁଜୁରାଟର ସଦସ୍ୟ ଶ୍ରୀ ଅମୃତଲାଲ ସେଠ୍‌ ସେହି ପ୍ରସ୍ତାବକୁ ସମାଲୋଚନା କଲେ ନେହେରୁ ରାଗିଯାଇ ଅପମାନସୂଚକ ଭାଷା ବ୍ୟବହାର କରି ତାଙ୍କୁ ଆଉ କହିବାକୁ ଅନୁମତି ଦେଇ ନ ଥିଲେ । ସଭାପତିଙ୍କର ଏପରି ବ୍ୟବହାର ଆପତ୍ତିଜନକ ବୋଲି ମାନ୍ଦ୍ରାଜର ସଭ୍ୟ ପ୍ରତିବାଦ କରିବାରୁ ଜବାହରଲାଲ ନିଜର ଭୁଲ ଯୋଗୁ କ୍ଷମା ମାଗିଥିଲେ । ତାହ ସତ୍ତ୍ୱେ ଜବାହରଲାଲ ଥିଲେ ବହୁ ବିଶିଷ୍ଟ ଗୁଣର ଅଧିକାରୀ । ସେଥି ଯୋଗୁଁ ମୋରାର୍‌ଜୀ ତାଙ୍କୁ ସ୍ନେହ ଓ ଭକ୍ତି କରୁଥିଲେ ।

 

କିଛିଦିନ ପରେ ସୋସିଆଲିଷ୍ଟ କର୍ମୀମାନଙ୍କ ପ୍ରେରଣାରେ ବ୍ରୋଚ୍‌ ମୁନିସିପାଲିଟିର ମେହେନ୍ତରମାନେ ଧର୍ମଘଟ କଲେ; କିନ୍ତୁ ସ୍ଥାନୀୟ ନେତା ଓ ମ୍ୟୁନିସିପାଲିଟିର ସଭାପତି ଦିନାକର ରାଓ ଦେଶାଇ, ଡକ୍ଟର ଚାନ୍ଦୁଲାଲ ଇତ୍ୟାଦି ପ୍ରତିରୋଧ କରିବାରୁ ତାହା ବନ୍ଦ କରିଦିଆଯାଇଥିଲା । ସୋସିଆଲିଷ୍ଟମାନେ ଅପମାନିତ ହୋଇ ନେହେରୁଙ୍କ ନିକଟରେ ସେହି ସମସ୍ୟା ଉପସ୍ଥାପନ କରିଥିଲେ । ସେଥିଯୋଗୁଁ ନେହେରୁ ପୁଣି ଥରେ ବମ୍ୱେ ଆସି ମୋରାର୍‌ଜୀଙ୍କଠାରୁ ସବୁ ବିଷୟ ବୁଝି ନିଜେ ବ୍ରୋଚ ଯାଇଥିଲେ । ଫେରିଆସି ମୋରାର୍‌ଜୀଙ୍କ ସହିତ ଏକମତ ହୋଇ ଧର୍ମଘଟକୁ ଅଯୌକ୍ତିକ ବୋଲି କହିଥିଲେ ।

୧୯୩୬ ମସିହା ଶେଷ ଆଡ଼କୁ ଅହମଦାବାଦ ମ୍ୟୁନିସିପାଲିଟିର ନିର୍ବାଚନ ହେଲା । କଂଗ୍ରେସଦଳର ପ୍ରାର୍ଥୀ ହେଲେ ଜି.ଭି. ମାଭଲେଙ୍କର । ସେ ଥିଲେ ଅହମଦାବାଦର ଜଣେ ବଡ଼ ଓକିଲ ଓ ଶିଳ୍ପପତିମାନଙ୍କର ଆଇନ ପରାମର୍ଶଦାତା । ବାପୁଜୀଙ୍କ ଆହ୍ୱାନକ୍ରମେ ସେ ଓକିଲାତି ଛାଡ଼ି ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଅହମଦାବାଦ ମ୍ୟୁନିସିପାଲିଟିର ପରମ୍ପରା ଦୃଷ୍ଟିରୁ ତାଙ୍କ ପରି ଜଣେ ତ୍ୟାଗୀ ଓ ନିଷ୍ଠାବାନ୍‌ ଲୋକ ନିର୍ବାଚିତ ହୁଅନ୍ତୁ, ଏହା ହିଁ ଥିଲା ମୋରାର୍‌ଜୀଙ୍କର ଏକାନ୍ତ ଇଚ୍ଛା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସେହି ମ୍ୟୁନିସିପାଲିଟିର ୧୯୨୮ ପର୍ଯ୍ୟନ୍ତ ବାର ବର୍ଷ ଧରି ଚେୟାରମ୍ୟାନ୍‌ ଥିଲେ ଓ ହିନ୍ଦୁ-ମୁସଲମାନ୍‌ ଅଧ୍ୟୁଷିତ ଅହମଦାବାଦରେ ବହୁ ଜନହିତକର କାର୍ଯ୍ୟ ତାଙ୍କରି ଅମଳରେ ସମ୍ଭବପର ହୋଇପାରିଥିଲା । ତେଣୁ ପରମ୍ପରା ଦୃଷ୍ଟିରୁ ଜଣେ ଉପଯୁକ୍ତ ଲୋକ ନିର୍ବାଚିତ ହୁଅନ୍ତୁ, ଏହାହିଁ ଥିଲା ମୋରାର୍‌ଜୀଙ୍କର ଲକ୍ଷ୍ୟ । ସେଥିଲାଗି ସେ କଂଗ୍ରେସପାର୍ଥୀ ମାଭଲେଙ୍କରଙ୍କୁ ନିର୍ବାଚନରେ ଜୟଯୁକ୍ତ କରାଇବା ପାଇଁ ପ୍ରତ୍ୟେକ ବସ୍ତିରେ ବୁଲି ସେମାନଙ୍କ ମନରେ ବିରୋଧିଦଳ ଦେଇଥିବା ଭୁଲ ଧାରଣା ଦୂର କରିଥିଲେ । ଫଳରେ କଂଗ୍ରେସ ପ୍ରାର୍ଥୀ ଜୟଯୁକ୍ତ ହୋଇଥିଲେ ।

ତା ପରେ ବମ୍ୱେ ବିଧାନ ସଭା ଲାଗି ନିର୍ବାଚନ ହେଲା । ମୋରାର୍‌ଜୀ ସୁରତ ଜିଲ୍ଲା ନିର୍ବାଚନମଣ୍ଡଳୀରୁ ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦିତା କଲେ । ତାଙ୍କର ପ୍ରତିଦ୍ୱନ୍ଦୀ ଥିଲେ ସ୍ୱାଧୀନ ସଭ୍ୟ ରାୟବାହାଦୂର ଭୀମ ଭାଇ ନାୟକ । ସୁରତରେ ପୂର୍ବରୁ କେବେ କଂଗ୍ରେସ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନ ଥିଲା । ପୂର୍ବରୁ ଭୀମ ଭାଇ କଂଗ୍ରେସ ସମର୍ଥନରେ ଜିଲ୍ଲା ଓ ଲୋକାଲବୋର୍ଡ଼ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ତେଣୁ ଲୋକଙ୍କର ତାଙ୍କ ଉପରେ ଆସ୍ଥା ଥିଲା ଅଧିକ । ତେବେ ମୋରାର୍‌ଜୀ ଦୀର୍ଘ ଚାରିମାସକାଳ ଗାଁ ଗଣ୍ଡାରେ ବୁଲି ବ୍ୟକ୍ତିଗତ ଭାବେ ଲୋକଙ୍କୁ ସାକ୍ଷାତ୍‌ କରି କଂଗ୍ରେସକୁ ଭୋଟ ଦେବା ଲାଗି ପ୍ରଚାର କରିଥିଲେ । ଶେଷରେ ନିର୍ବାଚନରେ ସେ ହୋଇଥିଲେ ଜୟଯୁକ୍ତ । ସେହି ନିର୍ବାଚନରେ ବିଧାନସଭାର ୧୭୫ ସ୍ଥାନ ମଧ୍ୟରୁ କଂଗ୍ରେସ ପାଇଥିଲା ୮୭ଟି ଆସନ, ଅର୍ଥାତ୍‌ ସଂଖ୍ୟାଗରିଷ୍ଠ ହେବା ଲାଗି ଗୋଟିଆ ଆସନ କମ୍‌ । ଏହାଦ୍ୱାରା ରାଜ୍ୟରେ କଂଗ୍ରେସ ଦଳ ମନ୍ତ୍ରୀମଣ୍ଡଳ ଗଢ଼ିବାର ଆଶା ଉଜ୍ଜ୍ୱଳ ହୋଇପଡ଼ିଲା । ସଂରକ୍ଷିତ ଆସନମାନଙ୍କରେ କଂଗ୍ରେସ ଆଶାଜନକ ସଫଳତା ହାସଲ କରିପାରି ନ ଥିଲା । କାରଣ ସେସବୁ ସ୍ଥାନମାନଙ୍କରେ ମୁସ୍‌ଲିମ୍‌ ଲିଗ୍‌ ଓ ଦଳିତ ଜାତିସଂଘର ନେତାମାନେ କଂଗ୍ରେସକୁ ଏକ ସାମ୍ପ୍ରଦାୟିକ ଦଳ ବୋଲି ଅପପ୍ରଚାର କରିଥିଲେ ।

ତା ପରେ କଂଗ୍ରେସଦଳର ନେତା ବାଛିବାର ପ୍ରଶ୍ନ ଉଠିଲା । ବମ୍ୱେ କଂଗ୍ରେସ କମିଟିର ତତ୍‌କାଳୀନ ସଭାପତି କେ. ଏଫ୍‌. ନାରିମାନ୍‌ ସେତେବେଳେ ବେଶ୍‌ ସୁନାମ ଅର୍ଜନ କରିଥାନ୍ତି । ତାଙ୍କର ସାହସିକ କାର୍ଯ୍ୟ ଯୋଗୁଁ ଲୋକେ ତାଙ୍କୁ ବୀର ନାରିମାନ୍‌ ବୋଲି ଡାକୁଥିଲେ । ସେ ଚାହିଁଲେ ଦଳର ନେତା ହେବା ଲାଗି; କିନ୍ତୁ ନିର୍ବାଚନ ପୂର୍ବରୁ ଦଳଦ୍ୱାରା ବହୁ ଅଭିଯୋଗରେ ସେ ହୋଇଥିଲେ ଅଭିଯୁକ୍ତ । କେତେକ କଂଗ୍ରେସବିରୋଧୀ କାର୍ଯ୍ୟଯୋଗୁଁ ସର୍ଦ୍ଦାର ପଟେଲ ତାଙ୍କ ପ୍ରାର୍ଥିତ୍ୱକୁ ନାପସନ୍ଦ କରିଥିଲେ । କଂଗ୍ରେସ ପାର୍ଲିଆମେଣ୍ଟାରି ଦଳର ସଭାପତି ଭାବେ ନେତା ସ୍ଥିର କରିବା ମୁଖ୍ୟତଃ ତାଙ୍କ ଉପରେ ନ୍ୟସ୍ତ ଥିଲା । ତେଣୁ ସବୁ କଥା ବିଚାର କରି ଦଳର ଭବିଷ୍ୟତ ପ୍ରତି ଦୃଷ୍ଟି ରଖି ସେ ବାଲଗଙ୍ଗାଧର ଖେର୍‌ଙ୍କୁ ନେତାରୂପେ ବାଛିଲେ । କାରଣ ଖେର୍‌ ଥିଲେ ଦଳ ପ୍ରତି ଅଧିକ ଅନୁରକ୍ତ, ବୁଦ୍ଧିମାନ ଓ ଚରିତ୍ରବାନ୍‌ ବ୍ୟକ୍ତି ।

ପ୍ରଥମେ ସେ ଦଳର ନେତା ହେବା ଲାଗି ମନା କରିଦେଇଥିଲେ; କିନ୍ତୁ ବହୁ ବନ୍ଧୁଙ୍କର ଅନୁରୋଧକ୍ରମେ ସେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ଲାଗି ରାଜି ହୋଇଗଲେ । ନାରୀମାନଙ୍କ ପ୍ରବଳ ବିରୋଧ ସତ୍ତ୍ୱେ ଖେର ନେତା ନିର୍ବାଚିତ ହେଲେ । ୧୯୩୨-୩୩ ମସିହାରେ ମୋରାର୍‌ଜୀ ତାଙ୍କ ସହିତ ଏକା ଜେଲରେ ରହିବା ଦ୍ୱାର ଉଭୟଙ୍କ ମଧ୍ୟରେ ଘନିଷ୍ଠ ବନ୍ଧୁତା ଥିଲା । ତେଣୁ ତାଙ୍କ ନିର୍ବାଚନରେ ସେ ବିଶେଷ ଆନନ୍ଦିତ ହୋଇଥିଲେ । ପାର୍ଲାମେଣ୍ଟାରି ବୋର୍ଡ଼ର ନିର୍ଦ୍ଦେଶକ୍ରମେ ସ୍ଥିର ହୋଇଥିଲା ଯେ କଂଗ୍ରେସ ରାଜ୍ୟପାଳଙ୍କ ନିମନ୍ତ୍ରଣ ପାଇ ମନ୍ତ୍ରୀମଣ୍ଡଳ ଗଢ଼ିବ, ଯଦି ଦଳର ନେତାଙ୍କୁ ସାମ୍ୱିଧାନିକ ମୁଖ୍ୟ ରୂପେ ସ୍ୱୀକାର କରାଯାଏ, କିନ୍ତୁ ରାଜ୍ୟପାଳ ସେଥିରେ ରାଜି ହେଲେ ନାହିଁ । ତେଣୁ ଖେର ତାଙ୍କ ନିମନ୍ତ୍ରଣ ପ୍ରତ୍ୟାଖ୍ୟାନ କଲେ । ଫଳରେ ସ୍ୱାଧୀନ ସଭ୍ୟମାନଙ୍କୁ ନେଇ ରାଜ୍ୟପାଳ ମନ୍ତ୍ରୀମଣ୍ଡଳ ଗଢ଼ିଲେ; କିନ୍ତୁ ସେହି ମନ୍ତ୍ରୀମଣ୍ଡଳ ମାତ୍ର ୧୯୩୭ ଅପ୍ରେଲରୁ ଜୁଲାଇ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲା । ବିଧାନ ପରିଷଦର ପୂର୍ଣ୍ଣ ସମର୍ଥନ ନ ପାଇବାରୁ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲେ । ତା’ପରେ ରାଜ୍ୟପାଳ ପାର୍ଲାମେଣ୍ଟାରି ବୋର୍ଡ଼ର ସର୍ତ୍ତ ରକ୍ଷା କରିବାକୁ ରାଜି ହୋଇ ବି. ଜି. ଖେର୍‌ଙ୍କୁ ମନ୍ତ୍ରୀମଣ୍ଡଳ ଗଢ଼ିବାକୁ ପୁଣି ଥରେ ନିମନ୍ତ୍ରଣ କଲେ ।

 

ସେତେବେଳେ ମୋରର୍‌ଜୀ ସୁରତରେ ଥାନ୍ତି । ଆଲୋଚନା ଲାଗି ସର୍ଦ୍ଦାର ପଟେଲ ତାଙ୍କୁ ଟେଲିଗ୍ରାମ୍‌ ଯୋଗେ ଡକାଇ ପଠାଇଲେ । ମନ୍ତ୍ରୀମଣ୍ଡଳରେ ଅନ୍ତର୍ଭୁକ୍ତ ହେବା ଲାଗି ସେ ପ୍ରଥମେ ଅନିଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସର୍ଦ୍ଦାରଜୀଙ୍କ ଅନୁରୋଧ ଏଡ଼େଇ ପାରି ନ ଥିଲେ ।

 

ସାତଜଣିଆ ମନ୍ତ୍ରୀମଣ୍ଡଳ ଗଢ଼ାଗଲା । ସେତେବେଳ ବମ୍ୱେ ରାଜ୍ୟରେ ଚାରୋଟି କଂଗ୍ରେସ କମିଟି କାର୍ଯ୍ୟ କରୁଥାନ୍ତି । ସବୁ କଂଗ୍ରେସ କମିଟିରୁ ଜଣେ ଲେଖାଏଁ ପ୍ରତିନିଧି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ । ସେମାନେ ହେଲେ କର୍ଣ୍ଣାଟକରୁ ଆନ୍ନାସାହେବ ଲାଠେ, ମହାରାଷ୍ଟ୍ରରୁ ଏଲ ଏମ୍‌. ପଟିଲ, ବମ୍ୱେରୁ କହ୍ନାଇଆଲାଲ ମୁନ୍‌ସୀ ଓ ଗୁଜୁରାଟରୁ ମୋରାର୍‌ଜୀ ଦେଶାଇ । ଅନ୍ୟ ଯେଉଁମାନେ ମନ୍ତ୍ରୀ ରୂପେ ବଛାଗଲେ, ସେମାନେ ହେଉଛନ୍ତି ଡକ୍ଟର ଏମ୍‌.ଡି.ଡି ଗିଲଡ଼ର, ଏମ୍‌.ଓ୍ୱାଇ. ନୁରୀ, ଶ୍ରୀମତୀ ହସଂବେନ୍‌ ମେହେଟ୍ଟା । ଶ୍ରୀ ଗୁଲଜାରିଲାଲ ନନ୍ଦାଙ୍କୁ ପାର୍ଲାମେଣ୍ଟାରୀ ସେକ୍ରେଟାରୀ ରୂପେ ନିଯୁକ୍ତ କରାଗଲା । ମନ୍ତ୍ରୀମଣ୍ଡଳଟି ଛୋଟ ହେଲେ ମଧ୍ୟ ସେଥିରେ ରାଜ୍ୟର ସବୁ ଅଞ୍ଚଳର ପ୍ରତିନିଧିତ୍ୱ ଥିଲା । ମୋରାର୍‌ଜୀ ରାଜସ୍ୱ, କୃଷି, ଅରଣ୍ୟ ଓ ସମବାୟ ବିଭାଗ ଦାୟିତ୍ୱରେ ରହିଲେ । କିଛି ଦିନ ପରେ କୃଷି ଓ ଗ୍ରାମ ଉନ୍ନୟନ ବିଭାଗ ଲାଠେଙ୍କୁ ସେ ହସ୍ତାନ୍ତର କରିଥିଲେ । ଶ୍ରୀ ଗୁଲଜାରିଲାଲ ନନ୍ଦା ମୁଖ୍ୟ ପାର୍ଲାମେଣ୍ଟାରୀ ସେକ୍ରେଟାରୀ ଭାବେ ଶ୍ରମ ବିଭାଗର ଦାୟିତ୍ୱରେ ରହିଥିଲେ । ଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱ ନେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଶ୍ରୀ ବି. ଜି. ଖେର୍‌ । ବାପୁଜୀଙ୍କ ନିର୍ଦ୍ଦେଶକ୍ରମେ ସେତେବେଳେ ମନ୍ତ୍ରୀମାନଙ୍କର ଦରମା ଥିଲା ମାତ୍ର ପାଞ୍ଚଶହ ଟଙ୍କା । ମୋରାର୍‌ଜୀ ଓ ଏଲ. ଏମ୍‌. ପଟିଲଙ୍କ ବ୍ୟତୀତ ମନ୍ତ୍ରୀମଣ୍ଡଳରେ ଯେଉଁମାନେ ଯୋଗ ଦେଇଥିଲେ ସେମାନେ ସମସ୍ତେ ପୂର୍ବରୁ ପାଞ୍ଚଶହ ଟଙ୍କାରୁ ଊର୍ଦ୍ଧ୍ୱ ରୋଜଗାର କରୁଥିଲେ । ମୋରାର୍‌ଜୀ କଂଗ୍ରେସ ଦଳରେ କାର୍ଯ୍ୟ କରୁଥିବାରୁ ଦରମା ଇତ୍ୟାଦି ଉପରେ ଆଦୌ ଗୁରୁତ୍ୱ ଦେଉ ନ ଥିଲେ ।

 

ମନ୍ତ୍ରୀ ହେଲା ପରେ ସମସ୍ତଙ୍କୁ ସରକାରୀ ଘର ଓ ମଟରଗାଡ଼ି ମିଳିଥିଲା । ମୋରାର୍‌ଜୀ ନିଜ ପାଇଁ ମେରାଇନ ଲାଇନ ରେଳ ଷ୍ଟେସନ ପାଖରେ ଗୋଟିଏ ଅତି ଛୋଟିଆ ଘର ବାଛିଥିଲେ-। ସେହି ଘରଟି ପ୍ରଥମ ମହାଯୁଦ୍ଧ ସମୟରେ ଏକ ଅସ୍ଥାୟୀ ନିବାସ ରୂପେ ତିଆରି କରାଯାଇଥିଲା । ପ୍ରତି ମନ୍ତ୍ରୀଙ୍କୁ ମଟରଗାଡ଼ି ଭତ୍ତା ରୂପେ ମାସକୁ ୧୫୦ ଟଙ୍କା ଲେଖାଏଁ ମିଳୁଥିଲା-। ସେଥିରୁ ଡ୍ରାଇଭରଙ୍କୁ ଦରମା ମଧ୍ୟ ଦେବାକୁ ପଡ଼ୁଥିଲା । ସେତେବେଳେ ପୁନା ଥିଲା ବମ୍ୱେ ରାଜ୍ୟର ଗ୍ରୀଷ୍ମନିବାସ । ରାଜ୍ୟପାଳଙ୍କ ରହଣି ଅନୁଯାୟୀ ମନ୍ତ୍ରୀମାନଙ୍କୁ ଜୁଲାଇରୁ ଅକ୍ଟୋବର ଶେଷ ପର୍ଯ୍ୟନ୍ତ ପୁନାରେ ଅବସ୍ଥାନ କରିବାକୁ ପଡ଼ୁଥିଲା ।

 

ରାଜ୍ୟପାଳ କାଳେ ମନ୍ତ୍ରୀମଣ୍ଡଳ କାର୍ଯ୍ୟରେ ହସ୍ତକ୍ଷେପ କରିବେ, ସେଥିଯୋଗୁଁ ପରସ୍ପର ମଧ୍ୟରେ ଅଧିକ ସଂହତି ରକ୍ଷା କରିବା ଲାଗି ସେମାନଙ୍କୁ କଂଗ୍ରେସ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥାଏ । ମୋଟ ଉପରେ ରାଜ୍ୟପାଳଙ୍କ ସହିତ ଅସହଯୋଗ କରିବା ଲାଗି ମନ୍ତ୍ରୀମଣ୍ଡଳ ଦୃଢ଼ ନିଷ୍ପତ୍ତି କରିଥାନ୍ତି । ତଦନୁଯାୟୀ କେବଳ ଶାସନ କ୍ଷେତ୍ରରେ ରାଜ୍ୟପାଳଙ୍କୁ ଯେତିକି ସହଯୋଗ କରିବାର କଥା, ସେମାନେ ସେତିକି କରୁଥାନ୍ତି । ଚା ଭୋଜି ଇତ୍ୟାଦି ଲାଗି ରାଜ୍ୟପାଳ ନିମନ୍ତ୍ରଣ କଲେ, ସେମାନେ ତାହା ରକ୍ଷା କରୁ ନ ଥାନ୍ତି । ସେତେବେଳେ ବମ୍ୱେର ରାଜ୍ୟପାଳ ଥା’ନ୍ତି ଲର୍ଡ଼ ବ୍ରାବୋର୍ଣ୍ଣ । ସେ ମଧ୍ୟ ଚତୁରତା ସହିତ ମନ୍ତ୍ରୀମାନଙ୍କ ଗତିବିଧି ପ୍ରତି ଲକ୍ଷ୍ୟ ରଖିଥାନ୍ତି । ସେତେବେଳେ ଗୋରାମାନେ ଥା’ନ୍ତି ବିଭାଗୀୟ ସେକ୍ରେଟାରୀ । ଚିଫ୍‌ ସେକ୍ରେଟାରୀଙ୍କର ଥାଏ ଅଖଣ୍ଡ କ୍ଷମତା । ମନ୍ତ୍ରୀଙ୍କଠାରୁ ମଧ୍ୟ ତାଙ୍କର କ୍ଷମତା ଥାଏ ଅଧିକ । ଆଶ୍ଚର୍ଯ୍ୟର କଥା ଯେ ବେଳେବେଳେ ବମ୍ୱେ ଛାଡ଼ିଯିବାକୁ ହେଲେ ମନ୍ତ୍ରୀମାନଙ୍କୁ ବିଭାଗୀୟ ସେକ୍ରେଟାରୀଙ୍କ ଅନୁମତି ନେବାକୁ ପଡ଼ୁଥାଏ; କିନ୍ତୁ ଖେର ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ସେହି ଅସାମ୍ବିଧାନିକ ପ୍ରଥାର ପରିବର୍ତ୍ତନ କରାଇଥିଲେ । ଦାୟିତ୍ୱ ନେଲା ପରେ ସେକ୍ରେଟାରୀମାନଙ୍କୁ ଡାକି ସେମାନେ କହିଥିଲେ, ‘‘ଆପଣମାନେ ଆମର ହାକିମ ନୁହନ୍ତି । କେବଳ ପରାମର୍ଶଦାତାରୂପେ ଆପଣଙ୍କୁ କାର୍ଯ୍ୟ କରିବାକୁ ହେବ ।’’ ପରିସ୍ଥିତିର ଗୁରୁତ୍ୱ ଉପଲବ୍‌ଧି କରି ସେମାନେ ସେଥିରେ ରାଜି ହୋଇଥିଲେ; କିନ୍ତୁ ଚିଫ୍‌ ସେକ୍ରେଟାରୀ ତାଙ୍କ ଗୋରା ଅଫିସରଙ୍କୁ ଜାଣିଶୁଣି ଆଖପାଖରେ ଥିବା ସୁବିଧା ଜାଗାକୁ ବଦଳି ଲାଗି ଯେଉଁ ସୁପାରିଶମାନ କରୁଥିଲେ ରାଜସ୍ୱମନ୍ତ୍ରୀ ହିସାବରେ ମୋରାର୍‌ଜୀ ଖୁବ୍‌ ଚତୁରତା ସହକାରେ ତାହାର ପରିବର୍ତ୍ତନ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଇ ଦେଉଥିଲେ । କେବଳ ରାଜସ୍ୱ ମନ୍ତ୍ରୀଙ୍କ ସୁପାରିଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଅଫିସରମାନଙ୍କର ବଦଳି ଆଦେଶ ଦେବାରୁ ଚିଫ୍‌ ସେକ୍ରେଟାରୀ ସେଥିରେ କ୍ରୋଧାନ୍ୱିତ ହୋଇ ରାଜସ୍ୱମନ୍ତ୍ରୀଙ୍କ ନିକଟରେ ତାଙ୍କର ଅସନ୍ତୋଷ ପ୍ରକାଶ କରିଥିଲେ; କିନ୍ତୁ ମୋରାର୍‌ଜୀ ତାଙ୍କୁ ରୋକଠୋକ୍‌ କହିଦେଇଥିଲେ ଯେ ମୁହଁଦେଖା ବଦଳିକୁ ସେ ଆଦୌ ବରଦାସ୍ତ କରିପାରିବେ ନାହିଁ-। ପରେ ଅବଶ୍ୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ସେ ଅଫିସରମାନଙ୍କ ବଦଳି ଲାଗି ସୁପାରିଶ କରିଥିଲେ ।

 

ମନ୍ତ୍ରୀମଣ୍ଡଳ ଦାୟିତ୍ୱ ନେବାର ମାତ୍ର ଅଳ୍ପଦିନ ପରେ ଚିଫ୍‌ ସେକ୍ରେଟାରୀ କାର୍ଯ୍ୟରୁ ଅବସର ଗ୍ରହଣ କଲେ । ତାଙ୍କଠାରୁ ଯେ ଦାୟିତ୍ୱ ନେଲେ ସେ ମଧ୍ୟ ଜଣେ ଗୋରା ସାହେବ । ସୌଜନ୍ୟମୂଳକ ସାକ୍ଷାତ ଲାଗି ମୁହଁରେ ଚିରୁଟ୍‌ ଲଗାଇ ସେ ରାଜସ୍ୱ ମନ୍ତ୍ରୀଙ୍କୁ ଅଫିସରେ ସାକ୍ଷାତ କରିବାକୁ ଆସିଲେ । ତାହା ଦେଖି କଠୋର ପ୍ରଶାସକ ମୋରାର୍‌ଜୀ ତାଙ୍କୁ ପଚାରିଥିଲେ ‘‘ମୋତେ ସାକ୍ଷାତ କଲା ପୂର୍ବରୁ ଆପଣ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି କି ?’’ ସାହେବ ଜଣକ କହିଲେ, ‘‘ଆଜ୍ଞା, ହଁ ।’’ ସଙ୍ଗେ ସଙ୍ଗେ ପ୍ରତ୍ୟୁତ୍ପନ୍ନମତି ମୋରାର୍‌ଜୀ ପଚାରିଥିଲେ, ‘‘କ’ଣ ମୁହଁରେ ଏହିପରି ଚିରୁଟ୍‌ ଧରି ଆପଣ ତାଙ୍କୁ ସାକ୍ଷାତ କଲେ ?’’ ସେ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲେ, ‘ନା’ । ତହୁଁ ମୋରାର୍‌ଜୀ କହିଥିଲେ, ‘‘ଆପଣ ଚିଫ୍‌ ସେକ୍ରେଟାରୀ ହିସାବରେ ରାଜ୍ୟପାଳଙ୍କୁ ଯେପରି ଭଦ୍ରୋଚିତ ବ୍ୟବହାର କରିଥିଲେ, ମନ୍ତ୍ରୀମାନଙ୍କୁ ମଧ୍ୟ ସେହିପରି ବ୍ୟବହାର କରିବାକୁ ହେବ । କାରଣ ମନ୍ତ୍ରୀମାନେ ସରକାର ଚଳାଉଛନ୍ତି, ରାଜ୍ୟପାଳ ନୁହନ୍ତି ।’’ ସାହେବ ଜଣକ ବେଶ୍‌ ଅପମାନିତ ହୋଇ ତାହା ହୃଦୟଙ୍ଗମ କରିଥିଲେ ।

 

ଆଉ ଦିନକର ଘଟଣା । ବ୍ରାବୋର୍ଣ୍ଣଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ରୂପେ ଯୋଗ ଦେଉଥାନ୍ତି ରୋଗର ଲୁମଲେ । ତାଙ୍କୁ ଅଭିନନ୍ଦନ ଜଣାଇବାଲାଗି ଏକ ଆଡ଼ମ୍ୱରପୂର୍ଣ୍ଣ ସମାରୋହର ଆୟୋଜନ କରାଯାଇଥାଏ । ବିଦାୟୀ ରାଜ୍ୟପାଳଙ୍କଠାରୁ ନିର୍ଦ୍ଦେଶ ଆସିଲା ଯେ ନୂଆ ରାଜ୍ୟପାଳଙ୍କୁ ମନ୍ତ୍ରୀମାନେ ଯାଇ ଅଭିନନ୍ଦନ ଜଣାଇବେ । ମନ୍ତ୍ରୀମାନେ ତାହା କଂଗ୍ରେସର ନୀତି ଦୃଷ୍ଟିରୁ ମାନିବେ ନାହିଁ ବୋଲି ଜଣାଇଦେଲେ । ଶେଷରେ ଠିକ୍‌ ହେଲା ଯେ ସେମାନେ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ; କିନ୍ତୁ ଆଟୋପ ଆଡ଼ମ୍ୱରପୂର୍ଣ୍ଣ ଉତ୍ସବରେ ଯୋଗ ଦେବେ ନାହିଁ । ତାହାହିଁ ହେଲା । ନୂଆ ରାଜ୍ୟପାଳଙ୍କ ସହିତ କରମର୍ଦ୍ଦନ ପରେ ମନ୍ତ୍ରୀମାନେ ଦପ୍ତରକୁ ଫେରିଆସିଥିଲେ ।

 

ପୂର୍ବରୁ ଯେଉଁମାନେ ରାଜସ୍ୱ ନ ଦେବାକୁ ଆନ୍ଦୋଳନରେ ଭାଗ ନେଇଥିଲେ, ସେମାନଙ୍କ ଜମିବାଡ଼ି ବାଜ୍ୟାପ୍ତ ହୋଇଥିଲା । ମୋରାର୍‌ଜୀ ରାଜ୍ୟପାଳଙ୍କ ବିରୋଧ ସତ୍ତ୍ୱେ ବାଜ୍ୟାପ୍ତ ଜମିବାଡ଼ି ଲୋକମାନଙ୍କୁ ଫେରାଇ ଦେବା ଲାଗି ଆଦେଶ ଦେଇଥିଲେ । ସେହିପରି ରାଜ୍ୟର ଅଧିକାଂଶ ଅଞ୍ଚଳରେ ଶ୍ରମିକମାନଙ୍କର ଦୈନିକ ସର୍ବୋଚ୍ଚ ମଜୁରୀ ଥିଲା ମାତ୍ର ୬ ପଇସା । ମଧ୍ୟବର୍ତ୍ତୀ ମନ୍ତ୍ରୀମଣ୍ଡଳରେ ରାଜସ୍ୱମନ୍ତ୍ରୀ ଯମୁନାଦାସ ମେହେଟ୍ଟା ତାହା ବଢ଼ାଇବା ଲାଗି ଉଦ୍ୟମ କରିଥିଲେ ମଧ୍ୟ ସେକ୍ରେଟାରୀଙ୍କ ଭୁଲ ପରାମର୍ଶ ଯୋଗୁଁ ତାହା ସମ୍ଭବ ହୋଇ ନ ଥିଲା । ମୋରାର୍‌ଜୀ ରାଜସ୍ୱମନ୍ତ୍ରୀ ହେଲା ପରେ ସେହି ସମସ୍ୟା ହାତକୁ ନେଇଥିଲେ । ପୂର୍ବଭଳି ସେକ୍ରେଟାରୀ ଆଇନର ଆଳ ଦେଖାଇ ତାହା ସମ୍ଭବ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ; କିନ୍ତୁ ଯେହେତୁ ମୋରାର୍‌ଜୀ ପୂର୍ବରୁ ଥିଲେ ଜଣେ ଅଭିଜ୍ଞ ରାଜସ୍ୱ ଅଫିସର, ତେଣୁ ସେ ସେକ୍ରେଟାରୀଙ୍କ ଯୁକ୍ତିକୁ ଖଣ୍ଡନ କରି ନୂଆ ଆଇନ ବଳରେ ସର୍ବନିମ୍ନ ତିନି ଆଶା ଓ ସର୍ବୋଚ୍ଚ ଚାରି ଅଣା ମଜୁରୀ ଧାର୍ଯ୍ୟ କରିଥିଲେ ।

 

ମନ୍ତ୍ରୀ ଥିଲେ ମଧ୍ୟ ମୋରାର୍‌ଜୀ ପ୍ରଥମ ଛ’ମାସ ଲାଗି ତୃତୀୟ ଶ୍ରେଣୀରେ ଗସ୍ତ କରୁଥିଲେ, କିନ୍ତୁ ତାଙ୍କ ସଙ୍ଗରେ ଯାଉଥିବା କମିସନର ଓ ଅନ୍ୟାନ୍ୟ ଉଚ୍ଚ ପାହିଆ ଅଫିସରମାନେ ପ୍ରଥମ ଶ୍ରେଣୀରେ ଗସ୍ତ କରୁଥିଲେ । ନିଜେ ନିମ୍ନଶ୍ରେଣୀରେ ଯାତ୍ରା କରୁଥିଲେ ମଧ୍ୟ ଅଫିସରମାନଙ୍କୁ ସେ ତୃତୀୟ ଶ୍ରେଣୀରେ ଯିବାଲାଗି କହୁ ନ ଥିଲେ । ଯାତ୍ରା ସମୟରେ ସ୍ଥାନ ସଂରକ୍ଷିତ ନ ଥିବାରୁ ସାମୟିକ ତାଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । କେତେଥର ସରକାରୀ ନଥିପତ୍ର ଚୋରିଯିବାରୁ ସେ ଆଉ ତୃତୀୟ ଶ୍ରେଣୀରେ ନ ଯାଇ ଦ୍ୱିତୀୟ ଶ୍ରେଣୀରେ ଗସ୍ତ କଲେ । ଯେତେଦିନ ପର୍ଯ୍ୟନ୍ତ ସେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ରହିଥିଲେ, ସେତେଦିନ ପର୍ଯ୍ୟନ୍ତ କେବଳ ଦ୍ୱିତୀୟ ଶ୍ରେଣୀରେ ହିଁ ଗସ୍ତ କରିଥିଲେ ।

 

୧୯୩୮ ମସିହାରେ କଂଗ୍ରେସର ବାର୍ଷିକ ଅଧିବେଶନ ବର୍ଦ୍ଦୋଳିର ହରିପୁରାଠାରେ ବସିବାର ସ୍ଥିର ହେଲା । ନେତାଜୀ ସୁଭାଷ ଅଧିବେଶନର ସଭାପତି ନିର୍ବାଚିତ ହେବାର ପ୍ରସ୍ତାବ ନ ଥାଏ; କିନ୍ତୁ ତାଙ୍କର ଗାନ୍ଧିଜୀଙ୍କ ଅହିଂସା ନୀତି ଉପରେ ବିଶ୍ୱାସ ନ ଥିଲା । ବହୁ ଆଲୋଚନା ପରେ ସେ ତାଙ୍କର ଚିନ୍ତାଧାରା ବଦଳାଇଥିଲେ ଓ ବାପୁଜୀଙ୍କ ନିକଟକୁ ଯାଇ ଅହିଂସା ନୀତିରେ କାର୍ଯ୍ୟ କରିବେ ବୋଲି ପ୍ରତିଜ୍ଞାବଦ୍ଧ ହୋଇଥିଲେ । ତାପରେ ବାପୁଜୀଙ୍କ ସ୍ୱୀକୃତିମତେ ସେ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ଅଧିବେଶନ ଲାଗି ଯେଉଁ ସ୍ଥାନ ସ୍ଥିର କରାଯାଇଥିଲା, ତାହା ଥିଲା ଘରୋଇ ଚାଷ ଜମି । ସେଥିଲାଗି କଂଗ୍ରେସକୁ ଟିକସ ଦେବାର କଥା । ସେତେବେଳେ ଅହମଦାବାଦର କମିଶନର ଥାନ୍ତି ଗାରେଟସାହେବ । ରାଜସ୍ୱମନ୍ତ୍ରୀ ମୋରାର୍‌ଜୀ ତାଙ୍କୁ ଆଦେଶ ଦେଲେ ହରିପୁରା ଯାଇ ଅଧିବେଶନ ଲାଗି ସ୍ଥିର କରାଯାଇଥିବା ସ୍ଥାନ ପରିଦର୍ଶନ କରି ଟିକସ ଧାର୍ଯ୍ୟ କରିବା ଲାଗି । ଖୁବ୍‌ ଅଳ୍ପଦିନ ମଧ୍ୟରେ କମିସନ୍‌ର ଟିକସ ଧାର୍ଯ୍ୟ କରି ତାଙ୍କ ନିକଟକୁ ପତ୍ର ପଠାଇଲେ । ଆଇନସମ୍ମତଭାବେ ଯେତିକି ଟିକସ ଧାର୍ଯ୍ୟ ହେବାର କଥା, ସେ ତାହାର ଦୁଇ ତିନି ଗୁଣ ଅଧିକା ଧାର୍ଯ୍ୟ କରିଥିଲେ । ମୋରାର୍‌ଜୀ ଚିଠି ପାଇଲା ମାତ୍ରେ କମିସନରଙ୍କ ଏପରି ଅଧିକା ଧାର୍ଯ୍ୟ କରିଥିବାର କାରଣ ପଚାରିଲେ । ସେ ଉତ୍ତର ଦେଲେ, ମନ୍ତ୍ରୀଙ୍କ ସହିତ ଆଲୋଚନା ପୂର୍ବରୁ ସେ ଆଦେଶନାମା ଦସ୍ତଖତ କରିଦେଇଥିଲେ । ତେଣୁ ତାହା ଅଧିକ ଧାର୍ଯ୍ୟ ହୋଇ ଯାଇଅଛି । ସଙ୍ଗେ ସଙ୍ଗେ ମୋରାର୍‌ଜୀ ତତ୍‌ସମ୍ପର୍କୀୟ ନଥିପତ୍ର ନେଇ ତାଙ୍କୁ ବମ୍ୱେଠାରେ ସାକ୍ଷାତ କରିବାଲାଗି ନିର୍ଦ୍ଦେଶ ଦେଲେ । ତଦନୁଯାୟୀ କମିସନର ତାଙ୍କୁ ବମ୍ୱେଠାରେ ସାକ୍ଷାତ କରି ସେହି ପୂର୍ବକଥା ବାରମ୍ୱାର କହିବାକୁ ଲାଗିଲେ । ମୋରାର୍‌ଜୀ କହିଲେ, ‘‘ଆମର ଆଲୋଚନା ତାରିଖ ସହିତ ଆଦେଶନାମାର ତାରିଖ ତୁଳନା କରି ଦେଖ । ଆଦେଶନାମା ଯେଉଁଦିନ ତୁମେ ଦସ୍ତଖତ କରିଛ, ଆମେ ତାହାର ବହୁପୂର୍ବରୁ ଅଧିବେଶନ ପାଇଁ ସ୍ଥିରୀକୃତ ଜମି ବିଷୟରେ ହରିପୁରାଠାରେ ଆଲୋଚନା କରିଥିଲେ । ଏପରି ଏକ ଭୁଲ ଆଦେଶନାମା ଦେଇ ମିଛ କହି ନିଜର ଦୋଷ ଘୋଡ଼ାଉଛ କାହିଁକି ? ଏପରି ମିଛ କହିଲେ ଭବିଷ୍ୟତରେ ତୁମକୁ ଆଉ ମୁଁ ବିଶ୍ୱାସ କରିବି ନାହିଁ ।’’

 

ସ୍ୱଭାବତଃ ମୋରାର୍‌ଜୀ ମିଛ କହିବାକୁ ଘୃଣା କରିଥାନ୍ତି । ତେଣୁ ସେ ଏପରି ଜଣେ ଉଚ୍ଚ ଅଫିସର ଜାଣିଶୁଣି ମନ୍ତ୍ରୀଙ୍କୁ ମିଛ କହି ଠକିବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ଶୀଘ୍ର କାର୍ଯ୍ୟରୁ ଅବସର ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କଲେ । ଆଉ ମଧ୍ୟ ତାହା ରାଜ୍ୟପାଳଙ୍କ ନିକଟକୁ ପଠାଇଦେବାଲାଗି ଅନୁରୋଧ କଲେ । ତାହା ପଢ଼ି ମୁଖ୍ୟମନ୍ତ୍ରୀ ଭାବିଲେ ଯେ ମୋରାର୍‌ଜୀ ଖୁବ୍‌ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ଯାଉଛନ୍ତି । କାଳବିଳମ୍ୱ ନ କରି ସେ ରାଜସ୍ୱମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଆଲୋଚନାପାଇଁ ନିର୍ଦ୍ଦେଶ ଦେଲେ । ମୋରାର୍‌ଜୀ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇ କହିଲେ ଯେ ଯଦି ଆମେ ଏପରି ମିଥ୍ୟାବାଦୀ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନ ନେବା, ତାହାହେଲେ ସଫଳତା ସହକାରେ ଶାସନ ଚଳାଇପାରିବା ନାହିଁ । ଶେଷରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରସ୍ତାବରେ ରାଜି ହୋଇ ଫାଇଲଟି ରାଜ୍ୟପାଳଙ୍କ ନିକଟକୁ ପଠାଇଦେଲେ । ରାଜ୍ୟପାଳ ସେ ବିଷୟ ମୋରାର୍‌ଜୀଙ୍କ ସହିତ ଆଲୋଚନା କଲେ ଓ ମନ୍ତ୍ରୀ ତାଙ୍କ ମତ ବଦଳାନ୍ତୁ ବୋଲି ଅନୁରୋଧ କଲେ; କିନ୍ତୁ ମୋରାର୍‌ଜୀ ତାଙ୍କ ସୁପାରିଶରୁ ତିଳେ ହେଲେ ଓହରି ନ ଥିଲେ । ବରଂ ସେ ଜିଦ ଧରିବସିଥିଲେ ଯେ କମିସନର୍‌ଙ୍କୁ ଶୀଘ୍ର କାର୍ଯ୍ୟରୁ ଅବସର ଦିଆଯାଉ । ରାଜ୍ୟପାଳ ପୁଣି କହିଲେ ଯେ ଗାରେଟ୍‌ ଏଇ ମାସେ ଦୁଇମାସ ମଧ୍ୟରେ ସିନ୍ଧୁପ୍ରଦେଶର ରାଜ୍ୟପାଳ ହୋଇ ଯାଉଛନ୍ତି । ସେଠି ତାଙ୍କ କାର୍ଯ୍ୟକାଳ ପୂରିଲେ ସେ ଅବସର ନେବେ । ତାହା ଶୁଣି ମୋରାର୍‌ଜୀ କହିଲେ, ‘‘ଯଦି ତାଙ୍କର ପଦୋନ୍ନତି ହେବାର ଥାଏ, ତାହା ହେଲେ ସେ ସେପର୍ଯ୍ୟନ୍ତ ଛୁଟିରେ ଯାଇପାରନ୍ତି; କିନ୍ତୁ ମୁଁ ମନ୍ତ୍ରୀ ଥିବାଯାଏ ରାଜ୍ୟର ଶାସନ ସଂସ୍ଥାରେ କେବେ ହେଲେ ତାଙ୍କୁ ଚାକିରୀ କରିବାକୁ ଦିଆଯିବ ନାହିଁ ।’’ ବହୁ ଯୁକ୍ତିତର୍କ ହେଲା । ଦୃଢ଼ମନା ମୋରାର୍‌ଜୀଙ୍କ କଥା ରାଜ୍ୟପାଳ ଶେଷରେ ମାନିନେଲେ । ଫଳରେ କମିସନର୍‌ଙ୍କୁ ବାଧ୍ୟତାମୂଳକଭାବେ ଛୁଟି ଦିଆଗଲା ।

 

ଆଉ କେତେକ ଗୋରା ଅଫିସର ମଧ୍ୟ ମନ୍ତ୍ରୀମାନଙ୍କୁ ଉପଯୁକ୍ତ ସମ୍ମାନ ଦେଖାଉ ନ ଥିଲେ; କିନ୍ତୁ ମୋରାର୍‌ଜୀଙ୍କ ଦକ୍ଷତା ଓ ନିପୁଣ ଶାସନ ପଦ୍ଧତି ଯୋଗୁଁ ସେମାନେ ପରିସ୍ଥିତିରେ ପଡ଼ି ସେମାନଙ୍କର ବ୍ୟବହାରଗତ ତ୍ରୁଟି ସଂଶୋଧନ କରିଥିଲେ । ଯେଉଁ ସତ୍ୟାଗ୍ରହୀମାନଙ୍କର ଜମିବାଡ଼ି ବାଜ୍ୟାପ୍ତ କରାଯାଇଥିଲା, ତାହା ତାଙ୍କୁ ଫେରସ୍ତ ଦେବା ଦିଗରେ ଗୋରା ରାଜସ୍ୱ ଅଫିସରମାନେ ଆଦୌ ସହାନୁଭୂତି ପ୍ରକାଶ କରୁ ନ ଥିଲେ । ବହୁ ଆଲେଚନା ସତ୍ତ୍ୱେ ମଧ୍ୟ ସେମାନେ ମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ଉପରେ ଆଶାନୁରୂପ ଗୁରୁତ୍ୱ ଦେଉ ନ ଥିଲେ । ନିଜେ ନୂଆ ରାଜ୍ୟପାଳ ଲୁମଲେ ମଧ୍ୟ ଏହି ସମସ୍ୟା ସମାଧାନ ଦିଗରେ ଅନାଗ୍ରହ ପ୍ରକାଶ କରୁଥିଲେ । ତାହା ଜାଣିପାରି ମନ୍ତ୍ରୀମଣ୍ଡଳ ସ୍ଥିର କଲେ ଯେ ଆଇନ ପ୍ରଣୟନ କରି ସତ୍ୟାଗ୍ରହୀମାନଙ୍କର ବାଜ୍ୟାପ୍ତ ଜମି ଫେରାଇଦେବେ । ତଦନୁଯାୟୀ ଆଇନର ଚିଠା ତିଆରି କରାଯାଇ ରାଜ୍ୟପାଳଙ୍କୁ ଦିଆଗଲା । ସେତେବେଳେ ଜମିଜମା ସଂକ୍ରାନ୍ତ କେତେକ ଆଇନ ଲାଗୁ କରିବାପାଇଁ ବଡ଼ଲାଟଙ୍କ ସମ୍ମତି ଦରକାର ପଡ଼ୁଥିଲା । ବେଳେ ବେଳେ ବଡ଼ଲାଟ ମଧ୍ୟ ଲଣ୍ଡନରେ ଥିବା ଭାରତ ପାଇଁ ନିଯୁକ୍ତ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ଙ୍କର ମତାମତ ନେଉଥିଲେ । ସେ ପରିସ୍ଥିତିରେ ରାଜ୍ୟର ମନ୍ତ୍ରୀମଣ୍ଡଳ ଚିନ୍ତା କଲେ ଯେ ଯଦି ଚିଠା ଆଇନଟି ବିଧାନସଭାରେ ଗୃହୀତ ହେଲା ପରେ ରାଜ୍ୟପାଳ କିମ୍ୱା ବଡ଼ଲାଟଙ୍କର ସ୍ୱୀକୃତି ନ ପାଏ, ତାହାହେଲେ ବଡ଼ ଅସୁନ୍ଦର ପରିସ୍ଥିତିର ଉଦଭବ ହେବ । ତେଣୁ ଆଇନ ଲାଗୁ କରିବା ପୂର୍ବରୁ ମୋରାର୍‌ଜୀ ଓ ମୁଖ୍ୟମନ୍ତ୍ରୀ ରାଜ୍ୟପାଳଙ୍କୁ ଜଣାଇଲେ ଯେ ଏହି ଆଇନ ବିଧାନ ସଭାରେ ଗୃହୀତ ହେଲା ପରେ, ସେ ସ୍ୱୀକୃତି ଦେଇ ପାରିବେ କି ନାହିଁ ? ସେମାନେ ମଧ୍ୟ ଆହୁରି ଜଣାଇଦେଇଥିଲେ ଯେ ପ୍ରସ୍ତାବିତ ଆଇନଲାଗି ଯଦି ରାଜ୍ୟପାଳ ସ୍ୱୀକୃତି ନ ଦିଅନ୍ତି, ତାହା ହେଲେ ସେମାନେ ଶାସନରୁ ଓହରିଯିବେ ।

 

ଯେତେବେଳେ ରାଜ୍ୟପାଳ ଜାଣିଲେ ଯେ ମନ୍ତ୍ରୀମାନେ ଆପୋଷ ଆଲୋଚନା କରିବାକୁ ରାଜି ନୁହନ୍ତି, ସଙ୍ଗେ ସଙ୍ଗେ ସେ ତାହା ବଡ଼ଲାଟଙ୍କୁ ଜଣାଇ ଦେଇଥିଲେ । ସେତେବେଳକୁ ଗ୍ରୀଷ୍ମଋତୁ । ଅସ୍ଥାୟୀ ବଡ଼ଲାଟ ଲର୍ଡ଼ ବ୍ରାବୋର୍ଣ୍ଣ ରହୁଥାନ୍ତି ସିମଳାସ୍ଥିତ ଗ୍ରୀଷ୍ମନିବାସରେ । କିଛିଦିନ ପରେ ସିମଳାରେ କୃଷି ଓ ବୈଜ୍ଞାନିକ କାଉନ୍‌ସିଲ୍‌ର ଏକ ଅଧିବେଶନ ଅନୁଷ୍ଠିତ ହେଲା । ମୋରାର୍‌ଜୀ ଥିଲେ ସେହି କାଉନ୍‌ସିଲର ଜଣେ ସକ୍ରିୟ ସଭ୍ୟ । ସେ ସେହି ଅବସରରେ ବଡ଼ଲାଟଙ୍କୁ ସାକ୍ଷାତ କରିବାକୁ ମନସ୍ଥ କଲେ; କିନ୍ତୁ ଆଚରଣ ବିଧି ଅନୁଯାୟୀ କୌଣସି କଂଗ୍ରେସ ମନ୍ତ୍ରୀ ବିନା ନିମନ୍ତ୍ରଣରେ ଲାଟ କିମ୍ୱା ବଡ଼ଲାଟଙ୍କୁ ଦେଖା କରିବା ମନା ଥିଲା । ତେଣୁ ଯଦି କୌଣସି ମନ୍ତ୍ରୀ ଦିଲ୍ଲୀ ବା ସିମଳା ଯାଉଥିଲେ ରାଜ୍ୟପାଳ ବଡ଼ଲାଟଙ୍କୁ ଆଗରୁ ତାଙ୍କ ଗସ୍ତକ୍ରମ ଜଣାଇଦେଉଥିଲେ ।

 

ମୋରାର୍‌ଜୀ କାଉନ୍‌ସିଲ୍‌ର ଅଧିବେଶନରେ ଯୋଗ ଦେବାଲାଗି ସିମଳା ଗଲେ । ତା’ ପୂର୍ବରୁ ତାଙ୍କର ଗସ୍ତକ୍ରମ ବଡ଼ଲାଟଙ୍କ ପାଖରେ ପହଞ୍ଚିଯାଇଥାଏ । ସିମଳାରେ ପହଞ୍ଚିବାର ପରଦିନ ବଡ଼ଲାଟ ତାଙ୍କୁ ସାକ୍ଷାତ କରିବାକୁ ନିମନ୍ତ୍ରଣ କଲେ । ସେତେବେଳେ ଖଦଡ଼ ଧୋତି, ପଞ୍ଜାବି ଓ ଟୋପି ପିନ୍ଧି ଲାଟସାହେବଙ୍କୁ ସାକ୍ଷାତ୍‌ କରିବା ମନା ଥିଲା; କିନ୍ତୁ ମୋରାର୍‌ଜୀଙ୍କୁ ସେଥିଲାଗି ସ୍ୱତନ୍ତ୍ର ଆଦେଶ ମିଳିଥିଲା । ସେତେବେଳକୁ ବମ୍ୱେ ରାଜ୍ୟପାଳ ସତ୍ୟାଗ୍ରହୀଙ୍କ ବାଜ୍ୟାପ୍ତ ଜମି ଫେରସ୍ତ ବିଲ୍‌ଟି ସ୍ୱୀକୃତିଲାଗି ବଡ଼ଲାଟଙ୍କ ନିକଟକୁ ପଠାଇସାରିଥାନ୍ତି । ସେ ମଧ୍ୟ ବମ୍ୱେର ପୂର୍ବତନ ରାଜ୍ୟପାଳ ଭାବରେ ସେହି ସମସ୍ୟା ବିଷୟରେ ବେଶ ସଚେତନ ଥାନ୍ତି । ରାଜ୍ୟପାଳ ଥିଲା ସମୟରେ ସେ ମଧ୍ୟ ଆଇନ ପ୍ରଣୟନ କରି ସମସ୍ୟାର ସମାଧାନ କରିବାଲାଗି ମୋରାର୍‌ଜୀଙ୍କୁ କହିଥିଲେ; କିନ୍ତୁ ମୋରାର୍‌ଜୀ ସେତେବେଳେ ରାଜ୍ୟପାଳଙ୍କ ପ୍ରସ୍ତାବରେ ରାଜି ନ ହୋଇ ଦ୍ୱିପକ୍ଷୀୟ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ଲାଗି ଯୁକ୍ତି ବାଢ଼ିଥିଲେ । ରାଜସ୍ୱ ବିଭାଗୀୟ ଉଚ୍ଚ ଅଫିସରମାନେ ସେଥିରେ ସହଯୋଗ ନ କରିବାରୁ ସରକାର କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନ ଥିଲେ ।

 

ପଠାଇଥିବା ବିଲଟିକୁ ସ୍ୱୀକୃତି ଦେବାଲାଗି ମୋରାର୍‌ଜୀ ବଡ଼ଲାଟଙ୍କ ନିକଟରେ ଯୁକ୍ତି ବାଢ଼ିଲେ । ଲାଟସାହେବ ପୂର୍ବରୁ ଯାହା କହିଥିଲେ ସେଥିରେ ସେ ଆଉ ରାଜି ହେଲେ ନାହିଁ । ସେ କହିଲେ—ପ୍ରକୃତରେ ଆପୋଷ ଆଲୋଚନା ଦ୍ୱାରା ଏହି ସମସ୍ୟାର ସମାଧାନ ହେବା ଭଲ । ମୋରାର୍‌ଜୀ ଅଫିସରମାନଙ୍କ ଅସହଯୋଗ ମନୋବୃତ୍ତି ଯୋଗୁଁ ଏହା ଆଦୌ ସମ୍ଭବପର ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ ଓ କହିଥିଲେ ଯେ ଆଉ କାଳବିଳମ୍ୱ ନ କରି ବଡ଼ଲାଟ ତାଙ୍କର ପୂର୍ବ ପ୍ରତିଶ୍ରୁତି ରକ୍ଷା କରନ୍ତୁ; କିନ୍ତୁ ବଡ଼ଲାଟ ସେଥିରେ ରାଜି ହେଲେ ନାହିଁ । ବୋଧହୁଏ କାଳକ୍ଷେପ କରାଇବା ଥିଲା ତାଙ୍କର ଲକ୍ଷ୍ୟ । ଶେଷରେ ମୋରାର୍‌ଜୀ ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ଜାଣିବାଲାଗି ସମସ୍ୟାର ପୁଙ୍ଖାନୁପୁଙ୍ଖ ଆଲୋଚନା କଲେ । ପରିଶେଷରେ ଲର୍ଡ଼ ବ୍ରାବୋର୍ଣ୍ଣ କହିଲେ, ‘‘ଯଦି ମୁଁ ବିଲ୍‌କୁ ସ୍ୱୀକୃତି ଦିଏ ତାହାହେଲେ ବ୍ରିଟିଶ ସରକାରଙ୍କ ସମ୍ମାନ ଉପରେ ଆଞ୍ଚ୍‌ ଆସିବ । କାରଣ ବାଜ୍ୟାପ୍ତ ଜମି ବାଣ୍ଟିଲାବେଳେ ଗ୍ରହୀତାମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ତାହା ଆଉ ଫେରାଇ ନିଆଯିବ ନାହିଁ । ଏବେ ଯଦି ମୁଁ ବିଲ୍‌ଟିରେ ସ୍ୱୀକୃତି ଦିଏଁ ତାହା ହେଲେ ସରକାର ପ୍ରତିଶ୍ରୁତି ଖିଲାପ କଲେ ବୋଲି ଧରାଯିବ । ଅତଏବ ଏ ପରିସ୍ଥିତିରେ ମୁଁ ବିଲ୍‌କୁ ସ୍ୱୀକୃତି ଦେବି କିପରି ?’’

 

ମୋରାର୍‌ଜୀ ଉତ୍‌କ୍ଷିପ୍ତ ନ ହୋଇ କହିଥିଲେ, ‘‘ଆମେ ମଧ୍ୟ ସତ୍ୟାଗ୍ରହୀମାନଙ୍କୁ କହିଥିଲୁଁ ଯେ ସ୍ୱରାଜ୍ୟ ପ୍ରାପ୍ତି ପରେ ସେମାନଙ୍କ ବାଜ୍ୟାପ୍ତ ସମ୍ପତ୍ତି ଫେରାଇ ନ ଦେବାଯାଏ ଆମେ ମଧ୍ୟ ବିଶ୍ରାମ ନେବୁ ନାହିଁ । ସେହି ପ୍ରତିଶ୍ରୁତି ଆମେ ଖିଲାଫ୍‌ କରିବୁ କିପରି ? ଆପଣ ସରକାରଙ୍କ ପ୍ରତିଶ୍ରୁତିରେ ଅଟଳ ରହିଲେ ଆମେ ମଧ୍ୟ ଆମ ପ୍ରତିଶ୍ରୁତିରେ ରହିବୁ ଅଟଳ । ପୁଣି ଆପଣଙ୍କ ସରକାର ବିଦାୟ ନେବା ଉପରେ । ଆମେ କ୍ରମେ କ୍ଷମତାସୀନ ହେବାକୁ ଯାଉଛୁଁ । କହନ୍ତୁ ତ ଗୋଟିଏ କ୍ଷମତାଶୀଳ ସରକାର ପ୍ରଥମରୁ ପ୍ରତିଶ୍ରୁତି ଭଙ୍ଗ କରିବେ କିପରି ? ବିଦାୟୀ ସରକାର ତାହା କଲେ ଜନସାଧାରଣଙ୍କ ପକ୍ଷରେ ଧର୍ତ୍ତବ୍ୟ ନୁହେଁ; କିନ୍ତୁ ଆମେ ଯଦି ତାହା କରୁ, ତାହା ହେଲେ ଲୋକେ ଆମକୁ କ୍ଷମା ଦେବେ କି ? ଗୋରା ସରକାର ବହୁକ୍ଷେତ୍ରରେ ପ୍ରତିଶ୍ରୁତି ଭଙ୍ଗ କରିବାକୁ ଦ୍ୱିଧା କରି ନ ଥାନ୍ତି । କଥିତ ଅଛି ଯେ ବ୍ରିଟେନ୍‌ ବିଶ୍ୱାସଘାତକତା କରିବାରେ ଧୁରନ୍ଧର । ନିଜର ପ୍ରତିଜ୍ଞା ଭୁଲିଯିବା ଆପଣଙ୍କ ପକ୍ଷରେ ସହଜ ହୋଇପାରେ; କିନ୍ତୁ ଆମ ପକ୍ଷରେ ସେପରି କରିବା ସମ୍ଭବ ନୁହେଁ ।’’

 

ତାହା ଶୁଣି ଲର୍ଡ଼ ବ୍ରାବୋର୍ଣ୍ଣ ଅବଶ୍ୟ ହସିବାକୁ ଲାଗିଲେ । କାରଣ ବ୍ୟକ୍ତିଗତଭାବେ ସେ ପରିସ୍ଥିତିର ଗୁରୁତ୍ୱ ହୃଦୟଙ୍ଗମ କରିଥିଲେ ମଧ୍ୟ ସରକାରଙ୍କ ନୀତି ଦୃଷ୍ଟିରୁ ନିଜକୁ ଅସହାୟ ବୋଧ କରୁଥିଲେ । ଯେହେତୁ ମୋରାର୍‌ଜୀଙ୍କ ସହିତ ତାଙ୍କର ପୂର୍ବରୁ ନିବିଡ଼ି ସମ୍ପର୍କ ଥିଲା, ତେଣୁ ତାଙ୍କର ସେହି କଟୂ ମନ୍ତବ୍ୟରେ ସେ ଆଦୌ ବିବ୍ରତ ହୋଇ ନ ଥିଲେ କିମ୍ୱା ତାଙ୍କୁ ଭୁଲ ବୁଝି ନ ଥିଲେ । ସେ ବରଂ ମୋରାର୍‌ଜୀଙ୍କୁ ବାରମ୍ୱାର ଅନୁରୋଧ କରିଥିଲେ ଯେ ଆଇନ ପ୍ରଣୟନ ଦିଗରେ ଅଧିକ ଗୁରୁତ୍ୱ ନ ଦେଇ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ଲାଗି ଉଦ୍ୟମ ଅବ୍ୟାହତ ରଖନ୍ତୁ; କିନ୍ତୁ ମୋରାର୍‌ଜୀ ସେଥିରେ ଏକମତ ନ ହୋଇ କହିଥିଲେ, ‘‘ଆପଣଙ୍କ ନିର୍ଦ୍ଦେଶମତେ ଆମେ ଚିଠା ଆଇନ ପ୍ରସ୍ତୁତ କରି ସାରିଛୁ । ଏତେ ବାଟ ଆଗେଇଲା ପରେ, ସେଥିରୁ ଓହରି ଆସିବା ଆଉ ସମ୍ଭବପର ନୁହେଁ । ଆପଣ ସ୍ୱୀକୃତି ଦେଇ ସମସ୍ୟାର ଆଶୁ ସମାଧାନ କରିବା ଦିଗରେ ସହାୟକ ହୁଅନ୍ତୁ ।’’

 

ସେତେବେଳକୁ ସାକ୍ଷାତ ଲାଗି ଧାର୍ଯ୍ୟ ହୋଇଥିବା ସୀମିତ ସମୟ ଅତିକ୍ରାନ୍ତ ହୋଇଯାଇଥାଏ । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବଡ଼ଲାଟଙ୍କୁ ସାକ୍ଷାତ କରିବାକୁ ଅପେକ୍ଷା କରିଥାନ୍ତ । ଦୀର୍ଘ ଦୁଇଘଣ୍ଟା ଆଲୋଚନା ପରେ ମୋରାର୍‌ଜୀ ବଡ଼ଲାଟ ଭବନରୁ ବିଦାୟ ନେଇ ଫେରିଆସିଥିଲେ । ଖୁବ୍‌ ଅଳ୍ପଦିନ ମଧ୍ୟରେ ବିଲ୍‌ଟି ସ୍ୱୀକୃତି ପାଇଥିଲା । ସେହି ଆଇନ ବଳରେ ବମ୍ୱେ ସରକାର ସତ୍ୟାଗ୍ରହୀଙ୍କ ବାଜ୍ୟାପ୍ତ ସମ୍ପତ୍ତି ଫେରାଇ ଦେଇଥିଲେ । ଏତେ ବଡ଼ ସମସ୍ୟାର ସମାଧାନ ହୋଇଥିଲା କେବଳ ମୋରାର୍‌ଜୀଙ୍କ ବ୍ୟକ୍ତିଗତ ଦୃଢ଼ ପଦକ୍ଷେପ ଫଳରେ । ତାହାର କିଛିଦିନ ପରେ ଲର୍ଡ଼ ବ୍ରାବୋର୍ଣ୍ଣ ଅସୁସ୍ଥ ହୋଇପଡ଼ିଲେ । ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା, ଫଳରେ ତାଙ୍କର ମୃତ୍ୟୁ ହେଲା । ତାଙ୍କର ଅକାଳ ବିୟୋଗରେ ଦୁଃଖ ପ୍ରକାଶ କରି ମୋରାର୍‌ଜୀ କହିଥିଲେ, ‘‘ଲର୍ଡ଼ ବ୍ରାବୋର୍ଣ୍ଣଙ୍କର ସାଧୁତା, ସହାନୁଭୂତି ଓ ନମ୍ର ବ୍ୟବହାର ମୋତେ ଅଭିଭୂତ କରିଥିଲା । ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସେ ଥିଲେ ଅଧିକ ସଚେତନ । ଭାରତ ପ୍ରତି ତାଙ୍କର ଆନ୍ତରିକ ସ୍ନେହ ଓ ଭକ୍ତି ଥିଲା । ସେ ଯଦି ସ୍ଥାୟୀ ବଡ଼ଲାଟ ଭାବେ ଆଉ କିଛିଦିନ ରହିଥାନ୍ତେ, ତାହା ହେଲେ ବୋଧହୁଏ ଭାରତ ବହୁପୂର୍ବରୁ ସ୍ୱାଧୀନତା ହାସଲ କରି ପାରିଥା’ନ୍ତା ।’’

 

ବଡ଼ଲାଟଙ୍କ ଅବସ୍ଥାନ କାଳରେ ସିମଳାକୁ ଅନ୍ୟ କାହାର ମଟରଗାଡ଼ି ଯିବା ମନା ଥିଲା-। ତେଣୁ ମୋରାର୍‌ଜୀ ଲୋକଟଣା ରିକ୍‌ସାରେ ଯିବା ଆସିବା ନ କରି ପ୍ରତ୍ୟହ ଦଶ ମାଇଲ ପାଦରେ ଚାଲି କୃଷି ଓ ବୈଜ୍ଞାନିକ ଗବେଷଣା କାଉନ୍‌ସିଲ୍‌ର ଅଧିବେଶନରେ ଯୋଗ ଦେଉଥିଲେ-। ମଣିଷଟଣା ରିକ୍‌ସାରେ ବସିବା ଏକ ଅମାନୁଷିକ କଥା ବୋଲି ସେ କହିଥାନ୍ତି । ତେଣୁ ଜୀବନରେ ସେ କେବେହେଲ ମଣିଷଟଣା ରିକ୍‌ସାରେ ବସି ନାହାନ୍ତି ।

 

ସେ ମନ୍ତ୍ରୀ ଥିଲାବେଳେ ରାଜ୍ୟରେ ଆଇନ ସଂସ୍କାର ଆଣିବାଲାଗି ଦୃଢ଼ ପଦକ୍ଷେପ ନେଇଥିଲେ । ପୁର୍ବରୁ ଯେଉଁ ଦମନମୂଳକ କଳା ଆଇନମାନ ଥିଲା, ତାହାର ସଂଶୋଧନ କରାଇ ଲୋକହିତକର ଆଇନମାନ ପ୍ରଚଳନ କରାଇଥିଲେ । ସେତେବେଳ ବମ୍ୱେ ରାଜ୍ୟରେ ଇନାମ୍‌ଦାର ଓ ତାଲୁକ୍‌ଦାରମାନେ ନିରୀହ ଚାଷୀମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ତଦ୍ଦ୍ୱାରା ଚାଷୀକୁଳର ଅର୍ଥନୈତିକ ମାନ ଭାଙ୍ଗିପଡ଼ିଥିଲା । ସେମାନଙ୍କୁ ଋଣମୁକ୍ତ କରିବାଲାଗି ଏକ ଆଇନ ପ୍ରଣୟନ କରିବା ପାଇଁ ସେ ପ୍ରସ୍ତାବ ଦେଇଥିଲେ । ତାହା ପୂର୍ବରୁ ଏକ ଅସ୍ଥାୟୀ ଆଦେଶ ବଳରେ ସେ ଜମିଦାରମାନଙ୍କର ଋଣ ଆଦାୟ ବନ୍ଦ କରାଇଥିଲେ । ଫଳରେ ଅତ୍ୟାଚାରୀ ଜମିଦାର ଓ କଂଗ୍ରେସର ବହୁ ସଦସ୍ୟ ଯେଉଁମାନଙ୍କର ମହଜନୀ କାରବାର ଥିଲା, ସେମାନେ ତାଙ୍କର ବିରୁଦ୍ଧାଚରଣ କରିଥିଲେ ଓ ମୋରାର୍‌ଜୀଙ୍କ ପଦକ୍ଷେପ ବିରୁଦ୍ଧରେ ସର୍ଦ୍ଦାର ବଲ୍ଲଭଭାଇଙ୍କ ନିକଟରେ ଅଭିଯୋଗ କରିଥିଲେ । ପରିସ୍ଥିତି ଅନୁଧ୍ୟାନ କରିବା ଲାଗି ସର୍ଦ୍ଦାର ପଟେଲ ପୁନା ଆସି ସବୁ ବିଷୟ ଟିକି ନିଖି ଆଲୋଚନା କରି ମତ ଦେଇଥିଲେ ଯେ ଶାସନ ସଂସ୍କାରରେ ପଦକ୍ଷେପ ଧୀରମନ୍ଥର ହେବା ଉଚିତ । ନୂତନଭାବେ ଦାୟିତ୍ୱ ନେଇଥିବା ମନ୍ତ୍ରୀମଣ୍ଡଳ ତରବର ହୋଇ କୌଣସି ଅନୁସୃତ ନୀତିର ପରିବର୍ତ୍ତନ କଲେ, ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ନ ପାରନ୍ତି । ତେଣୁ ମୋରାର୍‌ଜୀ ସଂସ୍କାର ଆଣିବା ଦିଗରେ ପଦକ୍ଷେପ ନେବାରେ ଟିକିଏ ଧିମେଇ ଯାଇଥିଲେ; କିନ୍ତୁ ସେ ଦିଗରେ ବୀତସ୍ପୃହା ହୋଇ ନ ଥିଲେ । ପରେ ଅବଶ୍ୟ ସେହି ଆଇନ ସାମାନ୍ୟ ସଂଶୋଧିତ ହୋଇ ଲାଗୁ କରାଯାଇଥିଲା ।

 

୧୯୩୧ ମସିହାରେ ହୋଇଥିବା ଗାନ୍ଧି-ଇରୁଇନ୍‌ ଚୁକ୍ତି ଅନୁଯାୟୀ ଯେଉଁମାନେ ଅସହଯୋଗ ଆନ୍ଦୋଳନ ପ୍ରତି ସହାନୁଭୂତି ଦେଖାଇ ଚାକିରୀରୁ ଇସ୍ତଫା ଦେଇଥିଲେ, ସେମାନଙ୍କୁ ପେନସନ୍‌ ଦେବାଲାଗି ଲର୍ଡ଼ ଇରୁଇନ ରାଜି ହୋଇଥିଲେ; କିନ୍ତୁ ତାଙ୍କର ଦାୟାଦ ଲର୍ଡ଼ ଉଇଲିଂଡ଼ନ୍‌ ସେଥିରେ ରାଜି ହେଲେ ନାହିଁ । ତଦ୍ଦ୍ୱାରା ସେ ପୂର୍ବ ସ୍ୱାକ୍ଷରିତ ଚୁକ୍ତି ଭଙ୍ଗ କଲେ । ତା’ପରେ ୧୯୩୨ ମସିହାରେ ଆରମ୍ଭ ହେଲା ସତ୍ୟାଗ୍ରହ । ତେଣୁ ସେ ବିଷୟ ଉପରେ ଆଉ ଗୁରୁତ୍ୱ ଦିଆଯାଇ ନ ଥିଲା; କିନ୍ତୁ ୧୯୩୭ ରେ ମୋରାର୍‌ଜୀ ରାଜସ୍ୱ ମନ୍ତ୍ରୀ ଭାବରେ ଚୁକ୍ତିର ସର୍ତ୍ତ କାର୍ଯ୍ୟକାରୀ କରାଇଥିଲେ । ତଦନୁଯାୟୀ ଯେଉଁ ରାଜସ୍ୱ ଅଫିସରମାନେ ଆନ୍ଦୋଳନରେ ଝାସ ଦେଇଥିଲେ, ସେମାନଙ୍କୁ ପେନ୍‌ସନ୍‌ ମିଳିଥିଲା । ମୋରାର୍‌ଜୀ ଜଣେ ପୂର୍ବତନ ରାଜସ୍ୱ-ଅଫିସର ହିସାବରେ ଟ ୧୫୦ଙ୍କା ଲେଖାଏଁ ପେନ୍‌ସନ୍‌ ପାଇବାର କଥା । ସେଥିଲାଗି ଯେତେବେଳେ ସରକାରୀ ଚିଠି ଆସିଲା, ସେ ତା’ର ଉତ୍ତରରେ ଲେଖିଥିଲେ, ‘‘ମୁଁ ସ୍ୱତଃପ୍ରବୃତ୍ତ ହୋଇ ବିନା ସର୍ତ୍ତରେ କାର୍ଯ୍ୟରୁ ଇସ୍ତଫା ଦେଇଥିଲି । ସେତେବେଳେ କହିଥିଲି ଯେ ଭବିଷ୍ୟତରେ ମୁଁ ଏହି ଇସ୍ତଫା ଜନିତ କୌଣସି ସୁଯୋଗ ନେବି ନାହିଁ । ତେଣୁ ମୁଁ କୌଣସି ପେନ୍‌ସନ୍‌ ପାଇବାକୁ ହକ୍‌ଦାର ନୁହେଁ ।’’ ଯେଉଁମାନେ ସେତେବେଳେ କାର୍ଯ୍ୟରୁ ଇସ୍ତଫା ଦେଇ ପରେ ପୁଣି ଯୋଗଦାନ କରିଥିଲେ ସେମାନଙ୍କର ଚାକିରୀରେ ଅନୁପସ୍ଥିତ ଥିବା ସମୟକୁ ପୁଣି ଚାକିରୀକାଳ ମଧ୍ୟରେ ସାମିଲ କରାଯାଇ ସେମାନଙ୍କର ପଦୋନ୍ନତି କରାଯାଇଥିଲା । ତେଣୁ କର୍ମଚାରୀ ମହଲରେ ମୋରାର୍‌ଜୀ ହୋଇପାରିଥିଲେ ସବୁଠାରୁ ବେଶୀ ପ୍ରିୟ ।

 

ପ୍ରବର୍ତ୍ତିତ ନୀତି ଦୃଷ୍ଟିରୁ ସ୍ଥିର ହେଲା ଯେ ରାଜ୍ୟପାଳ ପ୍ରତ୍ୟେକ ମନ୍ତ୍ରୀମଣ୍ଡଳ ବୈଠକରେ ଅଧ୍ୟକ୍ଷତା କରିବେ; କିନ୍ତୁ ବୈଠକରେ ଯଦି ମନ୍ତ୍ରୀମାନଙ୍କ ମଧ୍ୟରେ ମିତଭିନ୍ନତା ଦେଖାଦିଏ ଓ ରାଜ୍ୟପାଳ ଅଧ୍ୟକ୍ଷ ହିସାବରେ ତାହାର ଫାଇଦା ଉଠାନ୍ତି, ତାହାହେଲେ କୌଣସ ବିଷୟରେ ସିଦ୍ଧାନ୍ତ ନେବାରେ ଅସୁବିଧା ଉପୁଜିବା ସ୍ୱାଭାବିକ । ସେହ ବିଷୟ ଚିନ୍ତା କରି ମୋରାର୍‌ଜୀ ମୁଖ୍ୟମନ୍ତ୍ରୀଙ୍କୁ ଗୋଟିଏ ପତ୍ର ଲେଖି ଜଣାଇଲେ ଯେ ଯଦି କୌଣସି ବୈଠକରେ ଆମ ଭିତରେ ମତପାର୍ଥକ୍ୟ ଦେଖାଦିଏ, ତାହାହେଲେ ରାଜ୍ୟପାଳଙ୍କୁ ସେଥରୁ ଫାଇଦା ଉଠାଇବାକୁ ଆପଣ ସୁଯୋଗ ନ ଦେଇ, ବୈଠକ ମୁଲତବି ରଖିଲେ ଭଲ ହେବ । ମୁଖ୍ୟମନ୍ତ୍ରୀ ସେଥିରେ ରାଜି ହୋଇଯାଇଥିଲେ । ତାପରେ ମୋରାର୍‌ଜୀଙ୍କ ଅନୁରୋଧକ୍ରମେ ପ୍ରତି ବୈଠକ ପୂର୍ବରୁ ମନ୍ତ୍ରୀମାନେ ଏକାଠି ବସି ବୈଠକର କାର୍ଯ୍ୟନିର୍ଘଣ୍ଟ ଆଲୋଚନା କରି ଏକମତ ହେଉଥିବାରୁ ଭବିଷ୍ୟତରେ ରାଜ୍ୟପାଳ ମନ୍ତ୍ରୀମାନଙ୍କ ମତଭିନ୍ନତାଜନିତ ଫାଇଦା ଉଠାଇ ପାରି ନ ଥିଲେ ଓ ମନ୍ତ୍ରୀମଣ୍ଡଳ ବୈଠକ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ଶେଷ ହୋଇଯାଉଥିଲା ।

 

ବମ୍ୱେ ଓ ଅହମଦାବାଦ ସହରରେ ନିଶାନିବାରଣ କରିବାଲାଗି ମନ୍ତ୍ରୀମଣ୍ଡଳ ସ୍ଥିର କଲେ । ସେ ବାବଦରେ ଯାହା ରାଜସ୍ୱ କ୍ଷତି ହେବ, ତାହା ସମ୍ପତ୍ତିକର ବସାଇ ଆଦାୟ କରାଯିବ ବୋଲି ଠିକ୍‌ ହେଲା । ତତ୍‌କାଳୀନ ଅବକାରୀ କମିସନର ନାଇଟ ସାହେବ ତାହାର ବିରୋଧ କରିଥିଲେ ମଧ୍ୟ ମୋରାର୍‌ଜୀଙ୍କ ସକ୍ରିୟ ଉଦ୍ୟମ ଫଳରେ ଦୁଇ ସହରରେ ତାହା ଲାଗୁ କରାଯାଇଥିଲା । ୧୯୩୯ ମସିହା ନଭେମ୍ୱର ୪ ତାରିଖ ଦିନ ଖେର ମନ୍ତ୍ରୀମଣ୍ଡଳ ପୁଣି ଇସ୍ତଫା ଦେଲେ । ସେତେବେଳକୁ ନାଇଟ ସାହେବ ଥାନ୍ତି ରାଜ୍ୟପାଳଙ୍କ ପରାମର୍ଶଦାତା । ସେ ଅହମଦାବାଦ ଆସି ନିଶାନିବାରଣର ଫଳାଫଳ ବିଷୟରେ ଅନୁଧ୍ୟାନ କରି, ତାହା ଶ୍ରମିକ ସମାଜର ଅଶେଷ ମଙ୍ଗଳ କରିପାରିଛି ବୋଲି ରାଜ୍ୟପାଳଙ୍କୁ ଏକ ରିପୋର୍ଟ ଦେଇ ସେଥିରେ ତାଙ୍କର ଭ୍ରମଧାରଣା ସ୍ୱୀକାର କରିଥିଲେ ।

 

ରାଜ୍ୟରେ ସମବାୟ ଆନ୍ଦୋଳନ ସେତେବେଳେ ଥିଲା କେବଳ ଋଣ ଲଗାଣ କରିବାରେ ସୀମାବଦ୍ଧ । ସମବାୟ ମନ୍ତ୍ରୀ ଭାବରେ ମୋରାର୍‌ଜୀ ଶ୍ରୀ ବୈକୁଣ୍ଠଲାଲ ମେହେଟ୍ଟାଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ବସାଇ ବିଶେଷ କରି ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତିକଳ୍ପେ ଆନ୍ଦୋଳନକୁ ବହୁମୁଖୀ କରାଇଥିଲେ । ତାଙ୍କରି ଉଦ୍ୟମରେ ସମବାୟ ଭିତ୍ତିରେ ବିକ୍ରୀବଟା, ଚିନିକଳ, ଇତ୍ୟାଦି ସମ୍ଭବ ହୋଇପାରିଥିଲା । ସେ ବେଶ୍‌ ହୃଦୟଙ୍ଗମ କରିଥିଲେ ଯେ କୃଷକଙ୍କ ମନରେ ଚେତନା ନ ଆସିଲେ ଆଧୁନିକ କୃଷି ବ୍ୟବସ୍ଥା ରାଜ୍ୟରେ କାର୍ଯ୍ୟକାରୀ ହୋଇପାରିବ ନାହିଁ-। ତେଣୁ କୃଷିମନ୍ତ୍ରୀ ଥାଇ ରାଜ୍ୟରେ ବହୁ ଆଦର୍ଶ ଫାର୍ମ ଓ କୃଷି ପ୍ରଦର୍ଶନୀ କ୍ଷେତ୍ର ଖୋଲିବାକୁ ସେ ଅନୁମତି ଦେଇଥିଲେ । କୃଷି କଲେଜରେ ଛାତ୍ରମାନେ କିପରି ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିପାରିବେ ସେଥିଲାଗି ମଧ୍ୟ ସେ କୃଷି କଲେଜର ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିଥିଲେ ।

Image

 

ବ୍ୟକ୍ତିଗତ ସତ୍ୟାଗ୍ରହ ଓ ଭାରତ ଛାଡ଼ ଆନ୍ଦୋଳନ

 

ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଲା ପରେ ମୋରାର୍‌ଜୀ ଅହମଦାବାଦକୁ ଫେରିଆସି ନିଜ ଭାଇମାନଙ୍କ ସହିତ କିଛିଦିନ ପାଇଁ ସେଠାରେ ଅବସ୍ଥାନ କଲେ । ସେତେବେଳ ସର୍ଦ୍ଦାର ପଟେଲ ଥା’ନ୍ତି ପ୍ରଦେଶ କଂଗ୍ରେସ କମିଟିର ସଭାପତି । ମୋରାର୍‌ଜୀ କଂଗ୍ରେସ କମିଟିର ସମ୍ପାଦକ ରୂପେ ପୁଣି ଥରେ ନିର୍ବାଚିତ ହେଲେ । କଂଗ୍ରେସ କର୍ମୀମାନଙ୍କୁ ଅନୁପ୍ରାଣିତ କରି ଦଳର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାଲାଗି ସେ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରିଥିଲେ । ଗସ୍ତ ସମୟରେ ବହୁ ଲୋକଙ୍କ ସମ୍ପର୍କରେ ଆସି ସେ ଜାଣିପାରିଥିଲେ ଯେ ମନ୍ତ୍ରୀମଣ୍ଡଳର ଇସ୍ତଫା ଲୋକଙ୍କ ମନରେ ଏକ ସୁସ୍ଥ ପ୍ରଭାବ ପକାଇପାରିଛି ।

 

୧୯୪୦ ମସିହାରେ ବିହାରର ରାମଗଡ଼ଠାରେ କଂଗ୍ରେସର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେଲା । ସେତେବେଳକୁ କଂଗ୍ରେସର ସଭାପତି ଥା’ନ୍ତି ମୌଲାନା ଆବୁଲ୍‌ କାଲାମ୍‌ ଆଜାଦ । ବାଲାସହେବଙ୍କ ସହିତ ମୋରାର୍‌ଜୀ ଅଧିବେଶନରେ ଯୋଗ ଦେଇଥିଲେ । ଭୀଷଣ ବର୍ଷା ଓ ଝଡ଼ ଯୋଗୁଁ ଅଳ୍ପ ସମୟ ମଧ୍ୟରେ ଅଧିବେଶନ ସମାପିତ ହୋଇଥିଲା ।

 

ଦ୍ୱିତୀୟ ମହାଯୁଦ୍ଧକୁ ଭାରତବାସୀ ସମର୍ଥନ କରୁ ନ ଥିଲେ । ଲୋକପ୍ରତିନିଧିଙ୍କ ଅନିଚ୍ଛା ସତ୍ତ୍ୱେ ବ୍ରିଟିଶ ସରକାର ଭାରତକୁ ଯୁଦ୍ଧ ସହିତ ସଂପୃକ୍ତ କରିଥିଲେ । ତାହାର ପ୍ରତିବାଦ କରି ଦେଶର ସମସ୍ତ କଂଗ୍ରେସ ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଇଥିଲେ ମଧ୍ୟ ତାହା କେନ୍ଦ୍ର ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇପାରି ନ ଥିଲା । ତେଣୁ ନେତୃବୃନ୍ଦ ଆଲୋଚନା କରି ସ୍ଥିର କଲେ ଯେ ନିଖିଳ ଭାରତ କଂଗ୍ରେସ କମିଟିର ଗୋଟିଏ ଜରୁରୀ ଅଧିବେଶନ ଡାକିବା ଲାଗି । ତଦନୁଯାୟୀ ସେହି ଅଧିବେଶନ ସେହି ବର୍ଷ ଜୁଲାଇ ମାସରେ ପୁନାଠାରେ ବସିଲା । ସେଥିରେ ସ୍ଥିର ହେଲା ସେ ଯଦି ବ୍ରିଟିଶ ସରକାର ଭାରତକୁ ସ୍ୱରାଜ ଦେବାକୁ ରାଜି ହୁଅନ୍ତି, ତାହାହେଲେ, ଭାରତ ଯୁଦ୍ଧରେ ତାଙ୍କ ସହିତ ସହଯୋଗ କରିବ; କିନ୍ତୁ ଗାନ୍ଧିଜୀ ଏହି ପ୍ରସ୍ତାବର ବିରୋଧ କଲେ । ତାଙ୍କୁ ସମର୍ଥନ କରିଥିଲେ ମାତ୍ର ଦୁଇ, ତିନି ଜଣ ନେତୃସ୍ଥାନୀୟ ବ୍ୟକ୍ତି; କିନ୍ତୁ ସାଧାରଣ ସଭ୍ୟଙ୍କ ସମର୍ଥନରେ ପ୍ରସ୍ତାବଟି ଅଧିବେଶନରେ ପାଶ୍‌ ହୋଇଯାଇଥିଲା । ସର୍ଦ୍ଦାର ପଟେଲ ପ୍ରସ୍ତାବର ସମର୍ଥନ କରି କହିଥିଲେ ଯେ ପ୍ରସ୍ତାବ ପ୍ରତି ଗାନ୍ଧିଜୀଙ୍କ ବିରୋଧ ଯଥାର୍ଥ, କାରଣ ତାହା ତାଙ୍କ ଆଦର୍ଶର ପରିପନ୍ଥୀ ହୋଇପାରେ; କିନ୍ତୁ ତାଙ୍କ ପରି ବ୍ୟକ୍ତି ଯେଉଁମାନେ ଗାନ୍ଧିଜୀଙ୍କ ସ୍ତରରେ ପହଞ୍ଚି ପାରିନାହାନ୍ତି, ସେମାନେ କୌଣସି ନିର୍ଦ୍ଦିଷ୍ଟ ସର୍ତ୍ତରେ ବ୍ରିଟେନ୍‌କୁ ଯୁଦ୍ଧରେ ସହଯୋଗ କରିବାକୁ ଆଗଭର ହେବା ସ୍ୱାଭାବିକ ।

 

ପ୍ରଥମ ଥର ପାଇଁ ଏହିଠାରେ ସର୍ଦ୍ଦାର ପଟେଲ ଓ ଗାନ୍ଧିଜୀଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା । ଅଧିବେଶନର ଦ୍ୱିତୀୟ ପ୍ରସ୍ତାବ ଥିଳା ଯେ ସରକାର ନିଜ କ୍ଷମତାବଳରେ ଲୋକଙ୍କର ସମ୍ମତି ନ ନେଇ ଦେଶକୁ ମହାଯୁଦ୍ଧରେ ସଂପୃକ୍ତ କରିଥିବାରୁ ତାହାର ପ୍ରତିବାଦ ସ୍ୱରୂପ ବ୍ୟକ୍ତିଗତ ସତ୍ୟାଗ୍ରହ ଆରମ୍ଭ ହେବ । ସେହି ପ୍ରସ୍ତାବ ଗୃହୀତ ହେବା ସଙ୍ଗେ ସଙ୍ଗେ ସେଥିପାଇଁ କାର୍ଯ୍ୟନିର୍ଘଣ୍ଟ ମଧ୍ୟ ତିଆରି ହୋଇଥିଲା । ଗାନ୍ଧିଜୀ ସର୍ବପ୍ରଥମେ ଓ ତାଙ୍କ ପରେ ଯଥାକ୍ରମେ ବିନୋବା ବାଭେ, ଜବାହରଲାଲ ନେହେରୁ ସତ୍ୟାଗ୍ରହ କରି କାରାବରଣ କରିଥିଲେ । ତା ପରେ ସର୍ଦ୍ଦାର ପଟେଲ ଓ ମୋରାର୍‌ଜୀ ଇତ୍ୟାଦି ସତ୍ୟାଗ୍ରହ କରି କାରାବରଣ କଲେ । ମୋରାର୍‌ଜୀଙ୍କୁ ସେଥିଲାଗି ୧୯୪୦ ମସିହା ନଭେମ୍ୱର ଠାରୁ ୧୯୪୧ ମସିହା ଅକ୍ଟୋବର ମାସ ପର୍ଯ୍ୟନ୍ତ କାରାଦଣ୍ଡ ଭୋଗିବାକୁ ପଡ଼ିଥିଲା । ପ୍ରଥମେ ତାଙ୍କୁ ସାବରମତୀ ଜେଲରେ ରଖାଯାଇଥିଲା । ସେଠାରେ ତାଙ୍କ ସହ ଜେଲରେ ଥିଲେ ଶ୍ରୀ ମାଭଲଙ୍କର ।

 

ଖାଦ୍ୟପେୟଗତ ଅବ୍ୟବସ୍ଥା ଯୋଗୁଁ କ୍ରମେ ତାଙ୍କର ହଜମଶକ୍ତି କମିବାକୁ ଲାଗିଲା । ଦୁଧ କିମ୍ୱା ଦହି କିଛି ସେ ହଜମ କରିପାରିଲେ ନାହିଁ । ସେଥିଲାଗି ସେ କୌଣସି ଔଷଧ ନ ଖାଇ ପ୍ରାକୃତିକ ଚିକିତ୍ସା ମତେ ଦହି ଓ ଦୁଧ ସମାନଭାବେ ମିଶାଇ ଖାଇବାରୁ ତାଙ୍କର ହଜମଶକ୍ତି ବୃଦ୍ଧିପାଇଥିଲା । କିଛିଦିନ ପରେ ତାଙ୍କୁ ସାବରମତୀ ଜେଲ୍‌ରୁ ଜର୍ଭଦା ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା । ସେହି ଜେଲରେ ସର୍ଦ୍ଦାର ପଟେଲ ବାଲାସାହେବ ଖେର୍‌, ବୁଲାଭାଇ ଦେଶାଇ, କେ ଏମ୍‌ ମୁନସୀ ଇତ୍ୟାଦି ଆଗରୁ ରହିଥିଲେ । ମୋରାର୍‌ଜୀ ସେଠାରେ ପହଞ୍ଚିବା ପରେ ପରସ୍ପର ମଧ୍ୟରେ ନିୟମିତ କଂଗ୍ରେସର ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହେଉଥିଲା । ଖାଦ୍ୟପେୟର ଅବ୍ୟବସ୍ଥା ଯୋଗୁଁ ସେଠି ମଧ୍ୟ ସର୍ଦ୍ଦାର ପଟେଲ ପେଟ ବେମାରିରେ ଆକ୍ରାନ୍ତ ହୋଇପଡ଼ିଥିଲେ । ବୟସରେ ଜ୍ୟେଷ୍ଠ ଓ ରୋଗାକ୍ରାନ୍ତ ଥାଇ ମଧ୍ୟ ସେ ପ୍ରତ୍ୟହ ସକାଳୁ ଉଠି ଅନ୍ତେବାସୀଙ୍କ ପାଇ ଚା’ ତିଆରି କରି ନିଜେ ନେଇ ଦେଇଆସୁଥିଲେ । ସମସ୍ତେ ଗୋଟିଏ ପରିବାରର ସଭ୍ୟ ଭାବରେ ସେଠି ଚଳୁଥିଲେ ।

 

୧୯୩୨-୩୩ ମସିହାରେ ଗାନ୍ଧିଜୀ ଯେତେବେଳେ ସେହି ଜେଲରେ ଥିଲେ, ଜେଲ୍‌ ହତାରେ ସେ ଗୋଟିଏ ଆମ୍ୱଗଛ ଲଗାଇଥିଲେ । ମୋରାର୍‌ଜୀ ବନ୍ଧୁମାନଙ୍କ ସହିତ ପ୍ରତିଦିନ ସନ୍ଧ୍ୟାରେ ସେହି ଗଛତଳେ ପ୍ରାର୍ଥନା କରୁଥିଲେ । ସର୍ଦ୍ଦାର ପଟେଲ ଜେଲ୍‌ରୁ ପଳାଇଯିବାକୁ ଧମକ ଦେବାରୁ ଜେଲର ତାଙ୍କୁ ଓ ତାଙ୍କ ସହକର୍ମୀମାନଙ୍କୁ ଖଟ ଓ ଚୌକି, ଟେବୁଲ ଆଦି ଯୋଗାଇଥିଲେ ଓ ଖାଇବା ପିଇବାର ଯତ୍ନ ନେଇଥିଲେ । କାରଣ ପଟେଲ୍‌ ସେତେବେଳକୁ ଜଣେ ଉଗ୍ରବାଦୀ ନେତା ଭାବରେ ସମଗ୍ର ଦେଶରେ ହୋଇଥାନ୍ତି ପରିଚିତ । ଅନ୍ୟ କେହି ସେପରି ଧମକ ଦେଇଥିଲେ ତାଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ନିଶ୍ଚୟ ଦଣ୍ଡବିଧାନ କରିଥା’ନ୍ତେ । ସେ ଯାହାହେଉ ଏହି ଜେଲ୍‌ ଜୀବନରେ ଏକାସଙ୍ଗରେ ରହିବାର ସୁଯୋଗ ମିଳିବାରୁ ମୋରାର୍‌ଜୀଙ୍କ ଉପରେ ପଟେଲ୍‌ଙ୍କର ପ୍ରଭୂତ ପ୍ରଭାବ ପଡ଼ିଥିଲା ।

 

ଗାନ୍ଧିଜୀ ବ୍ୟକ୍ତିଗତ ସତ୍ୟାଗ୍ରହ ପ୍ରତ୍ୟାହାର କରିନେବାରୁ କଂଗ୍ରେସ ନେତାମାନଙ୍କୁ ଜେଲ୍‌ରୁ ଖଲାସ କରିଦିଆଯାଇଥିଲା । ତାପରେ ମୋରାର୍‌ଜୀ ଅହମଦାବାଦ ଫେରିଯାଇ ପୁଣି କଂଗ୍ରେସ ସଂଗଠନରେ ଲାଗିପଡ଼ିଥିଲେ । ନେତାମାନଙ୍କର କାରାବରଣ ସତ୍ତ୍ୱେ ବ୍ରିଟିଶ ସରକାରଙ୍କର ମତିଗତି ବଦଳି ନ ଥିଲା । ତେଣୁ ଗାନ୍ଧିଜୀଙ୍କ ସମେତ ସର୍ଦ୍ଦାର ପଟେଲ ଅଧିକ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚିନ୍ତା କଲେ । ତାହା ଆଲୋଚନା କରିବାଲାଗି ବର୍ଦ୍ଦୋଳିଠାରେ କଂଗ୍ରେସର କାର୍ଯ୍ୟନିର୍ବାହିକା କମିଟି ଆହୂତ ହେଲା । ସଭ୍ୟମାନେ ବ୍ୟକ୍ତିଗତ ସତ୍ୟାଗ୍ରହକୁ ଏକମାତ୍ର ଉପଯୁକ୍ତ ପନ୍ଥା ବୋଲି ମତ ଦେଲେ । ତେଣୁ ତାହାକୁ ପରିବର୍ତ୍ତନ କରି ନୂତନ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ପାରିଲା ନାହିଁ; କିନ୍ତୁ ସର୍ଦ୍ଦାର ପଟେଲ ସେଥିରେ ଅସନ୍ତୁଷ୍ଟ ହୋଇ ସେହି ବର୍ଦ୍ଦୋଳିଠାରେ ଗୁଜୁରାଟ ପ୍ରଦେଶ କମିଟିର ଏକ ଅଧିବେଶନ ଡାକିଲେ; କିନ୍ତୁ କମିଟିର ସମ୍ପାଦକ ମୋରାର୍‌ଜୀ ପୂର୍ବ ପ୍ରସ୍ତାବର ପରିବର୍ତ୍ତନରେ ରାଜି ହେଲେ ନାହିଁ । ସେ କହିଲେ–‘‘ପୁନାଠାରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଆମରି ଦ୍ୱାରା ସମର୍ଥିତ ହୋଇ ଗୃହୀତ ହୋଇଛି । ବର୍ତ୍ତମାନ ବ୍ରିଟିଶ ସରକାର ଏହା ଉପରେ ଗୁରୁତ୍ୱ ଦେଉନାହାନ୍ତି ବୋଲି ଆମେ ଅଧର୍ଯ୍ୟ ହୋଇ ସ୍ଥିରୀକୃତ ପଦ୍ଧତିର ହଠାତ୍‌ ପରିବର୍ତ୍ତନ କରିବା ଉଚିତ ନୁହେଁ । ସମୟ ଆସିବ ଏହି ବ୍ୟକ୍ତିଗତ ସତ୍ୟାଗ୍ରହ ବ୍ରିଟିଶ ସରକାରଙ୍କ ଉପରେ ନିଶ୍ଚିତଭାବେ ପ୍ରଭାବ ପକାଇବ ।’’ ତାଙ୍କ ସହିତ କମିଟିର ଅଧିକାଂଶ ସଭ୍ୟ ଏକମତ ହେଲେ; କିନ୍ତୁ ସର୍ଦ୍ଦାର ପଟେଲଙ୍କ ସମେତ ଆଉ କେତେକ ସଭ୍ୟ ସେଥିରେ ରାଜି ହେଲେ ନାହିଁ ।

 

ପରିସ୍ଥିତି କ୍ରମେ ଅଶୋଭନୀୟ ହେବାକୁ ଲାଗିଲା । ଗାନ୍ଧିଜୀ ମଧ୍ୟ ସେତେବେଳେ ବର୍ଦ୍ଦୋଳିଠାରେ ଅବସ୍ଥାନ କରୁଥାନ୍ତି । ପଟେଲ ସମସ୍ତ ସଭ୍ୟଙ୍କୁ ଗାନ୍ଧିଜୀଙ୍କ ପାଖକୁ ନେଇ ସେମାନଙ୍କର ମତପାର୍ଥକ୍ୟ କଥା କହିଲେ । ଗାନ୍ଧିଜୀ ଟିକିଏ ବ୍ୟସ୍ତ ହୋଇ ମୋରାର୍‌ଜୀଙ୍କୁ କହିଲେ–‘‘ଆମ୍ଭେମାନେ ଏ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛେ, ତାହା ଉପଯୁକ୍ତ ମନେ ହେଉନାହିଁ । ପୁଣି ମୁଁ ଯେଉଁ ଶିଢ଼ିରେ ଚଢ଼ିବାକୁ ଯାଉଛି, ତାହାକୁ ତୁମେ ତଳୁ ଠେଲିଦେବାକୁ ଯାଉଛ ।’’ ମୋରାର୍‌ଜୀ ଖୁବ୍‌ ନମ୍ରଭାବେ ଗାନ୍ଧିଜୀଙ୍କୁ କହିଲେ—‘‘ଆପଣ ଯେଉଁ ପ୍ରସ୍ତାବରେ ମୋତେ ରାଜି ହେବାକୁ କହିବେ, ମୁଁ ସେଥିରେ ନିଶ୍ଚୟ ରାଜି ହେବି । ଆପଣଙ୍କ ଆଦେଶ କେତେ ମୁଁ ଅବମାନନା କରିନାହିଁ କି କରିବି ନାହିଁ । କମିଟି ମିଟିଂରେ ମୁଁ କେବଳ ମୋର ମତ ଓ ଯୁକ୍ତି ବାଢ଼ିଛି ମାତ୍ର ।’’ ବାପୁଜୀ ମୋରାର୍‌ଜୀଙ୍କ ମତାମତ ଶୁଣିବାକୁ ଚାହିଁବାରୁ ସେ କହିଥିଲେ—‘‘ଆପଣ ଯେଉଁ ସତ୍ୟ ଓ ଅହିଂସା ମନ୍ତ୍ର ଆମକୁ ଦେଇଛନ୍ତି, ତାହା ପ୍ରତି ମୋର ପୂର୍ଣ୍ଣ ଆସ୍ଥା ରହିଛି; କିନ୍ତୁ ଆପଣଙ୍କ ପରି ମୁଁ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିପାରି ନାହିଁ । ସେଥିପାଇଁ ମୋ ମନରେ ଉପଯୁକ୍ତ ଶକ୍ତିର ଅଭାବ ରହିଛି । ଯଦି ଦୁର୍ବଳ ଓ ଅସିଦ୍ଧ ମନ ନେଇ କହେ ଯେ ମୁଁ ସତ୍ୟ ଓ ଅହିଂସାର ଜଣେ ସିଦ୍ଧ ପୂଜାରୀ, ତାହା ହେଲେ ମୁଁ ଅସତ୍ୟର ଅନୁସରଣ କରିବି । ଆପଣ କହୁଛନ୍ତି ଯେ ସତ୍ୟ ଓ ଅହିଂସା ବଳରେ ହିଁ ଆମକୁ ସ୍ୱରାଜ ପ୍ରାପ୍ତି ହେବ । ସେପରି କହିବାକୁ ମୁଁ ମଧ୍ୟ ଏ ପର୍ଯ୍ୟନ୍ତ ନୈତିକ ବଳ ହାସଲ କରିନାହିଁ । ମୋର ସୀମିତ ସାହସ ଓ ବଳନେଇ ମୁଁ କହିଛି ଯେ ପୁନାରେ ଗୃହୀତ ହୋଇଥିବା ପ୍ରସ୍ତାବହିଁ ଉପଯୁକ୍ତ । ଆପଣ ସବୁବେଳେ ମତ ଦେଇ ଆସିଛନ୍ତି ଯେ ସ୍ୱରାଜ ପ୍ରାପ୍ତି ପରେ ଦେଶରେ କୌଣସି ସେନାବାହିନୀର ପ୍ରୟୋଜନ ନାହିଁ; କିନ୍ତୁ ମୋର ବିଶ୍ୱାସ ଯେ ସ୍ୱାଧିନତା ପ୍ରାପ୍ତି ପରେ ବିନା ସେନାବାହିନୀରେ ଦେଶ ଚଳି ପାରିବ ନାହିଁ । ଏଥିରେ ବୋଧହୁଏ ମୋ ସହିତ ଅଧିକାଂଶ ଦେଶବାସୀ ଏକମତ ହେବେ । ଅବଶ୍ୟ ଯଦି ସେ ସମୟରେ ଲୋକେ ଅହିଂସା ଉପରେ ଆସ୍ଥା ରଖିବେ, ସେନାବାହିନୀ ରଖିବାର ପ୍ରଶ୍ନ ଉଠି ନ ପାରେ । ତେଣୁ ମୋର ମତ ଯେ ଭାରତୀୟ ସମାଜରେ ଲୋକଶକ୍ତି ଦୃଷ୍ଟିରୁ ପୁନା ପ୍ରସ୍ତାବ ହିଁ ବେଶ୍‌ ଉପଯୁକ୍ତ । ଏହି ପରିପ୍ରେକ୍ଷୀରେ ଆପଣ ଦୟାପୂର୍ବକ ମୋତେ ନିର୍ଦ୍ଦେଶ ଦିଅନ୍ତୁ ଏହି ପ୍ରସ୍ତାବକୁ ମୁଁ ସମର୍ଥନ କରିବି ନା ବିରୋଧ କରିବି ?’’

 

ଗାନ୍ଧିଜୀ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ ଯେ ତୁମେ ବିବେଚନା କରି ଯାହାକୁ ଠିକ ବୋଲି ଭାବୁଛ, ସେହି ପନ୍ଥା ଅନୁସରଣ କର । ତାପରେ କାର୍ଯ୍ୟନିର୍ବାହିକା କମିଟିର ସଭ୍ୟମାନଙ୍କ ମତାମତ ଜାଣିବା ଲାଗି ଭୋଟ ନିଆଯାଇଥିଲା । ସଭ୍ୟଙ୍କ ମଧ୍ୟରୁ ମାତ୍ର ଚାରି ଜଣ ପନ୍ଥା ପରିବର୍ତ୍ତନ ସପକ୍ଷରେ ଭୋଟ ଦେଇଥିଲେ । ମୋରାର୍‍ଜୀ ବିଷୟରେ ଭୋଟ ଦେଇ ନିଜ ଅବିଚଳ ନୀତିର ପରିଚୟ ଦେଇଥିଲେ ।

 

ତାପରେ ପ୍ରଦେଶ କଂଗ୍ରେସ କମିଟିର ଅଧିବେଶନ ବସିଲା । ଗାନ୍ଧିଜୀ ସେଥିରେ ଉପସ୍ଥିତ ରହି ଭୋଟଦ୍ୱାରା ସଭ୍ୟମାନଙ୍କର ମତ ଜାଣିବାକୁ ଚାହିଁଥିଲେ । ସେ ସଭ୍ୟମାନଙ୍କୁ ପ୍ରଥମେ ପ୍ରଶ୍ନ କରିଥିଲେ ଯେ ଯେଉଁମାନେ ସତ୍ୟ ଓ ଅହିଂସା ଉପାୟରେ ସ୍ୱରାଜ ଚାହାନ୍ତି ଓ ଯେଉଁମାନେ ବିଦେଶୀଶକ୍ତିକୁ ସାହାଯ୍ୟ କରି ସ୍ୱରାଜ ପାଇବାକୁ ଚାହାଁନ୍ତି, ପୃଥକ ଭାବେ ସେମାନେ ହାତ ଟେକି ନିଜନିଜର ମତବ୍ୟକ୍ତ କରନ୍ତୁ । ପ୍ରଥମ ପନ୍ଥାରେ ବିଶ୍ୱାସ କରୁଥିବା ୨୭ ଜଣ ସଭ୍ୟ ହାତଟେକି ତାଙ୍କର ସମ୍ମତି ଦେଇଥିଲେ; କିନ୍ତୁ ଦ୍ୱିତୀୟ ପନ୍ଥାକୁ ସମର୍ଥନ କରିଥିଲେ ମୋରାର୍‌ଜୀଙ୍କ ସମତେ ୫୫ ଜଣ ସଭ୍ୟ । ଆଉ ୨୮ ଜଣ ସଭ୍ୟ ଭୋଟ ଦେଇ ନ ଥିଲେ । ତେଣୁ ପୁନାଠାରେ ଗୃହୀତ ହୋଇଥିବା ପ୍ରସ୍ତାବ କାଏମ୍‌ ରହିଥିଲା ।

 

ସେତେବେଳକୁ ଦ୍ୱିତୀୟ ମହାଯୁଦ୍ଧ ଘମାଘୋଟ ଚାଲିଥାଏ । ଜର୍ମାନୀ ଯୁଦ୍ଧରେ ହେଉଥାଏ ଜୟଯୁକ୍ତ । ସୁଭାଷ ବୋଷ ଦେଶ ଛାଡ଼ି ପଳାଇଯାଇ ଦକ୍ଷିଣ ପୂର୍ବ ଏସିଆରେ ବସବାସ କରୁଥିବା ଭାରତୀୟମାନଙ୍କୁ ନେଇ ଗଢ଼ିଥାନ୍ତି ଭାରତୀୟ ଜାତୀୟ ଫଉଜ । ସେହି ଆଜାଦହିନ୍ଦ୍‌ ବାହିନୀ ସାହାଯ୍ୟରେ ଦେଶରୁ ଗୋରାମାନଙ୍କୁ ତଡ଼ିବା ଲାଗି ସେ କରୁଥାନ୍ତି ଦୁଃସାହସିକ ଉଦ୍ୟମ । ସୀମାନ୍ତରେ ଜାପାନର ଆକ୍ରମଣ ଯୋଗୁଁ ଭାରତବାସୀ ସେ ସମୟରେ ହୋଇପଡ଼ିଥାନ୍ତି ବିବ୍ରତ ଓ ଆଶଙ୍କିତ । ତେଣୁ ଲୋକଙ୍କ ମନରେ ସାହସ ଓ ଉତ୍ସାହ ଭରିଦେବା ଲାଗି ଗାନ୍ଧିଜୀ ତାଙ୍କ ଶେଷ ଅସ୍ତ୍ର ‘ଭାରତ ଛାଡ଼ ଆନ୍ଦୋଳନ’ ଆରମ୍ଭ କରିବାକୁ ସ୍ଥିର କଲେ । ସର୍ଦ୍ଦାର ପଟେଲ ସେହି ପ୍ରସ୍ତାବକୁ ସମର୍ଥନ କଲେ । ଗାନ୍ଧିଜୀ ପ୍ରଚାର କଲେ ଯେ ଯେଉଁମାନେ ଏହି ଆନ୍ଦୋଳନରେ ଯୋଗ ଦେବେ, ସେମାନେ ସେମାନଙ୍କ ନିର୍ଦ୍ଧାରିତ ପନ୍ଥାରେ କାମ କରିଯିବେ । ଏଥିରେ ମୋରାର୍‍ଜୀ ଏକମତ ହୋଇ ନ ଥିଲେ । ସେ ଆଶଙ୍କା କରିଥିଲେ ଯେ ଏହି ଆନ୍ଦୋଳନ ଦ୍ୱାରା ସତ୍ୟ ଓ ଅହିଂସାର ମାର୍ଗ ଅବହେଳିତ ହେବ ଓ ଯେ ଯାହା ମନକୁ ହିଂସା ପ୍ରଣୋଦିତ ହୋଇ କାମ କରିବେ । ମୋରାର୍‍ଜୀଙ୍କର ଏପରି ମତଭିନ୍ନତା ଦେଖି ସର୍ଦ୍ଦାର ପଟେଲ ତାଙ୍କୁ ବାପୁଙ୍କ ସହତି ସାକ୍ଷାତ କରବା ଲାଗି ବମ୍ୱେ ଯିବାକୁ କହିଲେ । ସେ ବମ୍ୱେ ଯାଇ ବାପୁଙ୍କ ସହିତ ତାଙ୍କ ଆଶଙ୍କା ବିଷୟରେ ଖୋଲାଖୋଲି ଆଲୋଚନା କଲେ । ବାପୁଜୀ ସବୁବେଳେ କୌଣସି ନୂତନା ପନ୍ଥା ଗ୍ରହଣ କରିବା ପୂର୍ବରୁ ସେ ବିଷୟରେ ସହଯୋଗୀମାନଙ୍କଠାରୁ ଯୁକ୍ତିମୂଳକ ଆଲୋଚନା ସ୍ୱାଗତ କରୁଥିଲେ । ଆଲୋଚନାବେଳେ ମୋରାର୍‍ଜୀ ତାଙ୍କୁ କହିଥିଲେ ଯେ ସେ ଭାରତଛାଡ଼ ଆନ୍ଦୋଳନରେ ତାଙ୍କ ସହିତ ଏକମତ ନୁହନ୍ତି । ଅନିର୍ଦ୍ଦିଷ୍ଟ କାଳ ପାଇଁ ଶ୍ରମିକମାନଙ୍କର ଧର୍ମଘଟ, ସରକାରୀ କର୍ମଚାରୀମାନଙ୍କର ଚାକିରୀ ଛାଡ଼, ଟିକସ ବାସନ୍ଦ ଇତ୍ୟାଦି ଲାଗି ଏହି ଆନ୍ଦୋଳନ ଜରିଆରେ ସେ ଯେଉଁ ଆହ୍ୱାନ ଦେବେ, ତାହା ସ୍ଥାୟୀ ଭାବେ କାର୍ଯ୍ୟକାରୀ ହୋଇପାରିବ ନାହିଁ । ଉଦାହରଣ ଦେଇ ସେ କହିଥିଲେ ଯେ ତାଙ୍କ ଦ୍ୱାରା ଅହମଦାବାଦଠାରେ ଗଢ଼ାଯାଇଥିବା ଶ୍ରମିକ ଇଉନିୟନର ଧର୍ମଘଟ ଯେତେ ଉତ୍ସାହ ଉଦ୍ଦୀପନା ଦେଲେ ମଧ୍ୟ ତିନିମାସରୁ ଅଧିକ ଚାଲିପାରି ନ ଥିଲା । ବାପୁଜୀଙ୍କୁ ସେ ପୁଣି ବୁଝାଇ କହଥିଲେ ଯେ ଏହିୁ ଯୁଦ୍ଧ ଗୋରାସରକାରଙ୍କ ପକ୍ଷରେ ଏକ ଜୀବନ ମରଣ ସମସ୍ୟା । ଏଥିରେ ପରାସ୍ତ ହେଲେ ବିଶ୍ୱ ମାନଚିତ୍ରରୁ ବ୍ରିଟେନ୍‌ ସମୂଳେ ଲୋପ ପାଇଯିବ । ଏହି ପରିପ୍ରେକ୍ଷୀରେ ଭାରତର ବିନା ସାହାଯ୍ୟରେ ଗୋରା ସରକାର ଯୁଦ୍ଧରେ ଆଗେଇପାରିବେ ନାହିଁ ।

 

ଏହିପରି ବହୁ ସମୟ ଆଲୋଚନା ହେଲା ପରେ ଗାନ୍ଧିଜୀ ମୋରାର୍‌ଜୀଙ୍କୁ କହିଲେ ଯେ ଆନ୍ଦୋଳନର ଫଳ ସ୍ୱରୂପ ଦେଶରେ ଅଶାନ୍ତି ସୃଷ୍ଟି ହୋଇ ପାରେ; କିନ୍ତୁ ସେଥିରେ ଆମେ ବିବ୍ରତ ହେବା ଉଚିତ ନୁହେଁ, ବରଂ ମନରେ ଅଶାନ୍ତି ସୃଷ୍ଟି ହେଲେ ଲୋକ ଇପ୍‌ସିତ ଲକ୍ଷ୍ୟ ଲାଗି ଜୀବନ ଉତ୍ସର୍ଗ କରିବାକୁ ହେଳା କରିବେ ନାହିଁ ।

 

ଏପରି ଯୁକ୍ତିବାଢ଼ିବା ସତ୍ତ୍ୱେ ସେ ବାପୁଜୀଙ୍କ ଆହ୍ୱାନକୁ କେବେ ଅବମାନନା କରିବେ ନାହିଁ ବୋଲି ଜଣାଇ ଦେଇଥିଲେ । ମୋରାର୍‌ଜୀଙ୍କ ସହିତ ପ୍ରସ୍ତାବିତ ଆନ୍ଦୋଳନର ରୂପରେଖ ବିଷୟରେ ବିଶଦ୍‌ ଆଲୋଚନା କଲା ପରେ ଗାନ୍ଧିଜୀ ଆନ୍ଦୋଳନକୁ ଦୁଇ ମାସ ଲାଗି ସ୍ଥଗିତ ରଖିଥିଲେ । ତାପରେ ୧୯୪୨ ମସିହା ଅଗଷ୍ଟ ୮ ତାରିଖରେ ନିଖିଳ ଭାରତ କଂଗ୍ରେସ ଅଧିବେଶନ ଅନୁଷ୍ଠିତ ହେଲା । ସେଥିରେ ଭାରତଛାଡ଼ ଆନ୍ଦୋଳନ ପ୍ରସ୍ତାବ ଗୃହୀତ ହୋଇ ଯାଇଥିଲା । ତାପରେ ବାପୁଜୀଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ଆରମ୍ଭ ହେଲା ଗୋରା ସରକାରଙ୍କ ବିରୁଦ୍ଧରେ ଶେଷ ସଂଗ୍ରାମ । ସରକାର ମଧ୍ୟ ସେହି ଆନ୍ଦୋଳନର ସମ୍ମୁଖୀନ ହେବାଲାଗି ପୂର୍ବରୁ ପ୍ରସ୍ତୁତ ହୋଇ ଯାଇଥିଲେ । ଫଳରେ ବାପୁଜୀଙ୍କ ସମେତ ବହୁ ନେତା କାରାବରଣ କଲେ । ମୋରାର୍‌ଜୀ ମଧ୍ୟ ବାପୁଜୀଙ୍କ ଏକାନ୍ତ ଆଜ୍ଞାବହ ରୂପ ସେହି ଆନ୍ଦୋଳନରେ ଝାସ ଦେଇ କାରାବରଣ କରିଥିଲେ ।

 

ଭାରତର ତୁଙ୍ଗ ନେତାମାନଙ୍କୁ ବିଭିନ୍ନ ଜେଲରେ ଅଟକ ରଖାଗଲା । ଗାନ୍ଧିଜୀ ଓ ମହାଦେବ ଦେଶାଇଙ୍କୁ ରଖାଗଲା ପୁନାସ୍ଥିତ ଆଗାଖାଁ ପ୍ରସାଦରେ । ଅନ୍ୟମାନଙ୍କୁ ଜର୍ଭଦା ଜେଳକୁ ନିଆଯାଇ ଗୋଟିଏ ବଡ଼ କୋଠରୀ ମଧ୍ୟରେ ରଖାଯିବାର ବ୍ୟବସ୍ଥା ହେଲା । ମୋରାର୍‌ଜୀ ସମସ୍ତଙ୍କ ସଙ୍ଗରେ ସେହି କୋଠରୀରେ ରହିବାକୁ ମନା କରିଦେଲେ । ସେ କହିଲେ—‘‘ମୋତେ ଯଦି ସ୍ୱତନ୍ତ୍ର କୋଠରୀ ନ ଦିଆଯାଏ, ତାହାହେଲେ ମୁଁ କୌଣସି ଖାଦ୍ୟପେୟ ଗ୍ରହଣ କରିବି ନାହିଁ । ତହୁଁ ଜେଲ କର୍ତ୍ତୃପକ୍ଷ ତାଙ୍କ ସହିତ ସେହି ଜେଲକୁ ଯାଇଥିବା ବାଲାସାହେବ ଖେର୍‌, ଏସ୍‌.କେ ପଟିଲ୍‌ ଓ ଜି ଜି. ମେହେଟା ଇତ୍ୟାଦିଙ୍କ ପାଇଁ ସ୍ୱତନ୍ତ୍ର କୋଠରୀର ବ୍ୟବସ୍ଥା କଲେ । ପ୍ରଥମ ଦିନ ସେମାନଙ୍କ କୋଠରୀଗୁଡ଼ିକୁ ବାହାରୁ ତାଲାବନ୍ଦ କରିଦିଆଯାଇଥିଲା । ମୋରାର୍‌ଜୀ ଜେଲ୍‌ ସୁପରିଣ୍ଟଡ଼େଣ୍ଟଙ୍କୁ ସାକ୍ଷାତ କରି ତାହାର ପ୍ରତିବାଦ କରିଥିଲେ । ସେ କହିଥିଲେ ଯେ ରାଜନୈତିକ ବନ୍ଦୀଙ୍କୁ ବାହାରୁ ତାଲାବନ୍ଦ କରି ରଖିବା ନୀତିବହିର୍ଭୂତ କାର୍ଯ୍ୟ । କାଳେ ବନ୍ଦୀମାନେ ଖସି ପଳାଇବେ ସେଥିଯୋଗୁଁ ସେମାନଙ୍କୁ ବାହାରୁ ତାଲାବନ୍ଦ କରି ରଖିବାକୁ କର୍ତ୍ତୃପକ୍ଷଙ୍କଠାରୁ ନିର୍ଦ୍ଦେଶ ଆସିଛି ବୋଲି ସୁପରିଣ୍ଟେଡ଼େଣ୍ଟ ଜଣାଇଥିଲେ ।

 

ସେହି ଜେଲରେ ଥିବା ସୁପରିଣ୍ଟେଡ଼େଣ୍ଟ କର୍ଣ୍ଣେଲ ଭଣ୍ଡାରୀଙ୍କ ସହିତ ମୋରାର୍‌ଜୀଙ୍କର ଆଗରୁ ପରିଚୟ ଥିଲା । କାରଣ ୧୯୩୨-୩୩ ମସିହାରେ ସେ ଯେତେବେଳେ ନାସିକ ଜେଲରେ ବନ୍ଦୀଥିଲେ, ଭଣ୍ଡାରୀ ଥିଲେ ସେହି ଜେଲର ସୁପରିଣ୍ଟେଡ଼େଣ୍ଟ । ସେ ଯାହାହେଉ ମୋରାର୍‌ଜୀଙ୍କ ପ୍ରତିବାଦ ଫଳରେ କୋଠରୀଗୁଡ଼ିକରେ ଆଉ ତାଲାବନ୍ଦ କରାଯାଇ ନ ଥିଲା ।

 

ତାପରେ କ୍ରମେ କ୍ରମେ ଭାରତଛାଡ଼ ଆନ୍ଦୋଳନ ସମଗ୍ର ଦେଶରେ ବାତ୍ୟା ବେଗରେ ବ୍ୟାପିଗଲା । ବ୍ରିଟିଶ୍‌ ବିରୋଧ ମନୋଭାବର ହେଲା ଅଭୂତପୂର୍ବ ବିସ୍ଫୋରଣ । ଚାରିଆଡ଼େ ଲୁଟ୍‌ତରାଜ, ଦଙ୍ଗାହେଙ୍ଗାମ ଲାଗି ରହିଲା । ଏହି ଆନ୍ଦୋଳନ ଆରମ୍ଭ ପୂର୍ବରୁ ମୋରାର୍‌ଜୀ ବାପୁଙ୍କୁ ଯାହା କହିଥିଲେ ତାହାହିଁ ହେଲା ସତ । ଚାରିଆଡ଼େ ହିଂସାର ବହ୍ନୀ ଜଳି ଉଠିଲା । ବାପୁଜୀ ଅନିର୍ଦ୍ଦିଷ୍ଟ କାଳପାଇଁ ଅନଶନ କରିବାକୁ ଧମକ ଦେଲେ । ତାହା ଜାଣି ସମସ୍ତେ ଭୟଭୀତ ହୋଇ ପଡ଼ିଥିଲେ । ପରିସ୍ଥିତି ଦୃଷ୍ଟିରୁ ତାଙ୍କ ତାହା ନ କରିବାକୁ କଂଗ୍ରେସ ନେତାମାନେ ଅନୁରୋଧ କରିଥିଲେ; କିନ୍ତୁ ବାପୁଜୀ ତାଙ୍କ ପ୍ରତିଜ୍ଞାରେ ରହିଲେ ଅଟଳ । ସେ ୨୧ ଦିନ ବ୍ୟାପୀ ଅନଶନ କଲେ । ତାଙ୍କ ଅବସ୍ଥା ଅତି ଶୋଚନୀୟ ହୋଇ ପଡ଼ିଲା । ଅନଶନ ଆରମ୍ଭ ପୂର୍ବରୁ ତାଙ୍କ ଅନ୍ତରଙ୍ଗ ବନ୍ଧୁ ମହାଦେବ ଦେଶାଇଙ୍କର ଆଗାଖାଁ ପ୍ରାସାଦରେ ଦେହାନ୍ତ ହେଲା । ସେ ୧୯୧୬ ମସିହାରୁ ବାପୁଜୀଙ୍କ ଅନ୍ତରଙ୍ଗ ରୂପେ କାର୍ଯ୍ୟକରି ଆସିଥିଲେ । ସବୁ କ୍ଷେତ୍ରରେ ସେ ଥିଲେ ତାଙ୍କର ବ୍ୟକ୍ତିଗତ ସହାୟକ ।

 

ଜେଲରେ ଅବସ୍ଥାନ କାଳରେ ମୋରାର୍‌ଜୀ ପ୍ରତ୍ୟହ ରାତି ଚାରିଟାରୁ ଉଠି ପାଞ୍ଚଟା ପର୍ଯ୍ୟନ୍ତ ଗୀତାପାଠ କରୁଥିଲେ । ୧୯୩୪ ମସିହାରୁ ଗୀତାର ସମସ୍ତ ଶ୍ଳୋକ ତାଙ୍କର ମୁଖସ୍ତ ଥିଲା-। ଛ’ଟାରୁ ସାଢ଼େ ଛ’ଟା ମଧ୍ୟରେ ଲୁଗାପଟା ସଫା ଓ ଗାଧୁଆ ପାଧୁଆ ଶେଷ କରୁଥିଲେ । ତା ପରେ ସେ ପତ୍ରପତ୍ରିକା ପଢ଼ୁଥିଲେ ଓ ସୂତା କାଟୁଥିଲେ । ସାମୟିକ କୋରାନ-ପାଠ ମଧ୍ୟ ଅଭ୍ୟାସ କରୁଥିଲେ । ତାଙ୍କ ମତରେ କୋରାନ ଅନୁଯାୟୀ ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି । ମହମ୍ମଦ ମଧ୍ୟ ଥିଲେ ଅହିଂସାର ପୂଜାରୀ । ଜେଲରେ ଥିବା ବନ୍ଧୁ ନୁରୀଙ୍କ ସାହାଯ୍ୟରେ ସେ ଉର୍ଦ୍ଦୁଭାଷା ଶିକ୍ଷା କରିଥିଲେ ଓ ମହାକବି ଗ୍ୟାଲିବ୍‌ଙ୍କ କବିତା ସଂକଳନ ପଢ଼ିଥିଲେ । ବହୁ ବନ୍ଧୁଙ୍କର ସମ୍ପର୍କରେ ଆସିବା ଦ୍ୱାରା ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ସ୍ଥୂଳ ଜ୍ଞାନ ଅଜର୍ନ କରିବାର ସୁଯୋଗ ତାଙ୍କୁ ମିଳିଥିଲା ।

 

ନାସିକ ଜେଲରେ ମୋରାର୍‌ଜୀଙ୍କ ଅନ୍ୟତମ ଅନ୍ତରଙ୍ଗ ବନ୍ଧୁ ମଙ୍ଗଳଦାସ ପକ୍ୱାସାଙ୍କ ସ୍ୱାସ୍ଥ୍ୟ ଅତି ଖରାପ ହୋଇ ପଡ଼ିବାରୁ ତାଙ୍କୁ ବମ୍ୱେର ହରକିସାନ ଦାସ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଗଲା । ତାଙ୍କ ସ୍ୱାସ୍ଥ୍ୟର ଅବସ୍ଥା ଦେଖ ଡାକ୍ତରମାନେ କହିଲେ ଯେ ସେ ଆଉ ବେଶୀଦିନ ବଞ୍ଚିବେ ନାହିଁ । ପକ୍ୱାସା ମଧ୍ୟ ମୋରାର୍‌ଜୀଙ୍କୁ ଦେଖିବାକୁ ଖବର ଦେଲେ; କିନ୍ତୁ ସେ ଜେଲ୍‌ରୁ ଯିବେ କିପରି ତାହାହିଁ ହେଲା ଏକ ସମସ୍ୟା । କାରଣ କାରାବକାଶ (ପ୍ୟାରୋଲ)ରେ ଯିବାକୁ ହେଲେ ଯେଉଁ ଚୁକ୍ତିନାମା ଦେବାକୁ ହୋଇଥାଏ, ତାହା ସେ ଦେବାକୁ ପସନ୍ଦ କରିନଥିଲେ । ତେଣୁ ଜେଲ୍‌ର ଇନିସ୍‌ପେକ୍ଟର ଜେନେରାଲଙ୍କୁ ବିନା ଚୁକ୍ତିନାମାର ଦୁଇ ତିନିଦିନ ପାଇଁ ତାଙ୍କୁ ଛାଡ଼ିବାକୁ ସେ ଅନୁରୋଧ କଲେ । ତଦନୁଯାୟୀ ତାଙ୍କୁ ତିନିଦିନ ପାଇଁ ଛୁଟି ମିଳିଥିଲା । ବମ୍ୱେଯାଇ ଛୁଟିଦିନ ଯାକ ସେ ଡାକ୍ତର ଖାନାରେ ରହି ପକ୍ୱାସାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେଇଥିଲେ ଓ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଫେରି ଆସିଥିଲେ ଜେଲ୍‌କୁ ।

 

୧୯୪୫ ମସିହା ମଧ୍ୟ ଭାଗରେ ଦ୍ୱିତୀୟ ମହାଯୁଦ୍ଧର ଅବସାନ ଘଟିଲା । ନେତାମାନଙ୍କୁ ଜେଲ୍‌ରୁ ଖଲାସ କରି ଦିଆଗଲା । ମୋରାର୍‌ଜୀ ପୁଣି କର୍ମକ୍ଷେତ୍ର ଫେରି ଆସିଥିଲେ-

Image

 

Unknown

ମନ୍ତ୍ରୀତ୍ୱର ଦ୍ୱିତୀୟ ପର୍ଯ୍ୟାୟ

 

ପୂର୍ବରୁ ବମ୍ୱେରାଜ୍ୟର ଜଣେ ପ୍ରତିଷ୍ଠିତ ମନ୍ତ୍ରୀ ଓ ପରେ ୧୯୪୧ରୁ ୧୯୪୫ ପର୍ଯ୍ୟନ୍ତ ଜେଲରେ ଏକାଠି ରହିବା ଫଳରେ ବାଲାସାହେବ ଖେର୍‌ଙ୍କ ସହିତ ତାଙ୍କ ନିବିଡ଼ ବନ୍ଧୁତା ସ୍ଥାପିତା ହୋଇ ପାରିଥିଲା ଓ ଉଭୟ ଉଭୟଙ୍କର ହୋଇ ପାରିଥିଲେ ନିକଟତମ । ନେତାମାନେ ଜେଲ୍‌ରୁ ଖଲାସ ହେଲା ପରେ ରାଜ୍ୟ ଓ କେନ୍ଦ୍ରରେ ଲୋକପ୍ରିୟ ସରକାର ଗଠନ ପାଇଁ ୧୯୪୬ରେ ଗୋରା ସରକାର ଅନୁମତି ଦେଲେ । ସେହି ବର୍ଷ ଦ୍ୱିତୀୟ ଥର ପାଇଁ ବମ୍ୱେରେ ମନ୍ତ୍ରୀମଣ୍ଡଳ ଗଠନ କରାଗଲା । ମୋରାର୍‌ଜୀ ସେଥିରେ ଦ୍ୱିତୀୟ ସ୍ଥାନ ପାଇ ଘରୋଇ ବିଭାଗ ଦାୟିତ୍ୱରେ ରହିଲେ । ଯଦିଓ ସହକାରୀ ମୁଖ୍ୟମନ୍ତ୍ରୀ ଭାବରେ ତାଙ୍କୁ ନାମିତ କରାଯାଇ ନ ଥିଲା, ତଥାପି ସେ ଖେରଙ୍କର ସହକାରୀ ହିସାବରେ ସମସ୍ତ କାର୍ଯ୍ୟ କରୁଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ତାଙ୍କୁ ଘର ମିଳିଥିଲା ଓ ପ୍ରାୟ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଉଭୟ ଏକାଠି ବସି ସରକାର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଆଲୋଚନା କରୁଥିଲେ । ବାଲାସାହେବ ଥିଲେ ଜଣେ ସରଳ, ନିଃସ୍ୱାର୍ଥପର, ନମ୍ର ଓ ନିରାଡ଼ମ୍ୱର ବ୍ୟକ୍ତି । କୌଣସି ଜଟିଳ ସମସ୍ୟା ଉପସ୍ଥିତ ହେଲେ ମୋରାର୍‍ଜୀଙ୍କ ବିନା ସହାୟତାରେ ସେ ତା’ର ସମ୍ମୁଖୀନ ହେଉ ନ ଥିଲେ ।

 

ମୋରାର୍‍ଜୀ ଘରୋଇ ମନ୍ତ୍ରୀ ଥିଲାବେଳେ ପ୍ରତିମନ୍ତ୍ରୀଙ୍କ ବାସଭବନରେ ସାପ୍ତାହିକ ମନ୍ତ୍ରୀମଣ୍ଡଳ ବୈଠକ ବସିବାର ବ୍ୟବସ୍ଥା କରିଥିଲେ । କେହି କାହାର ବନ୍ଧୁବାନ୍ଧବଙ୍କୁ ଚାକିରୀ କ୍ଷେତ୍ରରେ ଯେପରି ସାହାଯ୍ୟ ନ କରନ୍ତି ତାହା ଦେଖିବା ଲାଗି ମୁଖ୍ୟମନ୍ତ୍ରୀ ମୋରାର୍‍ଜୀଙ୍କୁ ଦାୟିତ୍ୱ ଦେଇଥିଲେ । ତେଣୁ ସେ ସମ୍ୱନ୍ଧରେ ସରକାରଙ୍କୁ ସମାଲୋଚନା କରିବାର ସୁଯୋଗ କେହି ପାଉ ନ ଥିଲେ । ଏପରିକି ସ୍ୱୟଂଚାଳିତ ସଂସ୍ଥାର କାର୍ଯ୍ୟକଳାପରେ ସରକାରଙ୍କ ହସ୍ତକ୍ଷେପକୁ ମୋରାର୍‌ଜୀ ପସନ୍ଦ କରୁ ନ ଥିଲେ । ଥରେ ପବ୍ଳିକ୍‌ ସର୍ଭିସ୍‌ କମିସନ୍‌ କୌଣସି ଜଣେ ଅଫିସରଙ୍କ ନିଯୁକ୍ତି ବିଷୟରେ ସିଦ୍ଧାନ୍ତ ନ ନେଇପାରି, କ’ଣ କରାଯିବ, ଜାଣିବା ଲାଗି ଘରୋଇ ମନ୍ତ୍ରୀଙ୍କ ମତାମତ ଚାହିଁଥିଲେ; କିନ୍ତୁ ମୋରାର୍‍ଜୀ ସେ ବିଷୟରେ କୌଣସି ମତାମତ ଦେବାକୁ ମନା କରିଦେଇଥିଲେ । ଏହା ତାଙ୍କ ସୁସ୍ଥ ଶାସନ ପରମ୍ପରାର ଗୋଟିଏ ନମୁନା । ନିଜ ପରିବାରର କୌଣସି ସଭ୍ୟ ଶାସନ କ୍ଷେତ୍ରରେ ଯେପରି ପ୍ରଭାବ ବିସ୍ତାର ନ କରନ୍ତି, ସେଥିପ୍ରତି ସେ ଥିଲେ ପୂର୍ଣ୍ଣ ସଜାଗ ।

 

ଘରୋଇ ମନ୍ତ୍ରୀ ଦାୟିତ୍ୱରେ ରହି ସେ ରାଜ୍ୟର ବହୁ ସମସ୍ୟା ସମାଧାନ କରାଇଥିଲେ । ଭୂସଂସ୍କାର, କୃଷକମାନଙ୍କ ଲାଗି ତଗାବି ଓ ସମବାୟ ଋଣ ବ୍ୟବସ୍ଥା, ଗୋତି (ହାଲିସ୍‌) ପ୍ରଥା ବନ୍ଦ, ଏକାଧିକ ସ୍ତ୍ରୀ ବିବାହ ବନ୍ଦ, ଚାଷଜମିର ଏକତ୍ରୀକରଣ ଲାଗି ଆଇନ୍‌ ପ୍ରଣୟନ, ଜେଲ୍‌ ପରିଚାଳନାରେ ସଂସ୍କାର ଇତ୍ୟାଦି ତାହାର ଉଦାହରଣ ।

 

ସେହି ବର୍ଷ ସେପ୍ଟେମ୍ବର ମାସରେ ମୁସଲିମ୍‌ ଲିଗ୍‌ର ସଭାପତିଙ୍କ ଆହ୍ୱାନକ୍ରମେ ଏକ ସ୍ୱତନ୍ତ୍ର ମୁସଲିମ୍‌ ରାଷ୍ଟ୍ର—ପାକିସ୍ଥାନ ଗଠନ ଲାଗି ବମ୍ୱେ, ଅହମଦାବାଦ ଓ ବଙ୍ଗଳାର ବହୁସ୍ଥାନରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ହେଲା । ସେତେବେଳେ ମୋରାର୍‍ଜୀ ପୁନାଠାରେ ଅବସ୍ଥାନ କରୁଥାନ୍ତି । ଗାନ୍ଧିଜୀ ମଧ୍ୟ ସେତେବେଳେ ରହୁଥାନ୍ତି ପୁନାଠାରେ । ସାମ୍ପ୍ରଦାୟିକ ଗଣ୍ଡଗୋଳ ସମ୍ୱାଦ ଶୁଣି ଗାନ୍ଧିଜୀ ମୋରାର୍‍ଜୀଙ୍କୁ ଡକାଇ ପଠାଇଲେ । ତଦନୁଯାୟୀ ସେ ତାଙ୍କୁ ସାକ୍ଷାତ କଲେ । ଗାନ୍ଧିଜୀ କହିଲେ—‘‘ତୁମେ ଶୀଘ୍ର ଅହମଦାବାଦ ଯାଇ ପରିସ୍ଥିତିର ମୁକାବିଲା କର । ମନେରଖ ତୁମର ଜୀବନ ଯାଉ ପଛକେ ପୁଲିସ୍‌ କିମ୍ୱା ସୈନ୍ୟବାହିନୀର ସାହାଯ୍ୟ ନେବ ନାହିଁ । ମୁଁ ଚିନ୍ତା କରି, ଯାହା ଠିକ୍‌ ମନେ କରିବି ସେହି ପନ୍ଥା ଅନୁସରଣ କରିବି ।’’ ବାପୁଙ୍କ ଆଜ୍ଞା ପାଇ ମୋରାର୍‍ଜୀ ସଙ୍ଗେ ସଙ୍ଗେ ଅହମଦାବାଦ ଯାତ୍ରା କରିଥିଲେ; କିନ୍ତୁ ହିନ୍ଦୁ ମୁସଲମାନ ଏହି ଦୁଇ ସମ୍ପ୍ରଦାୟ ମଧ୍ୟରେ ବୁଝାମଣା ଆଣିବେ କିପରି ? ଏହି ଚିନ୍ତାରେ ସେ ହୋଇପଡ଼ିଥିଲେ ବିବ୍ରତ । ସେ ଅବଶ୍ୟ ମୃତ୍ୟୁକୁ ଡରୁ ନ ଥିଲେ; କିନ୍ତୁ ତାଙ୍କ ମୃତ୍ୟୁଫଳରେ ସାମ୍ପ୍ରଦାୟିକ ଅଶାନ୍ତି ଯେ ପ୍ରଶମିତ ହେବ, ସେ ବିଷୟରେ ସେ ଥିଲେ ସନ୍ଦିହାନ । ତାହା ସତ୍ତ୍ୱେ ବାପୁଜୀଙ୍କ ଆଜ୍ଞା ପାଳନ କରିବାରେ ସେ ପଛେଇ ନ ଥିଲେ ।

 

ଅହମଦାବାଦଠାରେ ପହଞ୍ଚିବା ମାତ୍ରେ ସହରର କୌଣସି ସ୍ଥାନରେ ୧୪୪ ଧାରା ଜାରି ନ କରିବାକୁ ସେ ଆଦେଶ ଦେଇଥିଲେ । ତହିଁଆରଦିନ ସକାଳୁ ସରକାରୀ ଅଫିସର ଓ ସମାଜ ସଂଗଠକମାନଙ୍କ ସହିତ ସେ ସହର ପରିକ୍ରମା କରିଥିଲେ । ସେଦିନ ସେ ସହରସାରା ବୁଲି ଉଭୟ ସମ୍ପ୍ରଦାୟ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଉତ୍ତେଜନା ସୃଷ୍ଟି ନ କରିବା, ହିଂସାରୁ ବିରତ ହେବା ଲାଗିଚ ସେମାନଙ୍କୁ ବାରମ୍ୱାର ବୁଝାଇଥିଲେ । ଫଳରେ ସେଦିନ ରାତିରେ ଗଣ୍ଡଗୋଳ ସାମାନ୍ୟ କମିଯାଇଥିଲା । ତହିଁଆରଦିନ ମଧ୍ୟ ସେ ଅନୁରୂପ କାର୍ଯ୍ୟପନ୍ଥା ଗ୍ରହଣ କଲେ-। ୧୪୪ ଧାରା ଜାରି ନ ହେବାରୁ ସହରବାସୀ ମୁକ୍ତ ଭାବରେ ବୁଲାଚଲା କରେ ଓ କ୍ରମେ ଲୋକଙ୍କ ମନରୁ ଭୟ ଦୂରୀଭୂତ ହେଲା; କିନ୍ତୁ ରାଜ୍ୟର ଘରୋଇ ମନ୍ତ୍ରୀଙ୍କୁ ବାପୁଜୀ ଏପରି ନିର୍ଦ୍ଦେଶ ଦେଇଥିବାରୁ ତାହାଙ୍କୁ ଅନେକ ଶାସନ ମର୍ଯ୍ୟାଦା ଦୃଷ୍ଟିରୁ ନାପସନ୍ଦ କରିଥିଲେ । ମୋରାର୍‍ଜୀ ଅବଶ୍ୟ ତାହାକୁ ଶାସନପଦ୍ଧତିର ପରିପନ୍ଥୀ ବୋଲି ଭାବି ନ ଥିଲେ ।

 

ଦୁଇ ଦିନ ମଧ୍ୟରେ ଦଳଗତ ଦଙ୍ଗାହେଙ୍ଗାମ ଯଥେଷ୍ଟ କମିଯାଇଥିଲେ ମଧ୍ୟ କିଛିଦିନଯାଏ ସହରରେ କାଁ ଭାଁ ଗୋଳମାଳ ଲାଗିରହିଥିଲା । କେତେକ ହିନ୍ଦୁ ସମ୍ପ୍ରଦାୟର ଲୋକେ ଶୋଭାଯାତ୍ରାରେ ମୋରାର୍‍ଜୀଙ୍କ କୁଶପୁତ୍ତଳି ନେଇ ଦାହ କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ମୋରାର୍‍ଜୀ ଘରୋଇ ମନ୍ତ୍ରୀ ହିସାବରେ ମୁସଲ୍‌ମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଅକ୍ଷମ ହୋଇଛନ୍ତି । ସେ ବିଷୟ ସେମାନେ ସର୍ଦ୍ଦାରପଟେଲଙ୍କୁ ମଧ୍ୟ ଜଣାଇଥିଲେ । ପଟେଲ ମୋରାର୍‍ଜୀଙ୍କୁ କହିଲେ ଯେ ପରିସ୍ଥିତିର ଦୃଢ଼ ମୁକାବିଲା କରିବା ଉଚିତ ଥିଲା । ସେ ତାହା ନ କରିଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ଜନ୍ମିଛି । ମୋରାର୍‍ଜୀ କହିଲେ ଯେ ସେ କଂଗ୍ରେସର ନୀତି ଓ ବାପୁଜୀଙ୍କ ନିର୍ଦ୍ଦେଶ ମତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଅଛନ୍ତି-। ନିଜେ ଯାଇ ଅହମଦାବାଦ ବୁଲି ପରିସ୍ଥିତି ଅନୁଧ୍ୟାନ କରିବାକୁ ସେ ତାଙ୍କୁ ଅନୁରୋଧ କରିଥିଲେ; କିନ୍ତୁ ପଟେଲ ତାଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ତାପରେ ସେ ସହରର କଂଗ୍ରେସର ନେତାମାନଙ୍କୁ ଭେଟି ତାଙ୍କର ନେଇଥିବା ପଦକ୍ଷେପ ନ୍ୟାୟସଙ୍ଗତ ଓ ସମୟୋପଯୋଗୀ ହୋଇଛି କି ନାହିଁ ବୁଝାଇଥିଲେ । ଯେଉଁମାନେ ସାମ୍ପ୍ରଦାୟିକ ସଂକୀର୍ଣ୍ଣତା ନେଇ ପରିସ୍ଥିତିକୁ ଅଧିକ ଜଟିଳ କରିବାରେ ସହାୟକ ହେଉଛନ୍ତି, ସେମାନଙ୍କୁ ସେ ମୁହାଁମୁହିଁ ଧମକ ଦେଇ କହିଥିଲେ ଯେ ସେମାନେ ଯଦି ତାହା ବନ୍ଦ ନ କରନ୍ତି ତାହାହେଲେ ସେମାନଙ୍କୁ ସେ ଜେଲ୍‌ ଦଣ୍ଡ ଦେବାକୁ ବାଧ୍ୟ ହେବେ; କିନ୍ତୁ ତାଙ୍କୁ ଯଦି ସେମାନେ ଅପାରଗ ବୋଲି ପ୍ରମାଣ କରିପାରିବେ, ତାହାହେଲେ ସେ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ । ବହୁ ଆଲୋଚନା ପରେ ସେମାନେ ଆଉ ପରିସ୍ଥିତିକୁ ଜଟିଳ କଲାଭଳି କାର୍ଯ୍ୟ କରିବେ ନାହିଁ ବୋଲି ପ୍ରତିଜ୍ଞା କରିଥିଲେ । ମୋରାର୍‍ଜୀ ମାତ୍ର ଗୋଟିଏ ସପ୍ତାହ ଅହମଦାବାଦରେ ରହି ତାଙ୍କ ପୂର୍ବ ଅନୁସୃତ କାର୍ଯ୍ୟପନ୍ଥାବଳରେ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ପୂର୍ଣ୍ଣଭାବେ ଆୟତ୍ତ କରିପାରିଥିଲେ ।

 

ତାପରେ ବମ୍ୱେ ସହରରେ ସେହି ପ୍ରକାର ସାମ୍ପ୍ରଦାୟିକ ଗଣ୍ଡଗୋଳ ଆରମ୍ଭ ହେଲା । ମୋରାର୍‍ଜୀ ଦୃଢ଼ ପଦକ୍ଷେପ ନେଇଥିଲେ ମଧ୍ୟ ପୂରାମାତ୍ରାରେ ତାହା ଆୟତ୍ତାଧୀନ ହୋଇପାରିଲା ନାହିଁ । କାଁ ଭାଁ ଗୋଳମାଳ ଲାଗି ରହିଲା । ସେ ପୋଲିସ କମିସନରଙ୍କୁ ଡାକି କହିଲେ—‘‘ଯଦି ଏହି ଗଣ୍ଡଗୋଳ ଶୀଘ୍ର ବନ୍ଦ ନ ହୁଏ, ତାହାହେଲେ ତୁମେ ତୁମ ଦାୟିତ୍ୱ ଚଳାଇବାରେ ଅପାରଗ ବୋଲ ମୁଁ ଧରିନେବି ।’’ କିନ୍ତୁ କମିସନର ସାହେବ କହିଲେ ଯେ ବମ୍ୱେ ଭଳି ଏକ ବିରାଟ ସହରରେ ହଠାତ୍‌ ଗଣ୍ଡଗୋଳ ବନ୍ଦ କରିବା ତାଙ୍କ ପକ୍ଷରେ ଅସମ୍ଭବ । ତାହାଶୁଣି ମୋରାର୍‌ଜୀ ବିଚଳିତ ହୋଇପଡ଼ିଥିଲେ । କମିସନରଙ୍କର ଅପାରଗତା ଜାଣି ସେ ରାଜ୍ୟପାଳଙ୍କୁ ସ୍ୱାକ୍ଷର କରି ତାଙ୍କୁ କାର୍ଯ୍ୟରୁ ବିତାଡ଼ିତ କରିବା ଲାଗି କହିଥିଲେ; କିନ୍ତୁ ରାଜ୍ୟପାଳ ସେଥିରେ ରାଜି ହୋଇ ନ ଥିଲେ । ମୋରାର୍‌ଜୀ ତାଙ୍କ ଜିଦରେ ରହିଥିଲେ ଅଟଳ । ହଠାତ୍‌ ରାଜ୍ୟପାଳ ଛୁଟିରେ ଯିବାରୁ ତାଙ୍କ ସ୍ଥାନରେ ଅସ୍ଥାୟୀ ରାଜ୍ୟପାଳ କାର୍ଯ୍ୟଭାର ଗ୍ରହଣ କଲେ । ସେ ମଧ୍ୟ କମିସନରଙ୍କୁ ବଦଳି କରିବାକୁ ରାଜି ହେଲେ ନାହିଁ । ଶେଷରେ ମୋରାର୍‌ଜୀ ତାଙ୍କୁ କହିଲେ ସେ ଯଦି କମିସନରଙ୍କ ବଦଳିରେ ଅଧିକ କାଳକ୍ଷେପ କରାଯାଏ, ସେ ବାଧ୍ୟ ହୋଇ ମନ୍ତ୍ରୀତ୍ୱରୁ ଇସ୍ତଫା ଦେବେ । ପରିସ୍ଥିତି ଅଧିକ ଜଟିଳ ହେବ ଭାବି ରାଜ୍ୟପାଳ ଉପାୟହୀନ ହୋଇ କମିସନରଙ୍କୁ କାର୍ଯ୍ୟରୁ ଅବସର ଦେଇଥିଲେ । ତାପରେ ନବନିଯୁକ୍ତ କମିସନର ମୋରାର୍‌ଜୀଙ୍କ ନିର୍ଦ୍ଦେଶକ୍ରମେ ସାତ ଦିନ ମଧ୍ୟରେ ଗଣ୍ଡଗୋଳ ବନ୍ଦ କରିବାରେ ହୋଇଥିଲେ ସକ୍ଷମ ।

 

ଏହି ସାମ୍ପ୍ରଦାୟିକ ଗଣ୍ଡଗୋଳ ବନ୍ଦ କରିବା ପାଇଁ ମୋରାର୍‌ଜୀ ନିଜ ତରଫରୁ ବିଭିନ୍ନ ପଦକ୍ଷେପ ନେଇଥିଲେ । ମନ୍ତ୍ରୀମଣ୍ଡଳ ଦାୟିତ୍ୱ ନେଲାବେଳେ ଫାଶୀ ପ୍ରଥା ଉଠାଇଦେବା ଲାଗି ସେ ମନସ୍ଥ କରିଥିଲେ; କିନ୍ତୁ ସାମ୍ପ୍ରଦାୟିକ ଗଣ୍ଡଗୋଳ ଦୃଷ୍ଟରୁ ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା । ବରଂ ମୋରାର୍‌ଜୀ ଏହି ଗଣ୍ଡଗୋଳରେ ଯେଉଁମାନେ ନିରୀହ ଲୋକଙ୍କୁ ମାରିବେ ତାଙ୍କ ପ୍ରତି ଏହି ଦଣ୍ଡ ଲାଗୁ ହେବ ବୋଲି ଆଇନ ପ୍ରଣୟନ କରାଇଥିଲେ । ଯେଉଁ ଅଞ୍ଚଳରେ ଏହି ଅପ୍ରୀତିକର ଘଟଣା ଘଟିବ, ସେହି ଅଞ୍ଚଳର ଲୋକମାନଙ୍କ ଉପରେ ପଚାଶ ହଜାରରୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏହାଦ୍ୱାରା ସେହି ଅଞ୍ଚଳର ଲୋକେ ତାହା ଯେପରି ନ ଘଟିବ ସେ ଦିଗରେ ସହଯୋଗ କରିଥିଲେ । ଯେଉଁମାନେ ଆସନ୍ତା ଦୁଇ ବର୍ଷଯାଏ ତାଙ୍କ ଅଞ୍ଚଳରେ ଆଉ ଦଙ୍ଗାହେଙ୍ଗାମ ଘଟିବ ନାହିଁ ବୋଲି ପ୍ରତିଜ୍ଞା ପତ୍ର ଲେଖି ଦେଉଥିଲେ ସେମାନଙ୍କୁ ଜୋରିମାନା ବାବଦକୁ ଆଦାୟ ହେଉଥିବା ଟଙ୍କା ଅଞ୍ଚଳର ସର୍ବସାଧାରଣଙ୍କ ଉନ୍ନତି ଦିଗରେ ଖର୍ଚ୍ଚ କରିବା ଲାଗି ଫେରାଇ ଦିଆଯାଉଥିଲା ।

 

୧୯୪୭ରେ ଭାରତ ଭାଗ ଭାଗ ହେଲା । ବହୁ ମୁସଲ୍‌ମାନ୍‌ ପାକିସ୍ଥାନ ପଳାଇଗଲେ ଓ ଶିଖ ସମ୍ପ୍ରଦାୟର ଲୋକେ ଭାରତକୁ ଫେରି ଆସିଲେ । ସେହି ଅବସରରେ ହିନ୍ଦୁ-ମୁସଲମାନ୍‌ ଓ ଶିଖ ସମ୍ପ୍ରଦାୟ ମଧ୍ୟରେ ଉତ୍ତର ଭାରତରେ ଗଣ୍ଡଗୋଳ ଘନେଇ ଉଠିଥିଲା; କିନ୍ତୁ ପୂର୍ବରୁ ମୋରାର୍‌ଜୀଙ୍କ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ବମ୍ୱେ ରାଜ୍ୟରେ ସେପରି କିଛି ଅପ୍ରିତିକର ଘଟଣା ଘଟି ନ ଥିଲା । ପଞ୍ଜାବ ଓ ବିହାର ଇତ୍ୟାଦି ରାଜ୍ୟର କେତେ ଜଣ ହିନ୍ଦୁ ନେତା ମୋରାର୍‌ଜୀଙ୍କୁ ସାକ୍ଷାତ କରି ଅନୁରୋଧ କରିଥିଲେ ଯେ ବମ୍ୱେ ସହରର ସବୁ ମୁସଲମାନଙ୍କୁ ବାଧ୍ୟତାମୂଳକ ଭାବେ ପାକିସ୍ଥାନ ପଠାଇବା ଲାଗି ସେ ବନ୍ଦୋବସ୍ତ କରନ୍ତୁ; କିନ୍ତୁ ସେ ତାହାକୁ ଏକ ଅଶୋଭନୀୟ ପଦକ୍ଷେପ କହି ସେମାନଙ୍କୁ ଫେରାଇ ଦେଇଥିଲେ । ଗଣ୍ଡଗୋଳ ସମୟରେ କେହି ଅସ୍ତ୍ର ଶସ୍ତ୍ର ନେଇ ବାହାରକୁ ଯାଇ ପାରିବେ ନାହିଁ ବୋଲି ସେ ରାଜ୍ୟରେ ନିର୍ଦ୍ଦେଶନାମା ଜାରି କରିଥିଲେ । ପଞ୍ଜାବୀମାନଙ୍କର କୃପାଣ ବେଶ ଭୂଷାର ଅଙ୍ଗୀଭୂତ ହୋଇଥିବାରୁ, ସେମାନେ ତାହାର ପ୍ରତିବାଦ କରିଥିଲେ, କିନ୍ତୁ ମୋରାର୍‌ଜୀ ନିଜ ସିଦ୍ଧାନ୍ତରେ ରହିଥିଲେ ଅଟଳ ।

 

ଧର୍ମଘଟ ଓ ସାମ୍ପ୍ରଦାୟିକ ଗଣ୍ଡଗୋଳ ଇତ୍ୟାଦିର ମୁକାବିଲା କରିବାଲାଗି ପୋଲିସ ବାହିନୀ ବହୁକ୍ଷେତ୍ରରେ ଅପାରଗ ହେବାରୁ ଓ ଜନସାଧାରଣଙ୍କ ସହିତ ମିଳିମିଶି କାର୍ଯ୍ୟକରିବା ଦିଗରେ ଅକ୍ଷମ ହେବାରୁ ମୋରାର୍‌ଜୀ ରାଜ୍ୟରେ ଶାନ୍ତିପୂର୍ଣ୍ଣ ଉପାୟରେ ଆଇନ ଶୃଙ୍ଖଳା ରକ୍ଷା କରିବା ଲାଗି ଗୃହରକ୍ଷୀ ବାହିନୀ ମୁତୟନ କରିବା ପାଇଁ ସୁପାରିଶ କଲେ । ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କର ସେହି ପ୍ରସ୍ତାବରେ ରାଜିହେଲେ । ସେହି ମର୍ମରେ ଏକ ଅଧ୍ୟାଦେଶ ଜାରି କରାଗଲା ଓ ରାଜ୍ୟର ଚାରିଆଡ଼େ ଗୃହରକ୍ଷୀ ବାହିନୀ ଗଠିତ ହେଲା । ଅଧ୍ୟାପକ ଗଜେନ୍ଦ୍ର ଗଡ଼୍‌କର ସେହି ବାହିନୀର ହେଲେ ପ୍ରଥମ ଅଧିନାୟକ । ସମାଜର ସବୁ ସ୍ତରରୁ ଗୃହରକ୍ଷୀ ନିଯୁକ୍ତ କରାଯାଇ ସେମାନଙ୍କୁ ବନ୍ଧୁଚାଳନା ଇତ୍ୟାଦି ସବୁ ବିଷୟରେ ତାଲିମ୍‌ ଦିଆଗଲା । କେବଳ ବମ୍ୱେ ସହରରେ ଦୁଇହଜାର ଗୃହରକ୍ଷୀ ନିଯୁକ୍ତି ପାଇଲେ । ସେମାନେ ଦରକାର ବେଳେ ପୋଲିସମାନଙ୍କୁ କାର୍ଯ୍ୟରେ ସହଯୋଗ କଲେ । ବେସରକାରୀ ସଂସ୍ଥା ମଧ୍ୟ ଗୃହରକ୍ଷୀ ବାହିନୀ ପୋଲିସ ବାହିନୀର ଅଙ୍ଗରୂପେ କାର୍ଯ୍ୟକଲା; କିନ୍ତୁ ପରବର୍ତ୍ତୀ ବାହିନୀର ନିୟନ୍ତ୍ରଣାଧୀନ ରଖିବାକୁ ମୋରାର୍‌ଜୀ ରାଜି ହୋଇ ନ ଥିଲେ । ସେହି ବାହିନୀର ମୁଖ୍ୟଙ୍କୁ ପୋଲିସ ବାହିନୀର ମୁଖ୍ୟଙ୍କ ସହିତ ସମାନ ପାହିଆ ଦିଆଯାଇ ନ ଥିଲା । ମାତ୍ର କେତେ ମାସ ପରେ ବାହିନୀର ଅଧିନାୟକ ଗଡ଼୍‌କରଙ୍କର ମୃତ୍ୟୁ ହେବାରୁ ତାଙ୍କ ସ୍ଥାନରେ କ୍ୟାପଟେନ୍‌ ମାନେକ୍‌ଜୀଙ୍କୁ ନିଯୁକ୍ତ କରାଗଲା । ତାଙ୍କ ସ୍ତ୍ରୀ ପିଲୋବେନ୍‌ ମଧ୍ୟ ମହିଳା ଗୃହରକ୍ଷୀ ବାହିନୀର ଅଧ୍ୟକ୍ଷା ହୋଇଥିଲେ ।

 

ସେତେବେଳେ ଖେଡ଼ା ଜିଲ୍ଲାରେ ପଲ୍‌ସନ୍‌ ଦୁଗ୍‌ଧଶାଳା କାର୍ଯ୍ୟ କରୁଥାଏ । ଗ୍ରାମମାନଙ୍କରୁ ଦୁଧ ସଂଗ୍ରହ କରି ସେହି ବିଦେଶୀ କମ୍ପାନୀ ଲହୁଣୀ ଓ ଘିଅ ଇତ୍ୟାଦି ତିଆରି କରି ବହୁ ଅର୍ଥ ଉପାର୍ଜନ କରୁଥାଏ; କିନ୍ତୁ ଚାଷୀମାନଙ୍କୁ ଦୁଗ୍‌ଧର ଉପଯୁକ୍ତ ମୂଲ୍ୟ ଦେଉନଥାଏ । ଦିନେ ଚାଷୀ-ପ୍ରତିନିଧି ମାନେ ଆସି ମୋରାର୍‌ଜୀଙ୍କ ନିକଟରେ ତାଙ୍କର ଅସନ୍ତୋଷ ପ୍ରକାଶ କଲେ । ସେ ସେମାନଙ୍କୁ କହିଲେ ଗୋଟିଏ ସମବାୟ ସମିତି ଗଠନ କରିବାଲାଗି ଯେ କି ଦୁଗ୍‌ଧ ସଂଗ୍ରହ ଦାୟିତ୍ୱ ବହନ କରିବ । ଚାଷୀମାନେ ସେଥିରେ ରାଜି ହେଲେ । ପ୍ରଥମେ ମାତ୍ର ୩୬ ଜଣ ଚାଷୀଙ୍କୁ ନେଇ ଗଢ଼ାଗଲା ଖେଡ଼ାଜିଲ୍ଲା ଦୁଗ୍‌ଧଉତ୍ପାଦନକାରୀ ସମବାୟ ଇଉନିୟନ । ମୋରାର୍‌ଜୀଙ୍କ ଅନୁରୋଧ କ୍ରମେ ସେହି ଅଞ୍ଚଳର ଜଣେ ନିଃସ୍ୱାର୍ଥପର ସମାଜ ସେବୀ ତ୍ରିଭୁବନ ଦାସ ପଟେଲ ସେହି ଅନୁଷ୍ଠାନ ପରିଚାଳନାର ଦାୟିତ୍ୱ ନେଲେ । ସେହି ସମିତି ଅମୁଲ ଦୁଗଧଶାଳା ନାମରେ ଆଜି ବିଶ୍ୱବିଖ୍ୟାତ ହୋଇ ପାରିଛି । ତାଙ୍କରି ପ୍ରେରଣାରେ ସେତେବେଳେ ବମ୍ୱେ ରାଜ୍ୟରେ କପାଚାଷୀ ଓ ଆଖୁଚାଷୀମାନେ ଲାଗି ସମବାୟ ସଂସ୍ଥାମାନ ଗଠନ କରାଯାଇ ସେମାନଙ୍କୁ ସାହୁକାର ଶୋଷଣରୁ ରକ୍ଷା କରାଯାଇ ପାରିଥିଲା ।

 

ବାପୁଜୀଙ୍କ ଆଦର୍ଶରେ ସବୁଠାରୁ ବେଶୀ ଅନୁପ୍ରାଣିତ ହୋଇଥିଲେ ମହାଦେବ ଭାଇ ଦେଶାଇ । ବାପୁଙ୍କ ପରି ନିରବଚ୍ଛିନ୍ନ ଭାବେ ସେ ଜନ୍ମଭୂମିର ସେବା କରିଥିଲେ । ତେଣୁ ତାଙ୍କ ସ୍ମୃତିରକ୍ଷା କରିବା ଲାଗି ଅନ୍ୟୂନ ୧୦ ଲକ୍ଷ ଟଙ୍କା ଚାନ୍ଦା ସଂଗ୍ରହ କରିବାକୁ ସ୍ଥିର ହେଲା । ମୋରାର୍‌ଜୀଙ୍କ ଉଦ୍ୟମରେ ମାତ୍ର ୬ ସପ୍ତାହ ମଧ୍ୟରେ ସେଥିଲାଗି ସମୁଦାୟ ୨୦ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲା ।

 

ଗାନ୍ଧିଜୀ ଛାତ୍ର ସମାଜକୁ ଅସହଯୋଗ ଆନ୍ଦୋଳନରେ ଯୋଗଦେବାକୁ ଆହ୍ୱାନ ଦେଇ ପ୍ରତିଷ୍ଠା କରିଥିଲେ ଗୁଜୁରାଟ ବିଦ୍ୟାପୀଠ । ମୋରାର୍‌ଜୀ ସେହି ଅନୁଷ୍ଠାନରେ ମହାଦେବଭାଇ ସ୍ମୃତି ପାଣ୍ଠି ବିନିଯୋଗ କରି ଜାତୀୟ ଶିକ୍ଷାର ପୁନରୁତ୍‌ଥାନ ଲାଗି ଶୁଭାରମ୍ଭ କରିଥିଲେ ଏକ ମହାବିଦ୍ୟାଳୟ । ସେହି ଅନୁଷ୍ଠାନଟି ସରକାରୀ ସ୍ୱୀକୃତି ପାଇନଥିବାରୁ ପ୍ରଥମେ ଛାତ୍ରମାନେ ସେଥିରେ ଯୋଗ ଦେବାଲାଗି କୁଣ୍ଠାବୋଧ କଲେ । ମାତ୍ର ୩୦ ଜଣ ଛାତ୍ରଙ୍କୁ ନେଇ ମହାବିଦ୍ୟାଳୟ କାର୍ଯ୍ୟ ଆରମ୍ଭ କରିଥିଲା । ପରେ ବମ୍ୱେ ସରକାର ସ୍ୱୀକୃତି ଦେବାରୁ କଲେଜର ଛାତ୍ରସଂଖ୍ୟା ଆଶାନୁରୂପ ବୃଦ୍ଧି ପାଇଥିଲା । ସେହି ମହାବିଦ୍ୟାଳୟରୁ ଯେଉଁମାନେ ଉତ୍ତୀର୍ଣ୍ଣ ହେଲେ, ସେମାନଙ୍କ ମଧ୍ୟରୁ ଶତକରା ୮୦ ଛାତ୍ର ଚାକିରୀ ନକିର ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ । ବହୁପରେ ୧୯୬୨ ମସିହାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ଶ୍ରୀମାଳି ମୋରାର୍‌ଜୀଙ୍କୁ କହିଥିଲେ ଯେ କେନ୍ଦ୍ର ସରକାର ସେହି ଆଦର୍ଶ ଅନୁଷ୍ଠାନକୁ ସାହାଯ୍ୟ ଓ ସ୍ୱୀକୃତି ଦେବାକୁ ଚାହାନ୍ତି; କିନ୍ତୁ ଗାନ୍ଧିଜୀ ଯେତେବେଳେ ବିଦ୍ୟାପୀଠ ଆରମ୍ଭ କରିଥିଲେ ସେ ନିୟମ କରିଥିଲେ ଯେ ଅନୁଷ୍ଠାନ କୌଣସି ସରକାରୀ ସାହାଯ୍ୟ ଗ୍ରହଣ କରିବ ନାହିଁ । କାରଣ ସ୍ୱରାଜ ପ୍ରାପ୍ତି ନ ହେବା ଯାଏ, ଯଦି ଅନୁଷ୍ଠାନ ସରକାରୀ ଦାନ ଗ୍ରହଣ କରେ, ତାହା ହେଲେ ଜାତୀୟ ଶିକ୍ଷା ଦାନ କ୍ଷେତ୍ରରେ ସରକାର ହସ୍ତକ୍ଷେପ କରିପାରନ୍ତି; କିନ୍ତୁ ସ୍ୱରାଜ ପ୍ରାପ୍ତି ପରେ ଅନୁଷ୍ଠାନର ଟ୍ରଷ୍ଟିମାନେ ସ୍ଥିର କଲେ ସେ ଯଦି ସରକାର ବିନାସର୍ତ୍ତରେ ସାହାଯ୍ୟ କରନ୍ତି ତାହା ହେଲେ ତାହା ଗ୍ରହଣୀୟ । ତେଣୁ ଅନୁଷ୍ଠାନର ସମ୍ୱିଧାନକୁ ତଦନୁଯାୟୀ ପରିବର୍ତ୍ତନ କରାଯାଇଥିଲା ଓ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ କମିସନଙ୍କ ସହାୟତାରେ ସେହି ବିଦ୍ୟାପୀଠ ପରିଣତ ହୋଇଥିଲା ଏକ ଆଦର୍ଶ ବିଶ୍ୱବିଦ୍ୟାଳୟରେ ।

 

ମୋରାର୍‌ଜୀ କିଛିଦିନ ପାଇଁ ସେହି ବିଶ୍ୱବିଦ୍ୟାଳୟର କୁଳପତି ରୂପେ ନିର୍ବାଚିତ ହୋଇଥିଲେ । ପ୍ରତିବର୍ଷ ସମାବର୍ତ୍ତନ ଉତ୍ସବ ବେଳକୁ ସେ ବିଶ୍ୱବିଦ୍ୟାଳୟରେ ନିୟମିତ ଭାବେ ଏକ ସପ୍ତାହ ଅବସ୍ଥାନ କରି ଛାତ୍ର ଓ ଅଧ୍ୟାପକମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦିଗରେ ନେଉଥିଲେ ବିହିତ ପଦକ୍ଷେପ ।

 

ରାଜ୍ୟର ଶାସନ କ୍ଷେତ୍ରରୁ କିପରି ଦୁର୍ନୀତି ଲୋପ ହେବ ସେଥିଲାଗି ତାଙ୍କରି ଉଦ୍ୟମରେ ବମ୍ୱେ ରାଜ୍ୟରେ ଦୁର୍ନୀତି ନିବାରଣ ବିଭାଗ ଖୋଲାଯାଇଥିଲା । ପ୍ରଥମେ ପରୀକ୍ଷାମୂଳକ ଭାବରେ ନିଜ ତତ୍ତ୍ୱାବଧାନରେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ ଓ ବମ୍ୱେ ନଗରୀରେ ଏହି ବିଭାଗର ତିନୋଟି କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ସେହି କେନ୍ଦ୍ରର କର୍ମାଚରୀମାନେ ଯେଉଁମାନଙ୍କୁ ଲାଞ୍ଚ ନେବା ଓ ଅନ୍ୟାନ୍ୟ ଦୁର୍ନୀତିମୂଳକ କାର୍ଯ୍ୟରେ ଲିପ୍ତ ଥିଲାବେଳେ ଧରୁଥିଲେ, ସେମାନଙ୍କୁ ଜେଲ ଦଣ୍ଡରେ ଦଣ୍ଡିତ କରାଯାଉଥିଲା । କ୍ରମେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଏହି କେନ୍ଦ୍ରମାନ ଖୋଲାଯାଇଥିଲା । ପରେ ଜିଲ୍ଲା ଓ ରାଜ୍ୟସ୍ତରରେ ସେଥିପାଇଁ ସୁପରିଟେଣ୍ଡଣ୍ଟ ଓ ଆଇ ଜି ଚାକିରୀ ସୃଷ୍ଟି କରାଯାଇଥିଲା । ଏହା ବ୍ୟତୀତ ମୋରାର୍‌ଜୀଙ୍କ ଉଦ୍ୟମରେ ରାଜ୍ୟରେ ପୋଲିସ୍‌-ହିତକର ପାଣ୍ଠି ସୃଷ୍ଟି କରାଯାଇ ବିଭାଗୀୟ କର୍ମଚାରୀମାନଙ୍କ ହିତ ଦୃଷ୍ଟିରୁ ବିଭିନ୍ନ ପରିକଳ୍ପନା କାର୍ଯ୍ୟକାରୀ ହେବା ଦ୍ୱାରା ସେମାନେ ଅଧିକ ଉତ୍ସାହିତ ହୋଇଥିଲେ ।

 

ରାଜ୍ୟରେ ନିଶାନିବାରଣ ଆଇନ ଲାଗୁ ହେବା ପୂର୍ବରୁ ପୋଲିସ ବିଭାଗର କର୍ମଚାରୀମାନେ କେହି ମଦ୍ୟପାନ କରିବେ ନାହିଁ ବୋଲି ସେ ଆଇନ କରିଥିଲେ । ସେହି ଆଇନ ଅନୁଯାୟୀ ଯେଉଁ ପୋଲିସ ଅଫିସରମାନେ ନିଶାସେବନ କରୁଛନ୍ତି ବୋଲି ପ୍ରମାଣିତ ହେଉଥିଲା, ସେମାନଙ୍କୁ କାଳବିଳମ୍ୱ ନ କରି କାର୍ଯ୍ୟରୁ ବହିଷ୍କାର କରାଯାଉଥିଲା । ନିଜେ ସେ ଛଦ୍ମବେଶରେ ସହର ପରିକ୍ରମା କରି ଯେଉଁଠି ବେନିୟମ କାମ ହେଉଥିଲା ପୋଲିସ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାହାର ସଂଶୋଧନ କରାଉଥିଲେ । ତାହାଦ୍ୱାରା ପୋଲିସଙ୍କ ପ୍ରତି ଲୋକଙ୍କ ଆସ୍ଥା ବୃଦ୍ଧି ପାଇଥିଲା । ପୂର୍ବରୁ ସହରମାନଙ୍କରେ ଅର୍ଦ୍ଧରାତ୍ରୀ ପର୍ଯ୍ୟନ୍ତ ସିନେମା ଚାଲୁଥିବାରୁ ନାନା ଅପ୍ରୀତିକର ଘଟଣା ଚାଲୁଥିଲା । ତେଣୁ ତାହାର ପ୍ରତିବିଧାନ ପାଇଁ ସେ ରାତି ସାଢ଼େ ଏଗାରଟା ପରେ ସିନେମାଘରଗୁଡ଼ିକ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ସ୍ତ୍ରୀ ଅପରାଧୀମାନଙ୍କୁ ଧରିବାଲାଗି ସେ ମହିଳା ପୋଲିସ ନିଯୁକ୍ତ କରାଇଥିଲେ । ଯାନବାହନର ଗମନାଗମନରେ ନିୟମିତତା ରକ୍ଷା କରିବା ଦିଗରେ ସେ ମଧ୍ୟ ବିଭିନ୍ନ ପଦକ୍ଷେପ ନେଇଥିଲେ । ରାଜ୍ୟରେ ବହୁଦିନରୁ ଥିବା ହାତଟଣା ରିକ୍‌ସା ପ୍ରଥା ବନ୍ଦକରି, ଚାଳକମାନଙ୍କୁ ଅନତ୍ର ନିଯୁକ୍ତି ଦେଇ ସେ ଦେଇଥିଲେ ସ୍ୱକୀୟ ମାନବିକତାର ପରିଚୟ ।

 

ସେତେବେଳେ ବମ୍ୱେରେ ବହୁ ଚଳଚ୍ଚିତ୍ର ତିଆରି କରାଯାଉଥିଲା, ଯାହାର ବିଷୟବସ୍ତୁ ଲୋକଚରିତ୍ରକୁ କରୁଥିଲା ବିପଥଗାମୀ । ଅର୍ଥଲୋଭରେ ନିର୍ମାତାମାନେ ଅଶ୍ଳୀଳ ଚଳଚ୍ଚିତ୍ରମାନ ତିଆରି କରିବାରେ ଥିଲେ ବ୍ୟସ୍ତ । ଘରୋଇ ମନ୍ତ୍ରୀ ହିସାବରେ ତାହା ବନ୍ଦ କରିବା ଲାଗି ସେ ସେନ୍‌ସର ବୋର୍ଡ଼ ନିଯୁକ୍ତ କରିଥିଲେ । ବୋର୍ଡ଼ର ଯାଞ୍ଚ ଫଳରେ ଚଳଚ୍ଚିତ୍ରଗୁଡ଼ିକରୁ ଆପତ୍ତିଜନକ ଅଂଶଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଉଥିଲା । ଏହା ଫଳରେ ନିର୍ମାତାମାନେ ଅଧିକ ଲାଭ ନ ପାଇବାରୁ ତାଙ୍କ ପାଖରେ ଆସି ଆପତ୍ତି କରିଥିଲେ; କିନ୍ତୁ ମୋରାର୍‌ଜୀ ତାଙ୍କ ସିଦ୍ଧାନ୍ତରୁ ଓହରି ନ ଥିଲେ । ପ୍ରେକ୍ଷାଳୟରେ ଧୂମପାନ ବନ୍ଦ କରିବା ଲାଗି ମଧ୍ୟ ସେ ଆଇନ ପ୍ରଣୟନ କରିଥିଲେ ।

 

ପୂର୍ବରୁ ବମ୍ୱେ ରାଜ୍ୟରେ ଗୋଟିଏ ମାତ୍ର ବିଶ୍ୱବିଦ୍ୟାଳୟ ଥିଲା । ମୋରାର୍‌ଜୀଙ୍କ ଉଦ୍ୟମ ଫଳରେ ରାଜ୍ୟରେ ଅଧିକ ସଂଖ୍ୟକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାଲାଗି ଏମ୍‌.ସି. ଚଗ୍‌ଲାଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ଗଢ଼ାଯାଇଥିଲା । ସେହି କମିଟିଙ୍କ ସୁପାରିଶ କ୍ରମେ ଗୁଜୁରାଟ ପୁନା ଓ କର୍ଣ୍ଣାଟକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ପୂର୍ବରୁ ହରିଜନ ବାକଳ ବାଳିକାଙ୍କୁ ସ୍କୁଲରେ ଯୋଗ ଦେବାକୁ ହିନ୍ଦୁମାନେ ବାଧା ଦେଉଥିଲେ । ମୋରାର୍‌ଜୀଙ୍କ ଦୃଢ଼ ନିର୍ଦ୍ଦେଶନାମା ଫଳରେ ହରିଜନ ପିଲାଏ ସ୍କୁଲରେ ଯୋଗ ଦେଇପାରିଥିଲେ ।

 

ଘରୋଇ ମଟର ମାଲିକମାନେ ଯାତ୍ରୀମାନଙ୍କୁ ହଇରାଣ କରୁଥିବା ଜାଣି ମୋରାର୍‌ଜୀ ରାଜ୍ୟ ପରିବହନ ସଂସ୍ଥା ଗଠନ କରି ସେହି ସମସ୍ୟାର ସମାଧାନ କରିଥିଲେ । କ୍ରମେ ଅନ୍ୟ ରାଜ୍ୟମାନଙ୍କରେ ବସ୍‌ଲାଇନ୍‌ଗୁଡ଼ିକୁ ଜାତୀୟକରଣ କରାଯାଇଥିଲା । ବିଚାର ଓ ଶାସନ ବିଭାଗର ପୃଥିକୀକରଣ ପାଇଁ ସେ ବିଚାରପତି ଲୋକୁରଙ୍କ ଅଧ୍ୟକ୍ଷତାରେ ଗୋଟିଏ କମିଟି ବସାଇଥିଲେ । କମିଟିଙ୍କ ରିପୋର୍ଟ ପାଇଲା ପରେ ସେ ସର୍ଦ୍ଦାର ପଟେଲଙ୍କ ସହିତ ତାହା ଆଲୋଚନା କରିଥିଲେ । ପ୍ରଥମେ ପଟେଲ ପ୍ରଚଳିତ ଶାସନ ପଦ୍ଧତିର ଆଶୁ ପରିବର୍ତ୍ତନ ନ କରିବାକୁ ତାଙ୍କୁ ଉପଦେଶ ଦେଇଥିଲେ । କାରଣ ସେପର୍ଯ୍ୟନ୍ତ ଅନ୍ୟ ରାଜ୍ୟମାନେ ଏହି ସଂସ୍କାର ବିଷୟରେ କେହି ପ୍ରଶ୍ନ ଉଠାଇ ନ ଥିଲେ, କିନ୍ତୁ ମୋରାର୍‌ଜୀ ଚାହିଁଥିଲେ ନିଜ ରାଜ୍ୟରେ ତାହା ପ୍ରଥମେ ପ୍ରବର୍ତ୍ତନ କରିବାକୁ-। ବହୁ ଆଲୋଚନା ପରେ ସେ ସର୍ଦ୍ଦାର ପଟେଲଙ୍କୁ ସେ ବିଷୟରେ ରାଜି କରାଇଥିଲେ ଓ ସେଥିଲାଗି ଆଇନ ପ୍ରଣୟନ କରାଇ ସମଗ୍ର ଦେଶରେ ହୋଇଥିଲେ ଅଗ୍ରଣୀ ।

 

ରାଜ୍ୟର ଜଙ୍ଗଲ ସବୁ ବ୍ୟକ୍ତିବିଶେଷଙ୍କୁ ଠିକା ଦିଆଯିବାଦ୍ୱାରା ସେମାନେ ନିରୀହ ଆଦିବାସୀମାନଙ୍କୁ ଶୋଷଣ କରୁଥିଲେ । ବଣ୍ୟଜାତ ଦ୍ରବ୍ୟ ସଂଗ୍ରହ କ୍ଷେତ୍ରରେ ସେମାନେ ବିଭାଗୀୟ କର୍ମଚାରୀମାନଙ୍କୁ ବିଶେଷ ଭାବେ କରୁଥିଲେ ପ୍ରଭାବିତ । ଫଳରେ ଅରଣ୍ୟ-ରାଜସ୍ୱ କ୍ରମ କମି ଆସୁଥିଲା ଓ ଆଦିବାସୀମାନେ ହେଉଥିଲେ ବିଶେଷ ଭାବେ ପ୍ରତାରିତ । ତେଣୁ ମୋରାର୍‌ଜୀ ଆଦିବାସୀ ସମବାୟ ସଂସ୍ଥାମାନ ଗଢ଼ି, ସେମାନଙ୍କୁ ଜଙ୍ଗଲ ଠିକା ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହି ବ୍ୟବସ୍ଥା ସେ ସମୟରେ ଭାରତରେ ଥିଲା ସର୍ବପ୍ରଥମ । ସମିତିମାନେ ଠିକାଦାରଙ୍କ ସହିତ ଠିକା ନେବାରେ ପ୍ରତିଯୋଗିତା କରିବାରେ ଅକ୍ଷମ ହେବାରୁ ସେମାନଙ୍କୁ ରିହାତି ସୂତ୍ରରେ ଠିକ ଦିଆଯିବା ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା । ଆଦିବାସୀମାନେ କିପରି ସମିତି ପରିଚାଳନା କରିବେ, ସେଥିଲାଗି ତାଲିମ୍‌ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସେମାନଙ୍କ ପିଲାପିଲିଙ୍କୁ ଶିକ୍ଷା ଦେବାଲାଗି ଆଶ୍ରମ ସ୍କୁଲମାନ ଖୋଲାଯିବା ଦ୍ୱାରା ସେମାନେ କ୍ରମେ ଶିକ୍ଷା ଆଡ଼କୁ ହୋଇଥିଲେ ଆକୃଷ୍ଟ । ଏହିପରି ମୋରାର୍‌ଜୀ ରାଜ୍ୟରେ ଆଣିଥିଲେ ବହୁସଂସ୍କାର, ଯାହା କି ନିର୍ମଳ ଶାସନ ପ୍ରତିଷ୍ଠା ଦିଗରେ ହୋଇଥିଲା ପରିପୂରକ ।

 

୧୯୪୭ ଅଗଷ୍ଟ ୧୫ ତାରିଖରେ ଦିନ ନିରବଚ୍ଛିନ୍ନ ସଂଗ୍ରାମରେ ଦେଶବାସୀ ହେଲେ ଜୟଯୁକ୍ତ । ଦେଶ ସ୍ୱାଧୀନ ହେଲା । ସେଦିନ ଦେଶବାସୀ ଆନନ୍ଦ ଉଲ୍ଲାସରେ ବିସ୍ମୃତି ଗର୍ଭରେ ହଜାଇ ଦେଇଥିଲେ । ବିଦେଶୀ ଶାସକଙ୍କର ଅକଥନୀୟ ଅତ୍ୟାଚାରଜନିତ ତିକ୍ତ ଅନୁଭୂତି; କିନ୍ତୁ ଜାତିର ଜନକ ସେହି ଆନନ୍ଦରେ ହୋଇପାରି ନ ଥିଲେ ଭାଗୀଦାର । କାରଣ ଜନ୍ମଭୂମିର ବିଭାଗୀକରଣ ତାଙ୍କ ମନରେ ସୃଷ୍ଟି କରିଥିଲା ଗଭୀର ଆଲୋଡ଼ନ । କଂଗ୍ରେସର ବହୁ ନେତୃବୃନ୍ଦ ମଧ୍ୟ ଦେଶକୁ ସାମ୍ପ୍ରଦାୟିକ ଭିତ୍ତିରେ ଭାଗ ଭାଗ କରିବାକୁ ଚାହିଁ ନ ଥିଲେ; କିନ୍ତୁ ବ୍ରିଟିଶ ସରକାରଙ୍କ କୂଟଚକ୍ର ସମସ୍ତଙ୍କୁ କରିଥିଲା ଉପାୟହୀନ । ଆଉ ଅଧିକ ସମୟ ସୁବିଧା ପାଇଥିଲେ ବ୍ରିଟିଶ ସରକାର ଭାରତକୁ ଆହୁରି ଭାଗ ଭାଗ କରି ଦେଇଥାନ୍ତେ । ସେ ଯାହା ହେଉ ଗୋରାମାନେ ଭାରତ ଛାଡ଼ିବା ପୂର୍ବରୁ ୬ ଶହରୁ ଅଧିକ କରଦ ରାଜ୍ୟ ସୃଷ୍ଟି କରିଦେଇ ଯାଇଥିଲେ । ସେଥି ମଧ୍ୟରୁ ଭାରତରେ ଥିଲ ୫୪୭ ଟି ରାଜ୍ୟ । ଯଦି ସେହି ରାଜ୍ୟଗୁଡ଼ିକ ଥାନ୍ତେ ତାହା ହେଲେ ଦେଶ ମଧ୍ୟରେ ସଂହତି ରକ୍ଷା ଅସମ୍ଭବ ହୋଇପଡ଼ିଥାନ୍ତା । ତେଣୁ କଂଗ୍ରେସ ନେତୃବୃନ୍ଦ ସେହି ରାଜ୍ୟଗୁଡ଼ିକୁ ଦେଶରେ ମିଶାଇଦେବାକୁ ଚିନ୍ତା କଲେ । ତଦନୁଯାୟୀ ପ୍ରାଥମିକ ପଦକ୍ଷେପ ନିଆଗଲା । ପ୍ରଥମେ ରାଜାମାନେ ମିଶ୍ରଣର ବିରୋଧ କଲେ; କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ବିଚକ୍ଷଣ ବୁଦ୍ଧି ଓ ଦୂରଦୃଷ୍ଟି ନିକଟରେ ସେମାନଙ୍କର ପ୍ରତିଜ୍ଞା ହାର ମାନିଥିଲା ।

 

୧୯୪୮ ମସିହା ଜାନୁଆରୀ ମାସରେ ପାକିସ୍ଥାନର ବୈର ମନୋଭାବ ଦେଖି ଭାରତ ପୂର୍ବ ସର୍ତ୍ତ ଅନୁଯାୟୀ ୫୫ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଅନିଚ୍ଛା ପ୍ରକାଶ କଲା; କିନ୍ତୁ ବାପୁଜୀ ତାହାର ବିରୋଧ କଲେ । ସେ କହିଲେ ପାକିସ୍ଥାନର ମତି ଗତି ଯାହା ହେଉନା କାହିଁକି, ସେହି ଟଙ୍କା ଆମକୁ ଦେବାକୁ ହେବ । କେନ୍ଦ୍ର ସରକାରଙ୍କ ଉପରେ ନୈତିକ ଚାପ ପକାଇବା ଲାଗି ସେ ଅନଶନ ଆରମ୍ଭ କଲେ । ତେଣୁ ଭାରତ ସରକାର ବାପୁଜୀଙ୍କ ଦାବୀକୁ ମାନିନେଲେ । ତାହାର କିଛିଦିନ ପରେ ବାବୁଜୀଙ୍କ ପ୍ରାର୍ଥନା ସଭାକୁ ବୋମା ଫିଙ୍ଗାଯାଇଥିଲା । ସେହି ମାମଲାରେ ସଂପୃକ୍ତ ଥିବା ମଦନଲାଲଙ୍କୁ ବନ୍ଦି କରାଯାଇଥିଲେ ମଧ୍ୟ ବାପୁଜୀଙ୍କୁ ହତ୍ୟା କରାଯିବା ଲାଗି ଷଡ଼ଯନ୍ତ୍ର ହେଉଛି ବୋଲି ଲୋକେ ଆଶଙ୍କା ପ୍ରକାଶ କରିଥିଲେ । ଜଗଦୀଶ ଚନ୍ଦ୍ର ଜୈନ ନାମକ ଜଣେ ବ୍ୟକ୍ତି ବାପୁ ହତ୍ୟାଲାଗି ଷଡ଼ଯନ୍ତ୍ର ହେଉଛି ବୋଲି ମୋରାର୍‌ଜୀଙ୍କୁ ଖବର ଦେଇଥିଲେ; କିନ୍ତୁ ନିର୍ଦ୍ଦିଷ୍ଟଭାବେ ଷଡ଼ଯନ୍ତ୍ରକାରୀଙ୍କ ନାମ ପ୍ରକାଶ କରି ପାରୁ ନ ଥିଲେ । ମୁଖ୍ୟମନ୍ତ୍ରୀ ଖେରଙ୍କୁ ମଧ୍ୟ ଅନୁରୂପ ଖବର ଦିଆଯାଇଥିଲା । ମୋରାର୍‌ଜୀ ସଙ୍ଗେ ସଙ୍ଗେ ବମ୍ୱେର ଗୋଇନ୍ଦା ବିଭାଗ ଡି.ଆଇଜିଙ୍କୁ ଡାକି ସେହି ଷଡ଼ଯନ୍ତ୍ର କେତେଦୂର ସତ୍ୟ, ସେ ବିଷୟରେ ତଦନ୍ତ କରିବାଲାଗି ଆଦେଶ ଦେଇଥିଲେ ।

 

ସେତେବେଳେ ସର୍ଦ୍ଦାର ପଟେଲ ଅବସ୍ଥାନ କରୁଥାନ୍ତି ଅହମଦାବାଦରେ । ତାଙ୍କୁ ସେହି ସମ୍ୱାଦ ଦେବାଲାଗି ମୋରାର୍‌ଜୀ ଅହମଦାବାଦ ଯାତ୍ରା କଲେ । ପଟେଲ କହିଲେ ଯେ ସେ ମଧ୍ୟ ଅନୁରୂପ ସମ୍ୱାଦ ପାଇଛନ୍ତି; କିନ୍ତୁ ଷଡ଼ଯନ୍ତ୍ରକାରୀଙ୍କ ନାମ କେହି ଜାଣି ପାରି ନ ଥିଲେ । ତେଣୁ ସାବଧାନତା ସହକାରେ ଆଗୁଆ ପଦେକ୍ଷେପ ନେବା ଲାଗି ଉଭୟ ସ୍ଥିର କଲେ । ପଟେଲ ଦିଲ୍ଲୀଯାଇ ସବୁକଥା ବାପୁଜୀଙ୍କୁ ଜଣାଇଲେ ଓ କହିଲେ ଯେ ଯେଉଁମାନେ ତାଙ୍କ ପ୍ରାର୍ଥନା ସଭାକୁ ଆସିବେ, ସେମାନଙ୍କୁ ଯାଞ୍ଚ କରିବା ବ୍ୟବସ୍ଥା କଡ଼ାକଡ଼ି ଭାବେ ଲାଗୁ ହେବ; କିନ୍ତୁ ବାପୁଜୀ ସେହି ପ୍ରସ୍ତାବିତ ବ୍ୟବସ୍ଥାର ଘୋର ବିରୋଧ କଲେ । ସେ କହିଲେ ‘‘ଯେଉଁମାନେ ମୋ ପ୍ରାର୍ଥନା ସଭାକୁ ଆସିବେ, ଯଦି ସେମାନଙ୍କୁ ଯାଞ୍ଚ କରାଯାଏ, ତାହାହେଲେ ମୁଁ ପ୍ରାର୍ଥନା ସଭା ବନ୍ଦ କରିଦେବି । କାରଣ ଏହି ବ୍ୟବସ୍ଥା ଦ୍ୱାରା ସେମାନେ ନିଜକୁ ଅପମାନିତ ମନେ କରିବେ ଓ ପ୍ରାର୍ଥନାର ପବିତ୍ର ମର୍ଯ୍ୟାଦା ଏହାଦ୍ୱାରା ନଷ୍ଟ ହେବ ।’’

 

ବାପୁଜୀଙ୍କ ଜୀବନ ଦର୍ଶନ ଦୃଷ୍ଟିରୁ ସେ ବିଷୟରେ ସର୍ଦ୍ଦାର ପଟେଲ ତାଙ୍କୁ ଆଉ ଅଧିକ ପ୍ରବର୍ତ୍ତାଇ ପାରି ନ ଥିଲେ । ସେହି ସମୟରେ ମୋରାର୍‌ଜୀଙ୍କୁ ମଧ୍ୟ ବହୁ ଧମକପୂର୍ଣ୍ଣ ଚିଠି ମିଳିଥିଲା-। ବମ୍ୱେ ପୁଲିସ ସେଥିରେ ବିବ୍ରତ ହୋଇ ତାଙ୍କୁ ଯେଉଁମାନେ ସାକ୍ଷାତ କରିବାକୁ ଆସିବେ, ସେମାନଙ୍କୁ ପ୍ରବେଶଦ୍ୱାରରେ ଯାଞ୍ଚ କରିବାକୁ ଅନୁମତି ମାଗିଥିଲେ; କିନ୍ତୁ ମୋରାର୍‌ଜୀ ସେମାନଙ୍କୁ ତାହା କରିବାକୁ ମନା କରି ଦେଇ କହିଥିଲେ ଯେ ନିରୀହ ଲୋକେ ଯେଉଁମାନେ ତାଙ୍କୁ ସାକ୍ଷାତ କରି ଆପତ୍ତି ଅଭିଯୋଗ ଜଣାଇବାକୁ ଆସୁଛନ୍ତି, ସେମାନଙ୍କ ପକ୍ଷରେ ତାହା ହେବ ଏକ ଅପମାନସୂଚକ ବ୍ୟବସ୍ଥା । ବିଶେଷ କରି ଜଣେ ଲୋକପ୍ରତିନିଧି ଭାବେ ମୃତ୍ୟୁ ଭୟରେ ସେ ଲୋକଙ୍କୁ ଠାରୁ ଦୂରେଇ ରହିବାକୁ ଚାହିଁ ନ ଥିଲେ ।

 

ବାପୁଜୀଙ୍କୁ ନିରାପତ୍ତା ପାଇଁ ତାଙ୍କ ଅଜ୍ଞାତରେ ସର୍ଦ୍ଦାର ପଟେଲ ପ୍ରାର୍ଥନା ସଭାରେ ସାଧା ପୋଷାକଧାରୀ ଗୋଇନ୍ଦା ପୁଲିସ ନିଯୁକ୍ତ କରାଇଥିଲେ । ତାହା ସତ୍ତ୍ୱେ ଜାନୁଆରୀ ୩ ତାରିଖ ଦିନ ପ୍ରାର୍ଥନା ସଭାକୁ ଆସିଲା ବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀ ନାଥୁରାମ ଗଡ଼ସେଙ୍କ ଗୁଳିଚୋଟରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମାତ୍ର ଅଧଘଣ୍ଟାଏ ମଧ୍ୟରେ ମୋରାର୍‌ଜୀ ସେହି ମର୍ମନ୍ତୁଦ ସମ୍ୱାଦ ପାଇ ବିବ୍ରତ ଓ ମ୍ରୀୟମାଣ ହୋଇ ପଡ଼ିଥିଲେ । ସମଗ୍ର ଦେଶ ଜାତିର ଜନକଙ୍କ ବିୟୋଗରେ ହୋଇ ପଡ଼ିଥିଲା ଶୋକସନ୍ତପ୍ତ । ଯେ ହେତୁ ଗଡ଼ସେ ଥିଲେ କକଂଣସ୍ଥ-ବ୍ରାହ୍ମଣ ପରିବାରର ଲୋକ, ତେଣୁ ସମଗ୍ର ମହାରାଷ୍ଟ୍ରରେ ବ୍ରାହ୍ମଣ ବିରୋଧୀ ମନୋଭାବ ତେଜି ଉଠିଥିଲା । ଫଳରେ ପୁନା, ସତାରା ଓ ସାଙ୍ଗ୍‌ଲି ଇତ୍ୟାଦି ସ୍ଥାନମାନଙ୍କରେ ବ୍ରାହ୍ମଣ ପରିବାର ଉପରେ ନାହିଁ ନ ଥିବା ଅତ୍ୟାଚାର ଆରମ୍ଭ ହୋଇଗଲା । ଲୋକେ ସେମାନଙ୍କର ଧନସମ୍ପତ୍ତି ଲୁଟ୍‌ କରିନେଲେ । ମୋରାର୍‌ଜୀଙ୍କ ଦୃଢ଼ ପଦକ୍ଷେପ ଫଳରେ ସେହି କାଣ୍ଡ ବନ୍ଦ ହୋଇଯାଇଥିଲା; କିନ୍ତୁ ଅଣବ୍ରାହ୍ମଣ ସମ୍ପ୍ରଦାୟର ଲୋକେ ସେଥିଯୋଗୁଁ ତାଙ୍କ ଉପରେ ବିରକ୍ତ ହୋଇ ହତ୍ୟା କରିବେ ବୋଲି ଧମକ ଦେଇଥିଲେ । ମୋରାର୍‌ଜୀ ସେହି ଧମକରେ ଭୟଭୀତ ନ ହୋଇ ଉପଦ୍ରୁତ ଅଞ୍ଚଳରେ ସଭାସମିତି କରାଇ ପରିସ୍ଥିତିକୁ ସୁଧାରି ପାରିଥିଲେ ।

 

ସ୍ୱରାଜ ମିଳିଲା ପରେ ଅନେକ ଗୋରା ଅଫିସର କାର୍ଯ୍ୟରୁ ଅବ୍ୟାହତି ନେଲେ । ଯେଉଁମାନେ ରହିଲେ, ସେମାନେ ଜନସାଧାରଣଙ୍କର ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ନ ଦେଇ କେବଳ ଆଇନକୁ ଆଖି ଆଗରେ ରଖି ପୁରୁଣା ପଦ୍ଧତିରେ ଶାସନ ଚଳାଇଲେ । କାରଣ ପୂର୍ବରୁ ଲୋକଙ୍କର ସୁବିଧା ଅସୁବିଧା ପ୍ରତି ଦୃଷ୍ଟି ଦିଆ ନ ଦିଆଯାଇ ଶାସନ କାର୍ଯ୍ୟ ଚାଲିଥିଲା । ତେଣୁ ଲୋକମାନଙ୍କର ସରକାରୀ ଅଫିସରଙ୍କ ଉପରେ ଆଦୌ ଆସ୍ଥା ନ ଥିଲା । ସ୍ୱାଧୀନତା ପରେ ସରକାରୀ ଅଫିସରମାନେ ହାକିମ ମନୋବୃତ୍ତି ଛାଡ଼ି କିପରି ସେବକ ମନୋବୃତ୍ତି ନେଇ କାମ କରିବେ, ସେଥିଯୋଗୁଁ ମୋରାର୍‌ଜୀ ଶାସନ ପଦ୍ଧତିରେ ଆଣିଥିଲେ ବହୁ ସଂସ୍କାର । ଜନସାଧାରଣ ଓ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ କିପରି ଉତ୍ତମ ବୁଝାମଣା ପ୍ରତିଷ୍ଠା ହେବ, ସେ ଦିଗରେ ଉଦ୍ୟମ କଲେ । ଲୋକମାନେ କୌଣସି ନିର୍ଦ୍ଦିଷ୍ଟ ସମସ୍ୟା ନେଇ ତାଙ୍କ ସହିତ ଆଲୋଚନା କଲେ, ସେ ସଙ୍ଗେ ସଙ୍ଗେ ସଂପୃକ୍ତ ବିଭାଗୀୟ ଅଫିସରଙ୍କୁ ଡାକି ତାର ସମାଧାନ କରୁଥିଲେ । ନଥିପତ୍ର ଜରିଆରେ ଅଧିକ କାଳବିଳମ୍ୱ କରିବାକୁ ସେ ଆଦୌ ପସନ୍ଦ କରୁ ନ ଥିଲେ । ଘରୋଇ ବିଭାଗରେ ଗୁରୁଦାୟିତ୍ୱ ବହନ କରି ମଧ୍ୟ ସେ ରାଜ୍ୟବାସୀଙ୍କ ସହିତ ରଖୁଥିଲେ ପ୍ରତ୍ୟକ୍ଷ ସମ୍ପର୍କ । ଗସ୍ତ ସମୟରେ ଗସ୍ତଖର୍ଚ୍ଚ ବ୍ୟତୀତ ସେ ଦୈନିକ ଭତ୍ତା (daily allowance) ନେଉ ନ ଥିଲେ-। ତାଙ୍କରି ଉଦ୍ୟମରେ ରାଜ୍ୟର ପ୍ରତ୍ୟେକ ଚାଳିଶ କିମ୍ୱା ପଚାଶଟି ଗ୍ରାମକୁ ନେଇ ଗୋଟିଏ ଲେଖାଏଁ ସର୍ବୋଦୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଗାନ୍ଧିଜୀଙ୍କ ଦ୍ୱାରା ନିର୍ଦ୍ଧାରିତ ନୀତିରେ ଗ୍ରାମ ସଂଗଠନ ଥିଲା ଏହି କେନ୍ଦ୍ରମାନଙ୍କର ଲକ୍ଷ୍ୟ । ପ୍ରତ୍ୟେକ କେନ୍ଦ୍ରକୁ ରାଜ୍ୟ ସରକାର ୨୫ ହଜାରରୁ ୫୦ ହଜାର ଟଙ୍କା ସାହାଯ୍ୟ କରୁଥିଲେ । ଏହାଦ୍ୱାରା ଗ୍ରାମାଞ୍ଚଳରେ କୃଷି ଓ କୁଟୀର ଶିଳ୍ପର ପୁନର୍ବିକାଶ ହୋଇପାରିଥିଲା । ମୋରାର୍‌ଜୀଙ୍କ ବ୍ୟକ୍ତିଗତ ଉଦ୍ୟମରେ ୧୯୫୦ ମସିହାରେ ଭାଗଚାଷ ପ୍ରଥା ଉଚ୍ଛେଦ କରାଯାଇଥିଲା ।

 

ଦେଶରେ ଆଉ ସାମ୍ପ୍ରଦାୟିକ ଅପ୍ରୀତିର ଯେପରି ପୁନରାବୃତ୍ତି ନ ହୁଏ ସେଥିଯୋଗୁଁ ମୁସଲିମ୍‌ ଲିଗ୍‌ର ପ୍ରତିନିଧିଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଗ୍ରହଣ କରିବା ଲାଗି ବଡ଼ଲାଟ ପ୍ରସ୍ତାବ ଦେଲେ । ସେମାନେ ଶାସନ କାର୍ଯ୍ୟରେ ସବୁପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ମିଳିଲା-। ତେଣୁ ନେହେରୁ ସେହି ପ୍ରସ୍ତାବରେ ରାଜି ହୋଇଗଲେ । ତାହାପରେ ସେମାନେ ଜିଦ୍ ଧରି ବସିଲେ ଯେ ଘରୋଇ ବିଭାଗ ସହିତ ଅନ୍ୟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଭାଗ ମୁସଲିମ୍‌ଲିଗ୍‌ର ପ୍ରତିନିଧିଙ୍କ ଦାୟିତ୍ୱରେ ଦେବା ଲାଗି; କିନ୍ତୁ ସର୍ଦ୍ଦାର ପଟେଲ ତାହାର ତୀବ୍ର ବିରୋଧ କରିଥିଲେ । କାରଣ ସେ ନିଶ୍ଚିତ ଭାବେ ଜାଣିଥିଲେ ଯେ ଯଦି ଘରୋଇ ବିଭାଗ ସେମାନଙ୍କ ଦାୟିତ୍ୱରେ ଦିଆଯାଏ, ତାହାହେଲେ ଦେଶରେ ସାମ୍ପ୍ରଦାୟିକତା ପୁଣି ମୁଣ୍ଡ ଟେକି ଉଠିବ । ସେତେବେଳେ ସାମ୍ପ୍ରଦାୟିକ ଗଣ୍ଡଗୋଳକୁ ମୁଖ୍ୟତଃ ଉତ୍ସାହିତ କରୁଥିଲେ ମୁସଲିମ୍‌ଲିଗ ଦଳ । ଭାରତରେ ଅଶାନ୍ତି ସୃଷ୍ଟି କରିବା ଥିଲା ସେହି ଦଳର ପ୍ରଧାନ ଲକ୍ଷ୍ୟ । ଶେଷରେ ଅର୍ଥବିଭାଗ ସେମାନଙ୍କୁ ଦିଆଯାଇଥିଲା । ଏଥିରେ ମନ୍ତ୍ରୀମଣ୍ଡଳର ଅନ୍ୟତମ ସଦସ୍ୟ ମୌଲାନା ଆଜାଦ୍‌ ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସେ ତାଙ୍କ ପ୍ରଣିତ ‘India wins freedom’ ପୁସ୍ତକରେ ସର୍ଦ୍ଦାର ପଟେଲଙ୍କୁ ମୁସଲମାନ ବିରୋଧୀ ବୋଲି ଆକ୍ଷେପ କରିଅଛନ୍ତି ।

 

ତାପରେ କେନ୍ଦ୍ର କଂଗ୍ରେସ କାର୍ଯ୍ୟକାରୀ କମିଟିରେ ରଫି ଅହମ୍ମଦ କିଦ୍‌ଓ୍ୱାଇଙ୍କୁ ସଭ୍ୟ ରୂପେ ନେବା ଲାଗି ଜବାହରଲାଲ ମୋରାର୍‌ଜୀଙ୍କୁ ପ୍ରସ୍ତାବ ଦେଇଥିଲେ; କିନ୍ତୁ ମୋରାର୍‌ଜୀ ବହୁ କାରଣ ଦର୍ଶାଇ ପରିସ୍ଥିତି ଦୃଷ୍ଟିରୁ ତାଙ୍କୁ ଗ୍ରହଣ ନ କରିବା ଲାଗି ନେହେରୁଙ୍କୁ କହିବାରୁ, ସେ ମୋରାର୍‌ଜୀଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ; କିନ୍ତୁ ଅଳ୍ପଦିନ ପରେ କେଉଁ ପରିସ୍ଥିତିରେ କିଦ୍‌ଓ୍ୱାଇଙ୍କୁ କାର୍ଯ୍ୟକାରୀ କମିଟିରେ ନିଆ ନ ଯିବାକୁ କୁହାଯାଇଥିଲା ତାହା ହୃଦୟଙ୍ଗମ କରିଥିଲେ-

 

୧୯୫୦ ମସିହାରେ ମୁଖ୍ୟମନ୍ତ୍ରୀ ଖେର ହୃଦରୋଗରେ ଆକ୍ରାନ୍ତ ହୋଇ ପଡ଼ିଲେ ଓ ମୁଖ୍ୟମନ୍ତ୍ରୀ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଚାହିଁଲେ; କିନ୍ତୁ ମୋରାର୍‌ଜୀ ସେଥିରେ ରାଜି ହୋଇ ନ ଥିଲେ । କାରଣ ଖେର ଚାହୁଁଥିଲେ ମୋରାର୍‌ଜୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେବା ଲାଗି । ଶେଷରେ ମୋରାର୍‌ଜୀ ଖେରଙ୍କଠାରୁ ବହୁ ଗୁରୁଦାୟିତ୍ୱ ବହନ କରିବାରୁ ବାଧ୍ୟ ହୋଇ ଖେର ରାଜ୍ୟର ମୁଖ୍ୟମନ୍ତ୍ରୀ ରୂପେ ରହିଥିଲେ ।

 

ବାପୁଜୀଙ୍କ ନିଧନ ପରେ ସର୍ଦ୍ଦାର ପଟେଲ ହୃଦରୋଗରେ ଆକ୍ରାନ୍ତ ହୋଇପଡ଼ିଲେ । କାରଣ ବାପୁଜୀଙ୍କ ହତ୍ୟା ତାଙ୍କୁ ସବୁଠାରୁ ବେଶୀ କରିଥିଲା ମର୍ମାହତ । ସେ ସବୁବେଳେ ଚିନ୍ତା କରୁଥିଲେ ଯେ କ’ଣ କରାଯାଇଥିଲେ ବାପୁଙ୍କର ପ୍ରାଣରକ୍ଷା କରାଯାଇ ପାରିଥାନ୍ତା । ସେହି ମାନସିକ ଦୁଶ୍ଚିନ୍ତାରେ କ୍ରମେ ତାଙ୍କର ସ୍ୱାସ୍ଥ୍ୟହାନୀ ହେବାକୁ ଲାଗିଲା । ଯେତେବେଳେ ତୃତୀୟଥର ଲାଗି ସେ ହୃଦରୋଗରେ ପୀଡ଼ିତ ହେଲେ, ତାଙ୍କୁ ଚିକିତ୍ସା ପାଇଁ ବମ୍ୱେ ଅଣାଗଲା; ମୋରାର୍‌ଜୀ ସେହି ଖବର ପାଇ ବମ୍ୱେ ଯାତ୍ରା କରିଥିଲେ । ସବୁପ୍ରକାର ଚିକିତ୍ସା ସତ୍ତ୍ୱେ ୧୯୫୦ ମସିହା ଡିସେମ୍ୱର ୧୫ ତାରିଖ ଦିନ ତାଙ୍କ ପ୍ରାଣବାୟୁ ଉଡ଼ିଗଲା ।

Image

 

ମୁଖ୍ୟମନ୍ତ୍ରୀ

 

ଦେଶପାଇଁ ନୂତନ ସମ୍ବିଧାନ ପ୍ରଣୟନ କରାଗଲା । ତଦନୁଯାୟୀ ୧୯୫୨ ମସିହାରେ ସାଧାରଣ ନିର୍ବାଚନ ହେବାର ସ୍ଥିର ହେଲା । ମୋରାର୍‌ଜୀ ସେତେବେଳେ ଥା’ନ୍ତି କଂଗ୍ରେସ ପାର୍ଲିଆମେଣ୍ଟାରୀ ବୋର୍ଡ଼ର ଜଣେ ସକ୍ରିୟ ସଦସ୍ୟ । କେଉଁମାନେ ନିର୍ବାଚନରେ ପ୍ରାର୍ଥୀ ହେବେ ରାଜ୍ୟରେ ଚାରୋଟିଯାକ ପ୍ରଦେଶ କଂଗ୍ରେସ କମିଟି ତାହା ସ୍ଥିର କରୁଥାନ୍ତି । ସ୍ୱାସ୍ଥ୍ୟ ଦୃଷ୍ଟିରୁ ବାଲାସାହେବ ଖେର ପ୍ରାର୍ଥୀ ହେବେ ନାହିଁ ବୋଲି କଂଗ୍ରେସ କମିଟିକୁ ଜଣାଇଦେଲେ । ମୋରାର୍‌ଜୀ ତାଙ୍କୁ ଯେତେ ପ୍ରବର୍ତ୍ତାଇଲେ ମଧ୍ୟ ସେ ସେଥିରେ ଆଦୌ ରାଜି ହୋଇ ନ ଥିଲେ । ସେତେବେଳେ ଏସ୍‌ କେ. ପଟିଲ, ଭାଉ ସାହେବ ହିରେ, କାଞ୍ଜିଭାଇ ଦେଶାଇ ଓ ନିଜଲିଙ୍ଗପା ଯଥାକ୍ରମେ ବମ୍ୱେ, ମହାରାଷ୍ଟ୍ର, ଗୁଜୁରାଟ ଓ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ଥା’ନ୍ତି ସଭାପତି-। ବହୁ ସାବଧାନତା ସହକାରେ ଦଳର ପ୍ରାର୍ଥୀ ସ୍ଥିର କରାଗଲା । କେନ୍ଦ୍ରୀୟ ପାର୍ଲିଆମେଣ୍ଟାରୀ ବୋର୍ଡ଼ ସାମାନ୍ୟ ପରିବର୍ତ୍ତନ ପରେ ତାହା ମଞ୍ଜୁର କଲେ । ସମଗ୍ର ରାଜ୍ୟର ନିର୍ବାଚନ ଦାୟିତ୍ୱ ବହନ କଲେ ମୋରାର୍‌ଜୀ । ତେଣୁ ସେ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରଚାର ପାଇଁ ମାତ୍ର ଗୋଟିଏ ସପ୍ତାହ ଲାଗି ଯାଇଥିଲେ । ପ୍ରଚାର ଅଭାବ ଯୋଗୁଁ ମାତ୍ର ୧୯ଟି କମ ଭୋଟରେ ସେ ପରାସ୍ତ ହେଲେ । ନିୟମ ଅନୁଯାୟୀ ମନ୍ତ୍ରୀ ପଦରୁ ତାଙ୍କର ଇସ୍ତଫା ଦେବାର କଥା; କିନ୍ତୁ ବାଲାସାହେବ ତାଙ୍କୁ ଇସ୍ତଫା ନ ଦେଇ ପୁଣିଥରେ ନିର୍ବାଚନରେ ଲଢ଼ିବାକୁ ବାଧ୍ୟ କଲେ । ନିଜର ଆଦର୍ଶ ଦୃଷ୍ଟିରୁ ମୋରାର୍‌ଜୀ ପ୍ରଥମେ ତାଙ୍କ କଥାରେ ରାଜିହେଲେ ନାହିଁ । ଶେଷରେ ବହୁଯୁକ୍ତିତର୍କ ପରେ ସେ କହିଲେ ସେ ଯଦି ରାଜ୍ୟରେ ଥିବା ଚାରୋଟି ଯାକ କଂଗ୍ରେସ କମିଟିର ସଭାପତି ରାଜି ହୁଅନ୍ତି ଓ ଜବାହାରଲାଲ ନେହେରୁଙ୍କ ସମେତ କେନ୍ଦ୍ରିୟ ପାର୍ଲିଆମେଣ୍ଟାରୀ ବୋର୍ଡ଼ର ସଭ୍ୟମାନେ ସେଥିରେ ସ୍ୱୀକୃତି ଦିଅନ୍ତି ତାହାହେଲେ ସେ ପୁଣି ଥରେ ନିର୍ବାଚନରେ ଛିଡ଼ା ହେବା ଲାଗି ବିଚାର କରିବେ ।

 

ଏହି ଆଲୋଚନାର ଠିକ୍‌ ପରଦିନ ମୋରାର୍‌ଜୀଙ୍କୁ ପରାସ୍ତରେ ଦୁଃଖ ଓ ବିସ୍ମୟ ପ୍ରକାଶକରି ନେହେରୁ ଦେଇଥିବା ଖଣ୍ଡିଏ ଚିଠି ରାଜ୍ୟର କଂଗ୍ରେସ କର୍ତ୍ତୃପକ୍ଷଙ୍କୁ ମିଳିଲା । ସେ ସେଥିରେ ଲେଖିଥିଲେ ଯେ ମୋରାର୍‌ଜୀଙ୍କ ଇସ୍ତଫା ଗ୍ରହଣ ନ କରାଯାଇ ପୁଣିଥରେ ତାଙ୍କୁ ନିର୍ବାଚିତ କରାଯାଉ । କାରଣ ମୋରାର୍‌ଜୀଙ୍କ ଉପରେ ତାଙ୍କର ଏତେ ବିଶ୍ୱାସ ଥିଲା ଯେ ସେହି ଚିଠିରେ ସେ ତାଙ୍କୁ ଲକ୍ଷ୍ୟ କରି ଲେଖିଥିଲେ—‘He is the victorious leader of a victorious party.’ ତଦନୁଯାୟୀ କଂଗ୍ରେସ କମିଟିମାନଙ୍କର ସଦସ୍ୟ ଓ ସଭାପତିମାନେ ମୋରାର୍‌ଜୀଙ୍କ ଉପରେ ଚାପ ପକାଇଲେ । ତେଣୁ ମୋରାର୍‌ଜୀ ସେଥିରେ ରାଜି ହେଲେ ଓ ଅହମଦାବାଦ ସହରର ଗୋଟିଏ ନିର୍ବାଚନ ମଣ୍ଡଳୀରୁ ସେ ହେଲେ ନିର୍ବାଚିତ । କଂଗ୍ରେସ ଦଳର ନେତା ଭାବରେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇ ସେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ ।

 

ମନ୍ତ୍ରୀମଣ୍ଡଳ ଗଠନ ସମୟରେ ତାଙ୍କୁ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ପ୍ରଥମେ ମହାରାଷ୍ଟ୍ର କଂଗ୍ରେସ କମିଟିର ସଭାପତି ଜିଦ୍‌ଧରି ବସିଲେ ଯେ ମହାରାଷ୍ଟ୍ରରୁ ମନ୍ତ୍ରୀ ରୂପେ ବଛାଯିବ, ତାହା ତାଙ୍କ ସମ୍ମତି କ୍ରମେ କରାଯିବ । ସେହିପରି କର୍ଣ୍ଣାଟକ କଂଗ୍ରେସ କମିଟିର ସଭାପତି ଦାବୀକଲେ ଯେ କର୍ଣ୍ଣାଟକରୁ ଅତିକମରେ ଦୁଇଜଣ ବ୍ୟକ୍ତି ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ଉଚିତ । ଶେଷରେ ଆଲୋଚନା ପରେ ସ୍ଥିର ହେଲା ଯେ ନଅଜଣିଆ ମନ୍ତ୍ରୀମଣ୍ଡଳ ଗଢ଼ାଯିବ ଓ ସେଥିରେ ମହାରାଷ୍ଟ୍ରରୁ ୪ ଜଣ, କର୍ଣ୍ଣାଟକରୁ ଜଣେ, ବମ୍ୱେରୁ ଜଣେ ଓ ମୋରାର୍‌ଜୀଙ୍କ ସମେତ ଗୁଜୁରାଟରୁ ୩ ଜଣ ମନ୍ତ୍ରୀ ରହିବେ । ସେଇଆ ହେଲା । ଏମ୍‌. ପି. ପଟିଲ, ଓ୍ୱାଇ.ବି.ଚୌହାନ, ଡକ୍ଟର ଜୀବରାମ ମେହେଟା ଇତ୍ୟାଦି ମନ୍ତ୍ରୀ ରୂପେ ଶପଥ ନେଲେ; କିନ୍ତୁ କେନ୍ଦ୍ରିୟ ପାର୍ଲିଆମେଣ୍ଟାରୀ ବୋର୍ଡ଼ର ଅନ୍ୟତମ ସଦସ୍ୟ ମୌଲାନା ଆଜାଦ ମନ୍ତ୍ରୀମଣ୍ଡଳର ମୁସଲ୍‌ମାନ ସଦସ୍ୟ ନିଆଯାଇ ନଥିବାରୁ ଅସନ୍ତୋଷ ପ୍ରକାଶ କଲେ । ମୋରାର୍‌ଜୀଙ୍କୁ ଦିଲ୍ଲୀରୁ ଡାକରା ଆସିଲା । ସେ ସେଠାରେ ଯାଇ ମୌଲାନା ସାହେବଙ୍କ ସହିତ ଆଲୋଚନା କଲେ ଓ କହିଲେ ଯେ ମନ୍ତ୍ରୀ ହେଲାଭଳି କୌଣସି ଯୋଗ୍ୟ ମୁସଲମାନ ସଦସ୍ୟ ନ ଥିବାରୁ ସେ ମନ୍ତ୍ରୀମଣ୍ଡଳରେ ମୁସଲମାନ ସଦସ୍ୟଙ୍କୁ ସ୍ଥାନ ଦେଇ ନାହାନ୍ତି; କିନ୍ତୁ ସେଥିରେ ମୌଲାନା ସନ୍ତୁଷ୍ଟ ହୋଇ ନ ଥିଲେ । ଶେଷରେ ବୋର୍ଡ଼ର ଚେୟାରମାନ୍‌ ଜବାହରଲାଲଙ୍କ ସହିତ ମୋରାର୍‌ଜୀ ଆଲୋଚନା କରିଥିଲେ । ତାଙ୍କର ସିଦ୍ଧାନ୍ତ ସର୍ବସମ୍ମତି କ୍ରମେ ନେତୃବର୍ଗଙ୍କ ଦ୍ୱାରା ହୋଇଥିଲା ଗୃହୀତ ।

 

ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନକଲା ପରେ ମୋରାର୍‌ଜୀ ରାଜ୍ୟର କୃଷି ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଲେ । ଶିକ୍ଷାର ବିସ୍ତାର ଓ କୃଷିର ବିକାଶ ଲାଗି ତାଙ୍କରି ପ୍ରେରଣାରେ ପ୍ରଣୟନ କରାଯାଇଥିଲା ବହୁ ନୂତନ ଯୋଜନା । ୧୯୫୧ ମସିହାରେ ବସ୍ତ୍ରଶିଳ୍ପ ଉତ୍ପାଦନ କ୍ଷେତ୍ରରେ ଅବ୍ୟବସ୍ଥା ସୃଷ୍ଟି ହୋଇଥିଲା । ସେତେବେଳେ ଡକ୍ଟର ହରେକୃଷ୍ଣ ମହତାବ ଥା’ନ୍ତି ଭାରତର ଶିଳ୍ପମନ୍ତ୍ରୀ । ମୋରାର୍‌ଜୀ ଏହି ଅବ୍ୟବସ୍ଥାକୁ ଦୂର କରିବା ଲାଗି ବେସରକାରୀ ବ୍ୟକ୍ତିଙ୍କୁ ନେଇ ଏକ ଉପଦେଷ୍ଟା କମିଟି ଗଠନ କରିବା ପାଇଁ ଅନୁରୋଧ କଲେ । ଡକ୍ଟର ମହତାବ ତାଙ୍କ ପ୍ରସ୍ତାବରେ ରାଜିହେଲେ ଓ ପ୍ରସ୍ତାବିତ କମିଟିରେ ମୋରାର୍‌ଜୀଙ୍କୁ ଅଧ୍ୟକ୍ଷ ରହିବାଲାଗି କହିଲେ; କିନ୍ତୁ ନିଜର ଗୁରୁଦାୟିତ୍ୱ ଦୃଷ୍ଟିରୁ ମୋରାର୍‌ଜୀ ଆଉ ଅଧିକ ଦାୟିତ୍ୱ ନେବାକୁ ପ୍ରଥମେ ରାଜି ହେଲେ ନାହିଁ; କିନ୍ତୁ କାକା ସାହେବ ଗାଡ଼୍‌ଗିଲ ଓ ବାଲାସାହେବ ଇତ୍ୟାଦି ବନ୍ଧୁମାନେ ତାଙ୍କ ବାଧ୍ୟ କରିବାରୁ ଶେଷରେ ସେ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ହେବାକୁ ରାଜି ହୋଇଥିଲେ । ତାଙ୍କରି ସୁପାରିଶ ମତେ କମିଟିରେ ସଭ୍ୟ ଗ୍ରହଣ କରାଯାଇଥିଲା ଓ ବସ୍ତ୍ର ନିୟନ୍ତ୍ରଣ କ୍ଷେତ୍ରରେ ଥିବା ଅବ୍ୟବସ୍ଥା କ୍ରମେ ହୋଇଥିଲା ଦୂରୀଭୂତ ।

 

୧୯୫୨ରେ ଦେଶରେ ଖାଦ୍ୟଶସ୍ୟ ଅଭାବ ପଡ଼ିବାର ନିୟନ୍ତ୍ରଣ ବ୍ୟବସ୍ଥା ଜାରି କରାଯାଇଥିଲା । ସେତେବେଳେ ବମ୍ୱେର ଯୋଗାଣ ମନ୍ତ୍ରୀ ଥିଲେ ଓ୍ୱାଇ ବି. ଚୌହାନ । କେନ୍ଦ୍ର ଦାୟିତ୍ୱରେ ଥିଲେ ରଫି ଅହମ୍ମଦ କିଦ୍‌ଓ୍ୱାଇ । ଖାଦ୍ୟଶସ୍ୟ ନିୟନ୍ତ୍ରଣ ଯୋଗୁଁ ଲୋକେ ବହୁ ଅସୁବିଧାରେ ପଡ଼ିଲେ । ଚାରିଆଡ଼େ ଅଶାନ୍ତି ବ୍ୟାପିଗଲା । ଏହି ନିୟନ୍ତ୍ରଣ ବ୍ୟବସ୍ଥା ଉଠାଇ ଦେବାଲାଗି ଆନ୍ଦୋଳନର ସୂତ୍ରପାତ ହେଲା । ମୋରାର୍‌ଜୀ ନିଜ ରାଜ୍ୟରେ ଚାହିଦା ମୁତାବକ ଖାଦ୍ୟଶସ୍ୟ ଉତ୍ପାଦିତ ହେଉନାହିଁ ଜାଣି ଏକ ନୂତନ ଆଇନ ପ୍ରଣୟନ କଲେ । ଫଳରେ ଆଖୁ, ତୁଳା ଇତ୍ୟାଦି ଚାଷ କରିବା ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ଆନୁପାତିକ ଭିତ୍ତିରେ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ବାଧ୍ୟ କରାଗଲା । ଫଳରେ ଅଳ୍ପଦିନ ମଧ୍ୟରେ ବମ୍ୱେ ରାଜ୍ୟରୁ ଖାଦ୍ୟଶସ୍ୟ ନିୟନ୍ତ୍ରଣ ବ୍ୟବସ୍ଥା ଉଠାଇ ଦିଆଯାଇଥିଲା ।

 

ସେତେବେଳେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଶୃଙ୍ଖଳିତ ନ ଥିଲା । ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ଉଭୟ ବୋର୍ଡ଼ ଓ ସରକାରଙ୍କର ଥିଲା ନିୟନ୍ତ୍ରଣାଧୀନ । ମୋରାର୍‌ଜୀ ବିଦ୍ୟାଳୟଗୁଡ଼ିକୁ ପୂରାପୂରି ବୋର୍ଡ଼ର ନିୟନ୍ତ୍ରଣାଧୀନ କରାଇଥିଲେ । ଇଂରେଜୀ ଭାଷା ଶିକ୍ଷାର ମାଧ୍ୟମ ରହିବା ଦ୍ୱାରା ଛାତ୍ରମାନଙ୍କର ଅଯଥା ଶକ୍ତି ଅପଚୟ ହେଉଛି ବୋଲି ସେ ହୃଦୟଙ୍ଗମ କରିଥିଲେ । ବିଦେଶୀଭାଷାରେ ଶିକ୍ଷା ଦିଆଯିବା ଦ୍ୱାରା ଦେଶୀୟ ସଂସ୍କୃତି ପ୍ରତି ପ୍ରଥମରୁ ଛାତ୍ରଙ୍କ ମନରେ ବୈରାଗ୍ୟ ଜାଗ ହେଉଛି, ଏହା ହିଁ ଥିଲା ତାଙ୍କର ଅଭିମତ । ତେଣୁ ସେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ମାତୃଭାଷାରେ ଶିକ୍ଷାଦେବା ବ୍ୟବସ୍ଥା ପ୍ରଚଳନ କରିଥିଲେ । ଏହା ବ୍ୟତୀତ ବଳବନ୍ତରାଓ ମେହେଟା କମିଟିଙ୍କ ସୁପାରିଶ ମତେ ସେ ରାଜ୍ୟରେ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରଚଳନ କରାଇଥିଲେ । ରାଜ୍ୟର ଖବରକାଗଜମାନଙ୍କୁ ସ୍ୱାଧୀନତା ଦେବା ଦିଗରେ ସେ ମଧ୍ୟ ହୋଇଥିଲେ ସହାୟକ; କିନ୍ତୁ ସ୍ୱେଚ୍ଛାଚାରୀ ଭାବେ ସମ୍ୱାଦ ପରିବେଷଣର ସେ ତୀବ୍ର ବିରୋଧ କରୁଥିଲେ ।

 

ଗୋଆ, ଡାମନ୍‌, ଡିଉକୁ ପର୍ତ୍ତୁଗୀଜ୍‌ ଶାସନରୁ ମୁକ୍ତ କରିବା ଲାଗି ସ୍ଥାନୀୟ ନେତୃବୃନ୍ଦ ଉଦ୍ୟମ ଆରମ୍ଭ କଲେ । ପାରସ୍ପରିକ ବୁଝାମଣାରେ ଏହି ସ୍ଥାନଗୁଡ଼ିକୁ ହସ୍ତାନ୍ତର କରି ଆଣିବା ଥିଲା ଭାରତ ସରକାରଙ୍କ ଲକ୍ଷ୍ୟ; କିନ୍ତୁ ପର୍ତ୍ତୁଗୀଜ ସରକାର ହସ୍ତାନ୍ତର କରିବା ଦିଗରେ ଥିଲେ ଏକାନ୍ତ ଉଦାସୀନ । ତେଣୁ ଯେଉଁମାନେ ସେଥିଯୋଗୁଁ ଆନ୍ଦୋଳନ କରୁଥିଲେ, ସେମାନଙ୍କୁ କଠିନ କାରାଦଣ୍ଡ ଭୋଗିବାକୁ ପଡ଼ୁଥିଲା । ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ସଂହତି ଅଭାବରୁ ଆନ୍ଦୋଳନ ଉପଯୁକ୍ତ ରୂପରେଖ ନେଇପାରୁ ନ ଥିଲା । ଡକ୍ଟର ରାମମନୋହର ଲୋହିଆ, ପିଟର ଆଲୋଭାରେସ୍‌ ଓ ପ୍ରଜାସୋସିଆଲିଷ୍ଟୁ ଦଳର କେତେକ ନେତା ଏ ଦିଗରେ ସେମାନଙ୍କୁ ହେଲେ ସହାୟକ । ସେହିମାନଙ୍କ ପ୍ରେରଣା ଫଳରେ ଗୋଆ, ଡାମନ, ଡିଉରେ ପର୍ତ୍ତୁଗୀଜ ବିରୋଧୀ ଆନ୍ଦୋଳନ କ୍ରମେ ଦୃଢ଼ରୁ ଦୃଢ଼ତର ହେବାକୁ ଲାଗିଲା । ଏହି ତିନୋଟି ସ୍ଥାନକୁ ବାଦ ଦେଲେ ଦାଦ୍ରା ଓ ନଗରହାଭେଳି ନାମକ ଦୁଇଟି ସ୍ଥାନ ବମ୍ୱେ ରାଜ୍ୟର ସୀମା ଭିତରେ ଥିଲେ ମଧ୍ୟ ଥିଲା ପର୍ତ୍ତୁଗୀଜ ଶାସନାଧୀନ ଭୌଗୋଳିକ ପରିସ୍ଥିତି ଦୃଷ୍ଟିରୁ ଗୋଆର କେତେକ ନେତା ଏହି ଦୁଇଟିଯାକ ସ୍ଥାନକୁ ମୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋରାର୍‌ଜୀଙ୍କ ସାହାଯ୍ୟ ସହାନୁଭୂତି ଚାହିଁଲେ । ସେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇ କହିଥିଲେ ଯେ ଭାରତ ସରକାରଙ୍କ ନୀତି ଦୃଷ୍ଟିରୁ ତାହା ଉପଯୁକ୍ତ ଉପାୟରେ କରାଯିବା ଉଚିତ । ତାପରେ ସେ କେନ୍ଦ୍ରସରକାରଙ୍କ ସହିତ ଆଲୋଚନା କରି ସେମାନଙ୍କ ନିର୍ଭୟ ବାଣୀ ଦେଇଥିଲେ ଯେ ଏହି ଦୁଇଟି ସ୍ଥାନକୁ ମୁକ୍ତ କଲା ସମୟରେ ପର୍ତ୍ତୁଗୀଜ ସୈନ୍ୟସାମନ୍ତଙ୍କୁ ବମ୍ୱେ ରାଜ୍ୟର ସୀମାରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ତଦନୁଯାୟୀ ସେ ଏହି ଦୁଇ ସ୍ଥାନର ଚତୁଃପାର୍ଶ୍ୱରେ ରିଜର୍ଭ ପୋଲିସ ମୁତୟନ କରି ସତ୍ୟାଗ୍ରହୀମାନଙ୍କ ସମେତ ଆନ୍ଦୋଳନକାରୀଙ୍କ ମନରେ ଜଗାଇଥିଲେ ଅପୂର୍ବ ଉତ୍ସାହ ଓ ଉଦ୍ଦୀପନା । ଫଳରେ ଏହି ଦୁଇଟି ସ୍ଥାନ ଅତି ସହଜରେ ସତ୍ୟାଗ୍ରହୀଙ୍କର କର୍ତ୍ତୃତ୍ୱାଧୀନ ହୋଇପାରିଥିଲା । ପର୍ତ୍ତୁଗୀଜ ପୋଲିସ ଶେଷରେ ଆତ୍ମସମର୍ପଣ କରିଥିଲେ ।

 

ପର୍ତ୍ତୁଗୀଜ ଶାସନ-ମୁଖ୍ୟ ତାହା ଜାଣି ସେହି ଦୁଇଟିଯାକ ସ୍ଥାନର ପୁନରୁଦ୍ଧାର ଲାଗି ବମ୍ୱେ ରାଜ୍ୟ ଦେଇ ତାଙ୍କ ସୈନ୍ୟବାହିନୀ ପଠାଇବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଥିଲେ; କିନ୍ତୁ ତାଙ୍କ ଅନୁରୋଧ କେନ୍ଦ୍ର ସରକାର ପ୍ରତ୍ୟଖ୍ୟାନ କରିଥିଲେ । ଶେଷରେ ପର୍ତ୍ତୁଗୀଜ ସରକାର ବିଶ୍ୱଅଦାଲତରେ ଅଭିଯୋଗ କରିଥିଲେ । ଭାରତ ସରକାରଙ୍କ ତରଫରୁ ଏମ୍‌.ସି. ଚଗଲାଙ୍କୁ ସେହି ମୋକଦ୍ଦମା ଲଢ଼ିବାକୁ ପଠାଯାଇଥିଲା । ଅଦାଲତ ଭାରତ ସରକାରଙ୍କ ସପକ୍ଷରେ ରାୟ ଦେଇଥିଲେ ।

 

ଏହି ଦୁଇଟି ସ୍ଥାନ ମୁକ୍ତ ହେଲା ପରେ ଗୋଆ ମୁକ୍ତି ଆନ୍ଦୋଳନ ବ୍ୟାପ୍ତ ଓ ଦୃଢ଼ ହେବାକୁ ଲାଗିଲା । କମ୍ୟୁନିଷ୍ଟ ଓ ପ୍ରଜା ସୋସିଆଲିଷ୍ଟ ଦଳ ଦ୍ୱାରା ଏଥିପାଇଁ ଦୁଇଟି କମିଟି ଗଢ଼ାଯାଇଥିଲା । ସ୍ଥାନୀୟ ଲୋକଙ୍କୁ ନେଇ ରାମମନୋହର ଲୋହିଆ ମଧ୍ୟ ଆନ୍ଦୋଳନ ରଖିଥିଲେ ଅବ୍ୟାହତ । ଉଭୟ କେନ୍ଦ୍ର ସରକାର ଓ ମୋରାର୍‌ଜୀ ଏହି ସଂସ୍ଥାର ମୁଖିଆମାନଙ୍କ ସହିତ ରଖିଥିଲେ ନିବିଡ଼ ସମ୍ପର୍କ । ଅହିଂସା ଉପାୟରେ ଆନ୍ଦୋଳନ ଚାଲୁ ରଖିବା ପାଇଁ ସେ ସେମାନଙ୍କୁ ଉତ୍ସାହିତ କରିଥିଲେ-। କେନ୍ଦ୍ର ସରକାର ମଧ୍ୟ ମୋରାର୍‌ଜୀଙ୍କ ସହିତ ହୋଇଥିଲେ ଏକମତ । ଯଦିଓ କଂଗ୍ରେସ ଦଳହିସାବରେ ଏହି ଆନ୍ଦୋଳନରେ ଅଂଶଗ୍ରହଣ କରୁ ନ ଥିଲା, ତଥାପି ବ୍ୟକ୍ତିଗତ ଭାବେ କଂଗ୍ରେସ ସଭ୍ୟମାନଙ୍କଠାରୁ ମିଳୁଥିଲା ଦୃଢ଼ ସମର୍ଥନ । କ୍ରମେ ପର୍ତ୍ତୁଗୀଜ ସରକାର ଗୋଆ-ମୁକ୍ତି ଆନ୍ଦୋଳନକୁ ଦୃଢ଼ ହସ୍ତରେ ଦମନ କଲେ । ଏଣେ ସତ୍ୟାଗ୍ରହୀ ପଠାଇବା ଲାଗି ବିଭିନ୍ନ ସୂତ୍ରରୁ କଂଗ୍ରେସ ଉପରେ ଚାପ ଦିଆଗଲା । କଣ କରାଯିବ ସେ ବିଷୟ ବିଚାର କରିବା ଲାଗି କଂଗ୍ରେସ କାର୍ଯ୍ୟକାରୀ କମିଟି ଡକାଗଲା । ମୋରାର୍‌ଜୀ ଦଳ ପକ୍ଷରୁ ସତ୍ୟାଗ୍ରହୀ ପଠାଇବା ପ୍ରସ୍ତାବର ବିରୋଧ କଲେ । ସେ କହିଲେ—‘‘ଗୋଆ ସରକାର ଯେପିର ଦୃଢ଼ ହସ୍ତରେ ଆନ୍ଦୋଳନର ମୁକାବିଲା କରୁଛନ୍ତି, ସତ୍ୟାଗ୍ରହୀମାନେ ସେଠାକୁ ଗଲେ ଅମାନୁଷିକ ଭାବେ ନିର୍ଯ୍ୟାତିତ ହେବେ । ଫଳରେ ଆମର ହିଁ କ୍ଷତି ହେବ ଓ ଆମର କର୍ମୀମାନେ ହେବେ ନିରୁତ୍ସାହିତ-।’’ କିନ୍ତୁ ସରଗରମ ପରିସ୍ଥିତି ଦୃଷ୍ଟିରୁ ମୋରାର୍‌ଜୀଙ୍କ ସହିତ କେହି ଏକମତ ହୋଇ ନ ଥିଲେ ।

 

୧୯୫୫ ମସିହା ଅଗଷ୍ଟ ମାସରେ ଗୋଆ ଓ ଡାମନକୁ ସତ୍ୟାଗ୍ରହୀଙ୍କ ସ୍ରୋତ ଛୁଟିଲା-। ଅହିଂସା ଆନ୍ଦୋଳନକୁ ପର୍ତ୍ତୁଗୀଜ ସରକାର ହିଂସାତ୍ମକ ଉପାୟରେ ଦମନ କରିବାକୁ ଦ୍ୱିଧା ବୋଧ କଲେ ନାହିଁ । ଫଳରେ ଅନେକ ସତ୍ୟାଗ୍ରହୀ ନିହତ ହେଲେ । ସମସ୍ତେ ଅନୁଭବ କଲେ ଯେ ଭାରତ ସରକାର ଶକ୍ତି ପ୍ରୟୋଗ କରି ଗୋଆକୁ ମୁକ୍ତ କରନ୍ତୁ; କିନ୍ତୁ ସରକାର ହଠାତ୍‌ କୌଣସି ପଦକ୍ଷେପ ନେଇ ନ ଥିଲେ । କାରଣ ପାରସ୍ପରିକ ବୁଝାମଣାରେ ସଂପୃକ୍ତ ଉପନିବେଶକୁ ହସ୍ତାନ୍ତର କରି ଆଣିବା ଥିଲା ସରକାରଙ୍କର ଲକ୍ଷ୍ୟ । ତେଣୁ ୧୯୬୧ ମସିହା ପର୍ଯ୍ୟନ୍ତ ସରକାର ଶକ୍ତି ପ୍ରୟୋଗ କରିବାକୁ ରାଜି ହୋଇ ନ ଥିଲେ । ଯେତେବେଳେ ଦେଖାଗଲା ଯେ ପର୍ତ୍ତୁଗୀଜ ସରକାର ଗୋଆ, ଡାମନ ନ ଛାଡ଼ିବାକୁ ଦୃଢ଼ପ୍ରତିଜ୍ଞ, ସେତେବେଳେ ଭାରତ ସରକାର ଆଉ ନୀରବଦ୍ରଷ୍ଟା ହୋଇ ରହିବାକୁ ପସନ୍ଦ କଲେ ନାହିଁ । ସୈନ୍ୟବାହିନୀଙ୍କ ସହାୟତାରେ ଗୋଆ, ଡାମନକୁ ବିଦେଶୀ କବଳରୁ ମୁକ୍ତ କରାଯାଇଥିଲା ।

 

ସ୍ୱାଧୀନତା ପ୍ରାପ୍ତି ପରେ ଇଂରେଜ ସରକାର ଦେଉଥିବା ରାୟବାହାଦୁର, ରାୟସାହେବ ଇତ୍ୟାଦି ଉପାଧି ଦେବା ବନ୍ଦ କରିଦିଆଗଲା । ଭାରତ ସରକାର ତାହା ବଦଳରେ ଭାରତରତ୍ନ, ପଦ୍ମଭୂଷଣ, ପଦ୍ମଶ୍ରୀ ଇତ୍ୟାଦି ଉପାଧି ଦେବାକୁ ସ୍ଥିର କଲେ; କିନ୍ତୁ ମୋରାର୍‌ଜୀ ସହିତ ସରକାରଙ୍କର ସେହି ସିଦ୍ଧାନ୍ତରେ ଏକମତ ହୋଇ ନ ଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ଥିଲାବେଳେ ବମ୍ୱେ ରାଜ୍ୟରୁ ସେହି ଉପାଧି ପ୍ରାପ୍ତି ଲାଗି କାହାର ନାମ ସୁପାରିଶ କରି ନ ଥିଲେ ।

 

ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଜବାହରଲାଲ ତାଙ୍କୁ ଖୁବ୍‌ ଆଦର କରୁଥିଲେ ଓ ତାଙ୍କ ପ୍ରସ୍ତାବଗୁଡ଼ିକ ଗୁରୁତ୍ୱ ତଥା ସହାନୁଭୂତି ସହକାରେ ବିଚାର କରୁଥିଲେ-। କେନ୍ଦ୍ର ମନ୍ତ୍ରୀମଣ୍ଡଳକୁ ଅଧିକ ଦୃଢ଼ କରିବା ଲାଗି ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ଥ ଓ ମୋରାର୍‌ଜୀଙ୍କୁ ଯୋଗ ଦେବା ଲାଗି ନିମନ୍ତ୍ରଣ କଲେ । ନିକଟ ଭବିଷ୍ୟତରେ ରାଜ୍ୟ ପୁନର୍ଗଠନ ଓ ଅନ୍ୟାନ୍ୟ କେତେକ ସମସ୍ୟା ଯୋଗୁଁ ସେ ତାଙ୍କ ନିମନ୍ତ୍ରଣ ରକ୍ଷା କରିପାରି ନ ଥିଲେ, କିନ୍ତୁ ପନ୍ଥ ୧୯୫୫ ମସିହା ଜାନୁଆରୀ ମାସରେ କେନ୍ଦ୍ରରେ ଯୋଗ ଦେଇଥିଲେ । କିଛିଦିନ ପାଇଁ ପଣ୍ଡିତ ପନ୍ଥ କେନ୍ଦ୍ରରେ ବିଭାଗବିହୀନ ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ-। ତାପରେ ପଣ୍ଡିତ ନେହେରୁ ତାଙ୍କୁ ଦେଶରକ୍ଷା ବିଭାଗ ଦେବାକୁ ସ୍ଥିର କଲେ । ତାହା ଜାଣି ମୋରାର୍‌ଜୀ ପଣ୍ଡିତ ପନ୍ଥଙ୍କୁ ସେ ବିଭାଗ ନ ନେବା ଲାଗି ପ୍ରବର୍ତ୍ତାଇଲେ । ପଣ୍ଡିତ ପନ୍ଥ ଦେଶରକ୍ଷା ବିଭାଗ ନେବାକୁ ଆନ୍ତରିକ କୁଣ୍ଠାବୋଧ କରୁଥିଲେ ମଧ୍ୟ ନେହେରୁଙ୍କ ଆଦେଶ ଅବମାନନା କରିପାରି ନ ଥିଲେ । ତେଣୁ ମୋରାର୍‌ଜୀ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ ବୋଲି ଅନୁରୋଧ କରିଥିଲେ ଓ ତାଙ୍କୁ ସ୍ୱରାଷ୍ଟ୍ର ବିଭାଗ ଦେଇ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଡକ୍ଟର କୈଳାଶନାଥ କାଟ୍‌ଜଙ୍କୁ ଦେଶରକ୍ଷା ବିଭାଗ ଦେବା ଲାଗି କହିଥିଲେ । ଶେଷରେ ଜବାହରଲାଲ ମୋରାର୍‌ଜୀଙ୍କ କଥା ମାନି ବିଭାଗ ପୁନର୍ବଣ୍ଟନ କରିଥିଲେ ।

 

ସ୍ୱତନ୍ତ୍ର ଆନ୍ଧ୍ର ରାଜ୍ୟ ଗଠନ ଦାବୀ କରି ଶ୍ରୀ ରାମୁଲୁ ଅନଶନ କରି ଜୀବନ ଉତ୍ସର୍ଗ କଲେ । ତାଙ୍କ ମୃତ୍ୟୁ ପରେ ଆନ୍ଧ୍ର ଅଞ୍ଚଳରେ ହିଂସାତ୍ମକ ଆନ୍ଦୋଳନର ସୂତ୍ରପାତ ହେଲା । ତେଣୁ ବାଧ୍ୟ ହୋଇ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆନ୍ଧ୍ରପ୍ରଦେଶ ଗଠନ କଲେ । ମୋରାର୍‌ଜୀ ଜବାହରଲାଲଙ୍କର ଏହି ସିଦ୍ଧାନ୍ତ ଅନ୍ୟ ରାଜ୍ୟମାନଙ୍କରେ ଅନୁରୂପ ଆନ୍ଦୋଳନ ସୂତ୍ରପାତ କରିବ ଓ ଦେଶର ସଂହତି ବାଧାପ୍ରାପ୍ତ ହେବ ବୋଲି ଜଣାଇଦେଲେ । ତେଣୁ ଜବାହରଲାଲ ସେହି ଆଶଙ୍କାରେ ରାଜ୍ୟ ପୁନର୍ଗଠନ କମିସନ୍‌ ନିଯୁକ୍ତ କରିବାକୁ ସିଦ୍ଧାନ୍ତ କଲେ । ମୋରର୍‌ଜୀ ମଧ୍ୟ ସେହି ସିଦ୍ଧାନ୍ତର ପ୍ରତିବାଦ କଲେ । ସେ କହିଲେ ଯେ କମିସନ୍‌ଙ୍କ ସୁପାରିଶ ଅନୁଯାୟୀ ଭାଷା ଭିତ୍ତିରେ ରାଜ୍ୟ ପୁନର୍ଗଠିତ ହେଲେ ଭବିଷ୍ୟତରେ ସମସ୍ୟା ଅଧିକ ଜଟିଳ ହୋଇ ଦେଶରେ ଅସ୍ଥିରତା ସୃଷ୍ଟି କରିପାରେ । ତେଣୁ ଦେଶରେ ରାଜନୈତିକ ଓ ଅର୍ଥନୀତିକ ଦୃଢ଼ତା ଆସିବା ପର୍ଯ୍ୟନ୍ତ, ସେପରି ସିଦ୍ଧାନ୍ତରୁ ସେ ନିବୃତ୍ତ ହୋଇଥିଲେ ଭଲ ହୋଇଥା’ନ୍ତା । ସେ ପୁଣି ଯୁକ୍ତି ବାଢ଼ିଥିଲେ ଯେ ଭାଷାଭିତ୍ତିରେ ରାଜ୍ୟ ଗଠନ ଆଦୌ ଆୟାସସାଧ୍ୟ ନୁହେଁ; କିନ୍ତୁ ତାହା ପରିସ୍ଥିତି ଦୃଷ୍ଟିରୁ ସମୟୋଚିତ ହେଉ ନାହିଁ । ଜବାହରଲାଲ ମୋରାର୍‌ଜୀଙ୍କ ଏହି ମନ୍ତ୍ରଣା ପ୍ରତି ଭ୍ରୂକ୍ଷେପ କରି ନ ଥିଲେ । କଂଗ୍ରେସ କାର୍ଯ୍ୟକାରୀ କମିଟିରେ ତାଙ୍କର ସେହି ସିଦ୍ଧାନ୍ତ ଗୃହୀତ ହୋଇଯାଇଥିଲା । ସୟଦ ଫଜଲ ଅଲ୍ଲୀଙ୍କ ରାଜ୍ୟ ପୁନର୍ଗଠନ କମିସନ୍‌ର ଅଧ୍ୟକ୍ଷ ନିଯୁକ୍ତ କରାଗଲା । ହୃଦୟନାଥ କୁଞ୍ଜରୁ ଓ କେ ଏମ୍‌. ପାନିକର ସେହି କମିସନ୍‌ର ସଭ୍ୟ ନିଯୁକ୍ତ ହେଲେ ।

 

କମିସନ୍‌ ନିଯୁକ୍ତି ଫଳରେ ଦେଶର ଚାରିଆଡ଼େ ସ୍ୱତନ୍ତ୍ର ରାଜ୍ୟମାନ ଗଠନ ଲାଗି ଆନ୍ଦୋଳନର ସୂତ୍ରପାତ ହେଲା । ବମ୍ୱେ ସହର ମହାରାଷ୍ଟ୍ରର ବହୁ ଅଞ୍ଚଳରେ ହିଂସାତ୍ମକ ଆନ୍ଦୋଳନ ଆରମ୍ଭ ହୋଇଗଲା । ଏହି ଆନ୍ଦୋଳନର ଉଦ୍ଦେଶ୍ୟ ଥିଲା ବମ୍ୱେ ସହରକୁ ନେଇ ସ୍ୱତନ୍ତ୍ର ମହାରାଷ୍ଟ୍ର ଗଠନ । ଏହି ଆନ୍ଦୋଳନକୁ ଚାଲୁ ରଖିବା ଲାଗି ଶଙ୍କରରାଓ ଦେଓ ବିଭିନ୍ନ ରାଜନେତିକ ଦଳର କର୍ମୀମାନଙ୍କୁ ନେଇ ଗଠନ କଲେ ସଂଯୁକ୍ତ ମହାରାଷ୍ଟ୍ର ସମିତି । ବମ୍ୱେ ସହରରେ ବିଭିନ୍ନ ଭାଷାଭାଷୀ ଲୋକେ ବାସ କରୁଥିବାରୁ ତାହାକୁ ଭାଷାଭିତ୍ତିରେ କୌଣସି ରାଜ୍ୟର ନ ରଖି ସ୍ୱତନ୍ତ୍ର ଭାବେ ରଖିବା ଲାଗି ଅନେକ ପ୍ରସ୍ତାବ ଦେଲେ; କିନ୍ତୁ ବହୁବ୍ୟକ୍ତି ବମ୍ୱେ ସହରକୁ ନେଇ ସ୍ୱତନ୍ତ୍ର ମହାରାଷ୍ଟ୍ର ଗଠନ ପ୍ରସ୍ତାବର ସମର୍ଥନ କଲେ । ତତ୍କାଳୀନ ବମ୍ୱେ ରାଜ୍ୟ ବିଧାନସଭାର ବାଚସ୍ପତି, ଯେ କି ଦଳୀୟ ରାଜନୀତିରୁ ଦୂରରେ ରହିବାର କଥା, ସେ ଆଇନକାନୁନ କିଛି ନ ମାନି ଆନ୍ଦୋଳନର ସମର୍ଥକ ଭାବରେ ବିଭିନ୍ନ ସଭାସମିତିରେ ଭାଷଣ ଦେଲେ । ମୋରାର୍‌ଜୀ ତାଙ୍କର ସେହି ଆଚରଣ ଯୋଗୁଁ ପ୍ରକାଶ କରିଥିଲେ ଗଭୀର ଅସନ୍ତୋଷ ।

 

ଦେଶରେ କ୍ଷୁଦ୍ର ରାଜ୍ୟମାନ ଗଠିତ ହେଉ, ମୋରାର୍‌ଜୀ ତାହା ଚାହୁଁ ନଥିଲେ । ରାଜ୍ୟଗୁଡ଼ିକ ଆୟତନ ଦୃଷ୍ଟିରୁ ବଡ଼ ହେଲେ ରାଜ୍ୟ ସରକାର ଗୁଡ଼ିକ ଦୃଢ଼ ହେବେ ଓ କେନ୍ଦ୍ରକୁ ସୁଦୃଢ଼ କରିବା ଦିଗରେ ସେମାନେ ହେବେ ସହାୟକ, ଏହାହିଁ ଥିଲା ତାଙ୍କର ଇଚ୍ଛା । ସେ ଯାହାହେଉ ୧୯୫୫ ବେଳକୁ ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ ଏକ ଅଶୋଭନୀୟ ରୂପରେଖ ନେଲା । ଆନ୍ଦୋଳନର ନେତୃବୃନ୍ଦ କମିସନଙ୍କ ସମକ୍ଷରେ ସାକ୍ଷ୍ୟ ଦେଇ ସ୍ୱତନ୍ତ୍ର ମହାରାଷ୍ଟ୍ର ଗଠନ ଲାଗି ଯୁକ୍ତି ବାଢ଼ିଲେ । ଗୁଜୁରାଟୀଭାଷୀ ଲୋକମାନେ ମଧ୍ୟ ସ୍ୱତନ୍ତ୍ର ଗୁଜୁରାଟ ରାଜ୍ୟ ଗଠନ ଲାଗି କମିସନ୍‌ଙ୍କ ନିକଟରେ ଦାବୀ କଲେ । କମିସନ୍‌ ମୋରାର୍‌ଜୀଙ୍କ ସହିତ ବମ୍ୱେ ରାଜ୍ୟ ପୁନର୍ଗଠନ ବିଷୟରେ ଆଲୋଚନା କଲେ; କିନ୍ତୁ ମୋରାର୍‌ଜୀ ପ୍ରଥମରୁ ଭାଷାଭିତ୍ତିରେ ରାଜ୍ୟ ଗଠନର ଥିଲେ ବିରୋଧୀ । ସେ କହିଲେ ଯଦି ଭାଷାଭିତ୍ତିରେ ରାଜ୍ୟ ଗଠନର ଥିଲେ ବିରୋଧୀ । ସେ କହିଲେ ଯଦି ଭାଷାଭିତ୍ତିରେ ରାଜ୍ୟଗଠନ କରାଯାଏ, ତାହାହେଲେ ଭାରତର ଐକ୍ୟ ବ୍ୟାହତ ହେବା ସ୍ୱାଭାବିକ । ଭାଷାକୁ କେନ୍ଦ୍ର କରି ରାଜ୍ୟଗଠନ ସମସ୍ୟା ନିକଟ ଭବିଷ୍ୟତର ଚୂଡ଼ାନ୍ତ ରୂପରେଖ ନେଇପାରିବ ନାହିଁ ବୋଲି କମିସନ୍‌ଙ୍କୁ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ ।

 

୧୯୫୫ ମସିହା ସେପ୍ଟେମ୍ୱର ମାସରେ କମିସନ୍‌ କେନ୍ଦ୍ର ସରକାରଙ୍କୁ ତାଙ୍କ ରିପୋର୍ଟ ଦେଲେ । ସେଥିରେ ୧୬ଟି ରାଜ୍ୟଗଠନ ଲାଗି ସୁପାରିଶ କରାଯାଇଥିଲା । ଜବାହରଲାଲ ସେହି ସୁପାରିଶଗୁଡ଼ିକ ପଢ଼ି ଅସନ୍ତୋଷ ପ୍ରକାଶ କରିଥିଲେ । କମିସନ୍‌ଙ୍କୁ ମିଳିଥିବା ଦୁଇ ହଜାର ସ୍ମାରକ ପତ୍ର ମଧ୍ୟରୁ ଯେଉଁମାନଙ୍କର ସ୍ମାରକ ପତ୍ର ବିଚାର କରାଯାଇ ନ ଥିଲା; ସେମାନଙ୍କ ମନରେ ଘୋର ଅଶାନ୍ତି କୁହୁଳିବାକୁ ଲାଗିଲା । ଯେ ଯାହାର ଦାବୀ ବଜାୟ ରଖିବା ଲାଗି ବୈପ୍ଳବିକ ପନ୍ଥା ଅବଲମ୍ୱନ କରିବେ ବୋଲି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧମକ ଦେଲେ । ଏସବୁ ସତ୍ତ୍ୱେ ପରିସ୍ଥିତି ଦୃଷ୍ଟିରୁ କେନ୍ଦ୍ର ସରକାର ରାଜ୍ୟ ପୁନର୍ଗଠନ କମିସନ୍‌ଙ୍କ ରିପୋର୍ଟ ଗ୍ରହଣ କରି ନେଇଥିଲେ-। ତେଣୁ ଦେଶର ବିଭିନ୍ନ ପ୍ରାନ୍ତରେ ପୁଣି ବିପ୍ଳବର ସୂତ୍ରପାତ ହେଲା । ତେଣେ ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟି ବମ୍ୱେ ରାଜ୍ୟକୁ ମହାରାଷ୍ଟ୍ର ଓ ଗୁଜୁରାଟ ଏହି ଦୁଇ ରାଜ୍ୟରେ ବିଭକ୍ତ କରି ବମ୍ୱେ ସହରକୁ କେନ୍ଦ୍ର ଶାସନାଧୀନ କରିବାକୁ ଦାବୀ କଲେ । ଆନ୍ଦୋଳନ ଯୋଗୁଁ ସମଗ୍ର ବମ୍ୱେ ରାଜ୍ୟରେ ସାଧାରଣ ଜୀବନଯାତ୍ରା ଅସମ୍ଭବ ହୋଇପଡ଼ିଲା । ପରିସ୍ଥିତି ଅନୁଧ୍ୟାନ କରିବା ଲାଗି ଜବାହରଲାଲ ବମ୍ୱେ ଆସିଲେ । ସେ ମୋରାର୍‌ଜୀଙ୍କ ସହିତ ରାଜ୍ୟ ପୁନର୍ଗଠନ ବିଷୟ ଆଲୋଚନା କଲେ ଓ ଅଧିକ ଆଲୋଚନା ଲାଗି ତାଙ୍କୁ ଦିଲ୍ଲୀ ଯିବାକୁ କହିଲେ । ତଦନୁଯାୟୀ ମୋରାର୍‌ଜୀ ଦିଲ୍ଲୀ ଯାଇ ନେତୃବୃନ୍ଦଙ୍କ ସହିତ ଆଲୋଚନା କଲାପରେ କେନ୍ଦ୍ର ସରକାର ଘୋଷଣା କଲେ ଯେ ବମ୍ୱେ ରାଜ୍ୟ ମହାରାଷ୍ଟ୍ର ଓ ଗୁଜୁରାଟ ଏହିପରି ଦୁଇଟି ରାଜ୍ୟରେ ପରିଣତ ହେବ ଓ ବମ୍ୱେ ସହର ରହିବ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ।

 

ଏହି ଘୋଷଣା ପରେ ବମ୍ୱେ ସହରରେ ଚାଲିଥିବା ଆନ୍ଦୋଳନ ହିଂସାତ୍ମକ ରୂପ ଧାରଣ କଲା । ସଂଯୁକ୍ତ ମହାରାଷ୍ଟ୍ର କମିଟିର ଲୋକେ ଗୁଜୁରାଟୀଭାଷୀ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ଚଳାଇଲେ । ସେତେବେଳେ ବମ୍ୱେ ସହରରେ ମୁତୟନ ଥିବା ପୁଲିସ୍‌ କର୍ମଚାରୀମାନଙ୍କ ମଧ୍ୟରୁ ଶତକଡ଼ା ୯୫ ଭାଗ ଥିଲେ ମହାରାଷ୍ଟ୍ରର ଲୋକ । ସେମାନଙ୍କର ପରୋକ୍ଷ ସମର୍ଥନ ଯୋଗୁଁ ଆନ୍ଦୋଳନକାରୀମାନେ ଗୁଜୁରାଟୀଙ୍କ ଘରଦ୍ୱାର ଓ ଦୋକାନ ବିନା ବାଧାରେ ଲୁଟି ନେଲେ । ମୋରାର୍‌ଜୀ ସେହି ପରିସ୍ଥିତିକୁ ଦୃଢ଼ ହସ୍ତରେ ଦମନ କରିଥିଲେ । ଏପରିକି ପରିସ୍ଥିତିକୁ ଅଧିକ ଗୁରୁତର କରିବାରେ ସାହାଯ୍ୟ କରୁଥିବା ତାଙ୍କ ମନ୍ତ୍ରୀମଣ୍ଡଳର ଉପମନ୍ତ୍ରୀ ନାରାଭେନଙ୍କୁ ସେ କାଳବିଳମ୍ୱ ନ କରି ବହିଷ୍କାର କରିଥିଲେ । ପ୍ରଧାନମନ୍ତ୍ରୀ ସୈନ୍ୟବାହିନୀର ସାହାଯ୍ୟ ନେଇ ଆନ୍ଦୋଳନକୁ ଦମନ କରିବା ଲାଗି ତାଙ୍କୁ ଗୁପ୍ତ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜୀବନହାନି ଆଶଙ୍କା କରି ସେ ତାହା କରି ନଥିଲେ ।

 

ସ୍ୱତନ୍ତ୍ର ଗୁଜୁରାଟ ରାଜ୍ୟ ଗଠନ ଲାଗି ଅନୁରୂପ ଆନ୍ଦୋଳନ ଆରମ୍ଭ ହେଲା । ପ୍ରଥମେ ଅହମଦାବାଦରେ ଏହି ଆନ୍ଦୋଳନର ସୂତ୍ରପାତ ହେଲା । ମହା ଗୁଜୁରାଟ ସମିତି ଛାତ୍ରମାନଙ୍କୁ ଏଥିରେ ମୁଖ୍ୟ ଅଂଶ ନେବାକୁ ଉତ୍ସାହିତ କଲେ । ଛାତ୍ରମାନେ ଭଙ୍ଗାରୁଜା କାର୍ଯ୍ୟରେ ଲିପ୍ତ ରହିବାରୁ ପୋଲିସ ଗୁଳି ଚଳାଇଲେ । ଫଳରେ ପାଞ୍ଚ ଜଣ ଛାତ୍ର ନିହତ ହେବାରୁ ଆନ୍ଦୋଳନ ଭୟଙ୍କର ରୂପରେଖ ଧାରଣ କଲା ଓ ଚାରିଆଡ଼େ ବ୍ୟାପିବାକୁ ଲାଗିଲା । ମୋରାର୍‌ଜୀ ଅହମଦାବାଦ ଯାଇ ପରିସ୍ଥିତି ଅନୁଧ୍ୟାନ କିର ସ୍ଥିର କଲେ ଯେ ପୋଲିସ ସାହାଯ୍ୟରେ ସେହି ଆନ୍ଦୋଳନ ଦମନ କଲେ ବହୁ ନିରୀହ ବ୍ୟକ୍ତିଙ୍କର ଜୀବନହାନି ହେବା ସ୍ୱାଭାବିକ । ତେଣୁ ସେ ଆମରଣ ଅନଶନ କରିବେ ବୋଲି ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଓ କଂଗ୍ରେସ ସଭାପତି ୟୁ.ଏନ୍‌. ଧେବରଙ୍କୁ ଜଣାଇଦେଲେ; କିନ୍ତୁ ପ୍ରଧାନମନ୍ତ୍ରୀ ଓ କଂଗ୍ରେସ ସଭାପତି ତାଙ୍କର ସେହି ପ୍ରସ୍ତାବରେ ରାଜି ହେଲେ ନାହିଁ । ତାହା ସତ୍ତ୍ୱେ ପ୍ରଦେଶ କଂଗ୍ରେସ କମିଟିରେ ସେ ତାଙ୍କର ସିଦ୍ଧାନ୍ତ ଘୋଷଣା କଲେ ଓ ଠିକ୍‌ ଦିନକ ପରେ ତାଙ୍କ ଅନଶନ ଆରମ୍ଭ ହେଲା । କଂଗ୍ରେସ ସଭାପତି ଅହମଦାବାଦ ଆସି ତାଙ୍କୁ ସେଥିରୁ ନିବୃତ୍ତାଇବା ଲାଗି ଉଦ୍ୟମ କଲେ; କିନ୍ତୁ ମୋରାର୍‌ଜୀ କହିଲେ ଯେ ଯେପର୍ଯ୍ୟନ୍ତ ଲୋକେ ହିଂସାତ୍ମକ ଆନ୍ଦୋଳନ ବନ୍ଦ ନ କରିଛନ୍ତି, ସେ ପର୍ଯ୍ୟନ୍ତ ସେ ଅନଶନ ଭାଙ୍ଗିବେ ନାହିଁ ।

 

ୟୁ.ଏନ୍‌. ଧେବର ଗୁଜୁରାଟୀ ଭାଷୀ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ସେମାନଙ୍କ ଦ୍ୱାରା ମୋରାର୍‌ଜୀଙ୍କୁ ପ୍ରବର୍ତ୍ତାଇବା ଉଦ୍ୟମ ଅବ୍ୟାହତ ରଖିଲେ । ଅନଶନର ଅଷ୍ଟମ ଦିନ କଂଗ୍ରେସ ନେତୃବୃନ୍ଦ ତାଙ୍କୁ ସାକ୍ଷାତ କରି ପରିସ୍ଥିତିକୁ ଶାନ୍ତ କରିବା ଦିଗରେ ସେମାନେ ଉଦ୍ୟମ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଲେ । ମୋରାର୍‌ଜୀ ସେମାନଙ୍କୁ ସ୍ପଷ୍ଟଭାବେ ବୁଝାଇ ଦେଇଥିଲେ ଯେ ସେ ମହାଗୁଜୁରାଟ ଗଠନର ବିରୋଧକରି ଅନଶନ କରୁନାହାନ୍ତି । ଲୋକେ ହିଂସାତ୍ମକ ଆନ୍ଦୋଳନ ବନ୍ଦକରି ସେଥିଲାଗି ଅହିଂସାତ୍ମକ ପନ୍ଥା ଅବଲମ୍ୱନ କରନ୍ତୁ । ତାପରେ ନେତୃବୃନ୍ଦଙ୍କ ଉଦ୍ୟମରେ ଭାଦ୍ରାଠାରେ ଏକ ସାଧାରଣ ସଭା ଆହୂତ ହେଲା । ମୋରାର୍‌ଜୀ ସେହି ସଭାରେ ୪୫ ମିନିଟ୍‌ ଭାଷଣ ଦେଇ ଲୋକଙ୍କୁ ହିଂସାତ୍ମକ ପନ୍ଥାର କୁପରିଣତି ବିଷୟ ବୁଝାଇଥିଲେ ଓ ଅନଶନ ଭଙ୍ଗ କରିଥିଲେ । କ୍ରମେ ହିଂସାତ୍ମକ କାର୍ଯ୍ୟକଳାପର ଅବସାନ ଘଟିଥିଲା ।

 

୧୯୫୬ ମସିହା ନଭେମ୍ୱର ପହିଲାଦିନ ବୃହତ୍ତର ବମ୍ୱେରାଜ୍ୟ ଗଠନ କରାଗଲା । ମୋରାର୍‌ଜୀ ସେହି ନୂତନ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସ୍ଥିର କଲେ ଓ ଯଶୋବନ୍ତରାଓ ଚୌହାନ୍‌ଙ୍କୁ ତାଙ୍କଠାରୁ ଦାୟିତ୍ୱ ନେବାକୁ ଅନୁରୋଧ କଲେ । ଦଳର ଅଧିବେଶନ ବସିଲା । ଚୌହାନ ଦଳର ନେତା ନିର୍ବାଚିତ ହେଲେ ଓ ମୋରାର୍‌ଜୀଙ୍କଠାରୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ବହନ କଲେ । ସେହି ବର୍ଷ ଫେବୃଆରୀ ୨୯ ତାରିଖ ଦିନ ମୋରାର୍‌ଜୀଙ୍କୁ ୬୦ ବର୍ଷ ପୂରିଗଲା । ତାଙ୍କର ବହୁ ବନ୍ଧୁ ଆସି ହୀରକ ଜୁବୁଲି ପାଳନ କରିବାଲାଗି ପ୍ରସ୍ତାବ ଦେଲେ; କିନ୍ତୁ ବହୁପୂର୍ବରୁ ସେ ନିଜର ଆତ୍ମପ୍ରଚାର ଲାଗି ଯେକୌଣସି ବ୍ୟବସ୍ଥାର ଥିଲେ ଘୋର ବିରୋଧୀ । ତେଣୁ ବନ୍ଧୁମାନଙ୍କୁ ସେଥିରେ ଯୋଗ ଦେଇ ପାରିବେ ନାହିଁ ବୋଲି ସ୍ପଷ୍ଟଭାବେ ମନା କରିଦେଲେ । ତାହା ଶୁଣି ସେମାନେ କହିଲେ ଯେ ସମ୍ୱର୍ଦ୍ଧନାଲାଗି ଆଗରୁ ସେମାନେ ସବୁ ପ୍ରକାର ବନ୍ଦୋବସ୍ତ କରିସାରିଛନ୍ତି-। ଯଦି ସେ ସେଥିରେ ଯୋଗ ନ ଦିଅନ୍ତି, ତାହାହେଲେ ସେମାନେ ଅପମାନିତ ହେବା ସ୍ୱାଭାବିକ; କିନ୍ତୁ ମୋରାର୍‌ଜୀ ନିଜର ନୀତି ବଦଳାଇ ପାରିବେ ନାହିଁ ବୋଲି ସେମାନଙ୍କୁ କହିଥିଲେ । ଶେଷରେ ସେମାନେ ବାଧ୍ୟ ହୋଇ ସମ୍ୱର୍ଦ୍ଧନା ଉତ୍ସବ ବନ୍ଦ ରଖିଥିଲେ ଓ ଜନ୍ମତିଥିରେ ଆସି ବ୍ୟକ୍ତିଗତ ଭାବେ ତାଙ୍କୁ ସମ୍ୱର୍ଦ୍ଧନା ଜଣାଇଥିଲେ ଜୁବୁଲି ପାଇଁ ସଂଗୃହୀତ ଏକଲକ୍ଷ ଟଙ୍କାର ଏକଥଳୀ ଉପହାର ଦେଇଥିଲେ । ମୋରାର୍‌ଜୀ ସେହି ଟଙ୍କାକୁ ବିଭିନ୍ନ ସେବା ଅନୁଷ୍ଠାନମାନଙ୍କୁ ଦାନକରି ଦେଇଥିଲେ । ଏହାଛଡ଼ା ନିଜର ନୀତି ଦୃଷ୍ଟିରୁ କୌଣସି ଅନୁଷ୍ଠାନ, ରାସ୍ତାଘାଟ ଇତ୍ୟାଦି ତାଙ୍କ ନାମରେ ସେ ନାମିତ କରାଇ ନ ଥିଲେ । ଏ ପର୍ଯ୍ୟନ୍ତ ମଧ୍ୟ ସେହି ନୀତିରେ ସେ ରହିଛନ୍ତି ଅଟଳ । ଭାରତର କୌଣସି ନେତା ଏପରି ଏକ ମହାନ ଆଦର୍ଶ ଅନୁସରଣ କରିନାହାନ୍ତି ।

Image

 

କେନ୍ଦ୍ରରେ ମନ୍ତ୍ରୀତ୍ୱ

 

ବମ୍ୱେର ମୁଖ୍ୟମନ୍ତ୍ରୀ ଥିଲାବେଳେ ଗୋପାଳସ୍ୱାମୀ ଆୟେଙ୍ଗାରଙ୍କ ମୃତ୍ୟୁ ଯୋଗୁଁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଯେଉଁ ସ୍ଥାନ ଖାଲି ପଡ଼ିଲା ତାହା ପୂରଣ କରିବା ଲାଗି ଜବାହରଲାଲ ମୋରାର୍‌ଜୀଙ୍କୁ ନିମନ୍ତ୍ରଣ କରିଥିଲେ; କିନ୍ତୁ କର୍ତ୍ତବ୍ୟ ଓ ପରିସ୍ଥିତି ଦୃଷ୍ଟିରୁ ସେ ସେତେବେଳେ କେନ୍ଦ୍ରରେ ଯୋଗ ଦେବାଲାଗି ନିଜର ଅକ୍ଷମତା ପ୍ରକାଶ କରିଥିଲେ । ଏବେ ତାଙ୍କୁ ପୁଣି ସେଥିପାଇଁ କେନ୍ଦ୍ରରୁ ନିମନ୍ତ୍ରଣ ଆସିଲା । କାରଣ ସି.ଡି ଦେଶମୁଖଙ୍କ ଇସ୍ତଫା ଫଳରେ ମନ୍ତ୍ରୀମଣ୍ଡଳରେ ଅର୍ଥମନ୍ତ୍ରୀ ପଦ ଖାଲି ପଡ଼ିଥିଲା । ମୋରାର୍‌ଜୀ ନେହେରୁଙ୍କୁ ପ୍ରଥମେ ଜଣାଇଥିଲେ ଯେ ତାଙ୍କୁ ୬୦ ବର୍ଷ ପୂରିଗଲାଣି । ସେ କୌଣସି ସରକାରୀ ଦାୟିତ୍ୱ ନେଇ ଅଧିକ ଭାରାକ୍ରାନ୍ତ ହେବାକୁ ପସନ୍ଦ କରୁନାହାନ୍ତି, କିନ୍ତୁ ନେହେରୁ ଜିଦଧରି ବସିଲେ ଯେ ଯଦି ସେ ସରକାରରେ ରହିବାକୁ ଚାହୁଁ ନାହାନ୍ତି, ତାହା ହେଲେ କଂଗ୍ରେସ ସଭାପତି ଦାୟିତ୍ୱରେ ରହନ୍ତୁ । ମୋରାର୍‌ଜୀ ସେ ଦାୟିତ୍ୱ ନେବାକୁ ମଧ୍ୟ ମନାକରି ଦେଇଥିଲେ ।

 

ସି.ଡି ଦେଶମୁଖଙ୍କ ଇସ୍ତଫା ଫଳରେ ଜଣେ ଉପଯୁକ୍ତ ଅର୍ଥମନ୍ତ୍ରୀ ବାଛିବା ନେହେରୁଙ୍କ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା । କାରଣ ସେତେବେଳେ ଅର୍ଥମନ୍ତ୍ରଣାଳୟ ଚଳାଇବା ଲାଗି ଜଣେ ଦକ୍ଷ, ବୁଦ୍ଧିମାନ ଓ ଦୂରଦୃଷ୍ଟି ସଂପନ୍ନ ବ୍ୟକ୍ତି ସେ ଖୋଜି ପାଇ ନ ଥିଲେ । ମୋରାର୍‌ଜୀ ତାଙ୍କ ଦୃଷ୍ଟିରେ ଥିଲେ ଏକମାତ୍ର ଉପଯୁକ୍ତ ବ୍ୟକ୍ତି । ତେଣୁ ସେ ବାରମ୍ୱାର ମୋରାର୍‌ଜୀଙ୍କ୍ ଉପରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ବିଶେଷ କରି ଅର୍ଥମନ୍ତ୍ରୀ ଭାବେ ଯୋଗ ଦେବାକୁ ଚାପ ପକାଇଲେ । ମୋରାର୍‌ଜୀ ପୁଣି ଅନିଚ୍ଛା ପ୍ରକାଶ କରି ତାଙ୍କୁ ଲେଖିଥିଲେ ଯେ ଅର୍ଥମନ୍ତ୍ରଣାଳୟର ଗୁରୁଦାୟିତ୍ୱ ନେବାକୁ ସେ ଅଯୋଗ୍ୟ; କାରଣ ସେ ଅର୍ଥନୀତି ପଢ଼ିନାହାନ୍ତି କିମ୍ୱା କେବେ ହେଲେ ନିଜ ଖର୍ଚ୍ଚର ବଜେଟ୍‌ କରିନାହାନ୍ତି । ତେଣୁ ନେହେରୁ ତାଙ୍କୁ ପଚାରିଥିଲେ—‘‘ତାହା ହେଲେ ଯେ ଅଥମନ୍ତ୍ରୀ ହେବେ, ତାଙ୍କର କି କି ଯୋଗ୍ୟତା ଦରକାର ?’’ ମୋରାର୍‌ଜୀ ଉତ୍ତରରେ ଲେଖିଥିଲେ—‘‘ପ୍ରଥମତଃ ତାଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କର ପୂର୍ଣ୍ଣ ଆସ୍ଥା ଥିବ ଓ ସେ ଶାସକ ଦଳର ଜଣେ ସଚ୍ଚୋଟ ସଭ୍ୟ ହୋଇଥିବେ-। ପୁନଶ୍ଚ ତାଙ୍କର ଦଳର ନୀତି, ଆଦର୍ଶ ଓ କାର୍ଯ୍ୟପନ୍ଥା ପ୍ରତି ଥିବ ଅଖଣ୍ଡ ବିଶ୍ୱାସ । ଏହାଛଡ଼ା ସେ ନିଜର ନିଷ୍ଠା ଓ ସାଧୁତା ବଳରେ ସମଗ୍ର ଦେଶବାସୀଙ୍କର ବିଶ୍ୱାସଭାଜନ ହୋଇ ପାରିଥିବେ ଓ ନିପୁଣ ଅର୍ଥନୀତିଜ୍ଞମାନଙ୍କ ସୁପାରିଶଗୁଡ଼ିକୁ ନିଜର ବିଚାର ବୁଦ୍ଧି ଆରୋପ କରି ଦେଶର ମଙ୍ଗଳ ଦୃଷ୍ଟିରୁ କାର୍ଯ୍ୟକାରୀ କରି ପାରୁଥିବେ ।’’

 

ଜବାହରଲାଲ ଏଥିରେ ତାଙ୍କ ସହିତ ହୋଇଥିଲେ ଏକମତ ଓ ଆଉ ଖଣ୍ଡିଏ ପତ୍ର ଲେଖି ଜଣାଇଥିଲେ—‘‘ଏସବୁ ଯୋଗ୍ୟତା ତୁମ ପାଖରେ ହିଁ ଅଛି । ତେଣୁ ମୋର ଅନୁରୋଧ ତୁମକୁ ଯେ କୌଣସି ମତେ ରକ୍ଷା କରିବାକୁ ପଡ଼ିବ ।’’ ତେଣୁ ମୋରାର୍‌ଜୀ ବାଧ୍ୟ ହୋଇ କେନ୍ଦ୍ରରେ ଯୋଗ ଦେବା ପାଇଁ ଜବାହରଲାଲଙ୍କ ନିମନ୍ତ୍ରଣ ରକ୍ଷା କରିଥିଲେ; କିନ୍ତୁ ଯଥାଶୀଘ୍ର ସେ କେନ୍ଦ୍ରରେ ଯୋଗ ଦେଇ ପାରି ନ ଥିଲେ ।

 

ଦେଶମୁଖଙ୍କ ବିଦାୟ ପରେ ନିଜେ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ; କିନ୍ତୁ ଦେଶର ଆଭ୍ୟନ୍ତରୀଣ ସମ୍ୱଳ ଓ ବୈଦେଶିକ ମୁଦ୍ରା ସମସ୍ୟା ଜଟିଳ ହୋଇ ପଡ଼ିବାରୁ ସେ ଅଧିକ କାଳ ନିଜ ଦାୟିତ୍ୱ ସହିତ ଅର୍ଥ ବିଭାଗର ଦାୟିତ୍ୱ ଚଳାଇ ପାରିଲେ ନାହିଁ । ତେଣୁ ଅସ୍ଥାୟୀ ଭାବରେ ତତ୍‌କାଳୀନ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ଟି.ଟି. କ୍ରିଷ୍ଣାମାଚରୀଙ୍କୁ ସେହି ଦାୟିତ୍ୱ ଦେବାକୁ ବାଧ୍ୟ ହୋଇଥିଲେ ।

 

୧୯୫୭ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଲା । ଜବାହରଲାଲଙ୍କ ସଙ୍ଗୀତ କ୍ରମେ ମୋରାର୍‌ଜୀଙ୍କୁ ନିର୍ବାଚନ ଲାଗି ପାଣ୍ଠି ସଂଗ୍ରହ କରିବା ପାଇଁ କୁହାଗଲା । ମୋରାର୍‌ଜୀ ପ୍ରଧାନମନ୍ତ୍ରୀଙ୍କର ସେହି ନିର୍ଦ୍ଦେଶ ମତେ କାର୍ଯ୍ୟ କରିଥିଲେ । ତା ପୂର୍ବରୁ ସେ କଂଗ୍ରେସର କୋଷାଧ୍ୟକ୍ଷ ଥିଲେ । ଯେହେତୁ ତାଙ୍କର ସଚ୍ଚୋଟ ପଣିଆଁ ଥିଲା ସନ୍ଦେହର ବହୁ ଊର୍ଦ୍ଧ୍ୱରେ, ତେଣୁ ବୋଧହୁଏ ଜବାହରଲାଲ ତାଙ୍କୁ ସେହି ଗୁରୁଦାୟିତ୍ୱ ଦେଇଥିଲେ । ତଦନୁଯାୟୀ ମୋରାର୍‌ଜୀ କଲିକତା ଓ ବମ୍ୱେ ସହରର ଶିଳ୍ପପତିମାନଙ୍କୁ ବ୍ୟକ୍ତିଗତ ଭାବେ ଆବେଦନ କରିଥିଲେ ଓ ଟଙ୍କା ତାଙ୍କ ହାତରେ ନ ଦେଇ ବ୍ୟାଙ୍କରେ ଜମା ଦେବାକୁ କହିଥିଲେ । ସେଥିଲାଗି ସେ ବାଧ୍ୟବାଧକତାର ଆଶ୍ରୟ ନେଇ ନ ଥିଲେ । ସେହି ଉପାୟରେ ସେ ଦଳ ଲାଗି ସଂଗ୍ରହ କରିଥିଲେ ଅନ୍ୟୂନ ଏକ କୋଟି କୋଡ଼ିଏ ଲକ୍ଷ ଟଙ୍କା ।

 

୧୯୫୬ ମସିହା ନଭେମ୍ୱର ପହିଲା ଦିନ ବମ୍ୱେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଅବ୍ୟାହତି ନେଇ ସେହି ମାସ ୧୪ ତାରିଖ ଦିନ କେନ୍ଦ୍ରରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । କ୍ରମାନୁଯାୟୀ ମନ୍ତ୍ରୀମଣ୍ଡଳରେ ତାଙ୍କୁ ୪ର୍ଥ ସ୍ଥାନ ମିଳିଲା । ମୌଲାନା ଆଜାଦ୍‌ ଓ ପଣ୍ଡିତ ଗୋବିନ୍ଦବଲ୍ଲଭ ପନ୍ଥ ଥିଲେ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନର ଅଧିକାରୀ । ମୋରାର୍‌ଜୀଙ୍କୁ ଦୁଇ ଜଣ ରାଷ୍ଟ୍ରମନ୍ତ୍ରୀ କାର୍ଯ୍ୟରେ ସାହାଯ୍ୟ କରୁଥିଲେ । ସେମାନେ ହେଲେ ନିତ୍ୟାନନ୍ଦ କାନୁନଗୋ ଓ ମନୁଭାଇ ସାହୁ ।

 

ସେତେବେଳର ବୈଦେଶିକ ମୁଦ୍ରା ପରିସ୍ଥିତି ସୁଧାରିବା ଲାଗି ସେ ସର୍ବପ୍ରଥମେ ନୂତନ ଆମଦାନୀ ଓ ରପ୍ତାନୀ ନୀତି ପ୍ରଣୟନ କରିଥିଲେ । ତାପରେ ଦେଶକୁ ଶିଳ୍ପ ସମୃଦ୍ଧ କରିବା ଲାଗି ସେ କାର୍ଯ୍ୟକାରୀ କରାଇଥିଲେ ବିଭିନ୍ନ ନୂତନ ପରିକଳ୍ପନା । ଲିଭର ବ୍ରଦର୍ସ (ବର୍ତ୍ତମାନ ହିନ୍ଦୁସ୍ଥାନ ଲିଭର) ଭଳି ବିଦେଶୀ କମ୍ପାନୀଙ୍କ ଦ୍ୱାରା ପରିଚାଳିତ କାରଖାନାଗୁଡ଼ିକୁ ସେ ସଂପ୍ରସାରଣ ଲାଗି ଅନୁମତି ନ ଦେଇ ବିଦେଶର ବିନା ସହାୟତାରେ ଗଢ଼ି ଉଠୁଥିବା ସ୍ୱଦେଶୀ ଶିଳ୍ପଗୁଡ଼ିକୁ କରିଥିଲେ ଅଧିକ ଉତ୍ସାହିତ । ତେଣୁ ବିଦେଶୀ ଶିଳ୍ପପତିମାନେ ତାଙ୍କ କାର୍ଯ୍ୟକଳାପରେ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ । ଦେଶର ବସ୍ତ୍ର ଶିଳ୍ପ ଉତ୍ପାଦନ ବଢ଼ାଇବା ଲାଗି ସେ ଅଧିକ ସଂଖ୍ୟକ ସ୍ୱୟଂଚାଳିତ ତନ୍ତ ବସାଇବା ଲାଗି ପ୍ରସ୍ତାବ ଦେଇଥିଲେ; କିନ୍ତୁ ତାହାଦ୍ୱାରା ବହୁ ଶ୍ରମିକ ଛଟେଇ ହେବେ, ସେହି ଭୟରେ ଶ୍ରମିକ ଇଉନିୟନର ନେତାମାନେ ତାହାର ପ୍ରତିବାଦ କରିଥିଲେ । ମୋରାର୍‌ଜୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଯେଉଁଠି ଶ୍ରମିକ ଛଟେଇର ସମ୍ଭାବନା ନାହିଁ, ସେଇଠି କେବଳ ସ୍ୱୟଂଚାଳିତ ତନ୍ତ ପ୍ରବର୍ତ୍ତନ କରାଯିବ । ତାହା ସତ୍ତ୍ୱେ ଇଉନିୟନର ନେତାମାନେ ତାଙ୍କ ପ୍ରସ୍ତାବରେ ରାଜି ହୋଇ ନଥିଲେ ।

 

ଖଦୀ ଓ ଗ୍ରାମ୍ୟ ଶିଳ୍ପର ବିକାଶ ଲାଗି ୧୯୫୭ରେ କମିସନ୍‌ ଗଢ଼ା ଗଲା । ତାହାର ଅଧ୍ୟକ୍ଷ ହେଲେ ବୈକୁଣ୍ଠଲାଲ ମେହେଟା । କମିସନ୍‌ କିପରି ତାହାର ଲକ୍ଷ୍ୟ ପୂରଣ ଦିଗରେ ଆଗୁସାର ହୋଇପାରିବ, ସେ ଦିଗରେ ସେ ମେହେଟାଙ୍କ ସହିତ ଆଲୋଚନା କରି ନୂତନ ପରିକଳ୍ପନାମାନ କାର୍ଯ୍ୟକାରୀ କରାଇଥିଲେ । କାରଣ ଖଦୀର ପ୍ରସାର ଦିଗରେ ସେ ଥିଲେ ବେଶୀ ଆଗ୍ରହୀ । ଏବେ ମଧ୍ୟ ତାଙ୍କର ସେହି ଆଗ୍ରହ ଅତୁଟ ରହିଅଛି । ୧୯୨୯ ମସିହାରୁ ଏପର୍ଯ୍ୟନ୍ତ ପ୍ରତ୍ୟହ ସେ ନିୟମିତ ଭାବେ ସୂତା କାଟିଥା’ନ୍ତି ।

 

ଶିଳ୍ପମନ୍ତ୍ରୀ ଦାୟିତ୍ୱରେ ରହି ସେ ବାଙ୍ଗାଲୋର, ବିଶାଖାପାଟଣା, ଭୋପାଳ, ରାଞ୍ଚି ଓ କଲିକତାର ବହୁ କାରଖାନା ବ୍ୟକ୍ତିଗତ ଭାବେ ପରିଦର୍ଶନ କରି ସେଗୁଡ଼ିକର ଏକଛତ୍ରବାଦୀ ପରିଚାଳନାରେ ସଂସ୍କାର ଆଣିବା ଲାଗି ଉଦ୍ୟମ କରିଥିଲେ । କାରଖାନାଗୁଡ଼ିକ ମନୋମୁଖୀ ଭାବେ ନିୟନ୍ତ୍ରଣାଧୀନ ନ ହୋଇ ସୁସ୍ଥ ବ୍ୟବସାୟିକ ପରମ୍ପରା ରଖି ଚାଲିବା ଲାଗି ମନ୍ତ୍ରଣାଳୟରୁ ସେ ବହୁ ନିର୍ଦ୍ଦେଶନାମା ଜାରି କରିଥିଲେ ।

 

ଶିଳ୍ପପତି ହରି ଦାସ ମୁନ୍ଦ୍ରା ଜାଲ ଅଂଶ ସାର୍ଟିଫିକେଟ ବଳରେ ଜୀବନବୀମା କର୍ପୋରେସନ୍‌ରୁ ୠଣ ନେଇଛନ୍ତି ବୋଲି ପାର୍ଲାମେଣ୍ଟରେ ତୁମୂଳ ଆଲୋଚନା ହେଲା । ସେହି ବ୍ୟାପାର ଲାଗି ଅର୍ଥମନ୍ତ୍ରୀ ଟି.ଟି କ୍ରିଷ୍ଣମାଚାରୀ ଦାୟୀ ବୋଲି ଅଭିଯୋଗ ହେବାରୁ ତତ୍‌କାଳୀନ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତି ଚଗଲାଙ୍କୁ ତଦନ୍ତ କରିବା ଲାଗି ନିଯୁକ୍ତ କରାଗଲା । କ୍ରିଷ୍ଣାମାଚାରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ତାଙ୍କର ଇସ୍ତଫାପତ୍ର ଦାଖଲ କରି ଶୀଘ୍ର କାର୍ଯ୍ୟରୁ ଅବ୍ୟାହିତ ନେବାକୁ ଚାହିଁଲେ; କିନ୍ତୁ ମୋରାର୍‍ଜୀ ତଦନ୍ତ ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ ବାରଣ କରିଥିଲେ । ସେ କହିଥିଲେ ଯେ ତଦନ୍ତ ପୂର୍ବରୁ ଇସ୍ତଫା ଦେବା ଅର୍ଥ ଅଭିଯୋଗଗୁଡ଼ିକ ସ୍ୱୀକାର କରିନେବା । ତଦନ୍ତର ଫଳାଫଳକୁ ଅପେକ୍ଷା କରିବା ଲାଗି ସେ ତାଙ୍କୁ ଉପଦେଶ ଦେଇଥିଲେ ଓ ଇସ୍ତଫା ଗ୍ରହଣ ନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ପ୍ରବର୍ତ୍ତାଇ ଥିଲେ । ତଦନୁଯାୟୀ ପ୍ରଧାନମନ୍ତ୍ରୀ ତାଙ୍କ ଇସ୍ତଫା ଗ୍ରହଣ କରି ନ ଥିଲେ । ଅଳ୍ପଦିନ ମଧ୍ୟରେ ଚଗଲା ତଦନ୍ତ ଶେଷ କରି ତାଙ୍କ ରିପୋର୍ଟ ଦାଖଲ କରିଥିଲେ । ସେଥିରେ ସେ ଅର୍ଥମନ୍ତ୍ରୀଙ୍କୁ କେତେକାଂଶରେ ଦାୟୀ ସାବ୍ୟସ୍ତ କରିବାରୁ କ୍ରିଷ୍ଣମାଚାରୀଙ୍କ ଅନୁରୋଧ ମତେ ତାଙ୍କ ଇସ୍ତଫା ଗୃହୀତ ହୋଇଥିଲା ।

 

ତା ପରେ ପୂର୍ବ ପ୍ରତିଶ୍ରୁତି ରକ୍ଷା କରିବା ଲାଗି ଜବାହାରଲାଲଙ୍କୁ ସୁଯୋଗ ମିଳିଲା । ପ୍ରଧାମନ୍ତ୍ରୀଙ୍କ ଅନୁରୋଧ ଏଡ଼ି ନ ପାରି ମୋରାର୍‍ଜୀ ୧୯୫୮ ମସିହା ମାର୍ଚ୍ଚ ୨୨ ତାରିଖ ଦିନ ଅର୍ଥମନ୍ତ୍ରଣାଳୟର ଦାୟିତ୍ୱ ବହନ କଲେ । ସେତେବେଳକୁ ଲୋକସଭାରେ ପ୍ରଧାନମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରି ସାରିଥାନ୍ତି । ମୋରାର୍‍ଜୀ ନୂତନ ଭାବେ ଦାୟିତ୍ୱ ବହନ କରିଥିଲେ ମଧ୍ୟ ନିଜର ଅନୁଭୂତି ଓ ଅପୂର୍ବ ପାରଦର୍ଶିତା ବଳରେ ଆଲୋଚନାରେ ସଭ୍ୟମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ଖୁବ୍‌ ନିପୁଣତା ସହକାରେ ଦେଇପାରିଥିଲେ । ଏତେ ସୀମିତ ସମୟ ମଧ୍ୟରେ ସେ ଯେ ବଜେଟ ବିଷୟରେ ସ୍ଥୂଳ ଜ୍ଞାନ ହାସଲ କରିପାରିବେ, ତାହା ସଭ୍ୟମାନଙ୍କର ଥିଲା ଚିନ୍ତା ବହିର୍ଭୂତ; କିନ୍ତୁ ତାଙ୍କର ତତ୍ତ୍ୱ ସମ୍ବଳିତ ଉତ୍ତର ଶୁଣି ସଭ୍ୟମାନେ ବିସ୍ମୟ ପ୍ରକାଶ କରିଥିଲେ ।

 

ଅର୍ଥମନ୍ତ୍ରୀଙ୍କୁ ସାହାଯ୍ୟ କରିବା ପାଇଁ ଜବାହରଲାଲ ବି ଗୋପାଲା ରେଡ଼ିଙ୍କୁ ରାଷ୍ଟ୍ରମନ୍ତ୍ରୀ ରୂପେ ନିଯୁକ୍ତ କଲେ । ବି ଆର. ଭଗତ ଓ ତାରକେଶ୍ୱରୀ ସିହ୍ନା ଥିଲେ ସେହି ମନ୍ତ୍ରଣାଳୟର ଉପମନ୍ତ୍ରୀ । ସେମାନଙ୍କୁ ସ୍ୱାଧୀନ ଭାବେ ନିଷ୍ପତ୍ତି ନେବା ଲାଗି ମୋରାର୍‍ଜୀ ଅନୁମତି ଦେଇଥିଲେ । କେବଳ ଜଟିଳ ଓ ନୀତି ସମ୍ବନ୍ଧୀୟ ବ୍ୟାପାରଗୁଡ଼ିକ ତାଙ୍କ ଦୃଷ୍ଟିକୁ ଅଣାଯାଉଥିଲା । ମନ୍ତ୍ରଣାଳୟର ଯେ କୌଣସି ବିଷୟରେ ନିର୍ଭୟ ଭାବେ ସ୍ୱାଧୀନ ମତବ୍ୟକ୍ତ କରିବା ଲାଗି ସେ ନିର୍ଦ୍ଦେଶ ଦେଇଥିଲେ । ସେହି ବର୍ଷ ଅକ୍ଟୋବର ମାସରେ କମନଓ୍ୱେଲ୍‌ଥର ଅର୍ଥମନ୍ତ୍ରୀ ସମ୍ମିଳନୀରେ ଯୋଗ ଦେବା ଲାଗି ତାଙ୍କୁ କାନେଡ଼ା ଯିବାକୁ ପଡ଼ିଥିଲା । ତାଙ୍କର ଉଦ୍ୟମରେ ସେହି ବର୍ଷ ବିଶ୍ୱବ୍ୟାଙ୍କର ବାର୍ଷିକ ସଭା ଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିଲା ।

 

୨ୟ ପଞ୍ଚବାର୍ଷିକ ଯୋଜନାରେ ଦେଶର ଆଭ୍ୟନ୍ତରୀଣ ସମ୍ବଳ ବ୍ୟବସ୍ଥା ସେତେ ସ୍ୱଚ୍ଛଳ ନ ଥିଲା । ତେଣୁ ସରକାରୀ ଖର୍ଚ୍ଚରେ ମିତବ୍ୟୟିତା ଅବଲମ୍ବନ କରି ଋଣ ଜରିଆରେ ଆଭ୍ୟନ୍ତରୀଣ ସମ୍ବଳ ବୃଦ୍ଧି କରିବା ଲାଗି ସେ ନେଇଥିଲେ ବିହିତ ପଦକ୍ଷେପ । ତାଙ୍କ ମନ୍ତ୍ରଣାଳୟରେ ପୂର୍ବରୁ ପାଞ୍ଚ ଜଣ ସେକ୍ରେଟାରୀଙ୍କୁ ନିଯୁକ୍ତ ଦିଆଯାଇଥିଲା । ମୋରାର୍‍ଜୀ ମାତ୍ର ତିନି ଜଣ ସେକ୍ରେଟାରୀଙ୍କ ସହାୟତାରେ ମନ୍ତ୍ରଣାଳୟ ପରିଚାଳନା କରୁଥିଲେ । ତାଙ୍କରି ଉଦ୍ୟମରେ ଆମେରିକା ଓ ରୁଷିଆରୁ ପ୍ରଭୂତ ପରିମାଣର ଅର୍ଥ, ଖାଦ୍ୟଶସ୍ୟ, ତୁଳା ଓ କୃଷି ଯନ୍ତ୍ରପାତି ସାହାଯ୍ୟ ମିଳିଥିଲା । ଦେଶର ତୃତୀୟ ପଞ୍ଚବାର୍ଷିକ ଯୋଜନା ଲାଗି ୧,୬୦୦ ନିୟୁତ ଡଲାର ସାହାଯ୍ୟ ଦେବା ଲାଗି ରୁଷିଆ ପ୍ରତିଶ୍ରୁତି ଦେଇଥିଲା; କିନ୍ତୁ ପରେ ସେହି ପରିମାଣର ସାହାଯ୍ୟ ଦେବାକୁ ଅନିଚ୍ଛା ପ୍ରକାଶ କରିବାରୁ ମୋରାର୍‍ଜୀ ନିଜେ ସେ ଦେଶ ଗସ୍ତରେ ଯାଇ ନେତୃବୃନ୍ଦଙ୍କ ସହିତ ଆଲୋଚନା କରି ଦେଶ ପାଇଁ ଅଧିକ ଅର୍ଥ ସାହାଯ୍ୟ ଆଣିଥିଲେ ।

 

ଜବାହରଲାଲ ସବୁବେଳେ ଯୋଜନାଗୁଡ଼ିକୁ ବିରାଟ ଓ ବହୁମୁଖୀ କରିବାକୁ ଉଦ୍ୟମ କରୁଥିଲା ବେଳେ, ମୋରାର୍‍ଜୀ ଦେଶର ସୀମିତ ସମ୍ବଳକୁ ଚାହିଁ ଯୋଜନାମାନ କାର୍ଯ୍ୟକାରୀ କରିବାକୁ ଯୁକ୍ତି ବାଢ଼ୁଥିଲେ । ତେଣୁ ପ୍ରଧାନମନ୍ତ୍ରୀ ସାମୟିକ ତାହା ସ୍ୱୀକାର କରୁ ନ ଥିଲେ ।

 

୧୯୫୮ ମସିହାରେ ବ୍ରିଟେନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମ୍ୟାକମିଲାନଙ୍କ ଅନୁରୋଧ କ୍ରମେ ସେ ଇଂଲଣ୍ଡ ଗସ୍ତରେ ଯାଇଥିଲେ । ଯେଉଁମାନେ ବିଦେଶ ଗସ୍ତରେ ଯାଆନ୍ତି, ସେ ଦେଶରେ ପହଞ୍ଚିବା ମାତ୍ରେ ବାଧ୍ୟତାମୂଳକ ଭାବେ ତାଙ୍କୁ ଟିକା ଦିଆଯାଇଥାଏ । ମୋରାର୍‍ଜୀ ଟିକା ନେବାରୁ ଛାଡ଼ ପାଇବା ଲାଗି ନିଜେ ମ୍ୟାକ୍‌ମିଲାନଙ୍କଠାରୁ ଅନୁମତି ପତ୍ର ପାଇଥିଲେ । କାରଣ ପ୍ରାକୃତିକ ଚିକିତ୍ସାରେ ତାଙ୍କର ଗଭୀର ବିଶ୍ୱାସ ଥିବାରୁ ବିଦେଶଗସ୍ତ କାଳରେ ସେ ସାଧାରଣତଃ ଟିକା ନେବାକୁ ରାଜି ହୋଇନଥାନ୍ତି ।

 

ଇଂଲଣ୍ଡରେ ଅବସ୍ଥାନ କାଳରେ ଦେଶପାଇଁ କିପରି ଆର୍ଥିକ ସମ୍ବଳ ସଂଗ୍ରହ କରାଯାଇ ପାରିବ, ସେ ଦିଗରେ ସେ ଫଳବତୀ ଉଦ୍ୟମ କରିଥିଲେ । ତା ପରେ ସେ ଓ୍ୟାଶିଂଟନ୍‌ ଯାଇ ବିଶ୍ୱବ୍ୟାଙ୍କର ତତ୍‌କାଳୀନ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହିତ ଭାରତକୁ କିପରି ଆଶାନୁରୂପ ଆର୍ଥିକ ସାହାଯ୍ୟ ମିଳିବ, ସେ ବିଷୟ ଆଲୋଚନା କରିଥିଲେ ଓ ଟେଲିଭିଜନ୍‌ ସାକ୍ଷାତକାରରେ ଭାରତର ବିଭିନ୍ନ ଆର୍ଥନୀତିକ ଆଭିମୁଖ୍ୟ ଉପରେ ସୁନ୍ଦର ଭାବେ ଆଲୋକପାତ କରିଥିଲେ । ତାଙ୍କର ସେହି ସାକ୍ଷାତକାର ଏତେ ଉଚ୍ଚକୋଟୀର ହୋଇଥିଲା ଯେ ଲର୍ଡ଼ ମାଉଣ୍ଟ ବ୍ୟାଟେନ୍‌ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ television hero ସମ୍ବୋଧନ କରି ଜଣାଇଥିଲେ ହାର୍ଦ୍ଦିକ ଅଭିନନ୍ଦନ । ସେ ସମୟରେ ଆମେରିକାର କାଶ୍ମୀର ବିଷୟରେ ବହୁ ଭ୍ରମ ଧାରଣାଥିଲା । ବିଶେଷକରି କାଶ୍ମୀରକୁ ଏକ ସ୍ୱାଧୀନ ରାଷ୍ଟ୍ରରୂପେ ଘୋଷଣା କରିବାଲାଗି ଶେଖ୍‌ ଅବ୍‌ଦୁଲା ଯେଉଁ ଉଦ୍ୟମ କରୁଥିଲେ, ତାହା ଆମେରିକା ପରୋକ୍ଷରେ ସମର୍ଥନ କରୁଥିଲା; କିନ୍ତୁ ମୋରାର୍‍ଜୀ ବିଭିନ୍ନ ସଭାସମିତିରେ ଭାରତର କାଶ୍ମୀର ନୀତି ଭଲଭାବରେ ବୁଝାଇ ନେତୃବର୍ଗ ତଥା ଜନସାଧାରଣଙ୍କ ମନରୁ ସନ୍ଦେହ ମୋଚନ କରିଥିଲେ । ଭାରତକୁ ଫେରିବା ବାଟରେ ସେ ବ୍ରସେଲସ୍‌, ପ୍ୟାରିସ ଓ ରୋମରେ ଦିନେ ଲେଖାଏଁ ଯାତ୍ରା ସ୍ଥଗିତ କରି ବିଭିନ୍ନ ସମସ୍ୟା ଆଲୋଚନା କରିଥିଲେ ।

 

୧୯୫୯ ମସିହା ଜାନୁଆରୀ ମାସରେ ଜାତୀୟ କଂଗ୍ରେସର ନାଗପୁର ଅଧିବେଶନ ଅନୁଷ୍ଠିତ ହେଲା । ମୋରାର୍‌ଜୀ ନିଜର ସ୍ୱାସ୍ଥ୍ୟ ଦୃଷ୍ଟିରୁ ସେଥିରେ ଯୋଗଦେଇ ପାରି ନ ଥିଲେ । ସେହି ଅଧିବେଶନରେ ୟୁ ଏନ୍‌. ଧେବରଙ୍କ ସ୍ଥାନରେ ଇନ୍ଦିରାଗାନ୍ଧୀ କଂଗ୍ରେସର ସଭାପତି ରୂପେ ହେଲେ ନିର୍ବାଚିତ । ମାତ୍ର ସେହି ବର୍ଷ ଡିସେମ୍ବର ମାସରେ ସେ ସେହି ଦାୟିତ୍ୱରୁ ଅବ୍ୟାହିତ ନେଲେ-। ତା’ ପରେ କିଏ କଂଗ୍ରେସର ସଭାପତି ହେବ, ସେ ବିଷୟରେ ଜବାହରଲାଲ କଂଗ୍ରେସ ସଭ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ଶେଷରେ ମୋରାର୍‍ଜୀଙ୍କ ସୁପାରିଶ ମତେ ସଞ୍ଜୀବରେଡ଼ିଙ୍କୁ କଂଗ୍ରେସର ସଭାପତି ରୂପେ ବାଛିବାଲାଗି ସ୍ଥିର ହୋଇଥିଲା ଓ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

 

ସେତେବେଳେ ସିନ୍ଧୁନଦୀର ଜଳବଣ୍ଟନ ନେଇ ଉଭୟ ଭାରତ ଓ ପାକିସ୍ଥାନ ମଧ୍ୟରେ ବିବାଦ ଉପୁଜିଥାଏ । ସେହି ସମସ୍ୟାର ସମାଧାନ ଲାଗି ବିଶ୍ୱବ୍ୟାଙ୍କର ସଭାପତି ବ୍ଲାକ କରୁଥାନ୍ତି ମଧ୍ୟସ୍ଥତା । ସେଥିଲାଗି ସେ ଦିଲ୍ଲୀ ଆସି ଜବାହରଲାଲଙ୍କ ସହିତ ଆଲୋଚନା କରିବାକୁ ଚାହିଁଲେ । ଜବାହରଲାଲ ପ୍ରଥମେ ତାଙ୍କୁ ମୋରାର୍‍ଜୀଙ୍କ ସହିତ ଆଲୋଚନା କରିବାକୁ କହିଥିଲେ । ଆଲୋଚନାରେ ବିଶ୍ୱବ୍ୟାଙ୍କର ସଭାପତି ସନ୍ତୁଷ୍ଟ ହୋଇଥିଲେ ମଧ୍ୟ ପାକିସ୍ଥାନ ବିଶ୍ୱବ୍ୟାଙ୍କର ସର୍ତ୍ତଗୁଡ଼ିକରେ ରାଜି ହୋଇନଥିଲେ ।

 

ତାପରେ ବୃହତ୍ତର ବମ୍ବେ ରାଜ୍ୟକୁ ଦୁଇଟି ରାଜ୍ୟରେ ବିଭକ୍ତ କରିବାଲାଗି ପ୍ରଶ୍ନ ଉଠିଲା-। ବିଶେଷକରି ଇନ୍ଦିରାଗାନ୍ଧୀ ସେଥିଲାଗି ନେହେରୁଙ୍କ ଉପରେ ଚାପ ପକାଇଲେ । କାରଣ ନାଗପୁର କଂଗ୍ରେସରେ ସେ ବିଷୟ ଘରୋଇଭାବେ ଆଲୋଚନା କରାଯାଇଥିଲା । ମୋରାର୍‌ଜୀ ଅନୁପସ୍ଥିତ ଥିବାରୁ ତାହାର ସୂଚନା ପାଇ ପାରି ନ ଥିଲେ । ବମ୍ବେର ତତ୍‌କାଳୀନ ରାଜ୍ୟପାଳ ଶ୍ରୀ ପ୍ରକାଶ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କୁ ସେ ବିଷୟରେ ଚିଠି ଲେଖିଲେ; କିନ୍ତୁ ମୋରାର୍‍ଜୀ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରି ସେହି ପ୍ରସ୍ତାବ ଗ୍ରହଣ ନ କରିବାକୁ ଅନୁରୋଧ କରିଥିଲେ । ସେ ଯୁକ୍ତି ବାଢ଼ିଥିଲେ ଯେ ଯଦି ବମ୍ବେ ରାଜ୍ୟକୁ ମହାରାଷ୍ଟ୍ର ଓ ଗୁଜୁରାଟ ଏହିପରି ଦୁଇଟି ରାଜ୍ୟରେ ବିଭକ୍ତ କରାଯାଏ, ତାହାହେଲେ ତାହାର ପ୍ରଭାବ ଅନ୍ୟ ଅଞ୍ଚଳରେ ପଡ଼ିବ ଓ ଭାଷାଭିତ୍ତିରେ ଆଉ ଅଧିକ ରାଜ୍ୟ ସୃଷ୍ଟିଲାଗି ଲୋକେ ଦାବୀ କରିବେ । ଏପରି କରାଗଲେ ଦେଶର ସଂହତି ନଷ୍ଟହେବାର ଆଶଙ୍କା ଅଛି । ତାପରେ ସେ ସାକ୍ଷାତ କରିଥିଲେ ଜବାହରଲାଲଙ୍କୁ । ଜବାହରଲାଲ କହିଥିଲେ-‘‘ବମ୍ବେର ମୁଖ୍ୟମନ୍ତ୍ରୀ ଚୌହାନ ଏଡ଼େ ବଡ଼ ରାଜ୍ୟ ପରିଚାଳନା ତାଙ୍କ ପକ୍ଷରେ ସମ୍ଭବ ନୁହେଁ ବୋଲି କହୁଛନ୍ତି । ତେଣୁ ବମ୍ବେକୁ ଦୁଇଟି ରାଜ୍ୟରେ ବିଭକ୍ତ କଲେ କ୍ଷତି କଣ ?’’ମେରାର୍‌ଜୀ ତାଙ୍କର ସେହି ପୂର୍ବଯୁକ୍ତି ବାଢ଼ିଥିଲେ ମଧ୍ୟ ଜବାହାରଲାଲ ଓ ଚୌହାନ ଇତ୍ୟାଦି ସେଥିରେ ରାଜି ହୋଇ ନ ଥଲେ । ତେଣୁ ବମ୍ବେ ରାଜ୍ୟର ବିଭାଗୀକରଣ ପ୍ରସ୍ତାବ କଂଗ୍ରେସର କାର୍ଯ୍ୟକାରୀ କମିଟି ଓ କଂଗ୍ରେସ ଅଧିବେଶନରେ ଗୃହୀତ ହୋଇ ଯାଇଥିଲା । ମୋରାର୍‌ଜୀ ସେତେବେଳ ବିଦେଶ ଗସ୍ତରେ ଥବାରୁ ସେହି ଆଲୋଚନାରେ ଭାଗନେଇ ପାରି ନ ଥିଲେ ।

 

ବିଦେଶରୁ ଫେରି ସେ କଂଗ୍ରେସର ନେତୃବୃନ୍ଦଙ୍କ ସହିତ ଆଲୋଚନାକରି କହିଥିଲେ ଯେ ଏହି ବିଭାଗୀକରଣ ଖୁବ୍‌ ସାବଧାନତା ସହକାରେ କରାଯିବା ଉଚିତ । ଚୌହାନ ଓ ମୋରାର୍‌ଜୀଙ୍କ ମଧ୍ୟରେ ବିଭାଗୀକରଣର ନୀତି ଓ ପଦ୍ଧତି ବିଷୟରେ ବିସ୍ତୃତ ଆଲୋଚନା ପରେ ୧୯୬୦ ମସିହା ମେ ପହିଲା ଦିନ ସ୍ୱତନ୍ତ୍ର ଗୁଜୁରାଟ ରାଜ୍ୟ ଗଠିତ ହୋଇଥିଲା ।

 

୧୯୫୯ ମସିହା ଶେଷଭାଗରେ ମୋରାର୍‌ଜୀ ପୁଣି ବିଦେଶ ଗସ୍ତରେ ଯାଇ ଇଂଲଣ୍ଡ, ସୁଇଜରଲ୍ୟାଣ୍ଡ, ପ୍ରାନ୍‌ସ, ଓ ଜାପାନ ଇତ୍ୟାଦିର ରାଷ୍ଟ୍ରମୁଖ୍ୟଙ୍କ ସହିତ ନିଜ ଦେଶର ବିଭିନ୍ନ ପରିକଳ୍ପନା ଓ ସେଥିଲାଗି ସେମାନଙ୍କର ସାହାଯ୍ୟ ବିଷୟ ଆଲୋଚନା କରିଥିଲେ । ବହୁ ପ୍ରସିଦ୍ଧସ୍ଥାନ, କଳକାରଖାନା ପରଦର୍ଶନ ଫଳରେ ସ୍ୱଦେଶକୁ ତଦନୁଯାୟୀ ସମୃଦ୍ଧ କରିବାଲାଗି ତାଙ୍କୁ ମିଳିଥିଲା ଆଶାନୁରୂପ ଅନୁପ୍ରେରଣା । ପାକିସ୍ଥାନ ଓ ଭାରତ ଏହି ଦୁଇ ଦେଶ ମଧ୍ୟରେ ଥିବା ବହୁ ଅମୀମାଂସିତ ଅର୍ଥନୈତିକ ସମସାର ସମାଧାନ ଲାଗି ମୋରାର୍‍ଜୀ ଓ ପାକିସ୍ଥାନର ଅର୍ଥମନ୍ତ୍ରୀ ସୋଏବ୍‌ଙ୍କ ମଧ୍ୟରେ ଦିଲ୍ଲୀଠାରେ ମିଳିତ ଆଲୋଚନା ହେଲା; କିନ୍ତୁ ପାକିସ୍ଥାନର ପ୍ରତିକୂଳ ମତିଗତି ଯୋଗୁଁ ଦୁଇନେତା କୌଣସି ସମାଧାନରେ ପହଞ୍ଚି ପାରି ନ ଥିଲେ । ମୋରାର୍‍ଜୀ କିନ୍ତୁ ସେ ଦିଗରେ ତାଙ୍କର ଉଦ୍ୟମ ରଖିଥିଲେ ଅବ୍ୟାହତ । ସେ ସେଥିଲାଗି ୧୯୬୦ ମସିହା ମାର୍ଚ୍ଚ ତୃତୀୟ ସପ୍ତାହରେ ପୁଣି ଆଲୋଚନା ଆରମ୍ଭ କରିବା ପାଇଁ ପାକିସ୍ଥାନ ଯାତ୍ରା କରିଥିଲେ । ଏହାଥିଲା ତାଙ୍କର ପ୍ରଥମ ପାକିସ୍ଥାନ ଯାତ୍ରା । ସେଠାରେ ସେ ତତ୍‌କାଳୀନ ରାଷ୍ଟ୍ରପତି ଫିଲ୍‌ଡ଼ ମାର୍ସାଲ ଆୟୁବ ଖାଁ, ବୈଦେଶିକ ମନ୍ତ୍ରୀ ଓ ଅନ୍ୟାନ୍ୟ ନେତୃବୃନ୍ଦଙ୍କ ସହିତ ଦୁଇ ଦେଶ ସ୍ୱାର୍ଥ ଜଡ଼ିତ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଆଲୋଚନା ପ୍ରସଙ୍ଗରେ ଆୟୁବଖାଁଙ୍କୁ ସେ ସ୍ପଷ୍ଟଭାବେ କହିଥିଲେ ଯେ ଭାରତକୁ ଭୟଭୀତ କରି ଯଦି ପାକିସ୍ଥାନ ସମସ୍ୟା ଗୁଡ଼ିକ ସମାଧାନ କରିବାକୁ ଚାହେଁ, ତାହାହେଲେ ଉଭୟରାଷ୍ଟ୍ର ଅସୁବିଧାର ସମ୍ମୁଖୀନ ହେବା ସ୍ୱାଭାବିକ । ତେଣୁ ସମାଧାନ ଲାଗି ବନ୍ଧୁତାର ବାତାବରଣ ପ୍ରଥମେ ସୃଷ୍ଟି କରାଯିବା ଉଚିତ ବୋଲି ସେ ସୂଚାଇ ଥିଲେ । ଯେ ପର୍ଯ୍ୟନ୍ତ ପାକିସ୍ଥାନର ଭାରତ ବିରୋଧି ମନୋଭାବ ନ ଯାଇଛି ସେ ପର୍ଯ୍ୟନ୍ତ ଯେକୌଣସି ଆଲୋଚନା ପ୍ରହେଳିକାରେ ପରିଣତ ହେବ ବୋଲି ସେ କହିଥିଲେ ।

 

ଋଷିଆର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନିକିତା କୃଶ୍ଚେଭଙ୍କ ନିମନ୍ତ୍ରଣ କ୍ରମେ ସେହି ବର୍ଷ ସେ ସୋଭିଏତ୍‍ ଋଷ ପରିଦର୍ଶନରେ ଯାଇଥିଲେ । ଯିବା ବାଟରେ ଯୁଗୋସ୍ଲୋଭିଆ, ପୋଲାଣ୍ଡ, ଚେକୋସ୍ଲୋଭିଆ, ପଶ୍ଚିମ ଜର୍ମାନୀ ଇତ୍ୟାଦି ରାଷ୍ଟ୍ର ପରିଦର୍ଶନ କରି ପ୍ରେସିଡ଼େଣ୍ଟ ନାସାର, ଟିଟୋ. ଉଇଲେ ବ୍ରାନ୍‌ଟ, ଲଡ଼୍‌ଉଇକ ଏର୍‌ହାତ ଇତ୍ୟାଦିଙ୍କ ସହିତ ପରସ୍ପର ସ୍ୱାର୍ଥ ସମ୍ବଳିତ ବହୁ ସମସ୍ୟା ଆଲୋଚନା କରିଥିଲେ । ଋଷିଆରେ ଦଶଦିନ ଅବସ୍ଥାନ କରି ସେ ବହୁସ୍ଥାନ ପରିଦର୍ଶନ କରିଥିଲେ ଓ ସେ ଦେଶର ଉପପ୍ରଧାନମନ୍ତ୍ରୀ ମିକୋୟାନ୍‌ଙ୍କ ସହିତ ଆଲୋଚନା କରି ତୃତୀୟ ପଞ୍ଚବାର୍ଷିକ ଯୋଜନା ପାଇଁ ଆର୍ଥିକ ସହାଯ୍ୟର ପରିମାଣ ବୃଦ୍ଧି କରାଇଥିଲେ ।

 

୧୯୬୧ ରେ ପାର୍ଲିଆମେଣ୍ଟରେ କଂଗ୍ରେସ ଦଳର ଉପନେତା ପଣ୍ଡିତ ଗୋବିନ୍ଦବଲ୍ଲଭ ପନ୍ଥଙ୍କର ମୃତ୍ୟୁ ହେଲା । କ୍ୟାବିନେଟରେ କ୍ରମ ଦୃଷ୍ଟିରୁ ମୋରାର୍‍ଜୀ ଦଳର ଉପନେତା ହେବାର କଥା; କିନ୍ତୁ ଜବାହାରଲାଲ ତାହା ଚାହିଁ ନ ଥିଲେ । କାରଣ କେତେକ କ୍ଷେତ୍ରରେ ଉଭୟଙ୍କ ମଧ୍ୟରେ ଦେଖା ଦେଉଥିଲା ନୀତିଗତ ମତପାର୍ଥକ୍ୟ । ଜବାହରଲାଲ ଯଦି ଓ ସଂସଦୀୟ ଆଲୋଚନାରେ ସ୍ୱାଧୀନ ମତ ବ୍ୟକ୍ତ କରିବାଲାଗି ମନ୍ତ୍ରୀମାନଙ୍କୁ ଉତ୍ସାହିତ କରୁଥିଲେ, ତଥାପି ବେଳେବେଳେ ତାଙ୍କ ମତ ଗ୍ରହଣ କରିବାଲାଗି ମନ୍ତ୍ରୀମାନଙ୍କୁ ପ୍ରବର୍ତ୍ତାଉ ଥିଲେ; କିନ୍ତୁ ସ୍ୱାଧୀନନେତା ମୋରାର୍‌ଜୀଙ୍କ ନିକଟରେ ତାହା ସମ୍ଭବ ହେଉ ନ ଥିଲା । ସେ ଭଲଭାବେ ଜାଣିଥିଲେ ଯେ ନୀତି ଦୃଷ୍ଟିରୁ ମୋରାର୍‌ଜୀ ସବୁବେଳେ ସ୍ୱାଧୀନ ଚିନ୍ତା ବ୍ୟକ୍ତ କରିଥାନ୍ତି ଓ ତାଙ୍କୁ ପ୍ରବର୍ତ୍ତାଇବା ସମ୍ଭବପର ନୁହେଁ । ଉଦାହରଣ ସ୍ୱରୂପ କୃଷ୍ଣମେନନ୍‌ଙ୍କୁ ଯେତେବେଳେ ମନ୍ତ୍ରୀମଣ୍ଡଳରେ ନେବାର ପ୍ରସ୍ତାବ ଜବାହରଲାଲ ଉଠାଇଥିଲେ, ମୋରାର୍‍ଜୀ ତାହାର ବିରୋଧ କରିଥିଲେ । ତାହା ବୋଲି ଯେ ମେନନ୍‌ଙ୍କର ବୁଦ୍ଧି ଓ ଅସାଧାରଣ ବାଗ୍ମିତା ଇତ୍ୟାଦି କେତେକ ମହତ୍ ଗୁଣର ସେ ଅସ୍ୱୀକାର କରୁଥିଲେ, ତାହାନୁହେଁ । ତାଙ୍କର ଅହଂବାଦୀୟଚିନ୍ତା ମନ୍ତ୍ରୀମଣ୍ଡଳର ସହଂତିର ସାମୟିକ ପରିପନ୍ଥୀ ହେବ, ସେହି ଆଶଙ୍କାର ବଶବର୍ତ୍ତୀ ହୋଇ ମୋରାର୍‍ଜୀ ପ୍ରସ୍ତାବର ବିରୋଧ କରିଥିଲେ । ଏହିପରି କେତେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ସହିତ ସେ ଏକମତ ହୋଇ ପାରୁ ନ ଥିଲେ ।

 

ଜବାହରଲାଲ ଜଗଜ୍ଜୀବନ ରାମଙ୍କୁ ଉପନେତା କରବାଲାଗି ପ୍ରସ୍ତାବ ଦେଲେ । ଏପରି ପରମ୍ପରା ଭଙ୍ଗ କଲେ ବାଧ୍ୟ ହୋଇ ଇସ୍ତଫା ଦେବେ ବୋଲି ମୋରାର୍‌ଜୀ ତାଙ୍କୁ ଜଣାଇ ଦେଲେ । କାରଣ ପୂର୍ବରୁ ମନ୍ତ୍ରୀମଣ୍ଡଳର କ୍ରମ ଅନୁଯାୟୀ ୨ୟ ସ୍ଥାନ ପାଇଥିବା ମନ୍ତ୍ରୀ ସର୍ଦ୍ଦାର ପଟେଲ, ମୌଲାନା ଆଜାଦ ଓ ଗୋବିନ୍ଦବଲ୍ଲଭ ପନ୍ଥ ଦଳର ଉପନେତା ଓ ଉପପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଯାହାହେଉ, ପରିସ୍ଥିତି ବିଚାରକରି ଜବାହରଲାଲ ଉଭୟେ ରାଜ୍ୟସଭା ଓ ଲୋକସଭା ଲାଗି ଦୁଇଜଣ ଉପନେତା ବାଛିବାକୁ ସ୍ଥିର କଲେ ଓ ମୋରାର୍‍ଜୀଙ୍କୁ ତାହା ଜଣାଇ ଦେଲେ । ମୋରାର୍‌ଜୀ ସେହି ପ୍ରସ୍ତାବର ପ୍ରତିବାଦ କରି କହିଥିଲେ ଯେ ଯଦି ତାଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରା ନ ଯାଏ, ତାହାହେଲେ ସେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ବାଧ୍ୟ ହେବେ । ମୋଟ ଉପରେ ଜବାହାରଲାଲ ବୋଧହୁଏ ଚାହୁଁ ନ ଥିଲେ ମୋରାର୍‌ଜୀଙ୍କୁ ଦଳର ଉପନେତା କରବାଲାଗି । ତାହା ସତ୍ତ୍ୱେ ମୋରାର୍‌ଜୀ ପ୍ରାର୍ଥୀ ହେବେ ବୋଲି ଜଣାଇଦେଲେ । ଜବାହରଲାଲ ତାଙ୍କ ପ୍ରସ୍ତାବର ପୁଣି ବରିବର୍ତ୍ତନ କଲେ । ସେ କହିଲେ ମନ୍ତ୍ରୀମାନଙ୍କ ମଧ୍ୟରୁ ଲୋକସଭା ଓ ରାଜ୍ୟସଭାର ଉପନେତା ବଛା ନ ଯାଇ ସାଧାରଣ ନିର୍ବାଚିତ ସଭ୍ୟଙ୍କ ମଧ୍ୟରୁ ବଛାଯାଉ । ଶେଷରେ ମୋରାର୍‍ଜୀ କେବଳ ପ୍ରଧାନମନ୍ତ୍ରୀଙ୍କ ସମ୍ମାନ ଦୃଷ୍ଟିରୁ ସେଥିରେ ରାଜି ହୋଇଥିଲେ ।

 

୧୯୬୧ ମସିହାରେ ସେ ବିଶ୍ୱବ୍ୟାଙ୍କର ସମ୍ମିଳନୀରେ ଯୋଗ ଦେବାକୁ ଯାଇ ଅଷ୍ଟ୍ରିଆ, ହଙ୍ଗେରୀ ଇତ୍ୟାଦି ଦେଶମାନଙ୍କରେ ଶୁଭେଚ୍ଛା ମୂଳକ ଗସ୍ତ କରିଥିଲେ । ଓ୍ୱାସିଂଟନଠାରେ ଆମେରିକାର ତତ୍‌କାଳୀନ ରାଷ୍ଟ୍ରପତି କେନେଡ଼ିଙ୍କ ସହିତ ଦୀର୍ଘ ସମୟ ଲାଗି ଆଳାପ ଆଲୋଚନା କରିଥିଲେ ଓ ଭାରତର ଗୋଷ୍ଠୀ ନିରପେକ୍ଷ ନୀତି ବିଷୟରେ ତାଙ୍କର ଥିବା ବହୁ ସନ୍ଦେହ ମୋଚନ କରିଥିଲେ ।

 

୧୯୬୨ରେ ତୃତୀୟ ଥର ପାଇଁ ଦେଶରେ ସାଧାରଣ ନିର୍ବାଚନ ହେଲା । ମୋରାର୍‌ଜୀ ଗୁଜୁରାଟର ସୁରତ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେଲେ । ପ୍ରାୟ ସବୁ ରାଜ୍ୟରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ଲାଭ କଲା । ମୋରାର୍‌ଜୀ ପୁଣି କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଲେ । ସେହି ବର୍ଷ ସେପ୍ଟେମ୍ବର ମାସରେ ଚୀନ ଭାରତ ଆକ୍ରମଣ କଲା ଓ ଲାଦାକ୍‌ର ପନ୍ଦର ହଜାର ବର୍ଗ ମାଇଲ ଅଞ୍ଚଳ ଅଧିକାର କରିନେଲା । ସେତେବେଳେ ଦେଶରକ୍ଷା ମନ୍ତ୍ରୀ ଥିଲେ କୃଷ୍ଣମେନନ୍‌ । ତାଙ୍କର ଦୂରଦୃଷ୍ଟି ଅଭାବ ଓ ଅପାରଗତା ଯୋଗୁଁ ବିନା ପ୍ରତିଆକ୍ରମଣରେ ଚୀନ୍‌ ସୈନ୍ୟବାହିନୀ ଭାରତୀୟ ଅଞ୍ଚଳ ଅଧିକାର କରିନେଲେ । ପୂର୍ବରୁ ପରସ୍ପର ଆଲୋଚନା ଜରିଆରେ ସୀମାବିବାଦ ମେଣ୍ଟାଇବା ଲାଗି ସ୍ଥିର ହୋଇଥିଲା । ଚୀନର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଚାଉ-ଏନ୍‌-ଲାଇ ଉଭୟ ଦେଶର ପ୍ରତିନିଧି ବର୍ମାରେ ଆଲୋଚନା କରନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ; କିନ୍ତୁ ଭାରତ ସେ ପ୍ରସ୍ତାବରେ ରାଜି ନ ହେବାରୁ ଚାଉଏନ୍‌ଲାଇ ନିଜେ ୧୯୬୦ ମସିହାରେ ଭାରତ ଗସ୍ତରେ ଆସିଥିଲେ ଓ ନେହେରୁ, ପନ୍ଥ ଓ ମେନନ୍‌ ତଥା ମୋରାର୍‌ଜୀଙ୍କ ସହିତ ସୀମା ସଂକ୍ରାନ୍ତରେ ଆଲୋଚନା କରିଥିଲେ । ମୋରାର୍‌ଜୀଙ୍କ ବାସଭବନକୁ ଯାଇ ସେ ଦୀର୍ଘ ୭୫ ମିନିଟ୍‌ କାଳ ତାଙ୍କ ସହିତ ଆଲୋଚନା କରିଥିଲେ; କିନ୍ତୁ ଚାଉଏନ୍‌ଲାଇ ତାଙ୍କ ଯୁକ୍ତିରେ ରହିଥିଲେ ଅଟଳ । ତେଣୁ ସୀମା ସମସ୍ୟାର କୌଣସି ଆପୋଷମୂଳକ ସମାଧାନ ହୋଇ ପାରି ନ ଥିଲା ।

 

ଚୀନା ଆକ୍ରମଣର ମୁକାବିଲା କରବାଲାଗି ଅଧିକ ସମ୍ବଳର ପ୍ରୟୋଜନ ପଡ଼ିଲା । ଜବାହରଲାଲ ଓ ଅନ୍ୟ କେତେକ ମନ୍ତ୍ରୀ ଏଥିପାଇଁ ଅତିରିକ୍ତ ବଜେଟ୍‌ ଉପସ୍ଥାପନ କରିବାକୁ ପ୍ରସ୍ତାବ ଦେଲେ । ସବୁ ଦୃଷ୍ଟିରୁ ବିଚାରକରି ମୋରାର୍‍ଜୀ ସେଥିରେ ରାଜି ହୋଇ ନ ଥିଲେ । ସେ କହିଥିଲେ ଯେ ସବୁଦିନ ଲାଗି ଦେଶରକ୍ଷା ବିଭାଗକୁ ଦୃଢ଼ କରିବାକୁ ହେଲେ ଅବଶ୍ୟ ସରକାରଙ୍କ ରାଜସ୍ୱ ବୃଦ୍ଧି ନିତ୍ୟାନ୍ତ ଦରକାର; କିନ୍ତୁ ବର୍ଷ ଶେଷରେ ସେପରି ବଜେଟ ଉପସ୍ଥାପନ ଆଦୌ ଶ୍ରେୟ ପନ୍ଥା ହୋଇ ନପାରେ । ଜବାହରଲାଲ ତାଙ୍କ ସହିତ ଏକମତ ହୋଇଥିଲେ ଓ ହୋଇଥିଲେ ଓ ୧୯୬୩-୬୪ ମସିହା ଲାଗି ଫେବୃଆରୀ ୨୮ ତାରିଖ ଦିନ ମୋରାର୍‌ଜୀ ବଜେଟ ଉପସ୍ଥାପନ କରିଥିଲେ, ଯେଉଁଥିରେ କି ଅଧିକ ରାଜସ୍ୱ ଆଦାୟର ବ୍ୟବସ୍ଥା ଥିଲା ।

 

ପୂର୍ବରୁ ସେ ସ୍ୱର୍ଣ୍ଣନିୟନ୍ତ୍ରଣ ଲାଗୁ କରିବା ଲାଗି ଚିନ୍ତା କରିଥିଲେ ମଧ୍ୟ କାଳେ ଜନସାଧାରଣଙ୍କ ମନରେ ଗଭୀର ପ୍ରତିକ୍ରିୟା ଦେଖା ଦେବ, ସେଥିଲାଗି ସେ ସମୟ ସୁଯୋଗକୁ ଅପେକ୍ଷା କରିଥିଲେ ଓ ବଜେଟ ଉପସ୍ଥାପନର ଅବ୍ୟବହିତ ପୂର୍ବରୁ ସେ ଦେଶରେ ସ୍ୱର୍ଣ୍ଣ ନିୟନ୍ତ୍ରଣ ଲାଗୁ କରାଇଥିଲେ । ଲୋକଙ୍କ ମନରୁ ସୁନାପ୍ରତି ଥିବା ପାରମ୍ପରିକ ଲୋଭ ଓ ଆକର୍ଷଣ କମାଇବା ଓ ଦେଶରେ ଚୋରା ସୁନା ଆମଦାନୀ କମାଇବା ଥିଲା ଏହାର ମୌଳିକ ଲକ୍ଷ୍ୟ । ୧୯୬୩ ମସିହା ଜାନୁଆରୀ ମାସରେ ଏଥିଲାଗି ଅଧ୍ୟାଦେଶ ଜାରି କରାଯାଇଥିଲା ଓ ୧୪ କ୍ୟାରେଟ୍‌ ସୁନା ପ୍ରଚଳିତ ହୋଇଥିଲା ।

 

୧୯୬୧-୬୨ ରେ ଆମର ଦେଶରକ୍ଷା ଲାଗି ବଜେଟରେ ୩୯୫ କୋଟି ଟଙ୍କା ଅଟକଳ ଥିବା ସତ୍ତ୍ୱେ, ମୋରାର୍‍ଜୀ ତାହାକୁ ୮୬୮କୋଟି ଟଙ୍କାକୁ ବୃଦ୍ଧି କରାଇଥିଲେ । ଅଧିକ ଦରମା ପାଉଥିବା ଓ ଆୟକର ଦେଉଥିବା ବ୍ୟକ୍ତିମାନଙ୍କ ପାଇଁ ସେ ବାଧ୍ୟତାମୂଳକ ଜମାବ୍ୟବସ୍ଥା ପ୍ରବର୍ତ୍ତନ କରାଇଥିଲେ ।

 

୧୯୬୩ ମସିହା ଜୁନ ମାସରେ ଲୋକସଭା ଅଧିବେଶନ ଶେଷ ହେବା ପରେ କଂଗ୍ରେସକୁ ଆନୁଷ୍ଠାନିକ ଭାବେ ଦୃଢ଼ କରିବାଲାଗି କାମରାଜ ଯୋଜନା କାର୍ଯ୍ୟକାରୀ ହେଲା । ଫଳରେ ଉଭୟେ କେନ୍ଦ୍ର ଓ ରାଜ୍ୟର ପୁରୁଖା ମନ୍ତ୍ରୀମାନେ କାର୍ଯ୍ୟରୁ ଅବ୍ୟାହିତ ନେଲେ । କେନ୍ଦ୍ରରୁ ଲାଲବାହାଦୁର ଶାସ୍ତ୍ରୀ, ଜଗଜ୍ଜୀବନ ରାମ, ଏସ୍‌. କେ. ପଟିଲ, ଗୋପାଲ ରେଡ଼ିଙ୍କ ସମେତ ମୋରାର୍‍ଜୀ ମଧ୍ୟ କାର୍ଯ୍ୟରୁ ଅବ୍ୟାହିତ ନେଇଥିଲେ । ତାପରେ କାମରାଜଙ୍କୁ କଂଗ୍ରେସର ସଭାପତି ରୂପେ ନିର୍ବାଚିତ କରାଗଲା । ୧୯୬୪ ମସିହାର ପ୍ରାରମ୍ଭରେ ଭୁବନେଶ୍ୱର ଠାରେ ଜାତୀୟ କଂଗ୍ରେସର ଅଧିବେଶନ ବସିଲା । ଜବାହରଲାଲ କ୍ରମେ ଅସୁସ୍ଥ ହୋଇ ପଡ଼ିବାରୁ, ତାଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବାଲାଗି ଲାଲବାହାଦୁର ଶାସ୍ତ୍ରୀଙ୍କୁ ବିଭାଗବିହୀନ ମନ୍ତ୍ରୀ ହିସାବରେ ନିଯୁକ୍ତି କଲେ । ସେହିବର୍ଷ ମେ ମାସ ତା ୨୭ ରିଖ ଦିନ ଜବାହାରଲାଲଙ୍କ ମୃତ୍ୟୁ ହେଲା । ଗୁଲ୍‌ଜାରିଲାଲ ନନ୍ଦା ଅସ୍ଥାୟୀ ପ୍ରଧାନମନ୍ତ୍ରୀ ହେଲେ । କଂଗ୍ରେସର କାର୍ଯ୍ୟକାରୀ କମିଟି ବସି ଶେଷରେ ଲାଲବାହାଦୁର ଶାସ୍ତ୍ରୀଙ୍କୁ ଭାରତର ପ୍ରଧାନମନ୍ତ୍ରୀ ରୂପେ ମନୋନୀତ କଲେ । ମୋରାର୍‌ଜୀ କମିଟିଙ୍କ ସିଦ୍ଧାନ୍ତରେ ଅସନ୍ତୋଷ ପ୍ରକାଶ କରିଥିଲେ । ତାଙ୍କୁ ଉପ ପ୍ରଧାନମନ୍ତ୍ରୀ ପଦ ଯଚା ଯାଇଥିଲେ ମଧ୍ୟ ସେ ତାହା ପ୍ରତ୍ୟାଖ୍ୟାନ କରିଥିଲେ ।

Image

 

ଉପପ୍ରଧାନମନ୍ତ୍ରୀ

 

ଲାଲବାହାଦୁର ଶାସ୍ତ୍ରୀ କଂଗ୍ରେସ ପାର୍ଲାମେଣ୍ଟାରୀ ଦଳର ନେତା ନିର୍ବାଚିତ ହୋଇ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ଗଢ଼ିଲେ । ତାଙ୍କ ମନ୍ତ୍ରୀମଣ୍ଡଳରେ ଯୋଗ ଦେବା ପାଇଁ ସେ ମୋରାର୍‌ଜୀ ଦେଶାଇଙ୍କୁ ନିମନ୍ତ୍ରଣ ଜଣାଇଲେ । ଗୁଲଜାରିଲାଲ ନନ୍ଦା ଅସ୍ଥାୟୀ ପ୍ରଧାନମନ୍ତ୍ରୀ ରହିଥିବାରୁ ତାଙ୍କୁ ଦ୍ୱିତୀୟ ସ୍ଥାନ ଓ ମୋରାର୍‌ଜୀଙ୍କୁ କ୍ୟାବିନେଟରେ ତୃତୀୟ ସ୍ଥାନ ଦିଆଯିବାକୁ ସ୍ଥିର ହେଲା; କିନ୍ତୁ ମୋରାର୍‌ଜୀ ସେଥିରେ ରାଜି ହେଲେ ନାହିଁ । ସେ କହିଲେ ଯଦି କାମରାଜ ଯୋଜନା ଲାଗୁ ନ ହୋଇଥାନ୍ତା ତାହା ହେଲେ ନେହେରୁଙ୍କ ମୃତ୍ୟୁ ପରେ ସେ ମଧ୍ୟ ଅସ୍ଥାୟୀ ପ୍ରଧାନମନ୍ତ୍ରୀ ହୋଇ ପାରିଥାନ୍ତେ । ଗୁଲାଜାରିଲାଲ ନନ୍ଦା ଯେ କି ରାଜନୀତି କ୍ଷେତ୍ରରେ ତାଙ୍କଠାରୁ ବହୁ କନିଷ୍ଠ ତାଙ୍କଠାରୁ କ୍ରମନିମ୍ନ ଆସନରେ ରହି ସେ ମନ୍ତ୍ରୀ ହେବାକୁ ଚାହାନ୍ତି ନାହିଁ । ଶାସ୍ତ୍ରୀଜୀ ଅବଶ୍ୟ ତାଙ୍କର ସେହି ଉତ୍ତରରେ ଗଭୀର ଦୁଃଖପ୍ରକାଶ କରିଥିଲେ ।

 

ତା’ପରେ ୧୯୬୫ ମସିହା ଜୁଲାଇ ୨୩ ତାରିଖଠାରୁ ୨୫ ତାରିଖ ପର୍ଯ୍ୟନ୍ତ ବାଙ୍ଗାଲୋରଠାରେ ନିଖିଳ ଭାରତ କଂଗ୍ରେସ କମିଟି ଅଧିବେଶନ ବସିଲା । ସେଥିରେ କଂଗ୍ରେସ ସଭାପତି କାମରାଜଙ୍କ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବଢ଼ାଇ ଦେବାକୁ ପ୍ରସ୍ତାବ ଅଣାଗଲା । ତାହା ପୂର୍ବରୁ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ କାର୍ଯ୍ୟକାରୀ କମିଟିର ବହୁ ସଦସ୍ୟ; କିନ୍ତୁ ମୋରାର୍‌ଜୀ ତାହାର ବିରୋଧ କଲେ । ଅନେକ ମଧ୍ୟ କାମରାଜଙ୍କ ଭୟରେ ପ୍ରସ୍ତାବରେ ବିରୋଧ ନ କରି ନୀରବ ରହିଲେ; କିନ୍ତୁ ମୋରାର୍‌ଜୀ ୧୯୫୮ ମସିହା ଅକ୍ଟୋବର ୨୭ ତାରିଖରେ ଗୃହୀତ ହୋଇଥିବା ନିଖିଳ ଭାରତ କଂଗ୍ରେସ କମିଟିର ସିଦ୍ଧାନ୍ତ ଓ ନୀତି ଦୃଷ୍ଟିରୁ ନିଜ ସ୍ୱାଧୀନ ମତବ୍ୟକ୍ତ କରବାକୁ ପଛାଇଲେ ନାହିଁ । ମୁଖ୍ୟତଃ ସେ ସଦାସର୍ବଦା ବ୍ୟକ୍ତି ପୂଜାର ବିରୋଧୀ । ପୁଣି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ପଦବୀରେ ରଖିବା ଦ୍ୱାରା କଂଗ୍ରେସ ମଧ୍ୟରେ ଉପଦଳ ମୁଣ୍ଡ ଟେକିପାରେ ବୋଲି ସେ ଆଶଙ୍କା କରୁଥିଲେ । କାରଣ ବ୍ୟକ୍ତି କୈନ୍ଦ୍ରିକ ଚିନ୍ତା ଉଭୟ ଦଳ ଓ ଦେଶର ପ୍ରଗତି ପଥରେ ଅନ୍ତରାୟ ବୋଲି ସେ ସ୍ପଷ୍ଟ ମତବ୍ୟକ୍ତ କରିଥିଲେ । ଯଦି କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ପଦ ଓ ପଦବୀ ଦେବା ଲାଗି ନୀତି ଓ ଶୃଙ୍ଖଳା ଭଙ୍ଗ କରାଯାଏ, ତାହାହେଲେ ଉଭୟ ଗଣତନ୍ତ୍ର ଓ ଗଣତାନ୍ତ୍ରିକ ନୀତିର ବିରୋଧ କରାଯାଉଛି ବୋଲି ଧରିନେବାକୁ ହେବ ଏହା ଥିଲା ତାଙ୍କର ବିଶ୍ୱାସ । ତାଙ୍କର କାମରାଜଙ୍କ ପ୍ରତି କୌଣସି ବ୍ୟକ୍ତିଗତ ଆକ୍ରୋଶ ନ ଥିଲା; କିନ୍ତୁ ନୀତି ଦୃଷ୍ଟିରୁ ତାଙ୍କ କାର୍ଯ୍ୟକାଳ ବୃଦ୍ଧିର ସେ ଘୋର ବିରୋଧ କରିଥିଲେ । ଲାଲବାହାଦୁର ଶାସ୍ତ୍ରୀ ଇତ୍ୟାଦି ବହୁ ବ୍ୟକ୍ତି ମୋରାର୍‌ଜୀଙ୍କୁ ସେ ବିରୋଧରୁ ବିରତ ହେବା ଲାଗି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ସେ ସେଥିରେ ରହିଥିଲେ ଅଟଳ ।

 

୧୯୬୫ ମସିହା ସେପ୍ଟେମ୍ବର ମାସରେ ପାକିସ୍ଥାନ ସୈନ୍ୟବାହିନୀ କାଶ୍ମୀର ସୀମାରେ ବଳତ୍କାର ଅନୁପ୍ରବେଶ କଲେ । କାଶ୍ମୀର ବାସୀଙ୍କ ମନରେ ଭାରତୀୟ ବାହିନୀ ପତି ବିଦ୍ୱେଷ ଜନ୍ମାଇବା ଥିଲା ପାକିସ୍ଥାନର ପରୋକ୍ଷ ଉଦ୍ଦେଶ୍ୟ; କିନ୍ତୁ ଭାରତ ସରକାର ତାହାର ଦୃଢ଼ ମୁକାବିଲା କଲେ । ଅନୁପ୍ରବେଶକାରୀମାନଙ୍କୁ ବନ୍ଦୀ କରିବା କିମ୍ବା ପ୍ରୟୋଜନ ସ୍ଥଳେ ବିଚ୍ଛିନ୍ନ କରିଦେବାକୁ କାଶ୍ମୀର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଗଲା । ରାଷ୍ଟ୍ରପତି ଆୟୁବ ଖାଁ ବିନା ବାଧାରେ ପାକିସ୍ଥାନ ବାହିନୀ ଦିଲ୍ଲୀ ପର୍ଯ୍ୟନ୍ତ ମାଡ଼ିଯିବେ ବୋଲି ଧମକପୂର୍ଣ୍ଣ ଘୋଷଣା କଲେ । ଭାରତୀୟ ସୈନ୍ୟମାନେ ସେମାନଙ୍କ ଆକ୍ରମଣକୁ ପ୍ରତିହତ କରି ଲୋହାର ପର୍ଯ୍ୟନ୍ତ ଆଗେଇ ଚାଲିଲେ । କଚ୍ଛ ଓ ରନ୍‌ ଅଞ୍ଚଳରେ ସେମାନଙ୍କ ଆକ୍ରମଣକୁ ମଧ୍ୟ ପ୍ରତିହତ କରାଗଲା । ପ୍ରଧାନମନ୍ତ୍ରୀ ଲାଲବାହାଦୁରଙ୍କ ନେତୃତ୍ୱରେ ବିଶ୍ୱ ଦରବାରରେ ଭାରତର ସମ୍ମାନ ବୃଦ୍ଧି ପାଇଲା । ସେହି ଯୁଦ୍ଧରେ ପାଶ୍ଚାତ୍ୟ ଶକ୍ତିମାନେ ଭାରତର ସାମରିକ ଶକ୍ତିର ପାଇଲେ ସ୍ଥୂଳ ପରିଚୟ । ଲାଲବାହାଦୁର କଂଗ୍ରେସ କାର୍ଯ୍ୟକାରୀ କମିଟି ଓ ସାଧାରଣସଭାମାନଙ୍କରେ ଦୃଢ଼ ସ୍ୱରରେ ଘୋଷଣା କଲେ ଯେ ଭାରତ ପାକିସ୍ଥାନର ଯେଉଁ ସ୍ଥାନଗୁଡ଼ିକ ଅଧିକାର କରିଛି ତାହାକୁ ଆଉ ଫେରାଇ ଦିଆଯିବ ନାହିଁ । ମୋରାର୍‌ଜୀ ସେପରି ଘୋଷଣା ନ କରିବାକୁ ଶାସ୍ତ୍ରୀଙ୍କୁ ପ୍ରବର୍ତ୍ତାଇଲେ । ସେ କହିଲେ ଉଭୟ ରାଷ୍ଟ୍ର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଲାଗି ଆପୋଷ ଆଲୋଚନା ହେବା ପୂର୍ବରୁ ଉଭୟ ବାହିନୀ ଯେ ଯାହାର ସ୍ଥିତାବସ୍ଥାକୁ ଫେରି ଆସିବା ଉଚିତ, ଯଦ୍ଦ୍ୱାରା ସନ୍ଧି ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇପାରିବ; କିନ୍ତୁ ଦୃଢ଼ମନା ଲାଲବାହାଦୁର ତାଙ୍କ କଥା ଶୁଣିଲେ ନାହିଁ । ତାଙ୍କର ସେହି ଗୁରୁଗମ୍ଭୀର ଘୋଷଣା ସମଗ୍ର ଦେଶରେ ତାଙ୍କୁ ଅପରିସୀମ ଗୌରବର ଅଧିକାରୀ କଲା ।

 

ଆପୋଷ ଆଲୋଚନା ଜରିଆରେ ସନ୍ଧି ସ୍ଥାପନ କରିବା ଲାଗି ମିଳିତ-ଜାତିସଘଂ, ଆମେରିକା ଓ ୠଷିଆ ତରଫରୁ ଭାରତ ଉପରେ ଚାପ ପଡ଼ିଲା । ପାକିସ୍ଥାନ ମଧ୍ୟ ହୃଦୟଙ୍ଗମ କଲା ଯେ ଭାରତ ସହିତ ଯୁଦ୍ଧରେ ଆଉ ଆଗେଇଲେ ତାହାର ପ୍ରଭୂତ୍ୱ କ୍ଷତି ହେବ ଓ ଶେଷରେ ବିଶ୍ୱ ଦରବାରରେ ସେ ହେବ ଅପାମନିତ । ସେହି ପରିସ୍ଥିତିରେ ୠଷିଆର ପ୍ରଧାନମନ୍ତ୍ରୀ କୋସିଜିନ୍‌ ତାସକେଣ୍ଟଠାରେ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହେବାଲାଗି ପ୍ରସ୍ତାବ ଦେଲେ; କିନ୍ତୁ ମୋରାର୍‌ଜୀ ଦେଶ ବାହାରେ ସେପରି ଆଲୋଚନା ନ କରିବାକୁ ଶାସ୍ତ୍ରୀଜୀଙ୍କୁ ପରାମର୍ଶ ଦେଲେ । ତାଙ୍କର ସେହି ପରାମର୍ଶ ମଧ୍ୟ ଶାସ୍ତ୍ରୀଜୀ ଗ୍ରହଣ କରି ନ ଥଲେ । କୋସିଜିନ୍‌ଙ୍କ ପ୍ରସ୍ତାବ ମତେ ଦେଶରକ୍ଷା ମନ୍ତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ଗହଣରେ ସେ ତାସକେଣ୍ଟ ଯାଇ ଆଲୋଚନାରେ ଅଂଶ ଗ୍ରହଣ କଲା ପରେ ସ୍ଥିତାବସ୍ଥାକୁ ଭାରତୀୟ ସୈନ୍ୟ ବାହିନୀ ଫେରି ଆସିବେ ବୋଲି ରାଜି ହୋଇଥିଲେ । ସ୍ୱଦେଶକୁ ଫେରି ଆସିବାର ପୂର୍ବଦିନ ଅର୍ଥାତ୍‌ ୧୯୬୬ ମସିହା ଜାନୁଆରୀ ୧୦ ତାରିଖ ଦିନ ରାତିରେ ହୃଦରୋଗରେ ସେ ମୃତ୍ୟୁବରଣ କଲେ ।

 

ତା’ପରେ ମନ୍ତ୍ରୀମଣ୍ଡଳର ଦ୍ୱିତୀୟ ସଭ୍ୟ ଗୁଲଜାରିଲାଲ ନନ୍ଦାଙ୍କୁ ଅସ୍ଥାୟୀ ପ୍ରଧାନମନ୍ତ୍ରୀ ରୂପେ ଦ୍ୱିତୀୟ ଥରପାଇଁ ନିଯୁକ୍ତ କରାଗଲା ଓ କଂଗ୍ରେସ ପାର୍ଲିଆମେଣ୍ଟାରୀ ଦଳର ନେତା ନିର୍ବାଚନ ପାଇଁ ସଭା ଆହୂତ ହେଲା । କାମରାଜ ଚାହିଁଲେ ଇନ୍ଦିରାଗାନ୍ଧୀଙ୍କୁ ଦଳର ନେତା କରାଇବା ଲାଗି । ଜଗଜ୍ଜୀବନ ରାମ ଯେ କି ମୋରାର୍‌ଜୀଙ୍କୁ ନେତା କରିବା ଲାଗି ପୂର୍ବରୁ ସମର୍ଥନ ଜଣାଇଥିଲେ, ସେ ତାହା ପ୍ରତ୍ୟାହାର କରିନେଲେ । କାମରାଜ ଦୃଢ଼ ବିଶ୍ୱାସ କରିଥିଲେ ଯେ ଇନ୍ଦିରାଗାନ୍ଧୀ ଦଳର ନେତା ନିର୍ବାଚିତ ହେଲେ, ତାଙ୍କରି ନିର୍ଦ୍ଦେଶ ମତେ ଶାସନ କାର୍ଯ୍ୟ କରିବେ । ଇନ୍ଦିରା ମଧ୍ୟ କାମରାଜଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିବେ ବୋଲି ଆଗରୁ ଘୋଷଣା କରିଥିଲେ; କିନ୍ତୁ ପରେ ଅବଶ୍ୟ ପରିଣତି ହୋଇଥିଲା ବିପରୀତ । ସେ ଯାହାହେଉ କାମରାଜଙ୍କ ଉଦ୍ୟମରେ କଂଗ୍ରେସ ସଭ୍ୟମାନଙ୍କ ମଧ୍ୟରେ ମୋରାର୍‌ଜୀ ବିରୋଧି ପ୍ରଚାର କରାଯାଇ ସଭ୍ୟମାନଙ୍କୁ ପ୍ରଭାବିତ କରାଗଲା । ଫଳରେ ଇନ୍ଦିରାଗାନ୍ଧୀ ନେତା ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ମୋରାର୍‌ଜୀଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦିଆଗଲା ନାହିଁ ।

 

୧୯୬୫ ମସିହା ନଭେମ୍ବର ମାସ ପ୍ରାରମ୍ଭରେ ଲାଲବାହାଦୁର ଶାସନ-ସଂସ୍କାର କମିସନ ନିଯୁକ୍ତ କରିବାକୁ ସ୍ଥିର କରିଥିଲେ । ମୋରାର୍‌ଜୀଙ୍କୁ ତାହାର ଅଧ୍ୟକ୍ଷ ହେବା ଲାଗି ସେ ନିମନ୍ତ୍ରଣ ଜଣାଇଲେ । ତାଙ୍କ ଦେହାନ୍ତ ପରେ ମଧ୍ୟ ଇନ୍ଦିରାଗାନ୍ଧୀ ମୋରାର୍‌ଜୀଙ୍କୁ ସେହି ଦାୟିତ୍ୱପୂର୍ଣ୍ଣ ଆସନରେ ଅଧିଷ୍ଠିତ ହେବା ଲାଗି ଅନୁରୋଧ ଜଣାଇଥିଲେ । ଦେଶାଇଙ୍କ ସ୍ୱୀକୃତି ନିଆଯାଇ କମିସନ୍‌ର ସଭ୍ୟମାନଙ୍କୁ ମନୋନୀତ କରାଗଲା ସେମାନେ ହେଲେ—ଶ୍ରୀ ହନୁମନ୍ତେୟା, ଶ୍ରୀ ହରିଶ୍ଚନ୍ଦ୍ର ମାଥୁର, ଶ୍ରୀ ଏଚ୍‌.ଭି.କାମାଥ୍‌ ଓ ଶ୍ରୀ ଭି. ଶଙ୍କର । ଶ୍ରୀ ଭି. ଭି. ଚାରୀ କମିସନ୍‌ର ସମ୍ପାଦକ ନିଯୁକ୍ତ ହେଲେ; କିନ୍ତୁ କେତେକ କାରଣ ଯୋଗୁଁ ୧୯୬୬ ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ଏହି କମିସନ୍‌ କାର୍ଯ୍ୟ ଆରମ୍ଭ କରିବେ ବୋଲି ସରକାର ଘୋଷଣା କରିପାରିଲେ ନାହିଁ । ପୁଣି ଏଥି ମଧ୍ୟରେ ମୋରାର୍‌ଜୀଙ୍କୁ କମନଓ୍ୱେଲଥର ଏକ ଅଧିବେଶନରେ ଯୋଗ ଦେବା ଲାଗି ଭାରତୀୟ ପ୍ରତିନିଧି ଦଳର ଅଧ୍ୟକ୍ଷ ହିସାବରେ ନିଉଜ୍‌ଲ୍ୟାଣ୍ଡ ଯିବାକୁ ପଡ଼ିଲା । ତା’ ପରେ ଇନ୍ଦିରାଗାନ୍ଧୀ ଚାହିଁଲେ କମିସନରେ ଆଉ ଅଧିକ ସଭ୍ୟ ମନୋନୀତ କରିବା ଲାଗି । ପ୍ରତିବାଦ ସ୍ୱରୂପ ମୋରାର୍‌ଜୀ ସେଥିରେ ଅଧ୍ୟକ୍ଷ ହେବାକୁ ମନାକଲେ । ଫଳରେ କମିସନ ସଭ୍ୟଙ୍କ ସଂଖ୍ୟା ବଢ଼ି ପାରିଲା ନାହିଁ । ତା’ପରେ ଦିଲ୍ଲୀସ୍ଥିତ ସର୍ଦ୍ଦାର ପଟେଲ ଭବନରେ କମିସନ କାର୍ଯ୍ୟ ଆରମ୍ଭ କଲେ । ମୋରାର୍‍ଜୀଙ୍କୁ ପ୍ରତ୍ୟହ ପାଞ୍ଚ, ଛଅ ଘଣ୍ଟା ଅଫିସରେ ରହି କାର୍ଯ୍ୟ କରିବାକୁ ପଡ଼ିଲା ।

 

୧୯୬୭ ମସିହା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସେ କମିସନ୍‌ର ଅଧ୍ୟକ୍ଷ ଭାବରେ ରହିଲେ । ତା’ପରେ ତାଙ୍କୁ ଭାରତର ଉପପ୍ରଧାମନ୍ତ୍ରୀ ରୂପେ ନିଯୁକ୍ତ କରାଗଲା । ସେହି ମାସ ୧୩ ତାରିଖ ଦିନ ସେ ଉପପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କଲେ । ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଥିଲେ ଭାରତର ପ୍ରଥମ ଉପପ୍ରଧାନମନ୍ତ୍ରୀ । ତାଙ୍କ ପରେ କାହାକୁ ସେହି ପଦରେ ନିଯୁକ୍ତ କରାଯାଇ ନ ଥିଲା । ଦ୍ୱିତୀୟ ଥର ପାଇଁ ମୋରାର୍‌ଜୀ ହେଲେ ସେହି ପଦରେ ଅଧିଷ୍ଠିତ । ୧୯୪୮ ମସିହାରୁ ବ୍ୟବସାୟୀ ବ୍ୟାଙ୍କ ଗୁଡ଼ିକର ଜାତୀୟକରଣ ଲାଗି ବହୁ କଳ୍ପନା ଜଳ୍ପନା ହେଉଥିଲେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ପଦକ୍ଷେପ ନିଆଯାଇ ନ ଥିଲା; କିନ୍ତୁ ମୋରାର୍‌ଜୀ ଉପପ୍ରଧାନମନ୍ତ୍ରୀ ହେଲା ପରେ ସେହି ବର୍ଷ ମେ ମାସରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ବ୍ୟାଙ୍କ ଓ ଜୀବନବୀମା ଜାତୀୟକରଣ ପ୍ରସ୍ତାବ ଉଠିଲା । ତା’ ସହିତ ରାଜାରାଜୁଡ଼ାଙ୍କୁ ହାତପାଣ୍ଠି ଉଚ୍ଛେଦ ପ୍ରଶ୍ନ ମଧ୍ୟ ଉଠିଲା । ମୋରାର୍‌ଜୀ ଜାତୀୟକରଣକୁ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଏକ ଉପାୟ ବା ଅସ୍ତ୍ର ରୂପେ ଗୃହୀତ ହେବା ଉଚିତ-

 

ପୂର୍ବରୁ ବ୍ୟବସାୟୀ ବ୍ୟାଙ୍କମାନେ ଶିଳ୍ପପତିମାନଙ୍କ ଦ୍ୱାରା ହେଉଥିଲେ ପରିଚାଳିତ । କେବଳ ବିତ୍ତଶାଳୀ ଲୋକେ ଏହି ବ୍ୟାଙ୍କମାନଙ୍କ ଦ୍ୱାରା ହେଉଥିଲେ ଉପକୃତ । ଛୋଟ ଛୋଟ ଶିଳ୍ପୋଦ୍ୟୋଗ ପାଇଁ ବ୍ୟାଙ୍କରୁ ୠଣ ପାଇବା ସମ୍ଭବ ହେଉ ନ ଥିଲା । କୃଷି ପାଇଁ ମଧ୍ୟ ଏହି ବ୍ୟାଙ୍କମାନେ ଋଣ ଦେଉ ନଥିଲେ । ତେଣୁ କିପରି ଦେଶର ସାମୂହିକ ଉନ୍ନତି କଳ୍ପେ ବ୍ୟବସାୟୀ ବ୍ୟାଙ୍କମାନେ ଅର୍ଥ ଲଗାଣ କରି ପାରିବେ, ସେହି ବିଷୟ ଆଲାଚନା କରବା ଲାଗି ଦିଲ୍ଲୀରେ ନିଖିଳ ଭାରତ କଂଗ୍ରେସ କମିଟିର ଏକ ଅଧିବେଶନ ବସିଲା ଓ ସେଥିରେ ପ୍ରସ୍ତାବଗୁଡ଼ିକ ଗୃହୀତ ହେଲା । ତାପରେ ମୋରାର୍‌ଜୀ ନିଜ ଅଧ୍ୟକ୍ଷତାରେ ୠଣ ପରିଷଦ ଗଠନ କଲେ । ଏହି ପରିଷଦର ଲକ୍ଷ୍ୟ ହେଲା ଋଣ ପ୍ରଦାନର ନୀତିନିୟମ ସ୍ଥିରକରିବା । ଏଥିରେ ରିଜର୍ଭବ୍ୟାଙ୍କର ଗଭର୍ଣ୍ଣର ଓ ଯୋଜନା କମିସନ୍‌ର ଉପାଧ୍ୟକ୍ଷ, ବ୍ୟାଙ୍କମାନଙ୍କର ପ୍ରତିନିଧି, କ୍ଷୁଦ୍ର ଓ ବୃହତ୍‌ଶିଳ୍ପ ସଂସ୍ଥାର ପ୍ରତିନିଧି ତଥା କେତେଜଣ ଅର୍ଥନୀତିଜ୍ଞ ଓ କୃଷି ବିଶାରଦ ସଭ୍ୟ ରହିଲେ ।

 

କେନ୍ଦ୍ରର ଅର୍ଥମନ୍ତ୍ରୀ ଭାବରେ ମୋରାର୍‌ଜୀଙ୍କୁ ୧୯୬୭-୬୮ ମସିହାର ବଜେଟ୍‌ ଉପସ୍ଥାପନ କରିବାକୁ ପଡ଼ିଲା । ସେତେବେଳେ ଦେଶର ଆର୍ଥନୀତିକ ଅବସ୍ଥା ସେତେ ସ୍ୱଚ୍ଛଳ ନ ଥିଲା । ଚୀନ୍‌ ଓ ପାକିସ୍ଥାନ ସହିତ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଦେଖା ଦେଇଥିଲା ମୂଲ୍ୟାପକର୍ଷ । ବୈଦେଶିକ ମୁଦ୍ରା ଅର୍ଜନ ମଧ୍ୟ ସେତେ ଉତ୍ସାହପ୍ରଦ ନ ଥିଲା । ତେଣୁ ବହୁ ଚିନ୍ତା କରି ସେ ୧୬୮ କୋଟି ଟଙ୍କାର ଏକ ନିଅଣ୍ଟିଆ ବଜେଟ୍‌ ଉପସ୍ଥାପନ କରିଥିଲେ । ବହୁ ରାଜ୍ୟ ମଧ୍ୟ ନିଅଣ୍ଟିଆ ବଜେଟ ଯୋଗୁଁ ଲୋଡ଼ିଥିଲେ କେନ୍ଦ୍ରର ସାହାଯ୍ୟ । ତା’ ସତ୍ତ୍ୱେ ଦେଶର ଅର୍ଥନୀତିକ ଦୃଢ଼ତା ଆଣିବା ଥିଲା ତାଙ୍କଦ୍ୱାରା ଉପସ୍ଥାପିତ ବଜେଟର ଆଭ୍ୟନ୍ତରୀଣ ଲକ୍ଷ୍ୟ । କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯିବା ଦ୍ୱାରା କ୍ରମେ ଦେଶରେ ନୂତନ କୃଷି ଯୋଜନାମାନ କାର୍ଯ୍ୟକାରୀ ହେଲା । ରେଳ ମହାସୁଲ ବଢ଼ାଇ ଓ ଅନ୍ୟାନ୍ୟ ଟିକସ ବସାଇ ସେ ଦେଶର ଆର୍ଥନୀତିକ ଦୁର୍ଗତିର ଅବସାନ କରବା ଲାଗି ସେ ଉଦ୍ୟମ କଲେ ।

 

ସେତେବେଳକୁ ଜାପାନ ସହିତ ଭାରତର ସମ୍ପର୍କ କ୍ରମେ ଶିଥିଳ ହୋଇ ପଡ଼ୁଥିଲା । ଅବସ୍ଥାର ଉନ୍ନତିଲାଗି ଜାପାନ ସରକାରଙ୍କ ନିମନ୍ତ୍ରଣ କ୍ରମେ ୧୯୬୭ ମସିହା ଅଗଷ୍ଟ ମାସରେ ମୋରାର୍‌ଜୀଙ୍କୁ ସେ ଦେଶ ଗସ୍ତରେ ଯିବାକୁ ପଡ଼ିଲା । ସେଠାରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସାଟୋଙ୍କ ସହିତ ଉଭୟ ଦେଶ ସ୍ୱାର୍ଥ ସମ୍ବଳିତ ବହୁବିଷୟ ଆଲେଚନା କରିବା ଦ୍ୱାରା ଉଭୟ ରାଷ୍ଟ୍ର ମଧ୍ୟରେ ଶିଥିଳୀକୃତ ସମ୍ପର୍କ ଦୃଢ଼ ହୋଇ ପାରିଥିଲା । ସେହିବର୍ଷ ସେପ୍ଟେମ୍ବର ମାସରେ ବିଶ୍ୱବ୍ୟାଙ୍କର ଏକ ସଭାରେ ଯୋଗଦେବା ଲାଗି ତାଙ୍କୁ ବ୍ରାଜିଲ ଯବାକୁ ପଡ଼ିଥିଲା । ସେହି ଗସ୍ତ କ୍ରମରେ ସେ ମଧ୍ୟ ଇଂଲଣ୍ଡ ଓ ଆମେରିକା ପରିଭ୍ରମଣରେ ଯାଇଥିଲେ । ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଉଇଲ୍‌ସନ୍‌ ଓ ଆମେରିକାର ରାଷ୍ଟ୍ରପତି ଜନସନଙ୍କୁ ସାକ୍ଷାତ କରି ପରସ୍ପର ମଧ୍ୟରେ କିପରି ସଦଭାବ ବୃଦ୍ଧି ପାଇବ, ସେ ବିଷୟ ଆଲୋଚନା କରିଥିଲେ । ତାପରେ ଭାରତକୁ ଫେରିଆସି ନେପାଳ ରାଜାଙ୍କ ଅନୁରୋଧ କ୍ରମେ ସେ ନେପାଳ ଗସ୍ତରେ ଯାଇଥିଲେ । ସେହି ଗସ୍ତକ୍ରମରେ ମଧ୍ୟ ସେ ଭୁଟାନ ଓ ସିକିମ୍‌ ପରିଦର୍ଶନ କରି ପରସ୍ପର ସ୍ୱାର୍ଥଜଡ଼ିତ ବ୍ୟାପାର ନେଇ ଆଲୋଚନା କରିଥିଲେ । ୧୯୬୮ ମସିହା ଜୁଲାଇମାସରେ ମଧ୍ୟ ସେ ଇରାନ ଓ ଆଫଗାନିସ୍ଥାନ ପରିଦର୍ଶନ କରିଥିଲେ ।

 

କାମରାଜ ଯୋଜନା ଅନୁଯାୟୀ ସେ ମନ୍ତ୍ରୀତ୍ୱ ଛାଡ଼ିବା ପରଠାରୁ ତାଙ୍କ ପୁଅ କାନ୍ତିଭାଇ ତାଙ୍କର ଘରୋଇ ସେକ୍ରେଟାରୀ ରୂପେ କାର୍ଯ୍ୟ କରୁଥିଲେ । ସେଥିଯୋଗୁଁ ଲୋକସଭାରେ ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ହୋଇଥିଲା; କିନ୍ତୁ ମୋରାର୍‍ଜୀ ସେଗୁଡ଼ିକ ଦୃଢ଼ ଭାବରେ ଖଣ୍ଡନ କରିଥିଲେ । ଏବେ ମଧ୍ୟ କାନ୍ତିଭାଇଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଉପସ୍ଥାପିତ ହେଉଛି । ସେଗୁଡ଼ିକୁ ମୋରାର୍‌ଜୀ ଚିରାଚରିତ ରୀତିରେ ଅସ୍ୱୀକାର କରି ଆସିଅଛନ୍ତି ।

 

ଗାନ୍ଧିଜୀଙ୍କ ଶତବାର୍ଷିକୀ ପାଳନ ଲାଗି ଭାରତ ଓ ବିଦେଶ ରାଷ୍ଟ୍ରମାନଙ୍କରେ କମିଟିମାନ ଗଠିତ ହେଲା । ପଶ୍ଚିମ ଜର୍ମାନୀର ସେହି କମିଟି ଅଧିବେଶନରେ ଯୋଗ ଦେବା ଲାଗି ସେ ଦେଶର ଚାନସେଲର କିସିଞ୍ଜର ମୋରାର୍‌ଜୀଙ୍କୁ ନିମନ୍ତ୍ରଣ ଜଣାଇଲେ । ତଦନୁଯାୟୀ ସେ ପଶ୍ଚିମ ଜର୍ମାନୀ ଗସ୍ତରେ ଯାଇଥିଲେ । ତା’ପରେ କେତେକ କାରଣ ଯୋଗୁଁ ପ୍ରଧାନମନ୍ତ୍ରୀ ତାଙ୍କୁ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱରେ ରଖିବାକୁ ଚାହିଁଲେ ନାହିଁ । ପୂର୍ବରୁ କୌଣସି ଆଲୋଚନା ନ କରି ସେ ସେହି ବର୍ଷ ଜୁଲାଇ ୧୬ ତାରିଖ ଦିନ ହଠାତ୍ ତାଙ୍କୁ ଏକ ପତ୍ର ଲେଖି ନିଜେ ଅର୍ଥମନ୍ତ୍ରଣାଳୟ ଦାୟିତ୍ୱ ବହନ କଲେ । ତାହାର ପ୍ରତିବାଦ କରି ମୋରାର୍‌ଜୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ । ପରେ ପ୍ରଧାନମନ୍ତ୍ରୀ ତାଙ୍କୁ ଉପପ୍ରଧାନମନ୍ତ୍ରୀ ରୂପେ ରହିବାକୁ କହିଥିଲେ ମଧ୍ୟ ସେ ତାହା ଆତ୍ମସମ୍ମାନ ଦୃଷ୍ଟିରୁ ପ୍ରତ୍ୟାଖାନ କରିଥିଲେ ।

Image

 

Unknown

କଂଗ୍ରେସ ବିଭାଜନ ଓ ରାଜନୈତିକ ଅସ୍ଥିରତା

 

କ୍ରମେ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ତାଙ୍କର ପ୍ରଭାବ ବିସ୍ତାର କରିବାକୁ ଲାଗିଲେ । ଅଧିକ ଲୋକପ୍ରିୟତା ହାସଲ କରି ନିଜର ସ୍ଥିତି ଦୃଢ଼ କରିବା ଲାଗି ବ୍ୟାଙ୍କ ଜାତୀୟକାରଣ ଇତ୍ୟାଦିର ଭୂୟସୀ ପ୍ରଚାର ଆରମ୍ଭ ହେଲା । ମନ୍ତ୍ରୀମଣ୍ଡଳରୁ ମୋରାର୍‌ଜୀଙ୍କର ଆକସ୍ମିକ ବିଦାୟ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟମାନଙ୍କ ମନରେ ଅଶାନ୍ତି ସୃଷ୍ଟି କଲା । ଜୁଲାଇ ତା ୨୧ରିଖ କାର୍ଯ୍ୟକାରୀ କମିଟିରେ ତାହା ଆଲୋଚିତ ହେଲା; କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କ କୃତକର୍ମର ସନ୍ତୋଷଜନକ କୈଫିୟତ ଦେଇ ପାରିଲେ ନାହିଁ । ପରେ ଓ୍ୱାଇ. ବି. ଚୌହାନଙ୍କ ଜରିଆରେ ବିଷୟବସ୍ତୁର ଆପୋଷ ଆଲୋଚନା ଲାଗି ସେ ଇଚ୍ଛାପ୍ରକାଶ କରିଥିଲେ । କାମରାଜ ପ୍ରଧାନମନ୍ତ୍ରୀଙ୍କ ଏତାଦୃଶ୍ୟ ମନୋମୁଖୀ କାର୍ଯ୍ୟ କଳାପର ତୀବ୍ର ନିନ୍ଦା କରିଥିଲେ ।

 

ରାଷ୍ଟ୍ରପତି ଜାକିର ହୁସେନ୍‌ଙ୍କର ଆକସ୍ମିକ ମୃତ୍ୟୁ ଫଳରେ ନୂତନ ରାଷ୍ଟ୍ରପତି ନିର୍ବାଚନ କରିବାକୁ ପଡ଼ିଲା । ୧୯୬୭ ମସିହା ନିର୍ବାଚନରେ ବହୁରାଜ୍ୟରେ କଂଗ୍ରେସଦଳ ସଂଖ୍ୟାଗରିଷ୍ଠତା ହାସଲ କରି ପାରି ନ ଥିଲେ । ଲୋକସଭାରେ କଂଗ୍ରେସ ନାମକୁ ମାତ୍ର ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା । ତେଣୁ ସେହି ଦଳର ପ୍ରାର୍ଥୀ କିପରି ରାଷ୍ଟ୍ରପତି ନିର୍ବାଚିତ ହେବେ, ତାହାହିଁ ଥିଲା ଏକ ସନ୍ଦେହଜନକ ପ୍ରଶ୍ନ । କାହକୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ବଛାଯିବ, ସେ ବିଷୟରେ କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ମତଭିନ୍ନତା ଦେଖାଦେଲା । ସେତେବେଳର ପ୍ରଜାସୋସିଆଲିଷ୍ଟ ଦଳର ନେତା ମିନୋମାସାନୀ ଓ ସୁରେନ୍ଦ୍ରନାଥ ଦ୍ୱିବେଦୀଙ୍କ ସମେତ କେତେକ ପାର୍ଲିଆମେଣ୍ଟ ସଦସ୍ୟ ଜୟପ୍ରକାଶ ନାରାୟଣଙ୍କୁ ରାଷ୍ଟ୍ରପତି ପଦଲାଗି ପ୍ରାର୍ଥୀ କରିବା ପାଇଁ ଇନ୍ଦିରାଗାନ୍ଧୀଙ୍କୁ କହିଲେ; କିନ୍ତୁ ସେ ବହୁକାରଣ ଦର୍ଶାଇ ସେଥିରେ ରାଜିହେଲେ ନାହିଁ । ସାମୁଖ୍ୟ ସୋସିଆଲିଷ୍ଟ ଜନସଂଘ ଓ କମ୍ୟୁନିଷ୍ଟ ଦଳ ମଧ୍ୟ ସେହି ପ୍ରସ୍ତାବରେ ଅନିଚ୍ଛା ପ୍ରକାଶ କଲେ । ଜୟପ୍ରକାଶ ତାହା ଜାଣି ପ୍ରାର୍ଥୀ ହେବାକୁ ମନା କରିଦେଲେ ।

 

ସେତେବେଳେ ଅସ୍ଥାୟୀ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରୁଥାନ୍ତି ଉପରାଷ୍ଟ୍ରପତି ଭି ଭି.ଗିରି । ପୂବର୍ରୁ ଯେଉଁମାନେ ଉପରାଷ୍ଟ୍ରପତି ଥିଲେ, ସେମାନେ ରାଷ୍ଟ୍ରପତି ହେବାର ସୁଯୋଗ ପାଇଥିଲେ । ତେଣୁ ପରମ୍ପରା ଅନୁଯାୟୀ ଗିରି ମଧ୍ୟ ରାଷ୍ଟ୍ରପତି ହେବାକୁ ଚାହିଁଲେ । ସେ ପର୍ଯ୍ୟନ୍ତ ତାଙ୍କୁ ଇନ୍ଦିରାଗାନ୍ଧୀ ସମର୍ଥନ ଜଣାଇ ନଥାନ୍ତି । ଯେତେବେଳେ କେତେକ ମହଲରୁ ଜଗଜ୍ଜୀବନ ରାମଙ୍କ ନାମ ସୁପାରିଶ କରାଗଲା, ବହୁ ବ୍ୟକ୍ତି ତାହାର ବିରୋଧ କଲେ । ସଞ୍ଜୀବରେଡ଼ିଙ୍କ ପ୍ରାର୍ଥିତ୍ୱକୁ ମଧ୍ୟ କେତେକ ମହଲରେ ବିରୋଧ କରାଗଲା । କାରଣ ଆନ୍ଧ୍ର ହାଇକୋର୍ଟ କୌଣସି ଏକ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବାରୁ ସେ ସେଠା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ହୋଇଥିଲେ; କିନ୍ତୁ କାମରାଜ ଓ ନିଜଲିଙ୍ଗପା ଇତ୍ୟାଦି ତାଙ୍କୁ ସମର୍ଥନ ଜଣାଇଲେ । ମୋରାର୍‌ଜୀ ପୁଣି ଯୁକ୍ତି ବାଢ଼ିଲେ ଯେ ଗାନ୍ଧୀ ଶତବାର୍ଷିକୀ ପାଳନ ହେଉଥିବା ଦୃଷ୍ଟିରୁ ଜଣେ ହରିଜନଙ୍କୁ ରାଷ୍ଟ୍ରପତି ପଦଲାଗି ପାର୍ଥୀ କରାଯାଉ । କେତେକଙ୍କଦ୍ୱାରା ସଞ୍ଜୀବାୟାଙ୍କ ନାମ ମଧ୍ୟ ପ୍ରସ୍ତାବିତ ହେଲା; କିନ୍ତୁ ବୟସ ଦୃଷ୍ଟିରୁ ସେ କନିଷ୍ଠ ହେତୁ ଇନ୍ଦିରାଗାନ୍ଧୀ ସେହି ପ୍ରସ୍ତାବ ଗ୍ରହଣ କରି ନ ଥିଲେ । ଏହିପରି ରାଷ୍ଟ୍ରପତି ପଦଲାଗି କିଏ ପ୍ରାର୍ଥୀ ହେବ, ସେ ବିଷୟରେ କୌଣସି ନିଷ୍ପତ୍ତି ନିଆଯାଇ ପାଇଲା ନାହିଁ ।

 

୧୯୬୯ ଜୁଲାଇ ମାସରେ ବାଙ୍ଗାଲୋରଠାରେ ନିଖିଳ ଭାରତ କଂଗ୍ରେସ କମିଟି ଅନୁଷ୍ଠିତ ହେଲା । ସେଥିରେ ରାଷ୍ଟ୍ରପତି ପଦ ଲାଗି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମ ସୁପାରିଶ କରାଯାଇ ପାରିଲା ନାହିଁ । ଏଣେ ଭି.ଭି.ଗିରି ଯେ କି ରାଷ୍ଟ୍ରପତି ହେବା ଲାଗି ଥିଲେ ଇଚ୍ଛୁକ, ସେ ତାଙ୍କ ନାମ ସର୍ବସାଧାରଣରେ ଘୋଷଣା କଲେ । ଚନ୍ଦ୍ରଶେଖରଙ୍କ ସମେତ ତରୁଣ ତୁର୍କିମାନେ ତାଙ୍କ ପ୍ରତି ସମର୍ଥନ ଜଣାଇଲେ । ଇନ୍ଦିରାଗାନ୍ଧୀଙ୍କର କେତେକ ସମର୍ଥକ ମଧ୍ୟ ତାଙ୍କ ନାମ ସୁପାରିଶ କଲେ । ଏହିପରି ସଞ୍ଜୀବ ରେଡ଼ି ଓ ଭି.ଭି.ଗିରି ପ୍ରାର୍ଥୀ କରିବା ଲାଗି କଂଗ୍ରେସ ନେତୃବୃନ୍ଦଙ୍କ ମଧ୍ୟରେ ବିବାଦମାନ ମତପୋଷଣ କରାଗଲା । ବିଶେଷ କରି ସଞ୍ଜୀବରେଡ଼ି ‘ସିଣ୍ଡିକେଟ’ର ପ୍ରାର୍ଥୀ ହୋଇଥିବାରୁ ଭବିଷ୍ୟତରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିପାରନ୍ତି ସେହି ଆଶଙ୍କାରେ ତାଙ୍କ ପ୍ରତି ଇନ୍ଦିରାଙ୍କର ଆନ୍ତରିକ ସମର୍ଥନ ନ ଥଲା; କିନ୍ତୁ ଦଳର ନିଷ୍ପତ୍ତି ଦୃଷ୍ଟିରୁ ସେ ତାଙ୍କୁ ବାହ୍ୟ ସମର୍ଥନ ଜଣାଇବାକୁ ବାଧ୍ୟ ହୋଇଥିଲେ । ସେ ଯାହାହେଉ ଶେଷରେ ଭି.ଭି.ଗିରି ରାଷ୍ଟ୍ରପତି ରୂପେ ହେଲେ ନିର୍ବାଚିତ ।

 

ତା’ପରେ ଇନ୍ଦିରା ନିଜର ପ୍ରତିପତ୍ତି ବିସ୍ତାର କରିବାକୁ ଲାଗିଲେ । କଂଗ୍ରେସଦଳ ମଧ୍ୟରେ ବିଭାଜନ ସ୍ପଷ୍ଟ ହୋଇ ଉଠିଲା । ସେହିବର୍ଷ ନଭେମ୍ବର ୧୧ତାରିଖରେ ଇନ୍ଦିରାଙ୍କୁ କଂଗ୍ରେସ ଦଳରୁ ବହିଷ୍କାର କରିବା ଲାଗି କାର୍ଯ୍ୟକାରୀ କମିଟି ନିଷ୍ପତ୍ତି ନେଲେ; କିନ୍ତୁ ଏଥିମଧ୍ୟରେ ସେ ତାଙ୍କ ପ୍ରତି ଦଳ ମଧ୍ୟରେ ସୃଷ୍ଟି କରି ସାରିଥିଲେ ଦୃଢ଼ ସମର୍ଥନ । ଶଙ୍କରଦୟାଲ ଶର୍ମାଙ୍କ ସମେତ ଅନେକ ସଭ୍ୟ ହଠାତ୍ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆନୁଗତ୍ୟ ସ୍ୱୀକାର କଲେ । ପ୍ରଧାନମନ୍ତ୍ରୀ କଂଗ୍ରେସ ପାର୍ଲାମେଣ୍ଟାରୀ ଦଳର ପୁଣି ଏକ ସଭା ଡାକିଲେ; କିନ୍ତୁ ମୋରାର୍‌ଜୀଙ୍କ ସମେତ ପୁରାତନ ନେତାମାନେ ସେଥିରେ ଯୋଗ ଦେଲେ ନାହିଁ । ତା ସତ୍ତ୍ୱେ ବହୁ ସଂଖ୍ୟକ ନରନାରୀ ପାର୍ଲାମେଣ୍ଟ ଭବନ ସାମନାରେ ସମବେତ ହୋଇ ଇନ୍ଦିରାଗାନ୍ଧୀଙ୍କୁ ଅଭିନନ୍ଦନ ଜଣାଇଲେ । ଦଳ ମଧ୍ୟରେ ଅନ୍ତର୍ବିବାଦ ଗୁରୁତର ରୂପ ଧାରଣ କଲା । ପ୍ରାୟ ୬୫ ଜଣ ଅସନ୍ତୁଷ୍ଟ ସଭ୍ୟ ନିଜଲିଙ୍ଗପାଙ୍କ ବାସଭବନରେ ଏକତ୍ରିତ ହୋଇ ମୋରାର୍‌ଜୀଙ୍କୁ ବିଧାୟକ ଦଳର ଚେୟାରମ୍ୟାନ ରୂପେ ନିର୍ବାଚିତ କଲେ । ଲୋକସଭା ଓ ରାଜ୍ୟସଭା ପାଇଁ ରାମସୁଭାଗ ସିଂ ଓ ଶ୍ୟାମନନ୍ଦନ ମିଶ୍ରଙ୍କୁ ନେତା ରୂପେ ନିର୍ବାଚନ କରାଗଲା । ଡକ୍ଟର ରାଜୁ ଲୋକସଭା ଲାଗି ଉପଦଳପତି ନିର୍ବାଚିତ ହେଲେ । ଏହିପରି ପାର୍ଲାମେଣ୍ଟରେ ସୃଷ୍ଟି ହେଲା ବିରୋଧୀ କଂଗ୍ରେସ ଦଳ । ଏହି ଦଳକୁ ସଂଗଠନ କଂଗ୍ରେସ ରୂପେ ନାମିତ କରାଗଲା ।

 

ତା’ପରେ ପ୍ରଧାନମନ୍ତ୍ରୀ ଅସାମ୍ବିଧାନିକ ଉପାୟରେ ନିଖିଳ ଭାରତ କଂଗ୍ରେସ କମିଟିର ଏକ ବରାଦୀ ବୈଠକ ଦିଲ୍ଲୀଠାରେ ଡକାଇଲେ ଓ ତାଙ୍କ ସପକ୍ଷରେ ଅଧିକାଂଶ ସଭ୍ୟଙ୍କର ସମର୍ଥନ ଅଛି ବୋଲି ଦାବୀ କଲେ । ଅନ୍ୟ ପକ୍ଷରେ କଂଗ୍ରେସର ଆଉ ଗୋଟିଏ ଅଧିବେଶନ ଗୁଜୁରାଟର ବର୍ତ୍ତମାନ ରାଜଧାନୀ ଗାନ୍ଧୀନଗରଠାରେ ବସିଲା ଓ ସେଥିରେ ମଧ୍ୟ ବହୁ ନିଷ୍ପତ୍ତି ଗ୍ରହଣ କରାଗଲା; କିନ୍ତୁ ସେଗୁଡ଼ିକ କାର୍ଯ୍ୟକାରୀ କରାଯାଇ ପାରି ନ ଥିଲା । ବରଂ ଇନ୍ଦିରାଗୋଷ୍ଠୀ କଂଗ୍ରେସର ପୋଖତ ନେତାମାନଙ୍କୁ ପ୍ରତିକ୍ରିୟାଶୀଳ ବୋଲି ଆକ୍ଷେପ କଲେ । ତା’ପରେ ଆରମ୍ଭ ହେଲା ‘ଗରିବୀ ହଟାଓ’ କାର୍ଯ୍ୟକ୍ରମ । ପ୍ରକୃତ କ୍ଷେତ୍ରରେ ସେପରି କିଛି ଉଲ୍ଲେଖନୀୟ କାର୍ଯ୍ୟ ହେଉ ନ ଥିଲେ ମଧ୍ୟ ଦେଶର ଚାରିଆଡ଼େ ଇନ୍ଦିରାଙ୍କୁ ଲୋକପ୍ରିୟ କରିବା ଲାଗି ଏହାକୁ ଏକ ଅମୋଘଅସ୍ତ୍ର ରୂପେ ବ୍ୟବହାର କରାଗଲା । ଏପରି ଏକ ପରିସ୍ଥିତି ସୃଷ୍ଟି ହେଲା ଯେ ପ୍ରଧାନମନ୍ତ୍ରୀ ଯାହା ଘୋଷଣା କଲେ ଜନସାଧାରଣ ଅନ୍ଧ ଭାବରେ ତାହାର ସମର୍ଥନ କଲେ । ଗୌହାଟି କଂଗ୍ରେସର ଯୁବକଂଗ୍ରେସକୁ କଂଗ୍ରେସର ଏକ ସହାୟକ ଦଳ ରୂପେ ସ୍ୱୀକୃତି ମିଳିଲା ।

 

୧୯୭୨ ମସିହା ନିର୍ବାଚନରେ ୧୫ଟି ରାଜ୍ୟରେ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲା କଲା । ଅବଶ୍ୟ ଏହି ବିଜୟ ମୂଳରେ ନ ଥିଲା ସାଂଗଠନିକ ଦକ୍ଷତା, ଥିଲା ପୂର୍ବ ପାକିସ୍ଥାନରେ ଭାରତର ବିଜୟ ଓ ଆଉ କେତେକ ଧୂର୍ତ୍ତ ରାଜନୀତିକ ଅଭିସନ୍ଧି, ଯାହାଦ୍ୱାରା ଭୋଟଦାତାମାନେ ହୋଇଥିଲେ ବିଶେଷ ଭାବେ ପ୍ରଭାବିତ । କ୍ରମେ ଦେଶର ଗଣତାନ୍ତ୍ରିକ ପରମ୍ପରା କ୍ଷୁର୍ଣ୍ଣ ହେବାକୁ ଲାଗିଲା । ତାହା ଦେଖି ଜୟପ୍ରକାଶ ଘୋର ଉଦବେଗ ପ୍ରକାଶ କରିଥିଲେ । ଦେଶବାସୀଙ୍କୁ ସାବଧାନୀ ଶୁଣାଇ ସେ କହିଥିଲେ—‘‘ଯେଉଁ ଉପାୟରେ କ୍ଷମତା କେନ୍ଦ୍ରରେ ଠୁଳ ହୋଇ ରହିଛି ତାହା ଘୋର ଉଦବେଗର ବିଷୟ । ବ୍ୟକ୍ତି ପ୍ରଭୂତ୍ୱ କ୍ରମେ ପ୍ରତିଷ୍ଠା ଲାଭ କରିବାକୁ ଯାଉଛି । କଂଗ୍ରେସ ଦଳ ରିକ୍ତ ନିରର୍ଥକ ଦଳ ହୋଇପଡ଼ିଛି । କଂଗ୍ରେସ ମୁଖ୍ୟମନ୍ତ୍ରୀମାନେ ଜନତାର ମଙ୍ଗଳ ପାଇଁ ଉତ୍କଣ୍ଠିତ ନୁହନ୍ତି; ବରଂ ପ୍ରଧାନମନ୍ତ୍ରୀଙ୍କ ଇଚ୍ଛା ପୂରଣ କରିବା ପାଇଁ ସେମାନେ ବେଶୀ ଆଗ୍ରହୀ । ଏ ଦେଶରେ ସମାଜବାଦ ଅନ୍ତରାଳରେ ପ୍ରତିଷ୍ଠା କରାଯାଉଛି ଏକଛତ୍ରବାଦ ।’’

 

ତାଙ୍କ ନେତୃତ୍ୱରେ ବିହାର ଛାତ୍ର ସଘଂର୍ଷ କମିଟି ଜରିଆରେ ଗଣତାନ୍ତ୍ରିକ ପରମ୍ପରା ଫେରାଇ ଆଣିବାଲାଗି ଆନ୍ଦୋଳନର ସୂତ୍ରପାତ ହେଲା । ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ସରକାର କୌଣସି ପଦକ୍ଷେପ ନେଉନଥାନ୍ତି । ତେଣୁ ମୋରାର୍‌ଜୀ ତାହାର ପ୍ରତିବାଦ କରି ୧୪ ଦିନକାଳ ଅନଶନ କଲେ । ତେଣୁ ସେହି ରାଜ୍ୟରେ ରାଷ୍ଟ୍ରପତି ଶାସନର ଅବସାନ ଘଟାଇ ନିର୍ବାଚନ କରିବାଲାଗି ସରକାର ବାଧ୍ୟ ହେଲେ । ଜୟପ୍ରକାଶ କଂଗ୍ରେସ ଶାସନର କେନ୍ଦ୍ରୀଭୂତ କ୍ଷମତା ବିରୁଦ୍ଧରେ ଏକ ଗଣ ଆନ୍ଦୋଳନର ନେତୃତ୍ୱ ନେଲେ । ବିଶେଷକରି ସମଗ୍ର ଉତ୍ତର ଭାରତରେ ତାହା ବ୍ୟାପକ ରୂପରେଖ ନେଲା । ସେହି ଆନ୍ଦୋଳନକୁ ସମର୍ଥନ କରି ବିହାରର ୨୪ଜଣ ବିଧାନ ସଭା ସଦସ୍ୟ ଇସ୍ତଫା ଦେଲେ । ଜନସାଧାରଣଙ୍କ ମନରେ ଦେଖାଦେଲା ଅଭୂତପୂର୍ବ ଜାଗରଣ ।

 

ପରିସ୍ଥିତି ଅସମ୍ଭାଳ ରୂପରେଖ ଧାରଣ କରିବ ଏହି ଭୟରେ ହଠାତ୍‌ ୧୯୭୫ ମସିହା ଜୁନ୍‌ ୨୬ ତାରିଖ ଦିନ ଆଭ୍ୟନ୍ତରୀଣ ଆଇନ ଶୃଙ୍ଖଳା କାରଣରୁ ସମ୍ବିଧାନର ୩୫୨ ଦଫା ଅନୁଯାୟୀ ସମଗ୍ର ଦେଶରେ ଜାରି କରାଗଲା ଜରୁରୀକାଳୀନ ପରିସ୍ଥିତି । ତାହାରି ବଳରେ ଦେଶରେ ସୃଷ୍ଟି ହେଲା ଆତଙ୍କରାଜ । ଲୋକମାନଙ୍କଠାରୁ ବାକ୍‌ ସ୍ୱାଧୀନତା କାଢ଼ି ନିଆଗଲା । ସମ୍ବାଦପତ୍ରମାନଙ୍କର ସ୍ୱାଧୀନ ସ୍ୱର ନିୟନ୍ତ୍ରିତ ହେଲା । ଭାରତୀୟ ରାଜନୈତିକ ରଙ୍ଗମଞ୍ଚରେ ସଞ୍ଜୟ ଗାନ୍ଧୀଙ୍କର ହେଲା ନାଟକୀୟ ଆବିର୍ଭାବ ।

 

ତା’ ପୂର୍ବରୁ ୧୯୬୧ ମସିହା ପଞ୍ଚମ ଲୋକସଭା ନିର୍ବାଚନରେ ରାଇବରେଲୀ ନିର୍ବାଚନମଣ୍ଡଳୀରେ ରାଜନାରାୟଣ ଇନ୍ଦିରା ଗାନ୍ଧୀଙ୍କ ସହିତ ପ୍ରତିଦ୍ୱନ୍ଦିତା କରି ପରାସ୍ତ ହୋଇ ଏଲାହାବାଦ ହାଇକୋର୍ଟରେ ଶ୍ରୀମତୀ ଗାନ୍ଧୀଙ୍କ ବିରୁଦ୍ଧରେ ନିର୍ବାଚନ ମୋକଦ୍ଦମା କରିଥିଲେ । ନିର୍ବାଚନ ପ୍ରଚାର କାର୍ଯ୍ୟରେ ଶ୍ରୀମତୀ ଗାନ୍ଧୀ ବହୁ ସରକାରୀ କର୍ମଚାରୀଙ୍କ ସାହାଯ୍ୟ ନେଇଥିବା ଅଭିଯୋଗ ପ୍ରମାଣିତ ହେବାରୁ ହାଇକୋର୍ଟ ତାଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କରି ସେ ଛ ବର୍ଷ ପର୍ଯ୍ୟନ୍ତ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିପାରିବେ ନହିଁ ବୋଲ ରାୟ ଦେଲେ । ଏହି ରାୟ ଦେଶର ରାଜନୈତିକ ଇତିହାସରେ ଏକ ଅଭୂତପୂର୍ବ ଘଟଣା । ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସେ ସୁପ୍ରିମକୋର୍ଟରେ ଅପିଲ କଲେ । ସୁପ୍ରିମକୋର୍ଟ ତାଙ୍କ ଆବେଦନ ଉପରେ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇ ତାଙ୍କର ପ୍ରଧାନମନ୍ତ୍ରୀ ପଦ କାଏମ୍‌ ରଖିଲେ ସତ; କିନ୍ତୁ ଲୋକସଭାର ସଭ୍ୟରୂପେ ସେ ଆଲୋଚନାରେ ଭାଗ ନେଇପାରିବେ ନାହିଁ, ଭୋଟ ଦେଇପାରିବେ ନାହିଁ ଓ ଦରମା ନେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଲେ ।

 

ସେହି ପରିପ୍ରେକ୍ଷୀରେ ଅଧ୍ୟାଦେଶବଳରେ ଲାଗୁ କରାଗଲା ସଂଶୋଧିତ ଆଭ୍ୟନ୍ତରୀଣ ନିରାପତ୍ତା ରକ୍ଷା ଆଇନ । ସମ୍ବିଧାନର କେତେକ ମୌଳିକ ଅଧିକାରକୁ ଅଧ୍ୟାଦେଶବଳରେ ସ୍ଥଗିତ ରଖାଗଲା । ବୈଧାନିକ ପରିବର୍ତ୍ତନ ଫଳରେ ନ୍ୟାୟାଳୟଗୁଡ଼ିକର କ୍ଷମତା ସ୍ୱତଃ ହେଲା ସଙ୍କୁଚିତ । ଛବିଶିଟି ରାଷ୍ଟ୍ରୀୟ ସଂସ୍ଥାକୁ ବେଆଇନ ଘୋଷଣା କରାଗଲା । ଯେଉଁମାନେ ତତ୍କାଳୀନ ଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ସେମାନଙ୍କୁ କାରାରୁଦ୍ଧ କରାଯାଇ ପ୍ରତିଶୋଧ ନିଆଗଲା । ମୋରାର୍‌ଜୀ ଓ ଜୟପ୍ରକାଶ ଗିରଫ ହେଲେ । ନେତୃବୃନ୍ଦଙ୍କ ଦେଶର ଅଗଣିତ ବ୍ୟକ୍ତିଙ୍କୁ କାରାଦଣ୍ଡ ଭୋଗିବାକୁ ପଡ଼ିଲା । ଦେଶବାସୀ ଭୟ ଓ ଅଶାନ୍ତିରେ କାଳାତିପାତି କଲେ ।

 

ଲୋକନାୟକ ଜୟପ୍ରକାଶଙ୍କ ନେତୃତ୍ୱରେ ପରିସ୍ଥିତିର ମୁକାବିଲା କରିବା ଲାଗି ଯୁବଶକ୍ତି ହେଲେ ସଂଗଠିତ । ସେ ଜନସାଧାରଣଙ୍କୁ ଅଭୟବାଣୀ ଶୁଣାଇ କହିଲେ—‘‘ଜନଗଣ ସାହାସ ନ ହାରାଇ ଅଟଳ ରହନ୍ତୁ । ଯୁବକମାନେ ଦୃଢ଼ସଂକଳ୍ପ ହୁଅନ୍ତୁ । ଏବେ ହୁଏତ ମନେ ହେଉଛି ଭବିଷ୍ୟତ ଅନ୍ଧକାର; କିନ୍ତୁ ତାହା ଠିକ୍‌ ନୁହେଁ । ଅନ୍ଧକାର ଭେଦ କରି ଦେଶ ନିଜର ଉଜ୍ଜ୍ୱଳ ଭବିଷ୍ୟତ ରଚନାରେ ନିଶ୍ଚୟ ବ୍ରତୀ ହେବ ।’’ ସେ ଚଣ୍ଡିଗଡ଼ ଜେଲ୍‌ରୁ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କ ଅସାମ୍ବିଧାନିକ କାର୍ଯ୍ୟକଳାପରୁ ନିବୃତ ହେବା ଲାଗି ଚେତାବନୀ ଶୁଣାଇ ଏକ ଦୀର୍ଘପତ୍ର ଲେଖିଲେ-। ତା’ର ସାରମର୍ମ ହେଲା—‘ଏକ ମାମୁଲି ପାର୍ଲାମେଣ୍ଟ ଆଇନ ବା ଅର୍ଡ଼ିନାନ୍‌ସ ଦ୍ୱାରା ଗଣତାନ୍ତ୍ରିକ ସମ୍ବିଧାନ ଗୋଟାଏ ‘ଏକଛତ୍ରବାଦ’ ଦଲିଲରେ ପରିଣତ କରାଯାଇପାରେନା । ସମ୍ବିଧାନ ସ୍ୱାକ୍ଷରିତ ହେବାର ୨୫ ବର୍ଷ ମଧ୍ୟରେ ଯଦି ନାଗରିକମାନଙ୍କୁ ନ୍ୟାୟ, ସ୍ୱାଧୀନତା, ସମତା ଓ ଭ୍ରାତୃତ୍ୱ ନ ମିଳେ, ତେବେ ତାହା ସମ୍ବିଧାନର ଦୋଷ ନୁହେଁ, ତାହା ପାଇଁ କ୍ଷମତାଧିକାରୀ ହିଁ ଦାୟୀ । ଏହି ବିଫଳତା ଯୋଗୁଁ ଜନସାଧାରଣଙ୍କ ମନରେ ଅସ୍ଥିରତା ପ୍ରକାଶ ପାଇଛି । ଦମନ ଏହାର ପ୍ରତିକାର ନୁହେଁ । ଅନ୍ୟ ପକ୍ଷରେ ଏହା କେବଳ ବିଫଳତାରେ ହିଁ ପର୍ଯ୍ୟବସିତ ହବ । ଆପଣ ଏକ ବିରାଟ ଐତିହ୍ୟ, ମହାନ ମୂଲ୍ୟବୋଧ ତଥା କାର୍ଯ୍ୟକ୍ଷମ ଗଣତନ୍ତ୍ରର ଉତ୍ତରାଧିକାର ପାଇଛନ୍ତି, ଏସବୁକୁ ଶୋଚନୀୟ ଭାବେ ଧ୍ୱଂସ କରିଦିଅନ୍ତୁ ନାହିଁ । ଏ ସବୁର ଉଦ୍ଧାର ପାଇଁ ଯୁଗ ଯୁଗ ଲାଗିଯିବ । ଯେଉଁ ଜନତା ବ୍ରିଟିଶ ସାମ୍ରାଜ୍ୟବାଦ ସହ ମୁକାବିଲା କରି ତାକୁ ଥଣ୍ଡା କରି ପାରିଥିଲା, ସେ ଜନତା ଏକନାୟକତ୍ୱର ଏହି ଲଜ୍ଜା ଓ ଅପମାନ ସହ୍ୟ କରିପାରିବ ନାହିଁ ।’’ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଅନୁରୋଧ ପ୍ରତି ଭ୍ରୂକ୍ଷେପ କରି ନ ଥିଲେ ।

 

ମୋରାର୍‌ଜୀଙ୍କୁ ଗିରଫ କରାଯାଇ ପ୍ରଥମେ ହରିଆଣାର ଗୁରୁଗାଁଓ ଜିଲ୍ଲାର ସୋହନାଠାରେ ଏକ ପର୍ଯ୍ୟଟନ କେନ୍ଦ୍ରରେ ଅଟକବନ୍ଦୀ କରି ରଖାଗଲା; କିନ୍ତୁ ସେ ସେପରି ଏକ ବିଳାସମୟ ସ୍ଥାନରେ ରହିବାକୁ ଅନିଚ୍ଛା ପ୍ରକାଶ କଲେ । ନିଜକୁ ଜଣେ କ୍ଷୁଦ୍ର ଓ ସାଧାରଣ ବ୍ୟକ୍ତି ବୋଲି ବର୍ଣ୍ଣନା କରି, ତଦନୁଯାୟୀ କୌଣସି ଏକ ସ୍ଥାନରେ ତାଙ୍କୁ ରଖିବାକୁ ସେ ସରକାରଙ୍କୁ ଅନୁରୋଧ ଜଣାଇଲେ । ସେ ଆହୁରି ମଧ୍ୟ ଜଣାଇଲେ ଯେ ତାଙ୍କୁ ସେ ସ୍ଥାନରେ ଅଟକବନ୍ଦୀ ରଖାଯିବା ଦ୍ୱାରା ପର୍ଯ୍ୟଟକମାନେ ସେ ସ୍ଥାନକୁ ଯିବାରୁ ବଞ୍ଚିତ ହେଉ ଅଛନ୍ତି ଏବଂ ସରକାରଙ୍କର ମଧ୍ୟ ବହୁ ଆର୍ଥିକ କ୍ଷତି ହେଉଅଛି । ଦେଶାଇଙ୍କର ସେହି ଅନୁରୋଧ ପ୍ରଧାନମନ୍ତ୍ରୀଙ୍କୁ ଜଣାଇ ଦିଆଯାଇଥିଲା ଓ ତାଙ୍କୁ ସୋହାନାରୁ ୧୫ କିଲୋମିଟର ଦୂର ଟୋଇଡ଼ୁ ରେଷ୍ଟ ହାଉସରେ ରଖାଯାଇଥିଲା । ସେଠାରେ ସେ ଦେଢ଼ବର୍ଷ ଅଟକବନ୍ଦୀ କାଳ କଟାଇଥିଲେ । ଅଟକବନ୍ଦୀ ଥିବା ସମୟରେ ତାଙ୍କ କୋଠାରୀଟି ଯେପରି ଭିତରୁ ବନ୍ଦ କରାଯାଇ ନପାରିବ, ସେଥିପାଇଁ ପୋଲିସ ଦରଜାର ଭିତରପଟ ଛିଟିକିଣୀ ପ୍ରଭୃତି ଭାଙ୍ଗି ଦେଇଥିଲେ । ପୁଲିସ ସୂତ୍ରରୁ ପ୍ରକାଶ ଯେ ସେହି ଅବସ୍ଥାରେ ସେ ଅଧିକାଂଶ ସମୟ ପଢ଼ାପଢ଼ି ଓ ଲେଖାଲେଖିରେ କଟାଉଥିଲେ । ତାଙ୍କ ଜଗୁଆଳଥିବା ପୁଲିସ କର୍ମଚାରୀମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ସେ ବେଶ୍ ହାସ୍ୟ କୌତୁକ କରୁଥିଲେ । ପ୍ରଭାତ ଭ୍ରମଣ ପାଇଁ ଯେତେ ସମୟ ତାଙ୍କୁ ଦିଆଯାଉଥିଲା, ସେ ସମୟରୁ ଅଧିକ ଗୋଟିଏ ମିନିଟ ମଧ୍ୟ ସେ ବାହାରେ ରହୁ ନ ଥିଲେ । ଭ୍ରମଣରେ ଯିବାବେଳେ ଏତେ ଜୋରରେ ଚାଲୁଥିଲେ ଯେ, ତାଙ୍କ ସହିତ ଥିବା ଜଗୁଆଳୀମାନେ ପଛରେ ପଡ଼ିଯାଉଥିଲେ ।

 

ସେ ଯାହାହେଉ ଜରୁରୀକାଳୀନ ପରିସ୍ଥିତିରେ ଅର୍ଥାତ୍‌ ୧୯ ମାସ ସମୟ ମଧ୍ୟରେ ପ୍ରାୟ ୬୦ ହଜାର ରାଜନୈତିକ ବ୍ୟକ୍ତି କାରାଦଣ୍ଡ ଭୋଗିଲେ । ବହୁଲୋକଙ୍କୁ ଆଭ୍ୟନ୍ତରୀଣ ନିରାପତ୍ତା ଆଇନ ବଳରେ ଅଟକବନ୍ଦୀ କରି ରଖାଗଲା । ଉଭୟ ରାଜ୍ୟ ଓ କେନ୍ଦ୍ର ଶାସନ ସଂସ୍ଥାରେ ଥିବା ବହୁ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଭାବେ କାର୍ଯ୍ୟରୁ ଅବ୍ୟାହତି ଦିଆଗଲା । ସହରାଞ୍ଚଳ ଉନ୍ନୟନ ନାମରେ ବହୁ ନିରୀହ ଲୋକଙ୍କର ଘରଦ୍ୱାର ଭାଙ୍ଗି ଦିଆଯାଇ ସେମାନଙ୍କୁ ନିରାଶ୍ରୟ କରାଗଲା । ବାଧ୍ୟତାମୂଳକ ଅସ୍ତ୍ରୋପଚାର ଫଳରେ ଲୋକଙ୍କ ମନରେ ସୃଷ୍ଟି ହେଲା ଘୋର ଅସନ୍ତୋଷ ଓ ପ୍ରତିକ୍ରିୟା । ସମ୍ବାଦପତ୍ରମାନଙ୍କ ଉପରେ କଟକଣା ଜାରି କରାଯିବା ଫଳରେ ଦେଶବିଦେଶର ଘଟଣା ବିଷୟରେ ଲୋକଙ୍କୁ ଅଗୋଚର ରଖାଗଲା । ଇନ୍ଦିରାଙ୍କ ୨୦ ଦଫା ଆର୍ଥନୀତିକ କାର୍ଯ୍ୟକ୍ରମ ସହିତ ସଞ୍ଜୟ ଗାନ୍ଧୀଙ୍କର ଆଉ ପାଞ୍ଚ ଦଫା କାର୍ଯ୍ୟକାରୀ କରିବା ଲାଗି ସରକାରୀ କର୍ମଚାରୀଙ୍କ ଉପରେ ଚାପ ଦିଆଗଲା । ହିଟ୍‌ଲର ଶାସନରେ ନାଜି ଦଳର ୨୫ଦଫା କାର୍ଯ୍ୟକ୍ରମ ସହିତ ଏହାକୁ ତୁଳନା କରାଯାଇପାରେ । ସରକାର ନିୟନ୍ତ୍ରୀତ ରେଡ଼ିଓ, ଟେଲିଭିଜନ୍‌ ସମସ୍ତେ ସ୍ୱର ପରିବର୍ତ୍ତନ କଲେ । ସତେ ଯେପରି କୋଟିଏ ବୀଣାରେ ଗୁଞ୍ଜରି ଉଠିଲା ଇନ୍ଦିରା ଗାନ୍ଧୀଙ୍କର ଗୋଟିଏ ସ୍ୱର, ଆଉ ସମସ୍ତେ ବାକ୍‌ଶକ୍ତିହୀନ ।

 

୧୯୭୭ ମସିହା ଜାନୁଆରୀ ମାସ । ଲୋକସଭା ନିର୍ବାଚନ କରିବା ପାଇଁ ସରକାର ଘୋଷଣା କଲେ । ବୋଧହୁଏ ବୈଦେଶିକ ଶକ୍ତିଙ୍କ ଚାପ ଫଳରେ ଏହା କରାଗଲା । ମାର୍ଚ୍ଚ ୧୬ ତାରିଖରୁ ୨୪ ତାରିଖ ମଧ୍ୟରେ ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନର୍‌ ସମୟ ଧାର୍ଯ୍ୟ କଲେ-। ନେତୃବୃନ୍ଦଙ୍କୁ ଖଲାସ କରି ଦିଆଗଲା । ସେହି ମାସ ୧୮ ତାରିଖ ଦିନ ମୋରାର୍‌ଜୀ ଜେଲ୍‌ରୁ ଖଲାସ ହେଲେ । ସମସ୍ତେ ଭାବିଥିଲେ ଯେ ଦୀର୍ଘଦିନ କାରାବରଣ କଲା ପରେ ସେ ଅତିମାତ୍ରାରେ ଉତ୍ୟକ୍ତ ଓ ଆବେଗଶୀଳ ହୋଇପଡ଼ିଥିବେ; କିନ୍ତୁ ଯେତେବେଳେ ସାମ୍ବାଦିକମାନେ ତାଙ୍କୁ ସାକ୍ଷାତ କଲେ, ସେମାନେ ତାଙ୍କ ବ୍ୟବହାର ଦେଖି ବିସ୍ମିତ ହୋଇପଡ଼ିଥିଲେ । ପ୍ରତିଷ୍ଠିତ ସାମ୍ବାଦିକ ପ୍ରେମ ଭାଟିଆ କହନ୍ତି—‘‘ଜେଲ୍‌ରୁ ଖଲାସ ହେବାର ଅବ୍ୟବହିତ ପରେ ମୁଁ ଯେତେବଳେ ତାଙ୍କୁ ସାକ୍ଷାତ କଲି ତାଙ୍କ ମୁହଁରେ ଅବସାଦର ଚିହ୍ନ ନ ଥିଲା । ସେହି ଦୀର୍ଘ କାରାବାସକୁ ସେ ତାଙ୍କ ଶିକ୍ଷାର ଏକ ନୂତନ ଅଧ୍ୟାୟ ବୋଲି ବର୍ଣ୍ଣନା କଲେ । ସେ ପୁଣି କହିଲେ ଯେଉଁଥିଲାଗି ସେ କାରାଦଣ୍ଡ ଭୋଗିଲେ ସେ ଦିଗରେ ତାଙ୍କର ଆସ୍ଥା ଅଧିକ ଦୃଢ଼ ହୋଇଛି । ଇନ୍ଦିରାଙ୍କ ବିରୁଦ୍ଧରେ ସେ ପଦେ ହେଲେ ବି କହି ନ ଥିଲେ ।’’

 

ତା’ ପରେ ମୋରାର୍‌ଜୀଙ୍କ ବାସଭବନରେ ବିରୋଧୀ ଦଳର ନେତୃବୃନ୍ଦ ଏକତ୍ରିତ ହୋଇ ନିର୍ବାଚନରେ ଏକ ମିଳିତ ଭୂମିକା ଗ୍ରହଣ କରିବାଲାଗି ଆଲୋଚନା କଲେ । ସେହି ବୈଠକରେ ଭାରତୀୟ ଲୋକଦଳ, ଜନସଂଘ, ସମାଜବାଦୀ ଦଳ ଓ ସଙ୍ଗଠନ କଂଗ୍ରେସର ମିଶ୍ରଣରେ ଗଢ଼ାଗଲା ଜନତା ଦଳ । ଅବଶ୍ୟ ଜାନୁଆରୀ ୨୦ ତାରିଖରେ ତାହା ଘୋଷଣା କରାଯଇଥିଲା । ମୋରାର୍‌ଜୀଙ୍କୁ ଦଳର ଅଧ୍ୟକ୍ଷ ଓ ଚରଣ ସିଂହଙ୍କୁ ଦଳର ଉପାଧ୍ୟକ୍ଷ ରୂପେ ବଛାଗଲା । ସମ୍ପାଦକ ରୂପେ ବଛାଯାଇଥିଲା ସୁରେନ୍ଦ୍ର ମୋହନ, ରାମଧନ ଓ ଲାଲକୃଷ୍ଣ ଆଡ଼୍‌ୱାନୀଙ୍କୁ । ହଠାତ୍‌ ଯେ ଗୋଟିଏ ବୈଠକରେ ଏପରି ଏକ ସର୍ବଭାରତୀୟ ଦଳ ଗଠିତ ହେଲା, ତାହା ନୁହେଁ—ଜେଲରେ ଏହି ନେତୃବୃନ୍ଦ ଏଥିଲାଗି ବହୁଗୁପ୍ତ ମନ୍ତ୍ରଣା ଚଳାଇଥିଲେ । ଜୟପ୍ରକାଶଙ୍କର ଗଣଆନ୍ଦୋଳନ ଏଥିଲାଗି ସେମାନଙ୍କୁ ଦେଇଥିଲା ଅସରନ୍ତି ପ୍ରେରଣା ।

 

ଫେବୃଆରୀ ଦୁଇ ତାରିଖରେ ଜଗଜ୍ଜୀବନ ରାମ କଂଗ୍ରେସରୁ ଇସ୍ତଫା ଦେଇ ଗଣତାନ୍ତ୍ରିକ କଂଗ୍ରେସ ନାମରେ ଏକ ନୂଆ ଦଳ ଗଢ଼ିଲେ । ସେଥିରେ ତାଙ୍କୁ ସକ୍ରିୟଭାବେ ସହଯୋଗ କଲେ ହୈମବତୀନନ୍ଦନ ବହୁଗୁଣା, ନନ୍ଦିନୀ ଶତପଥି, ଆର. କେ. ଗଣେଶ ପ୍ରମୁଖ କେତେକ ନେତା । ଜରୁରୀ ପରିସ୍ଥିତିରେ ଜନସାଧାରଣଙ୍କର ନିଶ୍ୱାସ ରୁଦ୍ଧ ହୋଇଯାଇଥିଲା । ତେଣୁ ସମସ୍ତେ ଚାହିଁଲେ ଶାସନକାଳର ଆମୂଳଚୂଳ ପରିବର୍ତ୍ତନ । ଶାସକ ଦଳର ଅର୍ଥ ବ୍ୟୟ ଓ ପ୍ରଚାର ଆଉ ଲୋକଙ୍କୁ ପ୍ରଭାବିତ କରିପାରିଲା ନାହିଁ । ନିର୍ବାଚନରେ ଜନତା ଓ ତାହାର ସହଯୋଗୀ ଗଣତାନ୍ତ୍ରିକ କଂଗ୍ରେସ ଓ ଅକାଳୀଦଳ ବିପୁଳ ସଂଖ୍ୟାଗରିଷ୍ଠତା ଲାଭକଲେ । ସ୍ୱାଧୀନତା ପରେ କେନ୍ଦ୍ରରେ ସର୍ବପ୍ରଥମେ ଗଠିତ ହେଲା ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳ । ମାର୍ଚ୍ଚ ୨୪ ତାରିଖ ଦିନ ଗାନ୍ଧୀଜୀଙ୍କ ସମାଧିପୀଠ ରାଜଘାଟଠାରେ ଜୟପ୍ରକାଶ ଓ ଆଚାର୍ଯ୍ୟ କୃପାଳିନୀଙ୍କ ଉପସ୍ଥିତିରେ ଲୋକସଭାକୁ ନିର୍ବାଚିତ ହୋଇଥିବା ପ୍ରାର୍ଥୀମାନେ ବାପୁଜୀଙ୍କ ଆଦର୍ଶରେ ଅନୁସାରୀ ହେବାଲାଗି ଶପଥବଦ୍ଧ ହେଲେ । ଏହାପରେ ସେହିଦିନ ଦେଶର ବୟୋବୃଦ୍ଧ ନେତା ମୋରାର୍‌ଜୀ ଦେଶାଇ ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଲେ ।

 

ତା’ପରେ ଦେଶର ନଅଟି କଂଗ୍ରେସଶାସିତ ରାଜ୍ୟ—ଉତ୍ତରପ୍ରଦେଶ, ପଞ୍ଜାବ, ହରିଆଣା, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ବିହାର, ଓଡ଼ିଶା ଓ ତିନୋଟି କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ, ପଣ୍ଡିଚେରୀ ଓ ଗୋଆରେ ମନ୍ତ୍ରୀମଣ୍ଡଳ ଭାଙ୍ଗି ବିଧାନସଭା ପାଇଁ ପୁଣିଥରେ ନିର୍ବାଚନ କରିବା ଲାଗି କେନ୍ଦ୍ର ସରକାର ସ୍ଥିର କଲେ । ବିଧାନସଭାଗୁଡ଼ିକୁ ଭାଙ୍ଗି ଦେଇ ଜନତାର ସାନି ରାୟ ଗ୍ରହଣ କରିବାକୁ ସେହିସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସ୍ୱରାଷ୍ଟ୍ରମନ୍ତ୍ରୀ ଚରଣ ସିଂହ ପତ୍ର ଲେଖିଲେ । ପତ୍ରରେ ଦର୍ଶାଗଲା ଯେ ଗତ ଲୋକସଭା ନିର୍ବାଚନରେ ସେହିସବୁ ରାଜ୍ୟରେ କଂଗ୍ରେସଦଳ ନିଶ୍ଚିହ୍ନ ହୋଇଯିବା ଫଳରେ ନିର୍ବାଚନମଣ୍ଡଳୀ ସହିତ ରାଜ୍ୟପ୍ରଶାସନର କୌଣସି ସଂହତି ନାହିଁ; କିନ୍ତୁ ସଂପୃକ୍ତ ନଅଟିଯାକ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କର ସେହି ପରାମର୍ଶକୁ ପ୍ରତ୍ୟାଖ୍ୟାନ କଲେ । କେତୋଟି ରାଜ୍ୟର କଂଗ୍ରେସ ସରକାର ସୁପ୍ରିମ କୋର୍ଟରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କର ସେହି ପରାମର୍ଶ ବିରୁଦ୍ଧରେ ନିଷେଧାଜ୍ଞା ପ୍ରାର୍ଥନା କରି ମୋକଦ୍ଦମା ଦାୟର କଲେ । ସାତଜଣିଆ ବିଚାରପତିଙ୍କ ସ୍ୱତନ୍ତ୍ର ବେଞ୍ଚ୍‌ ପକ୍ଷରୁ ପ୍ରଧାନ ବିଚାରପତି ଜଷ୍ଟିସ ବେଗ୍‌ ୪ ଦିନ ଜବାବ-ସୁଆଲ ପରେ ବାଦୀରାଜ୍ୟ ସରକାରମାନଙ୍କର ଆବେଦନ ଖାରଜ କଲେ । ସମ୍ବିଧାନର ୩୫୬ ଧାରା ଅନୁଯାୟୀ ବିଧାନସଭା ଭାଙ୍ଗିଦେଇ ରାଷ୍ଟ୍ରପତି ଘୋଷଣା ପ୍ରକାଶ କରିବାରେ ଆଉ କୌଣସି ଅସୁବିଧା ରହିଲା ନାହିଁ ।

 

ତା’ପରେ ମନ୍ତ୍ରୀ ପରିଷଦର ବୈଠକ ବସି ସେହି ସୁପାରିଶ ଅସ୍ଥାୟୀ ରାଷ୍ଟ୍ରପତି ଶ୍ରୀ ବି.ଡ଼ି ଜତ୍ତିଙ୍କ ସ୍ୱୀକତି ପାଇଁ ପଠାଗଲା; କିନ୍ତୁ ସେ ସେଥିରେ ସ୍ୱାକ୍ଷର କରିବାକୁ ଜାଣିଶୁଣି କାଳକ୍ଷେପ କଲେ । ତେଣୁ କେନ୍ଦ୍ର ସରକାର ବିବ୍ରତ ହୋଇପଡ଼ିଲେ । ଏକାଧିକବାର କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ ବସିଲା ଓ ଅଚଳ ଅବସ୍ଥାର ସମାଧାନ ଲାଗି କେନ୍ଦ୍ର ନେତୃବୃନ୍ଦ ବାରମ୍ବାର ତାଙ୍କ ସହିତ ଯୋଗସୂତ୍ର ସ୍ଥାପନ କଲେ । ସେ ଆଳ ଦେଖାଇ କହିଲେ—‘‘I am not a signing machine.’’ ମୋରାର୍‌ଜୀ ଯେତେବେଳେ ତାଙ୍କୁ ବିଳମ୍ବର କାରଣ ପଚାରିଲେ, ସେ କହିଲେ–‘‘I will act according to my conscience’’ ସାମାନ୍ୟ ସ୍ୱୀକୃତି ଲାଗି ସେ ୩୦ ଘଣ୍ଟା ସମୟ ନେବାରୁ ଦେଶବାସୀଙ୍କ ମନରେ ସ୍ୱତଃ ସୃଷ୍ଟି ଦେଲା ଉଦବେଗଜନିତ ବହୁ କଳ୍ପନାଜଳ୍ପନା । ତାହା ଲକ୍ଷ୍ୟ କରି ଦୃଢ଼ମନା ମୋରାର୍‌ଜୀ ତାଙ୍କୁ ସ୍ପଷ୍ଟ ଭାବେ ଜଣାଇଦେଲେ ଯେ ସେ ଯଦି ସ୍ୱୀକୃତି ଦେବାକୁ ଆଉ ଅଧିକ କାଳକ୍ଷେପ କରନ୍ତି, ତାହାହେଲେ ସେ ନିଜେ ଇସ୍ତଫା ଦେଇ ପୁଣିଥରେ ଲୋକସଭା ନିର୍ବାଚନ ଲାଗି ପ୍ରସ୍ତୁତ ହେବେ । ସେହି ଅବସରରେ ଜନତାଦଳ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ରାଷ୍ଟ୍ରପତି ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ । ଶେଷରେ ଅସ୍ଥାୟୀ ରାଷ୍ଟ୍ରପତିଙ୍କ ସ୍ୱୀକୃତି ମିଳିଲା । ନିର୍ବାଚନରେ କଂଗ୍ରେସଦଳ ଏହି ରାଜ୍ୟମାନଙ୍କରେ ଅସ୍ତିତ୍ୱ ହରାଇଲା । ପଶ୍ଚିମବଙ୍ଗ ବ୍ୟତୀତ ପ୍ରାୟ ଅବଶିଷ୍ଟ ରାଜ୍ୟମାନଙ୍କରେ ପ୍ରତିଷ୍ଠିତ ହେଲା ଜନତା ସରକାର ।

Image

 

ପ୍ରଧାନମନ୍ତ୍ରୀ

 

‘Morarji is my choice and I am proud of it.’—J.P

 

ଜରୁରୀକାଳୀନ ପରିସ୍ଥିତି ଜାରି କରାଗଲା ପରେ ଭାରତର ତତ୍‌କାଳୀନ ଅବସ୍ଥା ଆଲୋଚନା କରିବା ଲାଗି ଲଣ୍ଡନସ୍ଥିତ ‘International Institue for strategic studies’ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସେଥିରେ ଲଣ୍ଡନ ବିଶ୍ୱବିଦ୍ୟାଳୟର Common Wealth ଶିକ୍ଷା ପ୍ରତିଷ୍ଠାନର ଅଧ୍ୟାପକ ପିଟର ଲିଅନ ଭବିଷ୍ୟତବାଣୀ ଶୁଣାଇ କହିଥିଲେ—‘‘ଭାରତରେ ଏପରି ଅସ୍ୱାଭାବିକ ଅବସ୍ଥା ସୃଷ୍ଟି କରି ଇନ୍ଦିରା ଗାନ୍ଧୀ ନିକଟ ଭବିଷ୍ୟତରେ ରାଜନୈତିକ ଆତ୍ମହତ୍ୟା କରିବାକୁ ଯାଉଅଛନ୍ତି । ତାଙ୍କ ପରେ ନିଶ୍ଚିତ ଭାବେ ଭାରତର ନେତୃତ୍ୱ ନେବେ ମୋରାର୍‌ଜୀ ଦେଶାଇ ।’’ ଦୁଇ ବର୍ଷ ନ ପୂରୁଣୁ ସେହି ମହାନ୍‌ ଅଧ୍ୟାପକଙ୍କ ବାଣୀ ସତ୍ୟ ହେଲା । ଅନେକ କହନ୍ତି ଯେ ମୋରାର୍‌ଜୀ ୧୯୬୪ ମସିହାରୁ ଭାରତର ପ୍ରଧାନମନ୍ତ୍ରୀ ହେବାଲାଗି ଥିଲେ ଆକାଂକ୍ଷିତ; କିନ୍ତୁ ତାହା କେତେଦୂର ସତ୍ୟ, ଯେଉଁମାନେ ତାଙ୍କ ନିକଟ ସମ୍ପର୍କରେ ଆସିଅଛନ୍ତି, ସେହିମାନେ ହିଁ କହିପାରିବେ । ଅବଶ୍ୟ ବୟସ ଓ ଭାରତୀୟ ରାଜନୀତି କ୍ଷେତ୍ରର ନିରବଚ୍ଛିନ୍ନ ସେବା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ହେବାକୁ ସେ ଉପଯୁକ୍ତ; କିନ୍ତୁ କାମରାଜଙ୍କ କୂଟନୀତି ଓ ତତ୍‌କାଳୀନ ଅନେକ ନେତାଙ୍କର ତାଙ୍କ ପ୍ରତି ଥିବା ଭ୍ରମଧାରଣା ଯୋଗୁଁ ସେ ସେହି ପଦବୀରୁ ବଞ୍ଚିତ ହୋଇଥିଲେ । ପୁଣି ଦଳର ନେତା ହେବା ଲାଗି ଯେଉଁ କପଟତା ଓ ଷଡ଼ଯନ୍ତ୍ରର ଆଶ୍ରୟ ନେବାକୁ ହୁଏ, ନୀତିଦୃଷ୍ଟିରୁ ମୋରାର୍‍ଜୀ ତା’ର ଘୋର ବିରୋଧ କରିଥାନ୍ତି । ତେଣୁ ସେ ନିଜ ଆତ୍ମଜୀବନୀରେ ଲେଖିଛନ୍ତି—‘‘୧୯୬୭ ମସିହା ନେତା ନିର୍ବାଚନରେ ଯଦି ମୁଁ ଭୋଟ ପାଇଁ ମୂଲଚାଲ କରିଥାନ୍ତି, ତାହାହେଲେ ଜୟଯୁକ୍ତ ହୋଇ ପାରିଥାନ୍ତି । କେତେକ ବନ୍ଧୁ ମୋତେ କହିଥିଲେ ଯେ ରାଜନୀତିରେ ସିଧାବାଟ ଧରିବା ଆଦୌ ଫଳପ୍ରଦ ନୁହେଁ । କୂଟକପଟ ଓ ଷଡ଼ଯନ୍ତ୍ର ଏଥିପାଇଁ ନିହାତି ଦରକାର; କିନ୍ତୁ ମୁଁ ସେଥିରେ ବିଶ୍ୱାସ କରେ ନାହିଁ । ଯଦି ତାଙ୍କ କଥା ମାନି ମୁଁ ନିର୍ବାଚନରେ ଜୟୀ ହୋଇ ପ୍ରଧାନମନ୍ତ୍ରୀ ହୋଇଥା’ନ୍ତି, ତାହା ହେଲେ ଜୀବନରେ ସତ୍ୟର ଅବମାନନା କରିଥାନ୍ତି ଓ ମୋର ଏକନିଷ୍ଠ ଦେଶସେବା ବ୍ୟାହିତ ହୋଇଥାନ୍ତା ।’’

 

ସେ ଯାହାହେଉ, ଭାରତ ପରି ଏକ ବିରାଟ ଦେଶର ପ୍ରଧାନମନ୍ତ୍ରୀତ୍ୱ ଏକ ବିଳାସବିଲୋଳ ଆସ୍ଥାନ ନୁହେଁ । ଏଠାରେ ଗ୍ରେଟବ୍ରିଟେନର ଭୂତପୂର୍ବ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ଡିସରାଏଲିଙ୍କ ଉକ୍ତି ଉଦ୍ଧାର କରାଯାଇପାରେ । ୧୮୬୮ ମସିହାରେ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲା ପରେ କହିଥିଲେ—‘‘I have climbed the greasy pole. I have climbed the greasy pole !’’ମୋରାର୍‌ଜୀ ୮୧ ବର୍ଷ ବୟସରେ ବିଶ୍ୱର ବୃହତ୍ତମ ସମସ୍ୟାବହୁଳ ଗଣତାନ୍ତ୍ରିକ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ହୋଇ ସେହି ଚିକ୍କଣ ସ୍ତମ୍ଭ ଆରୋହଣ କରିବା ଲାଗି ଅତୁଟ ସାହାସ ଓ ଉଦ୍ଦୀପନା ସହକାରେ ଯେଉଁ ଯୁବମାନସର ପରିଚୟ ଦେଇଛନ୍ତି, ତାହା ଆଜି ସମଗ୍ର ବିଶ୍ୱବାସୀଙ୍କୁ କରିଛି ସ୍ତମ୍ଭୀଭୂତ ।

 

ପ୍ରଧାନମନ୍ତ୍ରୀ ହେବାର ଅବ୍ୟବହିତ ପରେ ଦେଶବାସୀଙ୍କୁ ଉଦବୋଧନ ଦେଇ ସେ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି, ସେଗୁଡ଼ିକ କାର୍ଯ୍ୟକାରୀ କରିବା ନିଶ୍ଚିତଭାବେ ସମୟସାପେକ୍ଷ । ସେ କହନ୍ତି ଯେ ମିଥ୍ୟା ପ୍ରତିଶ୍ରୁତିରେ ତାଙ୍କର ବିଶ୍ୱାସ ନାହିଁ । ଦେଶରୁ ଗରିବୀ ହଟାଇବାକୁ ହେଲେ ଅନ୍ୟୂନ ଦଶବର୍ଷ ସମୟ ଦରକାର । କୌଣସି କାଉଁରୀକାଠି ସ୍ପର୍ଶରେ ଦେଶରୁ ଦାରିଦ୍ର୍ୟ ଦୂରୀଭୂତ ହୋଇ ନ ପାରେ; କିନ୍ତୁ ଅନେକ ଆଜି ଶତମୁଖ ହୋଇ ଉଠିଛନ୍ତି ଯେ ମୋରାର୍‌ଜୀଙ୍କ ନେତୃତ୍ୱରେ ଦେଶ ଆଶାନୁରୂପ ଅଗ୍ରଗତି କରିପାରିନାହିଁ । ଏକ ଦେଶଦର୍ଶୀ ହୋଇ ଏପରି ମତ ଦେବା କେତେଦୂର ସମୀଚୀନ, ତାହାହିଁ ବିଚାରସାପେକ୍ଷ ।

 

ଅବଶ୍ୟ କେତୋଟି ସର୍ବଭାରତୀୟଦଳର ମିଶ୍ରଣ ଫଳରେ ଗଢ଼ିଉଠିଛି ଜନତାଦଳ । ବିଭିନ୍ନ ଆର୍ଦଶ ଓ ଆଭିମୁଖ୍ୟକୁ ଗୋଟିଏ ନୀତିସୂତ୍ରରେ ଗୁନ୍ଥିବା ନିଶ୍ଚିତ ଭାବେ ସମୟସାପେକ୍ଷ ଓ ଆୟାସସାଧ୍ୟ । ତେବେ ଲୋକନାୟକ ଜୟପ୍ରକାଶ ଓ ପ୍ରବୀଣ ଗାନ୍ଧୀବାଦୀ ନେତା ଆଚାର୍ଯ୍ୟ କୃପାଳିନୀଙ୍କ ଦିଗ୍‌ଦର୍ଶନ ତଥା ବୟୋବୃଦ୍ଧ ରାଜନୀତିଜ୍ଞ ମୋରାର୍‌ଜୀଙ୍କ ନେତୃତ୍ୱରେ ଭାରତ ଯେ କ୍ରମେ ଅଗ୍ରଗତି କରିବ, ଏ ବିଷୟରେ ଜନତା ଏକାନ୍ତ ଆଶାୟୀ । ପୁନଶ୍ଚ ଦେଶରେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ଲାଗି ମୋରାର୍‌ଜୀଙ୍କ ନେତୃତ୍ୱରେ ଯେଉଁ ଉଦ୍ୟମ ଆରମ୍ଭ ହେଇଛି, ତାହା ସମାଲୋଚକଙ୍କ ଦୃଷ୍ଟିକୋଣରୁ ଯାହାହେଉନା କାହିଁକି ସର୍ବସାଧାରଣଙ୍କ ଦୃଷ୍ଟିକୋଣରୁ ଅବଶ୍ୟ ପ୍ରଶଂସନୀୟ । ଯଦି ଜନତାଦଳ ତା’ର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରେ, ତାହାହେଲେ ଦେଶରେ ଆଉ ଏକଛତ୍ରବାଦର ବିଭୀଷିକା ପକ୍ଷ ବିସ୍ତାର କରିବାର ଆଶଙ୍କା ରହିବ ନାହିଁ ଓ ଲୋକଙ୍କର ପ୍ରିୟ ଗଣତନ୍ତ୍ର ସୁରକ୍ଷିତ ହୋଇପାରିବ । ୧୯୫୦ ମସିହାରେ ଦେଶରେ ପ୍ରାୟ ଶତକଡ଼ା ୪୦ ଜଣ ଲୋକ ଦାରିଦ୍ର୍ୟର ସୀମାରେଖାତଳେ ଥିବାବେଳେ ୧୯୭୬ ମସିହା ସୁଦ୍ଧା ତାହା କ୍ରମେ ବୃଦ୍ଧି ପାଇ ପ୍ରାୟ ୭୦ ରେ ପହଞ୍ଚିଛି । ପୁଣି ବେକାରୀ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଇଛି । ଉଦ୍‌ବୃତ୍ତ ଜମି ବଣ୍ଟନ ସତ୍ତ୍ୱେ ଗାଁଗହଳର ପ୍ରାୟ ଶତକଡ଼ା ୩୦ ଲୋକ ଆଜି ଭୂମିହୀନ । ତ୍ରୁଟିପୂର୍ଣ୍ଣ ଯୋଜନା ଫଳରେ ମାତ୍ର ଶତକଡ଼ା ୨୦ ଜଣ ଲୋକଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ଘଟିଛି । ସେହିପରି ଦେଶର ଆଭ୍ୟନ୍ତରୀଣ ବହୁ ସମସ୍ୟା ବର୍ତ୍ତମାନର ଶାସକମାନଙ୍କ ସମକ୍ଷରେ ସୃଷ୍ଟି କରିଛି ଘୋର ଜଟିଳତା ।

 

ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲା ପରେ ମୋରାର୍‌ଜୀ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଲାଗି ଯେଉଁ ବ୍ୟୟବହୁଳ ଆଦବ୍‌କାଇଦା ଥିଲା ତାହା ବନ୍ଦ କରିଦେବାଲାଗି ଦୃଢ଼ସଂକଳ୍ପ । ଦେଶବିଦେଶ ଗସ୍ତ ସମୟରେ ସେ ସ୍ୱତନ୍ତ୍ର ବିମାନରେ ଗସ୍ତ କରୁନାହାନ୍ତି । ଯାତ୍ରୀବାହୀ ବିମାନରେ ଯାତାୟତ ଫଳରେ ଅନ୍ୟାନ୍ୟ ଯାତ୍ରୀ ଯେପରି ଅସୁବିଧାରେ ନ ପଡ଼ନ୍ତି, ସେଥିପ୍ରତି ଦୃଷ୍ଟିଦେବାକୁ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଅଛନ୍ତି । ଦେଶରେ ଶିଳ୍ପବିକାଶ ପାଇଁ ସେ ଯଥେଷ୍ଟ ଆଗ୍ରହ ପ୍ରକାଶ କରିବାର ଦେଖାଯାଏ । ତାଙ୍କ ମତରେ, ଶିଳ୍ପ ସମ୍ପର୍କକୁ କୃତ୍ରିମ ଉପାୟରେ ବା ଆଇନ ବା ବଳପ୍ରୟୋଗ ଦ୍ୱାରା ଉନ୍ନତ କରାଯାଇ ନ ପାରେ । ଶିଳ୍ପସମ୍ପର୍କ ଏକ ବ୍ୟବସାୟିକ ପ୍ରଶ୍ନ ଅପେକ୍ଷା ଅଧିକତର ଭାବେ ଏକ ମାନବିକ ପ୍ରଶ୍ନ ହେବା ଉଚିତ । ପୁନଶ୍ଚ ଦେଶରୁ ନିଶାନିବାରଣ ଉପରେ ସେ ବହୁଦିନରୁ ଗୁରୁତ୍ୱ ଆରୋପ କରି ଆସିଅଛନ୍ତି । ତାଙ୍କର ଦୃଢ଼ବିଶ୍ୱାସ ଯେ ମଦ୍ୟପାନ ବନ୍ଦ ନ ହେଲେ ଦେଶରୁ ଦାରିଦ୍ର୍ୟ ଦୂର ହୋଇପାରିବ ନାହିଁ ଓ ଜାତୀୟ ପ୍ରଗତି ବ୍ୟାହତ ହେବା ସ୍ୱାଭାବିକ । ବାପୁଜୀ ଥରେ କହିଥିଲେ—‘‘If I was appointed a dictator even for one hour for all India, the first thing I would do would be close without compensation all the liquor shops.’’

 

୧୯୫୬ ମସିହା ମାର୍ଚ୍ଚ ମାସରେ ଲୋକସଭା ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ଗ୍ରହଣ କରିଥିଲେ ଯେ ନିଶାନିବାରଣ ୨ୟ ପଞ୍ଚବାର୍ଷିକ ଯୋଜନାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେବା ଉଚିତ ଓ ଯୋଜନା କମିସନ୍‌ ଏଥିଲାଗି ଉପଯୁକ୍ତ କାର୍ଯ୍ୟକ୍ରମ ମଞ୍ଜୁର କରିବା ଉଚିତ । ଯଦି ସମ୍ପୂର୍ଣ୍ଣ ନିଶାନିବାରଣ ଦେଶରେ ପ୍ରଚଳନ କରାଯାଏ, ତାହାହେଲେ ଅବଶ୍ୟ ପ୍ରତିବର୍ଷ ସରକାରଙ୍କର ଅନ୍ୟୂନ ୫୨୦ କୋଟି ଟଙ୍କାର ରାଜସ୍ୱ ହାନି ହେବ । ତାହା ବୋଲି ଯେ ସାମାନ୍ୟ ରାଜସ୍ୱ ପ୍ରାପ୍ତି ଲାଗି ଗୋଟିଏ ଦରିଦ୍ର ଜାତିକୁ ଉଭୟ ଆର୍ଥିକ ଓ ନୈତିକ ଅଧୋଗତିର ସମ୍ମୁଖୀନ ହେବାକୁ ଛାଡ଼ି ଦିଆଯିବ, ତାହାକୁ ମୋରାର୍‌ଜୀ ଆଦୌ ପସନ୍ଦ କରନ୍ତି ନାହିଁ । ନିଖିଳ ଭାରତ ନିଶାନିବାରଣ ପରିଷଦର ଏକ ବୈଠକରେ ଭାଷଣ ଦେଇ ସେ କହିଛନ୍ତି ଯେ ମଦ୍ୟପାନ ଏକ ଅପରାଧ ରୂପେ ଗଣ୍ୟ ହେବା ଉଚିତ । ଯଦି ଆସନ୍ତା କେତେବର୍ଷ ମଧ୍ୟରେ ଦେଶରେ ନିଶାନିବାରଣ କାର୍ଯ୍ୟକ୍ରମ ସଫଳ ନ ହୁଏ, ତାହାହେଲେ ପ୍ରଧାନମନ୍ତ୍ରୀ ପଦରେ ରହିବାର ତାଙ୍କର ଅଧିକାର ନାହିଁ ବୋଲି ସେ ମନେ କରନ୍ତି । ସେ ପୁଣି କହନ୍ତି—‘‘ନିଶାନିବାରଣ ପଥରେ ରାଜସ୍ୱ ନଷ୍ଟ ଅନ୍ତରାୟ ହେବା ଉଚିତ ନୁହେଁ । ଲୋକଙ୍କୁ ନିଶା ଖୁଆଇ ସେ ବାବଦରୁ ଯେଉଁ ରାଜସ୍ୱ ଆଦାୟ ହୁଏ, ତଦ୍ୱାରା ସମାଜର କୌଣସି ମଙ୍ଗଳଜନକ କାର୍ଯ୍ୟ ହୋଇପାରିବ ନାହିଁ । ଡକାୟତି ଦ୍ୱାରା ସଞ୍ଚିତ ଅର୍ଥରେ ଡାକ୍ତରଖାନା ପ୍ରତିଷ୍ଠା କରିବା ଚିନ୍ତା ଅମୂଳକ ।’’

ଆଧୁନିକ ଶିକ୍ଷାପଦ୍ଧତିର ପରିବର୍ତ୍ତନ ସେ ଚାହାନ୍ତି । ସେ କହନ୍ତି ଯେ ଶିକ୍ଷାପଦ୍ଧତି ଏପରି ହେବା ଦରକାର, ଯାହ ଫଳରେ ମଣିଷ ସବୁକଥା ବୁଝିବ, ବିକାଶଲାଭ କରିବ ଓ ନିଜବୁଦ୍ଧି ଓ ଦକ୍ଷତାର ପୂର୍ଣ୍ଣ ଉପଯୋଗ କରିପାରିବ । ମୋଟ ଉପରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲାପରେ ମୋରାର୍‌ଜୀ ଦେଶର ଆଶୁ ସମୃଦ୍ଧି କଳ୍ପେ ବହୁ ସମସ୍ୟା ସମାଧାନଲାଗି ଏକାନ୍ତ ଆଶାୟୀ । ତାଙ୍କ ମତରେ, ଦେଶର ଜଳସେଚନ ସମସ୍ୟା ସମାଧାନ କରାଯାଇ ପାରିଲେ ଅନ୍ୟାନ୍ୟ ବହୁ ଆନୁଷଙ୍ଗିକ ସମସ୍ୟା ସହଜରେ ସମାଧାନ କରାଯାଇ ପାରିବ । ତେଣୁ ସେ ପ୍ରସ୍ତାବିତ ଦୁଇଟି ଯୋଜନା କାର୍ଯ୍ୟକାରୀ କରିବାଲାଗି ବିଶେଷ ଆଗ୍ରହ ପ୍ରକାଶ କରିଅଛନ୍ତି । ପ୍ରଥମଟି ହେଲା ହିମାଳୟରୁ ନିସୃତ ବରଫଜଳକୁ କେନାଲ ସାହାଯ୍ୟରେ ଆଣି ଜଳସେଚନ ଉଦ୍ଦେଶ୍ୟରେ ବିନିଯୋଗ କରବା । ଦ୍ୱିତୀୟଟି ହେଲା ଗଙ୍ଗା, ବ୍ରହ୍ମପୁତ୍ର ଓ ଗୋଦାବରୀ ନଦୀ ମଧ୍ୟରେ ସଂଯୋଗ ସ୍ଥାପନକରି ଦେଶକୁ ଶସ୍ୟଶ୍ୟାମଳା କରାଇବା । ଏହି ଯୋଜନା ଅବଶ୍ୟ ଅତ୍ୟାଧିକ ବ୍ୟୟ ସାପେକ୍ଷ । ତେଣୁ ସେ ଏଫ. ଏ. ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ଅର୍ଥ ସାହାଯ୍ୟକାରୀ ସଂସ୍ଥାମାନଙ୍କ ସହିତ ଯୋଗସୂତ୍ର ସ୍ଥାପନ କରିବାଦ୍ୱାରା ଯଥେଷ୍ଟ ଭରସା ପାଇପାରିଛନ୍ତି । ଏହି ବିରାଟ ଯୋଜନାର ଭାବୀନିର୍ମାତା ‘ଦିନ ସଜେ. ଦାସ୍ତୁର’ କହନ୍ତି—‘‘The Himalayan garland scheme is not merely a project but a revolution of water and land’’. ବର୍ତ୍ତମାନ ଆମଦେଶରେ ଜଳସେଚିତ ଜମିର ପରିମାଣ ହେଉଛି ୭୦ ନିୟୁତ ଏକର । ଏହି ଯୋଜନା କାର୍ଯ୍ୟକାରୀ ହେଲେ ଅଧିକ ୪୭୦ ନିୟୁତ ଏକର ଜମି ଜଳସେଚିତ ହୋଇ ପାରିବ ଓ ଦେଶର ବନ୍ୟା, ଖାଦ୍ୟ, ବେକାରୀ ଇତ୍ୟାଦି ବହୁ ସମସ୍ୟାର ସମାଧାନ ସହଜେ ହେବ ସମ୍ଭବପର ।

ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଲାପରେ ସେ ଅଷ୍ଟ୍ରେଲିଆ, ୠଷିଆ, ଇଂଲଣ୍ଡ, ଫ୍ରାନ୍‌ସ, ଆମେରିକା ଇତ୍ୟାଦି ବହୁ ରାଷ୍ଟ୍ର ଗସ୍ତକରି ବୈଦେଶିକ ନୀତି ବିଷୟରେ ବିସ୍ତୃତ ଆଲୋଚନା କରିଅଛନ୍ତି । ପୂର୍ବରୁ ଯେ କୌଣସି ଶୀର୍ଷ ଆଲୋଚନାରେ ଦେଶର ଆଭ୍ୟନ୍ତରୀଣ ଘଟଣାବଳୀ ସ୍ଥାନ ପାଉଥିଲା; କିନ୍ତୁ ମୋରାର୍‌ଜୀ ପ୍ରଧାନମନ୍ତ୍ରୀ ହିସାବରେ ତାହାକୁ ପସନ୍ଦ କରି ନ ଥାନ୍ତି । ତେଣୁ ଆଲୋଚନା ସମୟରେ ସେ ଆଭ୍ୟନ୍ତରୀଣ ଘଟଣାବଳୀ ଘେନି ଇଚ୍ଛାକୃତ ନୀରବତା ଅବଲମ୍ବନ କରିବାଦ୍ୱାରା ବିଦେଶରେ ଭାରତ ପ୍ରତି ଏକପ୍ରକାର ହେୟ ମନୋଭାବ ସୃଷ୍ଟି କରିବାକୁ ସେ ସୁଯୋଗ ଦେଉନାହାନ୍ତି । ଏହା ତାଙ୍କ ଶାସନର ଏକ ସ୍ୱାଗତ-ଯୋଗ୍ୟ ପାର୍ଥକ୍ୟ । ପୁନଶ୍ଚ ତାଙ୍କର ୠଷିଆ ଗସ୍ତ ଫଳରେ ଦୁଇଦେଶ ମଧ୍ୟରେ ସ୍ଥାପିତ ହୋଇପାରିଛି ନିବିଡ଼ ସମ୍ପର୍କ । ପରସ୍ପର ବନ୍ଧୁତା ଓ ସହଯୋଗ ଅଧିକ ମଜବୁତ କରିବାପାଇଁ ଦୁଇଦେଶ ସଂକଳ୍ପ ପ୍ରକାଶ କରିଅଛନ୍ତି । ଏହି ପ୍ରଥମଥର ପାଇଁ ସ୍ୱାକ୍ଷରିତ ଘୋଷଣା ନାମାରେ ନିର୍ଦ୍ଦିଷ୍ଟ ଉନ୍ନୟନ ପ୍ରକଳ୍ପ କଥା ଉଲ୍ଳେଖ କରାଯାଇଛି, ଯାହାକି ପରସ୍ପର ଅଙ୍ଗୀକାରର ସ୍ତରକୁ କରିଛି ଉନ୍ନତ ଓ ସହଯୋଗ ବୃଦ୍ଧିପାଇଁ ଉଭୟ ପକ୍ଷର ଆନ୍ତରିକତାକୁ ଅଧିକ ପ୍ରତିଫଳିତ କରିପାଇଛି ।

ଆମେରିକା ଭାରତର ତାରାପୁର ଆଣବିକ କେନ୍ଦ୍ରପାଇଁ ୭ ଦଶମିକ ୬ଟନ୍‌ ଉନ୍ନତ ଧରଣର ୟୁରାନିୟମ ପଠାଇବାଲାଗି ଆଗରୁ ଚୁକ୍ତିବଦ୍ଧ ହୋଇଥିଲେ ମଧ୍ୟ ସେଥିରେ ଖିଲାପର ଆଶଙ୍କା ପ୍ରକାଶ ପାଇଥିଲା; କିନ୍ତୁ ଦେଶାଇଙ୍କର ଆମେରିକା ଗସ୍ତ ସେହି ବିରାଟ ସମସ୍ୟାର ସମାଧାନ କରି ପାରିଛି । ଗସ୍ତ ସମୟରେ ସେ ସିନେଟ୍‌ ଓ ପ୍ରତିନିଧି ସଭାର ସଭ୍ୟମାନଙ୍କ ମନରେ ଉପୁଜିଥିବା ବହୁ ସନ୍ଦେହ ଦୂରକରି ଥିଲେ । ଜାତିସଂଘ ନିରସ୍ତ୍ରୀକରଣ ସଂକ୍ରାନ୍ତ ସ୍ୱତନ୍ତ୍ର ଅଧିବେଶନରେ ଭାରତର ଆଣବିକନୀତି ଅତି ପ୍ରାଞ୍ଜଳ ଭାବରେ ସେ ବୁଝାଇ ଥିଲେ । ଆମେରିକା ଓ କାନାଡ଼ା ପ୍ରଭୃତି ରାଷ୍ଟ୍ରମାନଙ୍କ ସନ୍ଦେହ ଦୂର କରିବାପାଇଁ ସେ ଘୋଷଣା କରିଥିଲେ ଯେ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ମଧ୍ୟ ଭାରତ ଆଉ ଆଣବିକ ବିସ୍ଫୋରଣ କରିବ ନାହିଁ । ୧୯୭୪ ମସିହା ମଇ ମାସରେ ରାଜସ୍ଥାନର ପୋଖରାନଠାରେ ଭାରତୀୟ ଆଣବିକ ପ୍ରତିଷ୍ଠାନ ପକ୍ଷରୁ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ଆଣବିକ ଶକ୍ତିର ଉପଯୋଗ ସମ୍ପର୍କରେ ଭୂଗର୍ଭରେ ଯେଉଁ ବିସ୍ଫୋରଣ କରାଯାଇଥିଲା ତଦ୍ୱାରା ଯୁକ୍ତିରାଷ୍ଟ୍ର ସମେତ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନଙ୍କ ମଧ୍ୟରେ ଏକ ଚହଳ ପଡ଼ିଯାଇଥିଲା । ସେମାନେ ଭାରତର ଆଣବିକ ଅଗ୍ରଗତିରେ କେତେକାଂଶରେ ପ୍ରମାଦ ଗଣିଥିଲେ । ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କରେ ଏହା ଫଳରେ ଧାରଣା ସୃଷ୍ଟି ହୋଇଥିଲା ଯେ ଭାରତ ଆଣବିକ ଅସ୍ତ୍ର ତିଆରି କୌଶଳ ହାସଲ କରି ସାରିଲାଣି ଓ ସମୟ କ୍ରମେ ଆଣବିକ ଅସ୍ତ୍ରତିଆରି କରିବାରେ ସକ୍ଷମ ହୋଇ ପାରିବ । ସେହି ହେତୁ ଏହି ରାଷ୍ଟ୍ରମାନଙ୍କ ପକ୍ଷରୁ ଭାରତ ତାର ଆଣବିକ ପ୍ରତିଷ୍ଠାନକୁ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକଙ୍କ ପରିଦର୍ଶନ ପାଇଁ ଉନ୍ମୁକ୍ତ କରୁବୋଲି ତାଙ୍କ ଉପରେ ପ୍ରବଳ ଚାପ ଦିଆଯାଇଥିଲା । ଏହି ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ ଉଦ୍ୟମରେ ମିଳିତ ଜାତିସଂଘରେ ଯେଉଁ ଆଣିବିକ ଅସ୍ତ୍ରପ୍ରସାର ନିରୋଧ ଚୁକ୍ତି ସମ୍ପାଦିତ ହୋଇଥିଲା ଫ୍ରାନ୍‌ସ ଓ ଚୀନ ଭଳି ଭାରତ ମଧ୍ୟ ସେଥିରେ ସ୍ୱାକ୍ଷର କରି ନ ଥିଲା । ମୋରାର୍‌ଜୀ ସେଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଯୁକ୍ତି ବାଢ଼ିଥିଲେ ଯେ, ଆଣବିକ ଶକ୍ତିସମ୍ମନ୍ନ ରାଷ୍ଟ୍ରମାନେ ଦିନକୁ ଦିନ ଅଧିକ ଆଣବିକ ଅସ୍ତ୍ରଶସ୍ତ୍ର ଜମାଉଥିବା ବେଳେ ଓ ଅଧିକ ମାରାତ୍ମକ ପାରମାଣବିକ ଅସ୍ତ୍ର ଉଦ୍ଭାବନ ଏବଂ ନିର୍ମାଣ କରୁଥିବା ବେଳେ ଓ ଗତ ଆଠ ବର୍ଷ ମଧ୍ୟରେ ଅଢ଼େଇ ଶହରୁ ଅଧିକ ଆଣବିକ ବିସ୍ଫୋରଣ କରିଥିବାବେଳେ ଭାରତ ପରି ଯେଉଁ ଦେଶ ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟରେ ସେହି ଶକ୍ତିର ବ୍ୟବହାର ଲାଗି ନିଜର ବୈଜ୍ଞାନିକ ଓ ବୈଷୟିକ ଜ୍ଞାନ ପ୍ରୟୋଗ କରୁଛନ୍ତି, ତାଙ୍କ ଉପରେ ବାହ୍ୟ ପରିଦର୍ଶନ ଲାଗି ଦାବୀ କରିବା ସମ୍ପୂର୍ଣ୍ଣ ଅଯୌକ୍ତିକ ।

ସେ ପୁଣି ସ୍ପଷ୍ଟ ଭାବରେ ଘୋଷଣା କରିଥିଲେ ଯେ, ଯଦି ଯୁକ୍ତରାଷ୍ଟ୍ର ଆମେରିକା, ସୋଭିଏତ୍‍ ୠଷିଆ ପ୍ରମୁଖ ଯେଉଁ ରାଷ୍ଟ୍ରମାନଙ୍କର ପାରମାଣବିକ ଅସ୍ତ୍ରଭଣ୍ଡାର ରହିଛି ଓ ଯେଉଁମାନେ ଏବେ ବି ଏହିସବୁ ମାରଣାସ୍ତ୍ର ତିଆରି କରିବାରେ ଲାଗିଛନ୍ତି, ସେମାନେ ଏହା ଆଉ ନିର୍ମାଣ ନ କରିବା ପାଇଁ ଓ ଦଶ ବର୍ଷ ଭିତରେ ତାଙ୍କ ପାଖରେ ଥିବା ଏହି ଅସ୍ତ୍ରଶସ୍ତ୍ର ନଷ୍ଟ କରିବା ପାଇଁ ଘୋଷଣା କରନ୍ତି, ତାହାହେଲେ ଭାରତ ଏହାର ପ୍ରସାର ବିରୋଧୀ ଆନ୍ତର୍ଜାତିକ ଚୁକ୍ତିରେ ସ୍ୱାକ୍ଷର କରିବ ଓ ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ତାର ଆଣବିକ ପ୍ରତିଷ୍ଠାନ ପରିଦର୍ଶନ ପାଇଁ ମଧ୍ୟ ରାଜି ହେବ; କିନ୍ତୁ ‘ପଣ୍ଡିତ ପୁଅ ମାଙ୍କଡ଼ ମାଇଲେ ଦୋଷ ନୁହେଁ’ ନୀତି ଭାରତ କଦାପି ଗ୍ରହଣ କରିପାରିବ ନାହିଁ ବୋଲି ସେ ରୋକଠୋକ ଭାବେ ଘୋଷଣା କରିଥିଲେ ।

ସେ ପୁଣି କହିଥିଲେ ଯେ ଭାରତର ତାରାପୁର କେନ୍ଦ୍ରକୁ କଦାପି ବନ୍ଦ କରାଯିବ ନାହିଁ । ଆମେରିକା ଏଥିଲାଗି ଇନ୍ଧନ ଯୋଗାଇବାକୁ ଚୁକ୍ତିବଦ୍ଧ । ଯଦି ସେ ଚୁକ୍ତିର ଖିଲାପ କରେ, ତେବେ ଭାରତ ଅନ୍ୟ ଉପାୟରେ ଏହି କେନ୍ଦ୍ରକୁ ଚାଲୁ ରଖିବା ପାଇଁ ଯାହା ଉଚିତ ବିଚାରିବ, ତାହା କରିବାରେ ଆଉ କୌଣସି ବାଧା ରହିବ ନାହିଁ । ଏହି କେନ୍ଦ୍ରକୁ ଇନ୍ଧନ ଯୋଗାଇବା ଲାଗି ଭାରତୀୟ ବୈଜ୍ଞାନିକମାନେ କୌଶଳ ଉଦ୍ଭାବନ କରିପାରିବେ । ଏହା ଫଳରେ କିଛି ବିଳମ୍ବ ହୋଇପାରେ; କିନ୍ତୁ ଭାରତ ଏଥିଲାଗି ତାର ଆତ୍ମସମ୍ମାନ ବଳି ଦେଇ ନତଜାନୁ ହୋଇ କାହାଠାରୁ ସାହାଯ୍ୟ ଭିକ୍ଷା କରିବ ନାହିଁ । ଏହିପରି ବହୁ ଆଲେଚନା ପର୍ଯ୍ୟାଲୋଚନା ପରେ ରାଷ୍ଟ୍ରପତି କାର୍ଟର ବିନା ସର୍ତ୍ତରେ ଭାରତକୁ ଶକ୍ତିସମ୍ପନ୍ନ ଇଉରାନିୟମ ଯୋଗାଣ ଅବ୍ୟାହତ ରଖିବା ଲାଗି ସ୍ୱୀକୃତ ପ୍ରଦାନ କରିଥିଲେ । ଏହା ସମ୍ଭବପର ହୋଇଥିଲା ମୋରାର୍‌ଜୀଙ୍କ ବଳିଷ୍ଠ ନେତୃତ୍ୱ ଯୋଗୁଁ । ପୂର୍ବରୁ ଆମେରିକା କଂଗ୍ରେସର ୫୬ ଜଣିଆ ଗୋଷ୍ଠୀ ଓ ପରମାଣୁ ଶକ୍ତି ନିୟନ୍ତ୍ରଣ କମିସନ୍‌ ଭାରତକୁ ଇଉରାନିୟମ ଇନ୍ଧନ ଯୋଗାଣ ବନ୍ଦ କରିଦେବାକୁ ନିଷ୍ପତ୍ତି ଦେଇଥିଲେ । ତାହା ଯଦି ରାଷ୍ଟ୍ରପତି କାର୍ଟର ମାନି ନେଇଥା’ନ୍ତେ, ତାହା ହେଲେ ଦେଶର ବୈଷୟିକ ଅଗ୍ରଗତି ଆଶାତୀତ ଭାବେ ବ୍ୟାହତ ହୋଇଥାନ୍ତା; କିନ୍ତୁ ମୋରାର୍‍ଜୀଙ୍କ ବ୍ୟକ୍ତିତ୍ୱର ପରାକାଷ୍ଠା ଓ ଅକାଟ୍ୟ ଯୁକ୍ତି ଫଳରେ ତାହା ହୋଇଥିଲେ ସମ୍ଭବପର । ତେଣୁ ସେ ସମଗ୍ର ଦେଶବାସୀଙ୍କ ନିକଟରେ ଅଭିନନ୍ଦନୀୟ । ଲୋକନାୟକ ଜୟପ୍ରକାଶ ସେହି ସମ୍ବାଦ ପାଇଲା ପରେ ଇଉ. ଏନ୍‌. ଆଇ. ର ପ୍ରତିନିଧିଙ୍କୁ କହିଥଲେ— ‘‘Please tell the P.M. that I am proud of him. The nation is proud of him. How much different it is from the visit of the previous P.Ms. This visit has been a great success for India’’

ସୀମିତ ସମୟ ମଧ୍ୟରେ ଏହା ହିଁ ମୋରାର୍‍ଜୀଙ୍କ କୃତିତ୍ୱର ମାତ୍ର କେତୋଟି ନମୁନା । ଯଦି କିଛିଦିନପାଇଁ ଜନତାଦଳର ସଂହତି ଅବ୍ୟାହିତ ରହେ, ତାହାହେଲେ ତାଙ୍କ ନେତୃତ୍ୱ ଦେଶରେ ସୁସ୍ଥ ଗଣତାନ୍ତ୍ରିକ ପରମ୍ପରା ପ୍ରତିଷ୍ଠା କରିବା ସଙ୍ଗେ ସଙ୍ଗେ ବାପୁଜୀଙ୍କର ସ୍ୱପ୍ନର ଭାରତ ଗଠନ ଦିଗରେ ନିଶ୍ଚିତ ଭାବେ ସହାୟକ ହେବ, ଏହା ହିଁ ସମଗ୍ର ଦେଶବାସୀଙ୍କର ଆଶା ଓ କାମନା ।

Image

 

ବ୍ୟକ୍ତିଗତ ଜୀବନ ଓ ଆଦର୍ଶ

 

ସଂକଳ୍ପବଦ୍ଧ ମଣିଷ ଜୀବନ ସାଧାରଣତଃ ସ୍ଥିର ନୀତି ଓ ଆଦର୍ଶ ଉପରେ ଆଧାରିତ । ପରିସ୍ଥିତିର କୁଜ୍‌ଝଟିକା ପ୍ରବାହରେ ଯେ ସେଥିରୁ ବାରମ୍ବାର ଓହରିଯାଏ, ସେ ସାମୟିକ ସୁବିଧା ସୁଯୋଗ ପାଇପାରେ ସତ; କିନ୍ତୁ ତାର ଜୀବନ ଶେଷରେ ହୁଏ କର୍ଣ୍ଣଧାରହୀନ ପୋତ ସଦୃଶ । ଏହି ମାନଦଣ୍ଡ ଦୃଷ୍ଟିରୁ ମୋରାର୍‌ଜୀ ଯେ ଜଣେ ଅବିଚଳ ନୀତିବାଦୀ, ଏଥିରେ ଦ୍ୱିମତ ହେବାର ଅବକାଶ ନାହିଁ । ବିରୋଧୀ ଦଳର ନେତୃବୃନ୍ଦ ତାଙ୍କୁ ଏଥିଲାଗି ମଧ୍ୟ ପ୍ରଶଂସା କରିଥାନ୍ତି ।

 

ବାଲ୍ୟକାଳରୁ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରିବାରେ ସେ ଅଭ୍ୟସ୍ତ । ଅଭାବ, ଅନଟନ ତଥା ପାରିବାରିକ ଦୁର୍ଦ୍ଦଶା ସତ୍ତ୍ୱେ ସେ ଆଜୀବନ ରହି ଆସିଛନ୍ତି ଜଣେ ଅବିଚଳ ନୀତିବାଦୀ ହିସାବରେଆମର ପୂର୍ବତନ ତିନି ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ତୁଳନା କଲେ ଦେଖିବା ଯେ ମୋରାର୍‍ଜୀ ନିଜର ବ୍ୟକ୍ତିଗତ ଦୁର୍ବଳତା ସତ୍ତ୍ୱେ ନିଶ୍ଚିତ ଭାବେ କେତେକ ସ୍ୱତନ୍ତ୍ର ଆଦର୍ଶର ଅଧିକାରୀ । ଶାସକ ଦୃଷ୍ଟିରୁ ତାଙ୍କର ଦକ୍ଷତା ଅସ୍ୱୀକାର କରିହେବ ନାହିଁ । ଜବାହରଲାଲ କୌଣସି ସିଦ୍ଧାନ୍ତ ନେଲା ପୂର୍ବରୁ ସମସ୍ୟା ବିଷୟରେ ଆଲୋଚନା କରୁଥିଲେ । ଯେଉଁମାନେ ତାଙ୍କ ସହିତ ଏକମତ ହେଉ ନଥିଲେ; ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିଲେ ସତ; କିନ୍ତୁ ଶେଷରେ ସେ ନିଜର ବ୍ୟକ୍ତିଗତ ବିଚାରରେ ସମସ୍ୟାର ସମାଧାନ କରୁଥିଲେ । ତାଙ୍କର ଉତ୍ତରାଧିକାରୀ ଲାଲବାହଦୁର ଶାସ୍ତ୍ରୀ ଯେ କୌଣସି ବିଷୟରେ ସ୍ଥୂଳ ଆଲୋଚନାକୁ ଉତ୍ସାହିତ କରୁଥିଲେ ଓ ସହକର୍ମୀମାନଙ୍କ ବିବେକାନୁମୋଦିତ ସିଦ୍ଧାନ୍ତକୁ ସସମ୍ମାନେ ଗ୍ରହଣ କରୁଥିଲେ । ଇନ୍ଦିରା ଗାନ୍ଧୀ ଯେ କୌଣସି ସିଦ୍ଧାନ୍ତ ଗ୍ରହଣ କରିବା ପୂର୍ପରୁ ସହକର୍ମୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରୁଥିଲେ; କିନ୍ତୁ ଜରୁରୀକାଳୀନ ପରିସ୍ଥିତି ଜାରି ହେବା ପରେ ତାଙ୍କର ବ୍ୟକ୍ତିଗତ ଇଙ୍ଗିତରେ ସିଦ୍ଧାନ୍ତମାନ ଗୃହୀତ ହେଉଥିଲା । ମୋରାର୍‌ଜୀ ନିର୍ଦ୍ଧାରିତ ନୀତି ଓ ଆଦର୍ଶର ସୀମାରେଖା ମଧ୍ୟରେ ଯେ କୌଣସି ସିଦ୍ଧାନ୍ତ ଗ୍ରହଣ କରିବକୁ ଆଗ୍ରହୀ । ଲାଲବାହଦୁରଙ୍କ ପରି ବାସ୍ତବ ଦୃଷ୍ଟିକୋଣରୁ ସେ ସବୁବେଳେ ବିଚାର କରିଥାନ୍ତି । ତରବର ହୋଇ ହଠାତ୍‌ କୌଣସି ସିଦ୍ଧାନ୍ତ ନେବାକୁ ସେ ପସନ୍ଦ କରନ୍ତି ନାହିଁ । ପୁଣି ସୁକ୍ଷ୍ମ ଦୂରଦୃଷ୍ଟି ଆରୋପ କରି ସେ ସବୁ କଥା ବିଚାରକୁ ନେଇଥାନ୍ତି । ମୋଟ ଉପରେ ରାଜନୀତିକ ପର୍ଯ୍ୟବେକ୍ଷକଙ୍କ ଭାଷାରେ କହିବାକୁ ଗଲେ ‘‘He is basically practical within the limits of accepted norms.’’

 

ବ୍ୟକ୍ତିଗତ ଜୀବନ ଦୃଷ୍ଟିରୁ ବିଚାର କଲେ ଆମେ ଦେଖିବାକୁ ପାଇବା ଯେ ମୋରାର୍‌ଜୀ ବାଲ୍ୟକାଳରୁ ଭଗବତ୍‌ବିଶ୍ୱାସୀ । ପ୍ରାର୍ଥନାକୁ ଗାନ୍ଧିଜୀଙ୍କ ପରି ସେ ଦୈନନ୍ଦିନ ଜୀବନର ଚାବିକାଠି ବୋଲି ଗ୍ରହଣ କରି ଆସିଛନ୍ତି । ସେ ପ୍ରତ୍ୟହ ରାତ୍ର ୧୦ଟାବେଳେ ନିଦ୍ରା ଯାଇ ୪ଟାବେଳେ ଶଯ୍ୟାତ୍ୟାଗ କରିଥାନ୍ତି । ପ୍ରାଭାତିକ କର୍ମ ମଧ୍ୟରେ ପ୍ରାର୍ଥନା, ଯୋଗାସନ ସେ ବହୁଦିନରୁ କରିଆସିଛନ୍ତି । ସମଗ୍ର ଗୀତା ତାଙ୍କର ମୁଖସ୍ତ । ପ୍ରାର୍ଥନା କ୍ରମରେ ସେ ନିୟମିତ ଭାବେ ଗୀତା ପାଠ କରିଥାନ୍ତି । ସେ ଭଗବାନଙ୍କୁ କ’ଣ ପ୍ରାର୍ଥନା କରନ୍ତି, ସେ ବିଷୟ ଉଲ୍ଲେଖ କରି ନିଜ ଆତ୍ମଜୀବନୀରେ ଲେଖିଛନ୍ତି—‘‘I pray to God to send me all the pains that I have to under go on account of my past actions immediately and also to afflict me with all the diseases from which I have to suffer on the same account. So that I may suffer them in this life itself and be free from the bondage of past actions.’’

 

ଖାଦ୍ୟପେୟ ଦୃଷ୍ଟିରୁ ସେ ଖୁବ ସଂଯମୀ ଓ ନିରାମିଷାଶୀ । ପ୍ରତ୍ୟହ ସେ ମାତ୍ର ଦୁଇ ଥର ଖାଇଥା’ନ୍ତି । ଏବେ ଦିନ ୧୦ଟା ବେଳେ ସେ ଦୁଧ, କିଛି ଫଳ (ଋତୁ ଅନୁଯାୟୀ) ଓ ଛେନା ଖାଆନ୍ତି । ସନ୍ଧ୍ୟା ୭ଟାରେ ନିର୍ଦ୍ଧାରିତ ଖାଦ୍ୟ ସହିତ ସାମାନ୍ୟ ଶୁଖିଲା ଫଳ ଖାଇବାକୁ ସେ ଭଲ ପା’ନ୍ତି । ଚା, କଫି, ଭାତ, ରୁଟି କିମ୍ବା ପନିପରିବା ସେ ଆଉ ଖାଉ ନାହାନ୍ତି । ନିଜର ହଜମ ଶକ୍ତି ବଢ଼ାଇବା ଲାଗି ପ୍ରତିଦିନ ଦୁଇ ଚାରି କୋଲା ରସୁଣ ଚୋବାଇବାରେ ସେ ଅଭ୍ୟସ୍ତ । ସକାଳୁ ଅରଟରେ ସୂତାକାଟିବା ତାଙ୍କର ବହୁଦିନର ଅଭ୍ୟାସ । ଭି. ଭି. ଟୋନପେ ଗତ ଚାଳିଶ ବର୍ଷ ହେଲା ତାଙ୍କର ବ୍ୟକ୍ତିଗତ ସହାୟକ ରୂପେ କାର୍ଯ୍ୟ କରିଆସୁଅଛନ୍ତି । ସେ ସବୁବେଳେ ଧଳା ଖଦଡ଼ ପିନ୍ଧିବାକୁ ଭଲ ପା’ନ୍ତି । ନିଜ ହାତକଟା ସୂତାରେ ତିଆରି ପୋଷାକ ତାଙ୍କର ସବୁଠାରୁ ବେଶୀ ପ୍ରିୟ-

 

ପାରିବାରିକ କ୍ଷେତ୍ରରେ ସେ ସର୍ବଦା ନିର୍ଲ୍ଲୋଭ । ନିଜର ସଞ୍ଚିତ ଧନକୁ ସେ ସର୍ବସାଧାରଣଙ୍କ ହିତକଳ୍ପେ ଉଇଲ୍‌ କରିଦେବା ଲାଗି ଆଗ୍ରହୀ । ଆତ୍ମଦର୍ଶନ ଓ ଆତ୍ମଶୁଦ୍ଧିକୁ ସେ ନିଜର ପ୍ରିୟ ରୁଚି (hobby) ରୂପେ ଗ୍ରହଣ କରି ଆସିଅଛନ୍ତି । ସିନେମା କିମ୍ବା ଥିଏଟର ଦେଖିବାକୁ ସେ ପସନ୍ଦ କରନ୍ତି ନାହିଁ; କିନ୍ତୁ ସାମୟିକ ଭଜନ, କୀର୍ତ୍ତନ ଶୁଣିବାକୁ ସେ ଆଗ୍ରହ ପ୍ରକାଶ କରିଥାନ୍ତି । ବିଶ୍ୱ ଓ ମନୁଷ୍ୟଜାତି ସମ୍ବନ୍ଧରେ ତତ୍ତ୍ୱସମ୍ବଳିତ ପୁସ୍ତକ ଅଧ୍ୟୟନ କରିବାକୁ ସେ ଭଲପା’ନ୍ତି । ତେବେ ଗୀତା ହେଉଛି ତାଙ୍କର ସବୁଠାରୁ ପ୍ରିୟ ପୁସ୍ତକ । ତାଙ୍କ ଭାଷାରେ କହିବାକୁ ଗଲେ—‘‘For constant study I have no better companion than the Bhagabat Gita, which I rectie almost daily with the greatest joy. It is the solace of my life.’’

 

ସେ ସର୍ବଦା ନିର୍ଭୟମନା । ତାଙ୍କର ଦୃଢ଼ବିଶ୍ୱାସ ଯେ କାହାଠାରୁ କିଛି ପାଇବାର ଆଶା ନ ରଖିଲେ ମଣିଷ ନିର୍ଭୟଚିତ୍ତ ହୋଇପାରିବ । ଯେହେତୁ ମଣିଷ ପ୍ରକୃତି ଦୃଷ୍ଟିରୁ ବାସନାରହିତ ହେବା ଅସମ୍ଭବ, ତେଣୁ ସେ ମତ ଦିଅନ୍ତି ଯେ ସତ୍ୟାନୁସନ୍ଧାନରେ ବାସନାକୁ ନିୟୋଜିତ କଲେ ମଣିଷ ଅକୁତୋଭୟ ହୋଇପାରେ । ଆଦର୍ଶ ଦୃଷ୍ଟିରୁ ତାଙ୍କର ସମସ୍ତ କାର୍ଯ୍ୟରେ ଧର୍ମାନୁଚିନ୍ତା ପ୍ରଚ୍ଛନ୍ନ ଭାବେ ନିହିତ ଥିବାର ଦେଖାଯାଏ । ତାଙ୍କ ଦୃଷ୍ଟିରେ—‘‘ଯାହା ମଣିଷକୁ ଠିକ୍‌ ରାହା ଦେଖାଏ, ସାଧାରଣ ସ୍ୱାର୍ଥରୁ ଉର୍ଦ୍ଧ୍ୱରେ ରଖେ, ନିଜ ସ୍ଥିତିର ତାତ୍ପର୍ଯ୍ୟ ଜଣାଇଦିଏ, ତାହାହିଁ ଧର୍ମ । ଯାହା ମଣିଷକୁ ବିପଥଗାମୀ ଓ ଦୁର୍ନୀତିଗସ୍ତ କରାଏ, ମାନବିକତା ଯଦ୍ୱାରା କୋଟିଚ୍ୟୁତ ହୁଏ, ତାହା ହେଉଛି ଅଧର୍ମ । ପୁନଶ୍ଚ ଧର୍ମାନ୍ଧତା ଅଧର୍ମର ପଥ ଉନ୍ମୁକ୍ତ କରିଦିଏ ଓ ହିଂସାର ସୂତ୍ରପାତ କରେ । ତେଣୁ ଧର୍ମ ଓ ଅହିଂସା, ପରସ୍ପର ସ୍ନେହ ସନ୍ଦିଚ୍ଛା ଓ ଦୟା ଉପରେ ପ୍ରତିଷ୍ଠିତ ହେବା ଉଚିତ । ଏହା ଅନେକଙ୍କ ଧାରଣା ଯେ ଧର୍ମପରାୟଣତା ଯୋଗୁଁ ହିନ୍ଦୁ ସମାଜର ପତନ ହୋଇଛି, ଏଥିରେ ମୁଁ ଏକମତ ନୁହେଁ, ବରଂ ଧର୍ମର ବିରୁଦ୍ଧାଚରଣ ଯୋଗୁଁ ଆମର ଆଜି ଏ ଦୁର୍ଦ୍ଦଶା ।’’

 

ଗାନ୍ଧୀଙ୍କ ପରି ଜାତିଆଣ ପ୍ରଥାର ସେ ଘୋର ବିରୋଧୀ । ତେଣୁ ସେ ନିଜର ମତବ୍ୟକ୍ତ କରି କହନ୍ତି—‘‘ଆଜି ଆମ ସମାଜରେ ଜାତିଆଣଭାବ ଯେପରି ମୁଣ୍ଡଟେକି ଉଠିଛି, ପୂର୍ବେ ସେପରି ନଥିଲା । ଯେଉଁ ବର୍ଣ୍ଣାଶ୍ରମ ଧର୍ମ ଥିଲା, ତାହା ମୁଖ୍ୟତଃ ପର୍ଯ୍ୟବସିତ ହୋଇଥିଲା ବ୍ୟବସାୟ ବା ବୃତ୍ତି ଉପରେ । ସମାଜକୁ ସଙ୍ଗଠିତ କରିବାଲାଗି ଏହା ହୋଇଥିଲା ଅଭିପ୍ରେତ । ଏହା କ୍ରମେ ଜନ୍ମ-ପରମ୍ପରାଗତ ହୋଇପଡ଼ିଛି ଓ ସେଥିଯୋଗୁଁ ଆମ ହିନ୍ଦୁଧର୍ମ ହୋଇଛି ବିପଥଗାମୀ । ମୋ ମତରେ ବର୍ତ୍ତମାନର ଜାତିପ୍ରଥା ଅଧର୍ମରୁ ଜନ୍ମଲାଭ କରିଛି । ଏହି ଅଧର୍ମର ମୂଳତ୍ପାଟନ କରି ଧର୍ମର ପୁନଃ ପ୍ରତିଷ୍ଠା କରିବା ପ୍ରତ୍ୟେକ ନୀତିବାନ ବ୍ୟକ୍ତିର କର୍ତ୍ତବ୍ୟ ବୋଲି ମୁଁ ଭାବେ । ସେଥିପାଇଁ ମୁଁ ଜାତିଆଣ ପ୍ରଥାର ଘୋର ବିରୋଧୀ । ମଣିଷ ମଣିଷ ମଧ୍ୟରେ ଥିବା ଭେଦଭାବ ଦୂର କରିବା ଲାଗି ଉଦ୍ୟମ କରିବାପାଇଁ ମୁଁ ଦୃଢ଼ପରିକର ।’’

 

ପ୍ରକୃତ ଗଣତନ୍ତ୍ରର ସୁରକ୍ଷାଲାଗି ସେ ସର୍ବଦା ବ୍ୟାକୁଳ । ନୀତି ଦୃଷ୍ଟିରୁ ସେ ଏକଛତ୍ରବାଦର ଘୋର ବିରୋଧ କରି ଆସିଅଛନ୍ତି । ତାଙ୍କର ସେହି ଆଦର୍ଶ ଓ ନୀତି ସମ୍ବନ୍ଧରେ ସେ ବହୁବାର ଉଲ୍ଲେଖ କରିଅଛନ୍ତି । ବମ୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲାବେଳେ ୧୯୫୦ ମସିହା ନଭେମ୍ବର ୨୬ ତାରିଖରେ ବମ୍ବେର ତତ୍‌କାଳୀନ ମୁଖ୍ୟବିଚାରପତି ଏମ୍‌. ସି. ଚଗ୍‌ଲାଙ୍କ ନିକଟକୁ ସେ ଯେଉଁ ଚିଠି ଲେଖିଥିଲେ ତାହା ଚଗ୍‌ଲାଙ୍କ ଆତ୍ମଜୀବନୀ ‘Roses in December’ ପୁସ୍ତକରେ ପ୍ରକାଶ ପାଇଛି । ସେଥିରେ ସେ ଲେଖିଛନ୍ତି—‘‘ମୋ ଜୀବିତାବସ୍ଥାରେ ଯଦି ଏହି ଦେଶରେ ଏକଛତ୍ରବାଦ ପ୍ରତିଷ୍ଠା କରାଯାଏ, ତାହାହେଲ ମୁଁ ସରକାରୀ ପଦବୀ ପରିତ୍ୟାଗ କରି, ତାହାର ଆପ୍ରାଣ ବିରୋଧ କରିବ । ଗଣତନ୍ତ୍ରର ସୁରକ୍ଷାଲାଗି ଯେ କୌଣସି ନିର୍ଯ୍ୟାତନା ଆସୁନା କାହିଁକି, ଏପରିକି ମୁଣ୍ଡ କଟି ଯାଉନା କାହିଁକି, ମୁଁ ଲଢ଼େଇ କରିବାକୁ ପଛେଇବି ନାହିଁ ।’’ ସେହିପରି ୧୯୫୫ ମସିହାରେ ବିନୋବାଙ୍କ ସହିତ ଆଲୋଚନା କଲାବେଳେ ସେ କହିଥିଲେ—‘‘ଯେ କୌଣସି ପରିସ୍ଥିତିରେ ମୁଁ ଏକଛତ୍ରବାଦର ବିଶ୍ୱାସ କରେ ନାହିଁ । ଯଦି କିଏ ମୋତେ ଏକଛତ୍ରବାଦୀ ବୋଲି କହେ, ତାହା ହେଲେ ମୋ ନୀତି ଓ ଆଦର୍ଶର ଅଧୋଗତି ହେଲା ବୋଲି ମୁଁ ଧରିନେବି । ଏ ଦୁନିଆରେ ଭଗବାନ ମଧ୍ୟ ତାଙ୍କ ହାତରେ ସମସ୍ତ ଶକ୍ତି ରଖିନାହାନ୍ତି ।’’

 

ନିଜର ଅଗାଧ ନୈତିକ ବଳ ଯୋଗୁଁ ଶାରୀରିକ ଯନ୍ତ୍ରଣା ମଧ୍ୟ ସେ ସହ୍ୟ କରିବାରେ ଅଭ୍ୟସ୍ତ । ଉଦାହରଣ ସ୍ୱରୂପ ୧୯୫୮ ମସିହାରେ ଥରେ ସେ ମୂତ୍ରାଶ୍ରୟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କଲେ । ଅସ୍ତ୍ରୋପଚାର ଲାଗି ତାଙ୍କୁ ବମ୍ବେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଗଲା । ଡକ୍ଟର ଶାନ୍ତିଲାଲ ମେହେଟା ଅସ୍ତ୍ରୋପଚାର ଲାଗି ସମସ୍ତ ଆୟୋଜନ କଲେ । ଯେତେବେଳେ ନିଶ୍ଚେତନ ଇଞ୍ଜେକସନ ଦେବାକୁ ବସିଲେ ମୋରାର୍‌ଜୀ ତାହା ନେବାକୁ ମନା କରିଦେଲେ । ସେ କହିଲେ—‘‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ । ଯଦି ଅସ୍ତ୍ରୋପଚାର ସମୟରେ ମୋର ମୃତ୍ୟୁ ହେବାର ଥିବ, ତାହାହେଲେ, ତାହାକୁ କେହି ବନ୍ଦ କରିପାରିବେ ନାହିଁ । ତେବେ, ମୁଁ ଅଚେତନ ଅବସ୍ଥାରେ ମରିବି କାହିଁକି ? ଡାକ୍ତର ତାଙ୍କର ଦୃଢ଼ ମନୋବଳ ଦେଖି ବିନା ଇଞ୍ଜେକସନରେ ଅସ୍ତ୍ରୋପଚାର କରିଥିଲେ । ସେହିପରି ୧୯୫୨ ମସିହାରେ ତାଙ୍କ ଦେହରେ ଆଉଥରେ ଅସ୍ତ୍ରୋପଚାର ହୋଇଥିଲା । ସେଥିଲାଗି ଦେଢ଼ଘଣ୍ଟା ସମୟ ଲାଗିଥିଲା । ନିଶ୍ଚେତନ ଇଞ୍ଜେକ୍‌ସନ୍‌ ପୂରା ସମୟ ପାଇଁ କାମ ଦେଲା ନାହିଁ । ତେଣୁ ମଝିରେ ସେ ଚେତା ଫେରି ପାଇଲେ ମଧ୍ୟ ଡାକ୍ତରଙ୍କୁ ଅସ୍ତ୍ରୋପଚାରଜନିତ ଯନ୍ତ୍ରଣା ବିଷୟ କିଛି କହି ନ ଥିଲେ ।

 

ରାଜନୀତି କ୍ଷେତ୍ରରେ ଚୋର ଦ୍ୱାରା ଚୋର ଧରାଇବା (Set a thief to catch a thief) ନୀତିକୁ ସେ ପସନ୍ଦ କରନ୍ତି ନାହିଁ । ତାଙ୍କ ମତରେ ଗୋଟିଏ ମଇଳା ଲାଗିଥିବା ଝାଡ଼ୁରେ ଘର ସଫା କରିବା ଆଦୌ ସମ୍ଭବପର ନୁହେଁ । ପୁଣି ଆମ ଶାସନ କ୍ଷେତ୍ରରେ ଏହା ଏକ ବଦ୍ଧମୂଳ ବିଶ୍ୱାସ ଯେ ମିଥ୍ୟାର ଆଶ୍ରୟ ନ ନେଲେ ଶାସନ ଚଳାଇ ହେବ ନାହିଁ; କିନ୍ତୁ ମହାତ୍ମା ଗାନ୍ଧୀଙ୍କ ମହତ ବାଣୀ ଉଦ୍ଧାର କରି ସେ ସବୁବେଳେ କହନ୍ତି ‘‘ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତରେ ମଣିଷ ସତ୍ୟକୁ ଅଭ୍ୟାସ କରିବା ଉଚିତ । ଅତଏବ ଶାସନ କ୍ଷେତ୍ରରେ ମିଥ୍ୟାର ଆଶ୍ରୟ ନେବା କାହିଁକି ?’’ ମୋରାର୍‌ଜୀ ନିଜକୁ ସମ୍ପୂର୍ଣ୍ଣ ଦୋଷମୁକ୍ତ ବୋଲି କହି ନ ଥାନ୍ତି; ବରଂ ନିଜର ଚିରାଚରିତ ନମ୍ରତା ସହକାରେ ସେ କହନ୍ତି—‘‘I can not claim that I am free from all prejudices or dislikes but I am making an effort to get free from them.... My conduct should be such that people should trust me. If people do not trust me, it only means that there is untruth in me.’’ ଏହା କୌଣସି ଅହଂକାରୀ ବ୍ୟକ୍ତିର ଉକ୍ତି ହୋଇ ନ ପାରେ । ନିଶ୍ଚିତ ଭାବେ ଏହା ଜଣେ ନିର୍ଭୀକ ସତ୍ୟସନ୍ଧାନୀଙ୍କ ବକ୍ତବ୍ୟ ।

 

ଅନେକ ତାଙ୍କୁ ନିରସ ତଥା କଠିନ ହୃଦୟବିଶିଷ୍ଟ ରାଜନୀତିଜ୍ଞ ବୋଲି ଆକ୍ଷେପ କରିଥାନ୍ତି । ଅବଶ୍ୟ ସେ କାହାକୁ ଥଟ୍ଟା ପରିହାସ କରି ନ ଥାନ୍ତି; କିନ୍ତୁ ତାଙ୍କ ହୃଦୟ ଆଦୌ କଠିନ ନୁହେଁ । କେବଳ କର୍ମକ୍ଷେତ୍ରରେ ନିଷ୍ଠା ଓ ନୀତି ଯୋଗୁଁ ତାଙ୍କୁ ଅନ୍ୟମାନେ ଏପରି କହିଥାନ୍ତି ନୀତିକୁ ଜଳାଞ୍ଜଳି ଦେଇ ସେ ଶସ୍ତା ଲୋକପ୍ରିୟତା ହାସଲ କରିବାକୁ ଚାହାନ୍ତି ନାହିଁ; କିମ୍ବା ନିଜ ନୀତିକୁ କାହା ଉପରେ ଲଦିଦେବା ତାଙ୍କର ଧର୍ମ ନୁହେଁ । ପୁଣି କାହା ଉପରେ ସାଧାରଣ ଭୁଲ ଯୋଗୁଁ ସେ କ୍ରୋଧ ପ୍ରକାଶ କରି ନ ଥାନ୍ତି; କିନ୍ତୁ ଯଦି କେହି ତାଙ୍କ ଆଗରେ ମିଥ୍ୟାର ଆଶ୍ରୟ ନିଏ, ସେ ତା ଉପରେ ରାଗିଯାଇଥାନ୍ତି । ପରେ ଅବଶ୍ୟ ସେଥିଲାଗି ସେ ଅନୁତାପ କରିଥାନ୍ତି । ସେ କହନ୍ତି–‘‘ଜଣେ ଯେତେବେଳେ ଯୁକ୍ତି କରିବାରେ ଅସହାୟ କିମ୍ବା ଅସମର୍ଥ ମନେକରରନ୍ତି, ସେ ସାଧାରଣତଃ ରାଗିଥାନ୍ତି ।’’ ବହୁଦିନରୁ ପ୍ରାକୃତିକ ଚିକିତ୍ସା ଉପରେ ତାଙ୍କର ଅଟଳ ଆସ୍ଥା ରହି ଆସିଅଛି । ଡାକ୍ତରୀ ଔଷଧ ସେବନକୁ ସେ ଆଦୌ ପସନ୍ଦ କରି ନ ଥାନ୍ତି । ମୂତ୍ର-ଚିକିତ୍ସା, ସଂଯମ, ଯୋଗ ଓ ପ୍ରାଣୟାମ ତାଙ୍କୁ ଏ ବୟସରେ କରିପାରିଛି ନିରୋଗ ଓ କର୍ମଦକ୍ଷ । ନିଜେ ମଧ୍ୟ ସେ ମୂତ୍ରଚିକିତ୍ସା ଉପରେ ପୁସ୍ତକ ପ୍ରଣୟନ କରିଅଛନ୍ତି । ଦେଶର ଉତ୍ତର ପୂର୍ବାଞ୍ଚଳ ଗସ୍ତ କାଳରେ ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ଜାହାଜରୁ ଡେଇଁପଡ଼ି ଆତ୍ମରକ୍ଷା କରିବା, ଯୁଦ୍ଧ ଜାହାଜ ଭେଳାରେ ଦଉଡ଼ି ସାହାଯ୍ୟରେ ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ ଅବତରଣ କରିବା ତାଙ୍କ ଦୃଢ଼ ମନୋବଳ ତଥା ସୁସ୍ଥସବଳ ଶରୀରର ପରିଚୟ ଦେଇଥାଏ ।

Image

 

ତାଙ୍କ ଦୃଷ୍ଟିରେ ଗାନ୍ଧିଜୀ, ପଟେଲ ଓ ନେହେରୁ

 

୧୯୪୭ ମସିହା ନଭେମ୍ବର ମାସରେ ମୁଁ ଗାନ୍ଧିଜୀଙ୍କୁ ଶେଷଥର ପାଇଁ ସାକ୍ଷାତ କରିଥିଲି । ସେତେବେଳେ ମୁଁ ଦୁଃଖର ସହିତ ଲକ୍ଷ୍ୟ କରିଛି ଯେ ତାଙ୍କ ପରି ଜଣେ କରିତ୍‌କର୍ମା ନିରାସକ୍ତ ବ୍ୟକ୍ତି ସହକର୍ମୀମାନଙ୍କ ଅବହେଳା ଓ ମତପାର୍ଥକ୍ୟଜନିତ ଚିନ୍ତାରେ ମୂହ୍ୟମାନ ହୋଇପଡ଼ିଥାନ୍ତି । ସେତେବେଳେ ସେ ଅବସ୍ଥାନ କରୁଥାନ୍ତି ଦିଲ୍ଲୀସ୍ଥିତ ବିରଳା ଭବନରେ । ମୁଁ ବାଲାସାହେବ ଖେର୍‌ଙ୍କ ସହିତ ସାକ୍ଷାତ କରିବାକୁ ଗଲି । ସେ ଆମକୁ ଦେଖି ସଙ୍ଗେ ସଙ୍ଗେ କହିଉଠିଥିଲେ—‘‘Morarjee, we should giveup everything and retire,’’—ଆମେ ଏଥରକ ସବୁ ଛାଡ଼ି କାର୍ଯ୍ୟରୁ ଅବସର ନେବା । ବାପୁଙ୍କଠାରୁ ଏପରି ନୈରାଶ୍ୟଜନକ କଥା ଶୁଣି ମୁଁ ଗଭୀର ଦୁଃଖ ଅନୁଭବ କରିଥିଲି ଓ କହିଥିଲି—‘‘ଅବସର ନେବା ଆଦୌ ଏକ କଠିନ ବ୍ୟାପାର ନୁହେଁ । ମୁଁ ଚାହିଁଲେ ଇସ୍ତଫା ଦେଇ ମିନିଟକ ମଧ୍ୟରେ ଅବସର ନେଇପାରେ । ହେଲେ ମୁଁ ଜାଣିବାକୁ ଚାହେଁ ଯେ ଅବସର ନେଲେ ଆପଣଙ୍କ କଥା ଅନୁଯାୟୀ ଲୋକଙ୍କର ହିତ ଲାଗି ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରିବା କିପରି ?’’ ସେ କହିଥିଲେ–‘‘ଯେତେବେଳେ କେହି ଆମ କଥା ଶୁଣୁ ନାହାନ୍ତି, ଆମେ ଉପରେ ପଡ଼ି କିଛି କାମ କରିବା ସମୀଚୀନ ନୁହେଁ । ତେଣୁ ଅବସର ନେବା ଛଡ଼ା ଆମର ଆଉ ଅନ୍ୟ କିଛି ପନ୍ଥା ଅଛି କି ?’’ ମୁଁ ତତ୍‌କ୍ଷଣାତ ଉତ୍ତର ଦେଇଥିଲି—‘‘ଆପଣଙ୍କ କଥା ସିନା ଦିଲ୍ଲୀରେ କେହି ଶୁଣୁ ନାହାନ୍ତି; କିନ୍ତୁ ଦିଲ୍ଲୀ ତ ଭାରତବର୍ଷ ନୁହେଁ । ମୋର ଯେତେଦୂର ବିଶ୍ୱାସ ଏବେ ସମଗ୍ର ଦେଶବାସୀଙ୍କ ନିକଟରେ ଆପଣ ସବୁଠାରୁ ବେଶୀ ଆସ୍ଥାଭାଜନ ହୋଇପାରିଛନ୍ତି । ସମଗ୍ର ଦେଶରେ ଥରେ ଆପଣ ବୁଲି ଆସିଲେ ଏହାର ସତ୍ୟତା ଜାଣିପାରିବେ ।’’

 

ଛାତ୍ରଜୀବନରେ ବାପୁଜୀ ସେତେ ମେଧାବୀ ନ ଥିଲେ; କିନ୍ତୁ ବାଲ୍ୟକାଳରୁ ସେ ଥିଲେ ସତ୍ୟର ପୂଜାରୀ । ପିତାମାତାଙ୍କ ପ୍ରତି ଭକ୍ତି ଆବାଲ୍ୟରୁ ତାଙ୍କ ଜୀବନର ଥିଲା ଅନ୍ୟତମ ବ୍ରତ । ବମ୍ବେରେ ଓକିଲାତି କଲାବେଳେ ମଧ୍ୟ ସେ ଭବିଷ୍ୟତ ପ୍ରତି ସେତେ ଅବସ୍ଥାନ ନ ଥିଲେ । ଦକ୍ଷିଣ ଆଫ୍ରିକାର ବିଶିଷ୍ଟ ବଣିକ ସେଠ୍‌ ଅବଦୁଲା ଯେତେବେଳେ ତାଙ୍କୁ କୌଣସି ଏକ ମୋକଦ୍ଦମା ଚଳାଇବା ଲାଗି ନିମନ୍ତ୍ରଣ କଲେ ତାଙ୍କୁ ଆଫ୍ରିକା ଯିବାକୁ ସୁଯୋଗ ମିଳିଲା । ସେହିଠାରେ ହିଁ ସେ ନିଷ୍ପେଶିତଙ୍କ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କଲେ । ବର୍ଣ୍ଣବୈଷମ୍ୟ ଓ ତଜ୍ଜନିତ ତିକ୍ତ ଅନୁଭୂତି ଆହରଣ କରି ସବୁ କ୍ଷେତ୍ରରେ ଅନ୍ୟାୟର ପ୍ରତିରୋଧ କରିବା ଲାଗି ସେ କ୍ରମେ ହେଲେ ପ୍ରତିଜ୍ଞାବଦ୍ଧ । ସେଠାରେ ଭାରତୀୟମାନଙ୍କୁ ଏକତ୍ରିତ କରି ଜୀବନରେ ପ୍ରଥମଥର ପାଇଁ ସତ୍ୟାଗ୍ରହକୁ ଆୟୁଧ ରୂପେ ସେ ଗ୍ରହଣ କଲେ । ଆଫ୍ରିକାରେ ତାଙ୍କର ନିଃସ୍ୱାର୍ଥପର ସେବା ଓ କାର୍ଯ୍ୟକଳାପ ଫଳରେ ସ୍ୱଦେଶରେ ସେ ହୋଇଥିଲେ ସମ୍ମାନିତ । ତାପରେ ଗୋପାଳକୃଷ୍ଣ ଗୋଖଲେଙ୍କୁ ସେ ରାଜନୈତିକ ଗୁରୁ ରୂପେ ଗ୍ରହଣ କରିଥିଲେ । ୧୯୧୫ରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ସେ ହୃଦୟଙ୍ଗମ କଲେ ଯେ ଆଫ୍ରିକାରେ ଯେଉଁ ସତ୍ୟାଗ୍ରହ ବଳରେ ସେ ଲୋକଙ୍କୁ ନିଷ୍ପେଷଣରୁ ରକ୍ଷା କରିପାରିଥିଲେ, ସ୍ୱଦେଶକୁ ବିଦେଶୀ କବଳରୁ ଉଦ୍ଧାର କରିବା ଲାଗି ସେହି ନୀତି ଅନୁସରଣ କରିବେ । ତା ପରେ ଜାତୀୟ କଂଗ୍ରେସ ଜରିଆରେ ଜନ୍ମଭୂଇଁର ମୁକ୍ତି ଲାଗି ସେ ହୋଇଥିଲେ ସତତଃ ବ୍ରତୀ । ତେବେ ସବୁ କ୍ଷେତ୍ରରେ ତାଙ୍କର ଧର୍ମ ପ୍ରତି ଗଭୀର ବିଶ୍ୱାସ ଥିଲା ଓ ସେ ସର୍ବଦା ଶୁଦ୍ଧପୂତ ଉପାୟ ଅବଲମ୍ବନ କରୁଥିଲେ । ପ୍ରଥମେ ଖୁବ୍‌ କମ୍‌ ସଂଖ୍ୟକ ବ୍ୟକ୍ତି ତାଙ୍କ ଅନୁସୃତ ପନ୍ଥା ପ୍ରତି ଥିଲେ ଆସ୍ଥାବାନ; କିନ୍ତୁ ଚାରି ପାଞ୍ଚ ବର୍ଷ ମଧ୍ୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ହୋଇପାରିଥିଲେ ଜଣେ ଅପ୍ରତିଦ୍ୱନ୍ଦୀ ନେତା । କଂଗ୍ରେସକୁ ଏକ ଗଣଅନୁଷ୍ଠାନରେ ପରିଣତ କରିବା ଓ ଗଣତାନ୍ତ୍ରିକ ରୂପରେଖ ଦେବାଲାଗି ସେ ପ୍ରାଣପାତ ଉଦ୍ୟମ କରିଥିଲେ ।

 

ମୁଁ ଗାନ୍ଧିଜୀଙ୍କୁ ପ୍ରଥମେ ଦେଖିଲି ୧୯୧୫ ମସିହା କଂଗ୍ରେସ ଅଧିବେଶନରେ । ଉତ୍ତର ପ୍ରଦେଶ, ବଙ୍ଗଳା ଓ ଅନ୍ୟ ରାଜ୍ୟର ପ୍ରତିନିଧି ମାନଙ୍କ ସହିତ ତାଙ୍କ ଆଲେଚନା ଶୁଣି ମୁଁ ଗଭୀର ଭାବେ ପ୍ରଭାବିତ ହୋଇଥିଲି । ‘ୟଙ୍ଗ ଇଣ୍ଡିଆ’, ‘ନବଜୀବନ’ 74 ପଢ଼ି, ଚାକିରି ସମୟରେ ଶେଷ ତିନି ବର୍ଷ ନିୟମିତ ଭାବେ ମୁଁ ଖଦୀ ପିନ୍ଧିଥିଲି । ତାଙ୍କରି ପ୍ରଭାବରୁ ମୋର ଧର୍ମ ପ୍ରତି ଗଭୀର ଆସ୍ଥା ରହିଛି । ଗାନ୍ଧିଜୀଙ୍କ ସାହିତ୍ୟ ଓ ଗୀତା ଅଧ୍ୟୟନ ଫଳରେ ତାହା ହୋଇପାରିଛି ଦୃଢ଼ୀଭୂତ । ଏ ପର୍ଯ୍ୟନ୍ତ ମଧ୍ୟ ମୁଁ ତାଙ୍କ ନୀତି ଓ ଆଦର୍ଶ ପ୍ରତି ଆସ୍ଥା ହରାଇ ନାହିଁ । ୧୯୩୦ ରେ ମୁଁ ଚାକିରୀରୁ ଇସ୍ତଫା ଦେଇ ଗାନ୍ଧିଜୀଙ୍କ ଆଶ୍ରମରେ ଯୋଗ ଦେବା ଲାଗି ତାଙ୍କ ସହିତ ପତ୍ରାଳାପ କରିଥିଲି । ସେ ସତେବେଳେ ଜେଲରେ ଥିବାରୁ ମୋତେ କୌଣସି ଉତ୍ତର ଦେଇପାରି ନ ଥିଲେ । ତେଣୁ ସେ ଦିଗରେ ମୁଁ ଆଉ ଅଗ୍ରଗତି ନ କରି ତାଙ୍କରି ନେତୃତ୍ୱରେ ପରିଚାଳିତ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲି । ସେ ପରିସ୍ଥିତି ଦୃଷ୍ଟିରୁ ଯେଉଁ ଉପାୟରେ ଜାତୀୟ ସଂଗ୍ରାମ ଚଳାଇଥିଲେ ତାହା ବର୍ତ୍ତମାନ ଇତିହାସରେ ପରିଣତ ହୋଇଛି ସେଥିରୁ ପୁରାଣ ପରି ବହୁ ଶିକ୍ଷା ମିଳିଥାଏ ।

 

ସେତେବେଳେ ସ୍ୱାଧୀନତା କିପରି ହାସଲ କରାଯିବ, ସେ ବିଷୟରେ କାହାର କୌଣସି ନିର୍ଦ୍ଦିଷ୍ଟ ଧାରଣା ନ ଥିଲା । ଯେଉଁ ଉପାୟମାନ ଅବଲମ୍ବନ କରାଯାଉଥିଲା, ତଦ୍ୱାରା ଇପ୍‌ସିତ ଫଳପ୍ରାପ୍ତି ଆଶା ଥିଲା ଖୁବ୍‌ କମ୍‌ । ତହୁଁ ଗାନ୍ଧିଜୀ ସତ୍ୟାଗ୍ରହକୁ ସର୍ବୋତ୍ତମ ଉପାୟ ବୋଲି ଧରିନେଇଥିଲେ । ସେ ଚମ୍ପାରନ, ଖେଡ଼ା ଓ ବିରଙ୍ଗମ ଇତ୍ୟାଦି ସ୍ଥାନରେ ରାଉଲତ୍‌ ଆଇନ୍‌ ବିରୁଦ୍ଧରେ ସତ୍ୟାଗ୍ରହ କରି ଦେଶବାସୀଙ୍କ ମନରେ ଜାତୀୟଚେତନା ଜାଗ୍ରତ କରିପାରିଥିଲେ । ତାଙ୍କରି ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇ ପଣ୍ଡିତ ମୋତିଲାଲ ନେହେରୁ, ହାକିମ୍‌ ଅଜ୍‌ମଲ ଖାଁ, ଡକ୍ଟର ଆନ୍‌ସାରୀ, ଚିତ୍ତରଞ୍ଜନ ଦାସ, ବଲ୍ଲଭ ଭାଇ ପଟେଲ, ଜବାହାରଲାଲ ନେହେରୁ, ଡକ୍ଟର ରାଜେନ୍ଦ୍ର ପ୍ରସାଦ, ରାଜାଜୀ, ସରୋଜିନୀ ନାଇଡ଼ୁ ଇତ୍ୟାଦି ଜାତୀୟ ନେତା ରୂପେ ସ୍ୱୀକୃତ ପାଇଥିଲେ । ସରଳ ଜୀବନ ଓ ନିଃସ୍ୱାର୍ଥପର ସେବାର ସେ ଥିଲେ ମୂର୍ତ୍ତିମନ୍ତ ପ୍ରତୀକ । ତାଙ୍କର ଜୀବନ ଥିଲା ଅନବରତ ଧର୍ମାନୁରକ୍ତ । ସବୁ ଧର୍ମ ପ୍ରତି ସେ ସମ୍ମାନ ଦେଖାଉଥିଲେ । ସବୁ କ୍ଷେତ୍ରରେ ଧର୍ମାନୁମୋଦିତ ପନ୍ଥା ତାଙ୍କର ଥିଲା ସେ ଶ୍ରେୟ । ସତ୍ୟ ଓ ଅହିଂସା ପ୍ରତି ତାଙ୍କର ବିଶ୍ୱାସ ଥିଲା ଅଧିକ । ତାହାରି ବଳରେ ସେ ଅନ୍ୟକୁ ସହଜରେ ଆକର୍ଷଣ କରିପାରୁଥିଲେ । ତାଙ୍କର ବହୁ ଅନୁଗାମୀ ଏହି ନୀତି ଉପରେ ବିଶ୍ୱାସ ସ୍ଥାପନ କରିଥିଲେ ମଧ୍ୟ, ତାହା ପୂର୍ଣ୍ଣମାତ୍ରାରେ କାର୍ଯ୍ୟାକାରୀ କରିପାରି ନ ଥିଲେ । ଅନ୍ୟକୁ ପ୍ରେରଣା ଦେଇ ଉଦ୍‌ବୁଦ୍ଧ କରିବାରେ ତାଙ୍କର ଭୂମିକା ଥିଲା ଅତୁଳନୀୟ ।

 

ଜବାହରଲାଲ ନେହେରୁ ଥିଲେ ନାସ୍ତିକ । ତାଙ୍କର ନୀତି ଓ ବିଶ୍ୱାସ ବାପୁଜୀଙ୍କଠାରୁ ବହୁକ୍ଷେତ୍ରରେ ଥିଲା ଭିନ୍ନ; କିନ୍ତୁ ବାପୁଜୀ ସ୍ୱକୀୟ ନୈସର୍ଗିକ ଚିନ୍ତା ଓ ଚେତନା ବଳରେ ତାଙ୍କୁ ନିଜ ଆଦର୍ଶର ଅନୁବର୍ତ୍ତୀ କରାଇପାରିଥିଲେ । ଭାରତୀୟ ରାଜନୀତିରେ ଜବାହରଲାଲ ନେହେରୁଙ୍କ ମହନୀୟ ଭୂମିକା ଅନ୍ତରାଳରେ ବାପୁଜୀଙ୍କର ପ୍ରଚ୍ଛନ୍ନ ଆଦର୍ଶ ରହିଆସିଥିଲା । ସର୍ଦ୍ଦାର ପଟେଲ ମଧ୍ୟ ତାଙ୍କରି ଦ୍ୱାରା ପ୍ରଭାବିତ ହୋଇ ଜନସାଧାରଣଙ୍କ ସେବାର ନିଜକୁ ଉତ୍ସଗ କରିଥିଲେ । ମୁଁ ସର୍ବଦା ତାଙ୍କ ଆଦର୍ଶକୁ ସମ୍ମାନ ଦେଇ ଆସିଛି ଓ ସେହି ଆଦର୍ଶ ଏ ପର୍ଯ୍ୟନ୍ତ ମୋ ଅନ୍ତରାତ୍ମାରେ ରହିଛି ଉଜ୍ଜୀବିତ । ସେ ଜନମାନସରେ ସତ୍ୟ ଓ ଅହିଂସା ପ୍ରତି ଯେଉଁ ପ୍ରତ୍ୟୟ ସୃଷ୍ଟି କରି ଯାଇଅଛନ୍ତି, ତାହା ବିଶ୍ୱରେ କୌଣସି ମହାତ୍ମା ଏ ପର୍ଯ୍ୟନ୍ତ କରି ନାହାନ୍ତି । ଯେହେତୁ ମହାତ୍ମାମାନେ ଜନସମାଜରୁ ଦୂରରେ ରହି ସାଧନା କରୁଥିଲେ, ତତ୍ୱାରା ସାଧାରଣ ସ୍ତରରେ ଥିବା ମଣିଷ ଉପରେ ଆଶାନୁରୂପ ପ୍ରଭାବ ପଡ଼ିପାରୁ ନ ଥିଲା; କିନ୍ତୁ ଗାନ୍ଧିଜୀ ଦୁସ୍ଥ ଜନତା ସହିତ ନିଜକୁ ମିଶାଇ ଦେଇଥିଲେ ଓ ସେମାନଙ୍କ ଦୁଃଖ ଜନତା ସହିତ ନିଜକୁ ମିଶାଇ ଦେଇଥିଲେ ଓ ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ଅଙ୍ଗେ ଲିଭେଇଥିଲେ । ତେଣୁ ତାଙ୍କର ନୀତି ଓ ଆଦର୍ଶ ସର୍ବସାଧାରଣଙ୍କ ଉପରେ ଚମତ୍କାର ପ୍ରଭାବ ବିସ୍ତାର କରିପାରିଥିଲା । ନିଜେ ପରୀକ୍ଷା ନିରୀକ୍ଷା କଲା ପରେ ସେ ସର୍ବସାଧାରଣଙ୍କ ଲାଗି ପନ୍ଥା ସ୍ଥିର କରୁଥିଲେ । ସେ ନିଜେ ଯାହା କରିବାକୁ ଚାହୁଁ ନ ଥିଲେ ଅନ୍ୟକୁ ତାହା କରିବାକୁ ଉପଦେଶ ଦେଉ ନ ଥିଲେ । ନିଜର ଶକ୍ତିବହିର୍ଭୂତ କୌଣସି କାର୍ଯ୍ୟ କରିବାକୁ ସେ ବାରଣ କରୁଥିଲେ । ସେଥିଲାଗି ସର୍ବସାଧାରଣ ତାଙ୍କୁ ଉପଦେଷ୍ଟା ରୂପେ ସମ୍ମାନ କରୁଥିଲେ ।

 

ଏବେ ଅନେକ ମତ ଦିଅନ୍ତି ଯେ ଗାନ୍ଧିଜୀଙ୍କ ନୀତି, ଆଦେଶ ପୁରୁଣା ହୋଇଗଲାଣି ଓ କ୍ରମେ ମୂଲ୍ୟହୀନ ହୋଇପଡ଼ୁଛି; କିନ୍ତୁ ଏହା ଏକ ଉପରଠାଉରିଆ ଅଭିମତ । ଯେହେତୁ ସେଗୁଡ଼ିକ ଚିରନ୍ତନ ନୀତି ଉପରେ ପର୍ଯ୍ୟବସିତ, ତେଣୁ ତାହା ସର୍ବଦା ଗ୍ରାହ୍ୟ ଓ ଗୁଣ ଦୃଷ୍ଟିରୁ ମହୀୟାନ । ଧରାପୃଷ୍ଠରୁ ତାହା କଦାପି ଅନ୍ତର୍ହିତ ହୋଇପାରେନା । ବର୍ତ୍ତମାନ ଧର୍ମାନୁଚିନ୍ତା କ୍ରମେ ଦୁବର୍ଳ ହୋଇପଡ଼ୁଛି ଓ ଧର୍ମ ଅଧର୍ମର ସଂଘର୍ଷ ମାନବ ସମାଜରେ ସୃଷ୍ଟି କରୁଛି ଅସ୍ଥିରତା । ଲୋକେ ବସ୍ତୁବାଦୀ ଚିନ୍ତାର ବଶବର୍ତ୍ତୀ ହେବା ଦ୍ୱାରା ଆଧ୍ୟାତ୍ମିକ କ୍ରମେ ଦୂରେଇ ଯାଉଛି; କିନ୍ତୁ ଗାନ୍ଧିଜୀ ଧର୍ମାନୁମୋଦିତ ଚିନ୍ତା ଓ ପନ୍ଥା ଲାଗି ଯେଉଁ ବୀରୋଚିତ ଉଦ୍ୟମ କରିଯାଇଛନ୍ତି, ସେଥିଯୋଗୁଁ ଜାତିର ଜନକ ଭାବେ ସେ ଆଜି ସମଗ୍ର ଦେଶରେ ସୁପରିଚିତ ଓ ସ୍ମରଣୀୟ । ତାଙ୍କୁ ଲୋକେ କେବେ ଭୁଲିପାରିବେ ନାହିଁ । ମୋର ଦୃଢ଼ ବିଶ୍ୱାସ ଯେ ଯଦି ଗାନ୍ଧିଜୀଙ୍କୁ ଆମେ ଭୁଲିଯାଉ, ତାହାହେଲେ ଭାରତ ସମୂଳେ ଧ୍ୱଂସ ପାଇଯିବ ।

 

୧୯୨୭-୨୮ ମସିହାରେ ମୁଁ ଯେତେବେଳେ ଅହମଦାବାଦ ମୁନିସପାଲିଟିର ମୁଖ୍ୟ ଅଫିସର ଚାକିରୀ ପାଇଁ ପ୍ରାର୍ଥୀ ହୋଇଥିଲି ସେତେବେଳେ ମୋତେ ପ୍ରଥମଥର ପାଇଁ ସର୍ଦ୍ଦାର ପଟେଲଙ୍କୁ ସାକ୍ଷାତ କରିବାର ସୁଯୋଗ ମିଳିଥିଲା । ମୁଁ ଅହମଦାବାଦର ୨ୟଶ୍ରେଣୀ ମାଜିଷ୍ଟ୍ରେଟ ଥିଲାବେଳେ ସେ ଓକିଲ ହିସାବରେ ଥରେ କିମ୍ବା ଦୁଇଥର ମୋ କୋର୍ଟକୁ ଆସିଥିଲେ । ତେବେ ମୁଁ ଯେତେଦୂର ଜାଣେ ସେ ଥିଲେ ମିତଭାଷୀ ଓ ନିର୍ଭୟମନା । ସେ ଯାହା ମନସ୍ଥ କରୁଥିଲେ ତାହାହିଁ କରୁଥିଲେ । ପୌଣସି ବ୍ୟକ୍ତି ପ୍ରଭାବ ପକାଇ ତାଙ୍କୁ ସିଦ୍ଧାନ୍ତରୁ ଓହରାଇ ପାରୁ ନଥିଲେ । ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଥିବାବେଳେ ମୁଁ ତାଙ୍କର ଘନିଷ୍ଟ ସମ୍ପର୍କରେ ଆସିଥିଲି । କେତେକ କ୍ଷେତ୍ରରେ ମୋର ତାଙ୍କ ସହିତ ମତପାର୍ଥକ୍ୟ ଆସିଥିଲା । ସେ ବନ୍ଧୁମାନଙ୍କୁ କିପରି ବ୍ୟବହାର କରୁଥିଲେ ତାହା ମୁଁ ନିକଟରେ ଥାଇ ଦେଖିଛି । ଅନୁଭୂତିରୁ ମୁଁ ଏତିକି କହିବି ଯେ ସେ ସବୁବେଳେ ବନ୍ଧୁ ଓ ସହକର୍ମୀ ମାନଙ୍କର ସଦ୍‌ଗୁଣକୁ ସମ୍ମାନ ଦେଖାଉଥିଲେ । ଯେଉଁମାନଙ୍କ ସହିତ ତାଙ୍କର ମତଭିନ୍ନତା ଦେଖା ଦେଉଥିଲା ସେମାନଙ୍କୁ ସେ ଅସମ୍ମାନ କରୁ ନ ଥିଲେ କିମ୍ବା ସେମାନଙ୍କର କୌଣସି ଅହିତ ଚିନ୍ତା କରୁ ନ ଥିଲେ । ସେ ଥିଲେ ଗୁଜୁରାଟ ବାସୀଙ୍କର ସେବକ ଓ ନେତା । ତେଣୁ ପ୍ରାୟ କେହି ତାଙ୍କ କଥା ଅମାନ୍ୟ କରୁନଥିଲେ । ଧନୀ ଓ ଦରିଦ୍ର ନିର୍ବିଶେଷରେ ସେ ସମସ୍ତଙ୍କ ସହିତ ସୁସମ୍ପର୍କ ରକ୍ଷା କରୁଥିଲେ । ତେବେ ଶ୍ରମିକ ଓ ଶ୍ରମିକ ନେତାମାନଙ୍କ ସହିତ ସମ୍ପର୍କଥିଲା ଅତି ଘନିଷ୍ଟ । ଦୁର୍ବଳ ଗୋଷ୍ଠୀର ସେ ଥିଲେ ଦୃଢ଼ ସମର୍ଥକ । ଗ୍ରାମ୍ୟ ଜୀବନକୁ ସୁସ୍ଥ ଓ ନିରାମୟ କରିବାଲାଗି ସେ ଥିଲେ ସ୍ୱତଃ ଉଦ୍ୟମୀ । ବନ୍ଧୁ ଓ ସହକର୍ମୀମାନଙ୍କୁ ଅସୁବିଧାରେ ସାହାଯ୍ୟ କରିବା ଥିଲା ତାଙ୍କର ଏକ ମହତ୍‌ ଗୁଣ ।

 

ନିଜ ପରିବାର ପ୍ରତି ସେ ଥିଲେ ସର୍ବଦା ଉଦାସୀନ । ଏପରିକି ତିରୋଧାନ ବେଳେ ସେ ନିଜପୁଅ ଦୟାଭାଇ ଓ ଝିଅ ମଣିବେନ୍‌ଙ୍କୁ ସାହାଯ୍ୟ କରିବାକୁ କାହାକୁ କିଛି କହି ନ ଥିଲେ । ଗାନ୍ଧିଜୀଙ୍କ ସାନିଧ୍ୟ ପାଇଲା ପରେ ଦେଶ ସେବାରେ ସେ ତାଙ୍କର ସମସ୍ତ ଜୀବନ ଉତ୍ସର୍ଗ କରିଥିଲେ-। ତାଙ୍କର ଦୂରଦୃଷ୍ଟି ଥିଲା ଅତୀବ ତୀକ୍ଷଣ । ତାଙ୍କପରି କୌଣସି ନେତା ଯେକୌଣସି ସମସ୍ୟାର ପୁଙ୍ଖାନୁପୁଙ୍ଖ ଆଲୋଚନା କରି ପାରୁ ନ ଥିଲେ । କଂଗ୍ରେସରେ ତାଙ୍କର ଯେପରି କର୍ତ୍ତୃତ୍ୱ ଥିଲା, ଅନ୍ୟ କାହାର ସେପରି ନଥିଲା କହିଲେ ଚଳେ । ଏହାର ଗୂଢ଼ତତ୍ତ୍ୱ ହେଉଛି ସେ ଯେପରି କର୍ମୀମାନଙ୍କୁ ସାହାଯ୍ୟ କରୁଥିଲେ, ଅନ୍ୟ କାହାଠାରୁ କର୍ମୀମାନେ ସେପରି ସାହାଯ୍ୟ ପାଉ ନ ଥିଲେ । କାର୍ଯ୍ୟ କ୍ଷେତ୍ରରେ ସେ ସବୁବେଳେ ଥିଲେ ଦୃଢ଼ ଓ କଠିନ । କର୍ମକ୍ଷେତ୍ରରେ ଅଯଥା ଆବେଗ ପ୍ରକାଶ କରିବା ତାଙ୍କଠାରେ ନ ଥିଲା । ତାହା ବୋଲି ଯେ ତାଙ୍କ ହୃଦୟରେ ଦୟା ଓ କ୍ଷମା ନ ଥିଲା ଏପରି ଭାବିବା ଠିକ୍‌ ନୁହେଁ । ବହୁ କଷ୍ଟର ସମ୍ମୁଖୀନ ହୋଇ ଧୈର୍ଯ୍ୟର ସହିତ ସେ ପରିସ୍ଥିତିର ମୁକାବିଲା କଲେ ମଧ୍ୟ ମୁଁ ତାଙ୍କୁ ବିମର୍ଷ ହେବାର କେବେ ଦେଖିନାହିଁ । ୫୫୦ ଟି କରଦ ରାଜ୍ୟର ମିଶ୍ରଣ ଲାଗି ଯାଦୁକର ପରି ସେ ଯେଉଁ ଭୂମିକା ଗ୍ରହଣ କରିଥିଲେ ତାହା ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଅବଶ୍ୟ ବିଶମାର୍କ ଜର୍ମାନୀରେ ସେହିପରି ଏକ ଭୂମିକା ଗ୍ରହଣ କରିଥିଲେ; କିନ୍ତୁ ପରିସ୍ଥିତି ଥିଲା ଭିନ୍ନ । ଜର୍ମାନୀରେ ଗୋଟିଏ ଗୋଷ୍ଠୀର ଲୋକେ ବସବାସ କରୁଥିଲେ ଓ ରାଜ୍ୟମାନଙ୍କ ସଂଖ୍ୟା ଥିଲା ଖୁବ କମ୍‌ । ତେଣୁ ସେ ତାହା ସହଜରେ କରି ପାରିଥିଲେ; କିନ୍ତୁ ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର ଭାରତରେ ବହୁଧର୍ମ ଓ ଭାଷାଭାଷୀ ଲୋକଙ୍କର ସଂହିତବଦ୍ଧ ଏତେଗୁଡ଼ିକ ରାଜ୍ୟର ମିଶ୍ରଣ ମାତ୍ର ଦେଢ଼ବର୍ଷ ମଧ୍ୟରେ କରାଇବାଲାଗି ସର୍ଦ୍ଦାରଜୀଙ୍କୁ କିପରି ଏକ ଅସାଧାରଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼ିଥିଲା, ତାହା ସମଗ୍ର ବିଶ୍ୱବାସୀ ଜାଣନ୍ତି । ବହୁବର୍ଷ ଧରି ସ୍ୱତନ୍ତ୍ର ସୁବିଧା ସୁଯୋଗ ଉପଭୋଗ କରୁଥିବା ରାଜ୍ୟମାନଙ୍କୁ ଗୋଟିଏ ଶାସନରେ ସାମିଲ କରାଇବା ତାଙ୍କ ବ୍ୟତୀତ ଅନ୍ୟ କେହି କରି ପାରି ନଥାନ୍ତେ ।

 

ତାଙ୍କ ବିଚକ୍ଷଣ ଦୂରଦୃଷ୍ଟିର ପ୍ରମାଣ ଆମେ ବହୁକ୍ଷେତ୍ରରେ ଦେଖିବାକୁ ପାଇଥାଉ । ଚୀନ ଓ ତିବ୍ଦତ୍ ସର୍ମ୍ପକରେ ସାବଧାନ କରାଇ ଜବାହାରଲାଲ ନେହେରୁଙ୍କୁ ପୂବର୍ରୁ ସେ ଯେଉଁ ଚିଠି ଲେଖିଥିଲେ, ତାହା ତାଙ୍କ ଅସାଧାରଣ ଦୂରଦୃଷ୍ଟିର ଏକ ସ୍ଥୂଳ ନିର୍ଦଶନ । ଯଦି ଜବାହରଲାଲ ସେହି ଚିଠି ପ୍ରତି ଗୁରୁତ୍ୱ ଦେଇ ବିଚାର କରିଥାନ୍ତେ ଓ ଆଗୁଆ ପଦକ୍ଷେପ ନେଇଥାନ୍ତେ, ତାହାହେଲେ ଭାରତକୁ ଏତେ କ୍ଷତି ସହିବାକୁ ପଡ଼ି ନଥାନ୍ତା । ପୁଣି ଯଦି ଜାମୁ କାଶ୍ମୀର ସମସ୍ୟା ସମାଧାନ ଲାଗି ମୂଳରୁ ତାଙ୍କୁ ଛାଡ଼ି ଦିଆଯାଇଥାନ୍ତା, ତାହାହେଲେ ଦୁଇ ତିନିବର୍ଷ ମଧ୍ୟରେ ସେ ତା’ର ସନ୍ତୋଷଜନକ ସମାଧାନ କରିପାରିଥାଆନ୍ତେ ।

 

ମୋର ସୌଭାଗ୍ୟ ଯେ ୧୯୩୧ ରୁ ୧୯୫୦ ପର୍ଯ୍ୟନ୍ତ ମୁଁ ତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲି । ସାଧାରଣ ଜୀବନରେ ତାଙ୍କ ପରି ଏତେ ପବିତ୍ରତା ରକ୍ଷା କରିବା ଖୁବ୍‌ କମ୍‌ ଲୋକଙ୍କ ପକ୍ଷରେ ସମ୍ଭବପର । ସେଥିଲାଗି ସେ ସହଜରେ ସର୍ବସାଧାରଣଙ୍କର ବିଶ୍ୱାସଭାଜନ ହୋଇ ପାରିଥିଲେ । ଜୀବନର ଶେଷ ତିନିବର୍ଷ ସେ ମୋ ପ୍ରତି ଯେଉଁ ଆସ୍ଥା ଓ ସ୍ନେହ ପ୍ରଦର୍ଶନ କରିଥିଲେ ତାହା ମୁଁ କଦାପି ଭୁଲି ପାରିବିନାହିଁ । ଦୁନିଆଁରେ ଦୁଇ ଶ୍ରେଣୀର ମହାନ ବ୍ୟକ୍ତି ଦେଖିବାକୁ ମିଳନ୍ତି । ପ୍ରଥମ ଶେଣୀର ବ୍ୟକ୍ତିଙ୍କ ମୃତ୍ୟୁ ପରେ ଲୋକ କ୍ରମେ ତାଙ୍କୁ ପାଶୋରି ପକାନ୍ତି; କିନ୍ତୁ ଦ୍ୱିତୀୟ ଶ୍ରେଣୀର ବ୍ୟକ୍ତି ସଂସାରରୁ ବିଦାୟନେଲା ପରେ ଲୋକେ ସମୟାନୁକ୍ରମେ ବେଶୀ ବେଶୀ ତାଙ୍କୁ ମନେ ପକାନ୍ତି । ସର୍ଦ୍ଦାର ପଟେଲ ଦ୍ୱିତୀୟ ଶ୍ରୀଣେ ଅନ୍ତର୍ଭୁକ୍ତ ।

 

୧୯୩୧ ମସିହାରେ ମୁଁ ପ୍ରଥମଥର ପାଇଁ ଜବାହରଲାଲଙ୍କୁ ସାକ୍ଷାତ କରିଥିଲେ ମଧ୍ୟ ୧୯୩୪-୩୫ ମସିହା ପର୍ଯ୍ୟନ୍ତ ତାଙ୍କ ଘନିଷ୍ଠ ସମ୍ପର୍କରେ ଆସି ପାରି ନ ଥିଲି । ମୁଁ ଗୁଜୁରାଟ ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଥିବାବେଳେ ସେ ଥିଲେ ନିଖିଳଭାରତ କଂଗ୍ରେସର ସଭାପତି-। ସେହି ଅବସରରେ ତାଙ୍କ ସହିତ ମୋ ସମ୍ପର୍କ ଘନିଷ୍ଠ ହୋଇ ପାରିଥିଲା । ତେବେ ସର୍ବପ୍ରଥମେ ମୃଦୁଳା ସରାବାଇ ମୋ ବିଷୟରେ ତାଙ୍କୁ ସୂଚନା ଦେଇଥିଲେ । ସେତେବେଳକୁ ସେ ଜନସାଧାରଣଙ୍କ ନେତା ଓ ଜଣେ ଉଚ୍ଚକୋଟୀର ଦେଶସେବକ ଭାବରେ ପ୍ରତିଷ୍ଠିତ ହୋଇସାରିଥାନ୍ତି । ସ୍ୱାଧୀନତା ସଂଗ୍ରାମର ସେ ଥା’ନ୍ତି ଜଣେ ଅଗ୍ରସାରଥି । ମୁଁ ଯେତେଦୂର ଜାଣେ ଯେ ସାଧାରଣ କଥାରେ ଧୈର୍ଯ୍ୟ ହରାଇବା ଥଲା ତାଙ୍କର ଏକ ସହଜାତ ପ୍ରବୃତ୍ତି । ତା ସତ୍ତ୍ୱେ ତାଙ୍କର ଅସାଧାରଣ ବ୍ୟକ୍ତିତ୍ୱ ସହଜରେ ଜନସାଧରଣଙ୍କୁ ଆକର୍ଷଣ କରିପାରୁଥିଲା । ପଦ ଓ ପଦବୀ ଭୁଲି ଲୋକଙ୍କ ସହିତ ସେ ନିଜକୁ ମିଶାଇ ଦେଉଥିଲେ । ମହାତ୍ମାଗାନ୍ଧୀଙ୍କ ପରେ ସେ ଥିଲେ ଦେଶର ସବୁଠାରୁ ଜନପ୍ରିୟ ନେତା । କ୍ଷଣକୋପୀ ହେଲେ ମଧ୍ୟ ସାମୟିକ ସେ ଆନନ୍ଦ ପାଉଥିଲେ । ଅତ୍ୟଧିକ ଲୋକପ୍ରିୟତା ଯୋଗୁଁ ସେ ଭୁଲ କଲେ ମଧ୍ୟ, ଲୋକେ ତାହା ଧରୁ ନ ଥିଲେ । ସମସ୍ତଙ୍କୁ ସମବ୍ୟବହାର କରିବା ଥିଲା ତାଙ୍କର ଏକ ମହତ୍ ଗୁଣ ।

 

ସେ ଖୁବ୍‌ କମ୍‌ ଲୋକଙ୍କୁ ବିଶ୍ୱାସ କରୁଥିଲେ । ମୁଁ ବେଳେ ବେଳେ ସନ୍ଦେହ କରେ ଯେ ସେ କାହାକୁ କେବେ ହେଲେ ପୂର୍ଣ୍ଣମାତ୍ରାରେ ବିଶ୍ୱାସ କରୁ ନ ଥିଲେ । ଜଣେ ବ୍ୟକ୍ତି ଅତି ବେଶୀ ହେଲେ ଦୁଇ ତିନିବର୍ଷ ତାଙ୍କର ବିଶ୍ୱାସ ଭାଜନ ହୋଇ ପାରୁଥିଲା । ଅନେକ କହନ୍ତି ଯେ ଜବାହରଲାଲ ଲୋକଙ୍କୁ ଭଲଭାବେ ନ ଚିହ୍ନି ମଧ୍ୟ ବିଶ୍ୱାସ କରୁଥିଲେ; କିନ୍ତୁ ଏହା ଠିକ୍‌ ନୁହେଁ ବୋଲି ଅନୁଭୂତି ଦୃଷ୍ଟିରୁ ମୁ କହିବି । ବରଂ ସେ ଲୋକ ଚରିତ୍ରର ଉତ୍ତମ ବିଚାର କରି ପାରୁଥିଲେ । ତାଙ୍କର ବ୍ୟକ୍ତଗତ କ୍ଷମତା କିମ୍ବା ଅର୍ଥଲାଳସା ନଥିଲା । ଦୁବର୍ଳ ଗୋଷ୍ଠୀଙ୍କ ମଙ୍ଗଳଲାଗି ସେ ଅନବରତ ଚିନ୍ତା କରୁଥିଲେ । ସମଗ୍ର ବିଶ୍ୱରେ କିପରି ଜଣେ ସର୍ବବାଦୀ ସମ୍ମତ ନେତା ହେବେ, ତାହାହିଁ ବୋଧହୁଏ ଥିଲା ତାଙ୍କର ଏକାନ୍ତ ଅଭିଳାଷ । ବେଳେ ବେଳେ ସେ ନିକଟତମ ମହଲରୁ ଗୁଜବ ଶୁଣି ତଦ୍ୱାରା ପ୍ରଭାବିତ ହେଉଥିଲେ । ଯାହାକୁ ବିରୋଧୀ ବୋଲି ଥରେ ସେ ବିବେଚନା କରୁଥିଲେ, ତାଙ୍କୁ କେବେହେଲେ ବିଶ୍ୱାସ କରୁନଥିଲେ । ଧନ କମ୍ବା କ୍ଷମତାଲାଗି ପ୍ରତିହିଂସା ପରାୟଣ ହେବା ମୁଁ ତାଙ୍କୁ କେବେ ଦେଖିନାହିଁ ।

 

ଲୋକପ୍ରିୟ ହେବାଲାଗି ସେ ସାମୟିକ ଭୁଲ ମଧ୍ୟ କରୁଥିଲେ । ନିଜର ଧନ, ନିରାପତ୍ତା ଓ କ୍ଷମତା ଦୃଷ୍ଟିରୁ ସେ ଥିଲେ ନିର୍ଭୟମନା; କିନ୍ତୁ କାଳେ ନିଜର ଲୋକପ୍ରିୟତା ବ୍ୟାହତ ହେବ, ସେଥିଲାଗି ସର୍ବଦା ସେ ଭୟ କରୁଥିଲେ । ହଠାତ ରାଗିଯିବାଦ୍ୱାରା ତାଙ୍କୁ ସାମୟିକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ଥରେ ୧୯୪୭ ରେ ସେ ବମ୍ବେ ଆସିଥାନ୍ତି । ଉଡ଼ାଜାହାଜ ପଡ଼ିଆରେ ଏତେ ଲୋକ ସମାଗମ ହେଲା ଯେ ସେ ଆଗକୁ ପାଦ ନ ପକାଇ ପାରି ରାଗିଯାଇ ପାଖରେ ଛିଡ଼ା ହୋଇଥିବା ପୁଲିସ-କମିସନରଙ୍କ ପିଠିରେ ଦୁଇ ତିନି ଚାପଡ଼ା ମାରିଥିଲେ । ଅବଶ୍ୟ ପରେ ସେଥିଲାଗି ସେ ଦୁଃଖ ପ୍ରକାଶ କରିଥିଲେ । ସରକାରୀ କାର୍ଯ୍ୟ ପରେ ଅଧିକାଂଶ ସମୟ ସେ ରହୁଥିଲେ ଅଧ୍ୟୟନରତ । ନବପ୍ରକାଶିତ ପୁସ୍ତକ ପଢ଼ିବାକୁ ସେ ଭଲ ପାଉଥିଲେ । ହିନ୍ଦୁଧର୍ମ ବିଷୟରେ ତାଙ୍କର ସ୍ଥୂଳ ଜ୍ଞାନ ଥିଲା । ଏହା ସତ୍ତ୍ୱେ ଜୀବନର ପ୍ରାୟ ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କର ଭଗବାନ କିମ୍ବା ଧର୍ମପ୍ରତି ବିଶ୍ୱାସ ନ ଥିଲା । ମୁଁ ତାଙ୍କ ସହିତ ବହୁବାର ଆଲୋଚନା କରି ଜାଣିପାରିଛି ଯେ ତାଙ୍କ ମନରେ ହିନ୍ଦୁ ଧର୍ମ ପ୍ରତି ଏକ ପ୍ରକାର ବିକାରଭାବ ରହି ଆସିଥିଲା ।

 

ଗାନ୍ଧିଜୀଙ୍କ ସହିତ ତାଙ୍କର ସମ୍ପର୍କ ଥିଲା ନିରବଚ୍ଛିନ୍ନ । ଗାନ୍ଧଜୀ ତାଙ୍କର ଦେଶସେବା, ବୁଦ୍ଧି, ମୁକ୍ତମନୋଭାବ ଯୋଗୁଁ ତାଙ୍କୁ ସର୍ବଦା ଆଦର କରୁଥିଲେ । ସ୍ୱାଧୀନତା ପ୍ରାପ୍ତି ପୂର୍ବରୁ ସେ ରୁଷିଆ ପରିଦର୍ଶନ କରି ସେ ଦେଶରେ ଆଶୁ ଅଗ୍ରଗତିରେ ହୋଇଥିଲେ ମୁଗ୍‌ଧ । କାର୍ଲମାର୍କସଙ୍କ ଲେଖା ତାଙ୍କୁ ଆକୃଷ୍ଟ କରିଥିଲା । ତେଣୁ ସାମ୍ୟବାଦୀ ଆର୍ଥନୀତିକ ଚିନ୍ତାର ସେ ଥିଲେ ବଶବର୍ତ୍ତୀ । ବାପୁଜୀଙ୍କ ପରି ତାଙ୍କ ହୃଦୟରେ ଦରିଦ୍ରନାରାୟଣଙ୍କ ପ୍ରତି ଦରଦ ଭରି ରହିଥିଲା । ଗଣତନ୍ତ୍ର ଓ ଗଣତାନ୍ତ୍ରିକ ଉପାୟ ପ୍ରତି ସେ ଅସମ୍ମାନ ପ୍ରଦର୍ଶନ କରୁ ନ ଥିଲେ । ସାମ୍ୟବାଦର ହିଂସାତ୍ମକ ଉପାୟକୁ ସେ ଆଦୌ ଗ୍ରହଣ କରି ନ ଥିଲେ । ବୋଧହୁଏ ଗାନ୍ଧିଜୀଙ୍କ ପ୍ରଭାବ ସେଥିଲାଗି ଦାୟୀ । ନୀତି ଦୃଷ୍ଟିରୁ ସେ ଥିଲେ ମଧ୍ୟମ ପନ୍ଥୀ । ସମସ୍ତେ ସମାନ ଅଧିକାର ପାଆନ୍ତୁ ଓ ଶୋଷଣମୁକ୍ତ ସମାଜ ପ୍ରତିଷ୍ଠା ହେଉ ଏହା ହିଁ ଥିଲା ତାଙ୍କର ଲକ୍ଷ୍ୟ । ରକ୍ଷଣଶୀଳତା ସାମାଜିକ ବିକାଶର ପରିପନ୍ଥୀ ବୋଲି ସେ ଧରିନେଇଥିଲେ । ଯେ କୌଣସି ବିକାଶଶୀଳ କାର୍ଯ୍ୟକ୍ରମକୁ ସେ ଉତ୍ସାହିତ କରୁଥିଲେ ।

 

ସେ ଥିଲେ ଶାନ୍ତିକାମୀ । ତେଣୁ ଯୁଦ୍ଧର ସର୍ବଦା ସେ ବିରୋଧ କରୁଥିଲେ । ଶିଶୁମାନଙ୍କୁ ସେ ସବୁଠାରୁ ଅଧିକ ଭଲ ପାଉଥିଲେ ଓ ମହିଳାମାନଙ୍କ ପ୍ରତି ଥିଲେ ସହାନୁଭୂତିଶୀଳ । ଯେହେତୁ ସେ ଛାତ୍ରଜୀବନରେ ବିଲାତରେ ବହୁବର୍ଷ ଅତିବାହିତ କରିଥିଲେ; ତେଣୁ ସେ ଦେଶର ସଂସ୍କୃତି ତାଙ୍କୁ ବିଶେଷ ଭାବେ ଆକୃଷ୍ଟ କରିଥିଲା । ଅତଏବ ତାଙ୍କ ଚିନ୍ତାରେ ବିଦେଶୀ ପ୍ରଭାବ ସମନ୍ୱିତ ହୋଇଥିଲେ ମଧ୍ୟ ହୃଦୟ ଥିଲା ତାଙ୍କର ପୂର୍ଣ୍ଣ ମାତ୍ରାରେ ଭାରତୀୟ । ସ୍ୱରାଜ ପ୍ରାପ୍ତିପରେ ଦେଶରେ ପ୍ରକୃତ ଜାତୀୟତା ଆଣିବା ଦିଗରେ ସେ ସଫଳତା ସହକାରେ ଆଗେଇ ପାରି ନଥିଲେ । ଇଂରାଜୀ ଭାଷା ପ୍ରତି ତାଙ୍କର ଥିବା ଅନୁରକ୍ତି ହିନ୍ଦୀ ଭାଷା ପ୍ରଚାର ଓ ପ୍ରସାର ଦିଗରେ ସୃଷ୍ଟି କରିଥିଲା ଅନ୍ତରାୟ । ଇଂରାଜୀ ଭାଷାରେ ତାଙ୍କର ଗଭୀର ଅନୁପ୍ରବେଶ ଥିଲା ଓ ସେ ମଧ୍ୟ ଥିଲେ ଜଣେ ବିଶିଷ୍ଟ ଲେଖକ । ଯଦି ସେ ରାଜନୀତିରେ ପ୍ରବେଶ କରି ନ ଥାନ୍ତେ, ତାହାହେଲେ ବିଶ୍ୱର ଜଣେ ପ୍ରତିଷ୍ଠିତ ଲେଖକ ହୋଇ ପାରିଥାନ୍ତେ । ସେ ମଧ୍ୟ ଥିଲେ ଜଣେ ବିଶିଷ୍ଟ ଚିନ୍ତାନାୟକ; କିନ୍ତୁ ବହୁ କ୍ଷେତ୍ରରେ ଚିନ୍ତାକୁ ସେ କାର୍ଯ୍ୟକାରୀ କରି ପାରୁ ନ ଥିଲେ ।

 

(ଆତ୍ମଜୀବନୀରେ ପ୍ରକାଶିତ ପ୍ରବନ୍ଧର ମର୍ମାନୁବାଦ)

Image